65
ବିଚାର ଏବଂ ଉଦ୍ଧାର 
 1 ଯେଉଁମାନେ ଆମ୍ଭ ବିଷୟ ପଚାରିଲେ ନାହିଁ, ସେମାନଙ୍କ ଦ୍ୱାରା ଆମ୍ଭେ ଅନ୍ୱେଷିତ ହେଉଅଛୁ; ଯେଉଁମାନେ ଆମ୍ଭର ଅନ୍ୱେଷଣ କଲେ ନାହିଁ, ସେମାନେ ଆମ୍ଭକୁ ପ୍ରାପ୍ତ ହେଉଅଛନ୍ତି; 
ଯେଉଁ ଦେଶୀୟ ଲୋକେ ଆମ୍ଭ ନାମରେ ଖ୍ୟାତ ହୋଇ ନ ଥିଲେ, ସେମାନଙ୍କୁ, “ଆମ୍ଭକୁ ଦେଖ, ଆମ୍ଭକୁ ଦେଖ” ବୋଲି ଆମ୍ଭେ କହିଲୁ। 
 2 ଯେଉଁମାନେ ଆପଣା ଆପଣା କଳ୍ପନାନୁସାରେ କୁପଥରେ ଗମନ କରନ୍ତି, 
ଏପରି ବିଦ୍ରୋହାଚାରୀ ଲୋକମାନଙ୍କ ପ୍ରତି ଆମ୍ଭେ ସାରାଦିନ ଆପଣା ହସ୍ତ ବିସ୍ତାର କରିଅଛୁ; 
 3 ସେହି ଲୋକମାନେ ଉଦ୍ୟାନରେ ବଳିଦାନ କରି 
ଓ ଗୁଡ଼ିଏ ଇଟା ଉପରେ ଧୂମ ଜ୍ୱଳାଇ ଆମ୍ଭ ମୁଖ ଆଗରେ ନିତ୍ୟ ନିତ୍ୟ ଆମ୍ଭକୁ ବିରକ୍ତ କରନ୍ତି; 
 4 ସେମାନେ କବର ସ୍ଥାନ ମଧ୍ୟରେ ବସନ୍ତି ଓ ଗୁପ୍ତ ସ୍ଥାନରେ ବସା କରନ୍ତି; 
ସେମାନେ ଶୂକର ମାଂସ ଭୋଜନ କରନ୍ତି ଓ ସେମାନଙ୍କ ପାତ୍ରରେ ଘୃଣାଯୋଗ୍ୟ ମାଂସର ଝୋଳ ଥାଏ; 
 5 ସେମାନେ କହନ୍ତି, ସ୍ୱ ସ୍ଥାନରେ ଛିଡ଼ା ହୁଅ, “ଆମ୍ଭ ନିକଟକୁ ଆସ ନାହିଁ, କାରଣ ଆମ୍ଭେ ତୁମ୍ଭ ଅପେକ୍ଷା ପବିତ୍ର;” 
ଏମାନେ ଆମ୍ଭ ନାସିକାରେ ଧର୍ମସ୍ୱରୂପ, ସାରାଦିନ ପ୍ରଜ୍ୱଳିତ ଅଗ୍ନି ସ୍ୱରୂପ। 
 6 ଦେଖ, ଆମ୍ଭ ସମ୍ମୁଖରେ ଏହା ଲିଖିତ ଅଛି; 
“ଆମ୍ଭେ ନୀରବ ହୋଇ ରହିବା ନାହିଁ, ମାତ୍ର ପ୍ରତିଫଳ ଦେବା, ହଁ, ଆମ୍ଭେ ସେମାନଙ୍କ କୋଳରେ ପ୍ରତିଫଳ ଦେବା, 
 7 ସଦାପ୍ରଭୁ କହନ୍ତି, ପର୍ବତଗଣ ଉପରେ ଧୂପ ଜ୍ୱଳାଇଅଛ ଓ ଉପପର୍ବତଗଣ ଉପରେ ଆମ୍ଭକୁ ନିନ୍ଦା କରିଅଛ ଯେ ତୁମ୍ଭେମାନେ, 
ତୁମ୍ଭମାନଙ୍କ ଅପରାଧ ଓ ତୁମ୍ଭମାନଙ୍କ ପୂର୍ବପୁରୁଷଗଣର ଅପରାଧସକଳର ପ୍ରତିଫଳ ଆମ୍ଭେ ଏକାବେଳେ ଦେବା; 
ଏନିମନ୍ତେ ଆମ୍ଭେ ପ୍ରଥମେ ସେମାନଙ୍କ କ୍ରିୟାର ପରିମାଣ କରି ସେମାନଙ୍କ କୋଳରେ ଦେବା।” 
 8 ସଦାପ୍ରଭୁ ଏହି କଥା କହନ୍ତି, “ଦ୍ରାକ୍ଷାପେଣ୍ଡାରେ ଯେପରି ନୂତନ ଦ୍ରାକ୍ଷାରସ ମିଳେ 
ଓ ଲୋକେ କହନ୍ତି, ଏହା ନଷ୍ଟ ନ କର, କାରଣ ଏଥିରେ ଆଶୀର୍ବାଦ ଅଛି; 
ସେହିପରି ଆମ୍ଭେ ଆପଣା ଦାସଗଣ ସକାଶେ କରିବା, ଆମ୍ଭେ ସମସ୍ତଙ୍କୁ ବିନାଶ କରିବା ନାହିଁ। 
 9 ପୁଣି, ଆମ୍ଭେ ଯାକୁବଠାରୁ ଏକ ବଂଶ ଓ ଯିହୁଦାଠାରୁ ଆମ୍ଭ ପର୍ବତଗଣର ଏକ ଅଧିକାରୀ ଉତ୍ପନ୍ନ କରିବା 
ଓ ଆମ୍ଭର ମନୋନୀତ ଲୋକମାନେ ତାହା ଅଧିକାର କରିବେ ଓ ଆମ୍ଭର ଦାସମାନେ ସେଠାରେ ବସତି କରିବେ। 
 10 ଆଉ, ଆମ୍ଭର ଯେଉଁ ଲୋକମାନେ ଆମ୍ଭର ଅନ୍ୱେଷଣ କରିଅଛନ୍ତି, 
ସେମାନଙ୍କ ନିମନ୍ତେ ଶାରୋଣ ଏକ ମେଷ ଖୁଆଡ଼ ଓ ଆଖୋର୍ ଉପତ୍ୟକା ଗୋପଲର ଶୟନ ସ୍ଥାନ ହେବ। 
 11 ମାତ୍ର ସଦାପ୍ରଭୁଙ୍କୁ ତ୍ୟାଗ କରୁଅଛ, ଆମ୍ଭ ପବିତ୍ର ପର୍ବତକୁ ପାସୋରୁଅଛ, 
ଭାଗ୍ୟ ଦେବତା* ଭାଗ୍ୟ ଦେବତା ଏବ୍ରୀ ଭାଷାରେ ଗାଦ୍ ଉଦ୍ଦେଶ୍ୟରେ ମେଜ ସଜାଉଅଛ ଓ ନିରୂପଣୀ ଦେବୀର ଉଦ୍ଦେଶ୍ୟରେ ମିଶ୍ରିତ ଦ୍ରାକ୍ଷାରସ ପୂର୍ଣ୍ଣ କରୁଅଛ ଯେ ତୁମ୍ଭେମାନେ, 
 12 ତୁମ୍ଭମାନଙ୍କୁ ଆମ୍ଭେ ଖଡ୍ଗ ନିମନ୍ତେ ନିରୂପଣ କରିବା ଓ ତୁମ୍ଭେ ସମସ୍ତେ ବଧ ସ୍ଥାନରେ ନଇଁ ପଡ଼ିବ; 
କାରଣ ଆମ୍ଭେ ଡାକିଲା ବେଳେ ତୁମ୍ଭେମାନେ ଉତ୍ତର ଦେଲ ନାହିଁ; ଆମ୍ଭେ କଥା କହିଲା ବେଳେ ତୁମ୍ଭେମାନେ ଶୁଣିଲ ନାହିଁ; 
ମାତ୍ର ଆମ୍ଭ ଦୃଷ୍ଟିରେ ଯାହା ମନ୍ଦ, ତାହା ହିଁ ତୁମ୍ଭେମାନେ କଲ ଓ ଯହିଁରେ ଆମ୍ଭେ ସନ୍ତୁଷ୍ଟ ନୋହୁଁ, ତାହା ହିଁ ମନୋନୀତ କଲ।” 
 13 ଏହେତୁ ପ୍ରଭୁ ସଦାପ୍ରଭୁ ଏହି କଥା କହନ୍ତି, 
“ଦେଖ, ଆମ୍ଭର ଦାସମାନେ ଭୋଜନ କରିବେ, ମାତ୍ର ତୁମ୍ଭେମାନେ କ୍ଷୁଧାର୍ତ୍ତ ହେବ; 
ଦେଖ, ଆମ୍ଭର ଦାସମାନେ ପାନ କରିବେ, ମାତ୍ର ତୁମ୍ଭେମାନେ ତୃଷାର୍ତ୍ତ ହେବ; 
ଦେଖ, ଆମ୍ଭର ଦାସମାନେ ଆନନ୍ଦ କରିବେ, ମାତ୍ର ତୁମ୍ଭେମାନେ ଲଜ୍ଜିତ ହେବ; 
 14 ଦେଖ, ଆମ୍ଭର ଦାସମାନେ ଚିତ୍ତର ସୁଖ ସକାଶୁ ଗାନ କରିବେ, 
ମାତ୍ର ତୁମ୍ଭେମାନେ ଚିତ୍ତର ଦୁଃଖ ସକାଶୁ କ୍ରନ୍ଦନ କରିବ ଓ ଆତ୍ମାର ବିରକ୍ତି ସକାଶୁ ହାହାକାର କରିବ। 
 15 ପୁଣି, ତୁମ୍ଭେମାନେ ଆମ୍ଭ ମନୋନୀତ ଲୋକମାନଙ୍କ ନିକଟରେ ତୁମ୍ଭମାନଙ୍କର ନାମ ଅଭିଶାପ ରୂପେ ରଖିଯିବ ଓ ପ୍ରଭୁ, ସଦାପ୍ରଭୁ ତୁମ୍ଭକୁ ବଧ କରିବେ; 
ଆଉ, ସେ ଆପଣା ଦାସମାନଙ୍କୁ ଅନ୍ୟ ନାମରେ ଖ୍ୟାତ କରିବେ; 
 16 ତହିଁରେ ଯେଉଁ ଲୋକ ପୃଥିବୀରେ ଆପଣାକୁ ଆଶୀର୍ବାଦ କରେ, ସେ ସତ୍ୟ ପରମେଶ୍ୱରଙ୍କଠାରୁ ଆପଣାକୁ ଆଶୀର୍ବାଦ କରିବ 
ଓ ଯେଉଁ ଲୋକ ପୃଥିବୀରେ ଶପଥ କରେ, ସେ ସତ୍ୟ ପରମେଶ୍ୱରଙ୍କ ଦ୍ୱାରା ଶପଥ କରିବ; 
ଯେହେତୁ ପୂର୍ବକାଳର ସଙ୍କଟସବୁ ବିସ୍ମୃତ ହୋଇଅଛି ଓ ତାହାସବୁ ଆମ୍ଭ ଦୃଷ୍ଟିରୁ ଗୁପ୍ତ ହୋଇଅଛି। 
ନୂତନ ସୃଷ୍ଟି 
 17 କାରଣ ଦେଖ, ଆମ୍ଭେ ନୂତନ ଆକାଶମଣ୍ଡଳ ଓ ନୂତନ ପୃଥିବୀ ସୃଷ୍ଟି କରୁ 
ଓ ପୂର୍ବକାଳର ବିଷୟସବୁ ସ୍ମରଣ କରାଯିବ ନାହିଁ, କିଅବା ମନରେ ପଡ଼ିବ ନାହିଁ। 
 18 ମାତ୍ର ଯାହା ଆମ୍ଭେ ସୃଷ୍ଟି କରୁ, ତୁମ୍ଭେମାନେ ସଦାକାଳ ତହିଁରେ ଆନନ୍ଦିତ ହୋଇ ଉଲ୍ଲାସ କର; କାରଣ ଦେଖ, ଆମ୍ଭେ ଯିରୂଶାଲମକୁ ଉଲ୍ଲାସ ସ୍ୱରୂପ ଓ ତହିଁର ଲୋକମାନଙ୍କୁ ଆନନ୍ଦର ପାତ୍ର କରି ସୃଷ୍ଟି କରୁ। 
 19 ପୁଣି, ଆମ୍ଭେ ଯିରୂଶାଲମରେ ଉଲ୍ଲାସ କରିବା ଓ ଆମ୍ଭ ଲୋକମାନଙ୍କଠାରେ ଆନନ୍ଦ କରିବା; 
ପୁଣି, ତହିଁ ମଧ୍ୟରେ ରୋଦନର ଶବ୍ଦ, କିଅବା କ୍ରନ୍ଦନର ଶବ୍ଦ ଆଉ ଶୁଣାଯିବ ନାହିଁ। 
 20 ସେସମୟରୁ ସେସ୍ଥାନରେ ଅଳ୍ପ ଦିନର ଶିଶୁ 
କିଅବା ଅସମ୍ପୂର୍ଣ୍ଣାୟୁ ବୃଦ୍ଧ ଲୋକ ଆଉ ନ ଥିବ; 
କାରଣ ବାଳକ ଏକ ଶତ ବର୍ଷ ବୟଃକ୍ରମରେ ମରିବ 
ଓ ପାପୀ ଏକ ଶତ ବର୍ଷ ବୟସ୍କ ହୋଇ ଶାପଗ୍ରସ୍ତ ହେବ। 
 21 ପୁଣି, ଲୋକମାନେ ଗୃହ ନିର୍ମାଣ କରି ତହିଁରେ ବାସ କରିବେ ଓ ସେମାନେ ଦ୍ରାକ୍ଷାକ୍ଷେତ୍ର ପ୍ରସ୍ତୁତ କରି ତହିଁର ଫଳ ଭୋଗ କରିବେ। 
 22 ସେମାନେ ନିର୍ମାଣ କଲେ, ଅନ୍ୟ କେହି ତହିଁରେ ବାସ କରିବ ନାହିଁ; ସେମାନେ ରୋପଣ କଲେ, ଅନ୍ୟ କେହି ଫଳ ଭୋଗ କରିବ ନାହିଁ; 
କାରଣ ଆମ୍ଭ ଲୋକମାନଙ୍କର ଆୟୁ ବୃକ୍ଷର ଆୟୁ ତୁଲ୍ୟ ହେବ ଓ ଆମ୍ଭ ମନୋନୀତ ଲୋକମାନେ ଦୀର୍ଘ କାଳ ପର୍ଯ୍ୟନ୍ତ ଆପଣାମାନଙ୍କ ହସ୍ତକୃତ କର୍ମର ଫଳ ଭୋଗ କରିବେ। 
 23 ସେମାନେ ବୃଥା ପରିଶ୍ରମ କରିବେ ନାହିଁ, କିଅବା ବିପଦର ପାଇଁ ପ୍ରସବ କରିବେ ନାହିଁ; 
କାରଣ ସେମାନେ ଓ ସେମାନଙ୍କ ସଙ୍ଗେ ସେମାନଙ୍କ ସନ୍ତାନଗଣ, ସଦାପ୍ରଭୁଙ୍କ ଆଶୀର୍ବାଦ-ପାତ୍ରର ବଂଶ। 
 24 ପୁଣି, ଏହା ଘଟିବ ଯେ, ସେମାନେ ଡାକିବା ପୂର୍ବେ ଆମ୍ଭେ ଉତ୍ତର ଦେବା ଓ ସେମାନେ କଥା କହୁ କହୁ ଆମ୍ଭେ ଶୁଣିବା। 
 25 କେନ୍ଦୁଆ ବାଘ ଓ ମେଣ୍ଢାଛୁଆ ଏକତ୍ର ଚରିବେ ଓ ସିଂହ ଗୋରୁ ପରି ନଡ଼ା ଖାଇବ; 
ପୁଣି, ଧୂଳି ସର୍ପର ଖାଦ୍ୟ ହେବ। 
ସେମାନେ ଆମ୍ଭ ପବିତ୍ର ପର୍ବତର କୌଣସି ସ୍ଥାନରେ ହିଂସା କି ବିନାଶ କରିବେ ନାହିଁ, ସଦାପ୍ରଭୁ ଏହା କହନ୍ତି।”