The Gospel according to Saint John 
ଯୋହନ ଲିଖିତ ସୁସମାଚାର 
ଲେଖକ 
ଜେବଦୀଙ୍କ ପୁତ୍ର ଯୋହନ, ଏହି ସୁସମାଚାରର ଲେଖକ ଅଟନ୍ତି ଯାହା ଯୋହନ ନିଜେ 21:20,24 ପଦରେ ପ୍ରକାଶ କରନ୍ତି ଏବଂ ନିଜକୁ ଯୀଶୁଙ୍କର ପ୍ରିୟ ଶିଷ୍ୟ ବୋଲି କହନ୍ତି। ଯୋହନଙ୍କୁ ଓ ତାହାଙ୍କ ଭାଇ ଯାକୁବଙ୍କୁ “ମେଘନାଦର ପୁତ୍ର” ବୋଲି ସମ୍ବୋଧନ କରାଯାଏ (ମାର୍କ 3:17)। ସେମାନେ ଯୀଶୁଙ୍କ ଜୀବନର ସମସ୍ତ ଘଟଣାଗୁଡ଼ିକର ଚାକ୍ଷୁଷ ସାକ୍ଷୀ ଥିଲେ। 
ସମୟ ଓ ସ୍ଥାନ 
ପ୍ରାୟ 50-90 ଖ୍ରୀଷ୍ଟାବ୍ଦ ମଧ୍ୟରେ ଲେଖାଯାଇଅଛି। 
ଯୋହନଙ୍କ ସୁସମାଚାର ହୁଏତ ଏଫିସରେ ଲେଖାଯାଇଅଛି, ଲେଖାର ମୁଖ୍ୟ ସ୍ଥାନ ଯିହୂଦାର ଗ୍ରାମାଞ୍ଚଳ, ଶମିରୋଣ, ଗାଲିଲୀ, ବେଥନୀୟା, ଯିରୂଶାଲମ ଥିଲା। 
ପ୍ରାପକ 
ଯୋହନ ପୁସ୍ତକ ଯିହୁଦୀମାନଙ୍କୁ ଲେଖାଯାଇଥିଲା। ଯୀଶୁ ଯେ ଖ୍ରୀଷ୍ଟ ଅଟନ୍ତି, ତାହା ଯିହୁଦୀମାନଙ୍କୁ ପ୍ରମାଣ କରିବା ନିମନ୍ତେ ଏହି ସୁସମାଚାର ଲେଖାଯାଇ ଥିଲା। ସେମାନେ ଯୀଶୁଙ୍କୁ ବିଶ୍ଵାସ କରି ଅନନ୍ତ ଜୀବନ ପ୍ରାପ୍ତ କରନ୍ତୁ ବୋଲି ସେ ଏହି ସୂଚନାକୁ ସେମାନଙ୍କୁ ଦେଇଥିଲେ। 
ଉଦ୍ଦେଶ୍ୟ 
“କିନ୍ତୁ ତୁମ୍ଭେମାନେ ଯେପରି ବିଶ୍ୱାସ କର ଯେ, ଯୀଶୁ ଈଶ୍ବରଙ୍କ ପୁତ୍ର ଖ୍ରୀଷ୍ଟ ଅଟନ୍ତି, ପୁଣି, ବିଶ୍ୱାସ କରି ଯେପରି ତୁମ୍ଭେମାନେ ତାହାଙ୍କ ନାମରେ ଜୀବନ ପ୍ରାପ୍ତ ହୁଅ, ଏଥିନିମନ୍ତେ ଏସମସ୍ତ ଲେଖାଯାଇଅଛି।” ଯୋହନ 20:31 ପଦରେ ଯେପରି ଏହା ବିଶେଷ ଭାବରେ ଉଲ୍ଲେଖ କରାଯାଇଅଛି, ସେହିପରି ଖ୍ରୀଷ୍ଟୀୟ ବିଶ୍ଵାସୀମାନଙ୍କୁ ବିଶ୍ୱାସରେ ଦୃଢ ଏବଂ ସୁରକ୍ଷିତ କରିବାକୁ ଯୋହନ ଏହି ସୁସମାଚାର ଲେଖିଥିଲେ। ଯୋହନ ସ୍ପଷ୍ଟ ଭାବରେ କହନ୍ତି ଯେ ଯୀଶୁ ଈଶ୍ବର ଅଟନ୍ତି (ଯୋହ. 1.1) ଯିଏ ସମସ୍ତ ବିଷୟ ସୃଷ୍ଟି କରିଛନ୍ତି (ଯୋହ. 1:3)। ସେ ଜ୍ୟୋତିଃ (ଯୋହ. 1.4, 8.12) ଏବଂ ଜୀବନ (ଯୋହ. 1.4, 5.26, 14.6) ଅଟନ୍ତି। ଯୀଶୁ ଖ୍ରୀଷ୍ଟ ଯେ ଈଶ୍ଵରଙ୍କ ପୁତ୍ର ଏହା ପ୍ରମାଣ କରିବା ନିମନ୍ତେ ଏହି ସୁସମାଚାର ଯୋହନ ଲେଖିଥିଲେ। 
ବିଷୟବସ୍ତୁ 
ଯୀଶୁ ଈଶ୍ବରଙ୍କ ପୁତ୍ର 
ରୂପରେଖା 
1. ଯୀଶୁ ଜୀବନର ରଚୟିତା ଅଟନ୍ତି — 1:1-18 
2. ପ୍ରଥମ ଶିଷ୍ୟଙ୍କୁ ଆହ୍ୱାନ — 1:19-51 
3. ଲୋକମାନଙ୍କ ମଧ୍ୟରେ ଯୀଶୁଙ୍କର ସେବାକାର୍ଯ୍ୟ — 2:1-16:33 
4. ମହାଯାଜକ ଭାବରେ ପ୍ରାର୍ଥନା — 17:1-26 
5. ଯୀଶୁଙ୍କ କ୍ରୁଶାର୍ପିତ ଓ ପୁନରୁତ୍ଥାନ — 18:1-20:10 
6. ଯୀଶୁଙ୍କ ପୁନରୁତ୍ଥାନ ପରେ ସେବାକାର୍ଯ୍ୟ — 20:11-21:25  
 1
ଜୀବନ୍ତ, ଦେହବନ୍ତ ବାକ୍ୟ 
 1 ସୃଷ୍ଟିର ପୂର୍ବରୁ ବାକ୍ୟ ଥିଲେ, ବାକ୍ୟ ଈଶ୍ବରଙ୍କ ସଙ୍ଗରେ ଥିଲେ, ସେହି ବାକ୍ୟ ଈଶ୍ବର ଥିଲେ।  2 ସେ ଆଦ୍ୟରେ ଈଶ୍ବରଙ୍କ ସହିତ ଥିଲେ।  3 ତାହାଙ୍କ ଦ୍ୱାରା ସମସ୍ତ ସୃଷ୍ଟ ହେଲା; ଆଉ ଯେ ସମସ୍ତ ସୃଷ୍ଟ ହୋଇଅଛି, ସେଥିମଧ୍ୟରୁ ଗୋଟିଏ ସୁଦ୍ଧା ତାହାଙ୍କ ବିନା ସୃଷ୍ଟ ହୋଇ ନାହିଁ।  4 ତାହାଙ୍କଠାରେ ଜୀବନ ଥିଲା ଓ ସେହି ଜୀବନ ମନୁଷ୍ୟମାନଙ୍କର ଜ୍ୟୋତିଃ।  5 ସେହି ଜ୍ୟୋତିଃ ଅନ୍ଧକାରରେ ଜାଜ୍ୱଲ୍ୟମାନ ହୋଇ ଆସୁଅଛି, ଆଉ ଅନ୍ଧକାର ତାହା ଗ୍ରହଣ କରି ନାହିଁ। 
 6 ଈଶ୍ବରଙ୍କ ନିକଟରୁ ପ୍ରେରିତ ଜଣେ ବ୍ୟକ୍ତି ଉପସ୍ଥିତ ହେଲେ; ତାହାଙ୍କ ନାମ ଯୋହନ।  7 ସେ ଯେପରି ଜ୍ୟୋତିଃ ବିଷୟରେ ସାକ୍ଷ୍ୟ ଦିଅନ୍ତି, ପୁଣି, ତାହାଙ୍କ ଦ୍ୱାରା ସମସ୍ତେ ବିଶ୍ୱାସ କରନ୍ତି, ଏଥିପାଇଁ ସେ ସାକ୍ଷ୍ୟ ଦେବା ନିମନ୍ତେ ଆସିଲେ।  8 ସେ ନିଜେ ସେହି ଜ୍ୟୋତିଃ ନ ଥିଲେ, କିନ୍ତୁ ଜ୍ୟୋତିଃ ବିଷୟରେ ସାକ୍ଷ୍ୟ ଦେବା ନିମନ୍ତେ ଆସିଲେ। 
 9 ଯେଉଁ ସତ୍ୟ ଜ୍ୟୋତିଃ ପ୍ରତ୍ୟେକ ମନୁଷ୍ୟକୁ ଆଲୋକ ପ୍ରଦାନ କରନ୍ତି, ସେ ଜଗତକୁ ଆସୁଥିଲେ।  10 ସେ ଜଗତରେ ଥିଲେ ଓ ଜଗତ ତାହାଙ୍କ ଦ୍ୱାରା ସୃଷ୍ଟ ହେଲା, ତଥାପି ଜଗତ ତାହାଙ୍କୁ ଚିହ୍ନିଲା ନାହିଁ।  11 ସେ ଆପଣା ରାଜ୍ୟକୁ ଆସିଲେ, ତଥାପି ତାହାଙ୍କର ନିଜ ଲୋକମାନେ ତାହାଙ୍କୁ ଗ୍ରହଣ କଲେ ନାହିଁ।  12 ମାତ୍ର ଯେତେ ଲୋକ ତାହାଙ୍କୁ ଗ୍ରହଣ କଲେ, ଅର୍ଥାତ୍, ଯେଉଁମାନେ ତାହାଙ୍କ ନାମରେ ବିଶ୍ୱାସ କଲେ, ସେ ସମସ୍ତଙ୍କୁ ସେ ଈଶ୍ବରଙ୍କ ସନ୍ତାନ ହେବା ନିମନ୍ତେ ଅଧିକାର ଦେଲେ;  13 ସେମାନେ ରକ୍ତରୁ, ଶରୀରର ଇଚ୍ଛାରୁ ଅବା ମନୁଷ୍ୟର ଇଚ୍ଛାରୁ ଜାତ ହେଲେ ନାହିଁ, ବରଂ ଈଶ୍ବରଙ୍କଠାରୁ ଜାତ ହେଲେ। 
 14 ଆଉ, ସେହି ବାକ୍ୟ ଦେହବନ୍ତ ହେଲେ, ପୁଣି, ଅନୁଗ୍ରହ ଓ ସତ୍ୟରେ ପରିପୂର୍ଣ୍ଣ ହୋଇ ଆମ୍ଭମାନଙ୍କ ମଧ୍ୟରେ ବାସ କଲେ, ଆଉ ପିତାଙ୍କଠାରୁ ଆଗତ ଅଦ୍ୱିତୀୟ ପୁତ୍ରଙ୍କ ମହିମା ସଦୃଶ ଆମ୍ଭେମାନେ ତାହାଙ୍କ ମହିମା ଦେଖିଲୁ। 
 15 ଯୋହନ ତାହାଙ୍କ ବିଷୟରେ ସାକ୍ଷ୍ୟ ଦେଇ ଉଚ୍ଚସ୍ୱରରେ କହିଲେ, ଯେ ମୋʼ ଉତ୍ତାରେ ଆସୁଅଛନ୍ତି, ସେ ମୋହର ଅଗ୍ରଗଣ୍ୟ ହୋଇଅଛନ୍ତି, କାରଣ ସେ ମୋହର ପୂର୍ବରେ ଥିଲେ, ଯାହାଙ୍କ ବିଷୟରେ ମୁଁ ଏହା କହିଥିଲି, ସେ ଏହି।  16 ଏଣୁ ତାହାଙ୍କ ପୂର୍ଣ୍ଣତାରୁ ଆମ୍ଭେମାନେ ସମସ୍ତେ ପ୍ରାପ୍ତ ହୋଇଅଛୁ, ହଁ, ଅନୁଗ୍ରହ ଉପରେ ଅନୁଗ୍ରହପ୍ରାପ୍ତ ହୋଇଅଛୁ।  17 କାରଣ ବ୍ୟବସ୍ଥା ମୋଶାଙ୍କ ଦ୍ୱାରା ପ୍ରଦତ୍ତ ହେଲା, କିନ୍ତୁ ଅନୁଗ୍ରହ ଓ ସତ୍ୟ ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ଉପସ୍ଥିତ ହେଲା।  18 କେହି କେବେ ଈଶ୍ବରଙ୍କୁ ଦେଖି ନାହିଁ, ପିତାଙ୍କ କୋଳସ୍ଥିତ ଅଦ୍ୱିତୀୟ ପୁତ୍ର ତାହାଙ୍କୁ ପ୍ରକାଶ କଲେ। 
ବାପ୍ତିଜକ ଯୋହନଙ୍କ ସାକ୍ଷ୍ୟ 
(ମାଥିଉ 3:1-12; ମାର୍କ 1:1-8; ଲୂକ 3:1-18) 
 19 ଆପଣ କିଏ, ଏହା ଯୋହନଙ୍କୁ ପଚାରିବା ନିମନ୍ତେ ଯିହୁଦୀ ନେତାମାନେ ଯେତେବେଳେ ଯିରୂଶାଲମ ସହରରୁ ଯାଜକ ଓ ଲେବୀୟମାନଙ୍କୁ ତାହାଙ୍କ ନିକଟକୁ ପଠାଇଲେ, ସେତେବେଳେ ସେ ଏହି ସାକ୍ଷ୍ୟ ଦେଲେ,  20 ସେ ସ୍ୱୀକାର କଲେ, ଅସ୍ୱୀକାର କଲେ ନାହିଁ; ସେ ସ୍ୱୀକାର କଲେ, ମୁଁ ଖ୍ରୀଷ୍ଟ ନୁହେଁ। 
 21 ସେଥିରେ ସେମାନେ ତାହାଙ୍କୁ ପଚାରିଲେ, ତେବେ କଅଣ? ଆପଣ କଅଣ ଏଲୀୟ? 
ସେ କହିଲେ, ମୁଁ ନୁହେଁ। 
ଆପଣ କଅଣ ସେହି ଭାବବାଦୀ? 
ସେ ଉତ୍ତର ଦେଲେ, ନା।  22 ସେଥିରେ ସେମାନେ ତାହାଙ୍କୁ କହିଲେ, ଆମ୍ଭମାନଙ୍କୁ ପଠାଇଥିବା ଲୋକଙ୍କୁ ଯେପରି ଉତ୍ତର ଦେଇପାରୁ, ଏଥିସକାଶେ ଆପଣ କିଏ? ଆପଣ ନିଜ ବିଷୟରେ କଅଣ କହୁଅଛନ୍ତି? 
 23 ସେ କହିଲେ, “ଯିଶାଇୟ ଭାବବାଦୀ ଯେପରି କହିଥିଲେ, ‘ମୁଁ ସେହି ପ୍ରକାର ମରୁପ୍ରାନ୍ତରରେ ଉଚ୍ଚ ଶବ୍ଦ କରୁଥିବା ଜଣକର ସ୍ୱର, ପ୍ରଭୁଙ୍କ ପଥ ସଳଖ କର।’ ” 
 24 ପୁଣି, ଫାରୂଶୀମାନଙ୍କ ମଧ୍ୟରୁ କେତେକ ଜଣ ପ୍ରେରିତ ହୋଇଥିଲେ।  25 ସେମାନେ ତାହାଙ୍କୁ ପଚାରିଲେ, ଆପଣ ଯଦି ଖ୍ରୀଷ୍ଟ ବା ଏଲୀୟ ବା ସେହି ଭାବବାଦୀ ନୁହଁନ୍ତି, ତାହାହେଲେ କାହିଁକି ବାପ୍ତିସ୍ମ ଦେଉଅଛନ୍ତି? 
 26 ଯୋହନ ସେମାନଙ୍କୁ ଉତ୍ତର ଦେଲେ, ମୁଁ ଜଳରେ ବାପ୍ତିସ୍ମ ଦେଉଅଛି; ଯାହାଙ୍କୁ ତୁମ୍ଭେମାନେ ଜାଣ ନାହିଁ, ସେ ତୁମ୍ଭମାନଙ୍କ ମଧ୍ୟରେ ବିଦ୍ୟମାନ;  27 ସେ ମୋʼ ଉତ୍ତାରେ ଆସୁଅଛନ୍ତି, ତାହାଙ୍କ ପାଦୁକାର ବନ୍ଧନ ଫିଟାଇବାକୁ ମୁଁ ଯୋଗ୍ୟ ନୁହେଁ। 
 28 ଯର୍ଦ୍ଦନ ନଦୀର ପରପାରସ୍ଥ ଯେଉଁ ବେଥନୀୟାରେ ଯୋହନ ବାପ୍ତିସ୍ମ ଦେଉଥିଲେ, ସେହି ସ୍ଥାନରେ ଏହିସବୁ ଘଟିଲା। 
ଈଶ୍ବରଙ୍କ ମେଷଶାବକ 
 29 ତହିଁ ଆରଦିନ ସେ ଯୀଶୁଙ୍କୁ ନିଜ ପାଖକୁ ଆସୁଥିବା ଦେଖି କହିଲେ, ଏହି ଦେଖ, ଈଶ୍ବରଙ୍କ ମେଷଶାବକ, ଯେ ଜଗତର ପାପ ବୋହିନେଇଯାଆନ୍ତି।  30 ମୋʼ ଉତ୍ତାରେ ଯେ ଆସୁଅଛନ୍ତି, ସେ ମୋହର ଅଗ୍ରଗଣ୍ୟ ହୋଇଅଛନ୍ତି, କାରଣ ସେ ମୋହର ପୂର୍ବରେ ଥିଲେ, ଯାହାଙ୍କ ବିଷୟରେ ମୁଁ ଏହା କହିଥିଲି, ସେ ଏହି।  31 ମୁଁ ମଧ୍ୟ ତାହାଙ୍କୁ ଚିହ୍ନି ନ ଥିଲି, କିନ୍ତୁ ସେ ଯେପରି ଇସ୍ରାଏଲ ନିକଟରେ ପ୍ରକାଶିତ ହୁଅନ୍ତି, ଏଥିସକାଶେ ମୁଁ ଜଳରେ ବାପ୍ତିସ୍ମ ଦେବାକୁ ଆସିଅଛି। 
 32 ଆଉ, ଯୋହନ ସାକ୍ଷ୍ୟ ଦେଇ କହିଲେ, ମୁଁ ପବିତ୍ର ଆତ୍ମାଙ୍କୁ କପୋତ ପରି ଆକାଶରୁ ଅବତରଣ କରିବା ଦେଖିଅଛି, ଆଉ ସେ ତାହାଙ୍କ ଉପରେ ଅବସ୍ଥାନ କଲେ। 
 33 ମୁଁ ମଧ୍ୟ ତାହାଙ୍କୁ ଚିହ୍ନି ନ ଥିଲି, ମାତ୍ର ଯେ ମୋତେ ଜଳରେ ବାପ୍ତିସ୍ମ ଦେବାକୁ ପଠାଇଲେ, ସେ ମୋତେ କହିଲେ, ଯାହାଙ୍କ ଉପରେ ଆତ୍ମାଙ୍କୁ ଅବତରଣ ଓ ଅବସ୍ଥାନ କରିବା ଦେଖିବ, ଯେ ପବିତ୍ର ଆତ୍ମାରେ ବାପ୍ତିସ୍ମ ଦିଅନ୍ତି, ସେ ସେହି ବ୍ୟକ୍ତି।  34 ଆଉ, ମୁଁ ତାହା ଦେଖିଅଛି ଓ ସେ ଈଶ୍ବରଙ୍କ ପୁତ୍ର ବୋଲି ସାକ୍ଷ୍ୟ ଦେଇଅଛି। 
ପ୍ରଥମ ଶିଷ୍ୟଙ୍କୁ ଆହ୍ୱାନ 
 35 ତହିଁ ଆରଦିନ ପୁନର୍ବାର ଯୋହନ ଓ ତାହାଙ୍କ ଶିଷ୍ୟମାନଙ୍କ ମଧ୍ୟରୁ ଦୁଇ ଜଣ ଠିଆ ହୋଇଥିଲେ;  36 ଆଉ, ସେ ଯୀଶୁଙ୍କୁ ସେହି ବାଟ ଦେଇ ଯାଉଥିବା ଦେଖି ତାହାଙ୍କୁ ଏକଦୃଷ୍ଟିରେ ଚାହିଁ କହିଲେ, ଏହି ଦେଖ, ଈଶ୍ବରଙ୍କ ମେଷଶାବକ। 
 37 ସେହି ଦୁଇ ଜଣ ଶିଷ୍ୟ ତାହାଙ୍କ କଥା ଶୁଣି ଯୀଶୁଙ୍କ ପଛେ ପଛେ ଗଲେ।  38 ଯୀଶୁ ବୁଲିପଡ଼ି ସେମାନଙ୍କୁ ପଛେ ପଛେ ଆସୁଥିବା ଦେଖି ପଚାରିଲେ, “ତୁମ୍ଭେମାନେ କଅଣ ଖୋଜୁଅଛ?” 
ସେମାନେ ତାହାଙ୍କୁ ପଚାରିଲେ, ରାବ୍ବୀ (ଅର୍ଥାତ୍ ଗୁରୁ), ଆପଣ କେଉଁଠାରେ ରୁହନ୍ତି?  39 ସେ ସେମାନଙ୍କୁ କହିଲେ, “ଆସ, ଦେଖିବ।” 
ସେଥିରେ ସେମାନେ ଯାଇ ତାହାଙ୍କ ବସା ଦେଖିଲେ, ପୁଣି, ସେହି ଦିନ ତାହାଙ୍କ ସାଙ୍ଗରେ ରହିଲେ; କାରଣ ସେତେବେଳେ ପ୍ରାୟ ସନ୍ଧ୍ୟା ଚାରି ଘଣ୍ଟା * ସନ୍ଧ୍ୟା ଚାରି ଘଣ୍ଟା ଯିହୁଦୀ ସମୟ ଅନୁସାରେ ଦଶ ପହରହୋଇଥିଲା। 
 40 ଯେଉଁ ଦୁଇ ଜଣ ଯୋହନଙ୍କ କଥା ଶୁଣି ଯୀଶୁଙ୍କ ପଛେ ପଛେ ଯାଇଥିଲେ, ସେମାନଙ୍କ ମଧ୍ୟରୁ ଜଣେ ଶିମୋନ ପିତରଙ୍କ ଭାଇ ଆନ୍ଦ୍ରିୟ ଥିଲେ।  41 ସେ ପ୍ରଥମେ ଆପଣା ଭାଇ ଶିମୋନଙ୍କ ଦେଖା ପାଇ ତାହାଙ୍କୁ କହିଲେ, ଆମ୍ଭେମାନେ ମସୀହଙ୍କର (ଅର୍ଥାତ୍ ଖ୍ରୀଷ୍ଟଙ୍କୁ) ଦେଖା ପାଇଅଛୁ।  42 ସେ ତାହାଙ୍କୁ ଯୀଶୁଙ୍କ ନିକଟକୁ ଆଣିଲେ। 
ଯୀଶୁ ତାହାଙ୍କୁ ଏକଦୃଷ୍ଟିରେ ଚାହିଁ କହିଲେ, “ତୁମ୍ଭେ ଯୋହନଙ୍କ ପୁତ୍ର ଶିମୋନ। ତୁମ୍ଭେ କୈଫା (ଅର୍ଥାତ୍ ପିତର) ନାମରେ ଖ୍ୟାତ ହେବ।” 
ଫିଲିପ୍ପ ଓ ନିଥନିୟେଲଙ୍କୁ ଆହ୍ୱାନ 
 43 ତହିଁ ଆରଦିନ ଯୀଶୁ ଗାଲିଲୀକୁ ବାହାରିଯିବା ପାଇଁ ଇଚ୍ଛା କଲେ, ଆଉ ସେ ଫିଲିପ୍ପଙ୍କ ଦେଖା ପାଇ ତାହାଙ୍କୁ କହିଲେ, “ମୋହର ଅନୁଗମନ କର।” 
 44 ଫିଲିପ୍ପ ବେଥ୍ସାଇଦାର ଲୋକ ଥିଲେ, ତାହା ଆନ୍ଦ୍ରିୟ ଓ ପିତରଙ୍କର ନଗର ଥିଲା।  45 ଫିଲିପ୍ପ ନିଥନିୟେଲଙ୍କୁ ଦେଖା ପାଇ ତାହାଙ୍କୁ କହିଲେ, ଯାହାଙ୍କ ବିଷୟରେ ମୋଶା ବ୍ୟବସ୍ଥାରେ ଲେଖିଅଛନ୍ତି, ପୁଣି, ଭାବବାଦୀମାନେ ମଧ୍ୟ ଲେଖିଅଛନ୍ତି, ଆମ୍ଭେମାନେ ତାହାଙ୍କର ଦେଖା ପାଇଅଛୁ; ସେ ଯୋଷେଫଙ୍କ ପୁତ୍ର ନାଜରିତୀୟ ଯୀଶୁ। 
 46 ନିଥନିୟେଲ ତାହାଙ୍କୁ ପଚାରିଲେ, “ନାଜରିତରୁ କି କୌଣସି ଉତ୍ତମ ବିଷୟ ଉତ୍ପନ୍ନ ହୋଇପାରେ?” 
ଫିଲିପ୍ପ ତାହାଙ୍କୁ କହିଲେ, “ଆସି ଦେଖ।” 
 47 ଯୀଶୁ ନିଥନିୟେଲଙ୍କୁ ଆପଣା ନିକଟକୁ ଆସୁଥିବା ଦେଖି ତାହାଙ୍କ ବିଷୟରେ କହିଲେ, “ଏହି ଦେଖ, ପ୍ରକୃତରେ ଏ ଜଣେ ଇସ୍ରାଏଲୀୟ ଲୋକ, ଏହାଙ୍କଠାରେ ଛଳନା ନାହିଁ।” 
 48 ନିଥନିୟେଲ ତାହାଙ୍କୁ ପଚାରିଲେ, ଆପଣ ମୋତେ କିପରି ଚିହ୍ନିଲେ? ଯୀଶୁ ତାହାଙ୍କୁ ଉତ୍ତର ଦେଲେ, “ଫିଲିପ୍ପ ତୁମ୍ଭକୁ ଡାକିବା ପୂର୍ବେ ତୁମ୍ଭେ ଯେତେବେଳେ ଡିମ୍ବିରିବୃକ୍ଷ ତଳେ ଥିଲ, ସେତେବେଳେ ମୁଁ ତୁମ୍ଭକୁ ଦେଖିଥିଲି।” 
 49 ନିଥନିୟେଲ ତାହାଙ୍କୁ ଉତ୍ତର ଦେଲେ, ହେ ଗୁରୁ ଆପଣ ଈଶ୍ବରଙ୍କ ପୁତ୍ର, ଆପଣ ଇସ୍ରାଏଲର ରାଜା। 
 50 ଯୀଶୁ ତାହାଙ୍କୁ ଉତ୍ତର ଦେଲେ, “ମୁଁ ତୁମ୍ଭକୁ ଡିମ୍ବିରିବୃକ୍ଷ ତଳେ ଦେଖିଥିଲି ବୋଲି କହିବାରୁ କି ତୁମ୍ଭେ ବିଶ୍ୱାସ କରୁଅଛ? ତୁମ୍ଭେ ଏହାଠାରୁ ଆହୁରି ମହତ୍-ମହତ୍ ବିଷୟ ଦେଖିବ।”  51 ପୁଣି, ସେ ତାହାଙ୍କୁ କହିଲେ, “ସତ୍ୟ ସତ୍ୟ ମୁଁ ତୁମ୍ଭମାନଙ୍କୁ କହୁଅଛି, ତୁମ୍ଭେମାନେ ସ୍ୱର୍ଗକୁ ଉନ୍ମୁକ୍ତ ଓ ଈଶ୍ବରଙ୍କ ଦୂତମାନଙ୍କୁ ମନୁଷ୍ୟପୁତ୍ରଙ୍କ ଉପରେ ଆରୋହଣ ଓ ଅବତରଣ କରିବା ଦେଖିବ।”