17
ଆୟୁବ - ମୋହର ଭରସା କାହିଁ? 
 1 ମୋହର ପ୍ରାଣ କ୍ଷୟ ପାଉଅଛି ଓ ମୋହର ଦିନ ଅବସାନ ହେଉଅଛି, 
ମୋʼ ନିମନ୍ତେ କବର ପ୍ରସ୍ତୁତ ଅଛି। 
 2 ନିଶ୍ଚୟ ପରିହାସକମାନେ ମୋʼ ନିକଟରେ ଅଛନ୍ତି 
ଓ ସେମାନଙ୍କ ବିରୋଧ ମୋʼ ଚକ୍ଷୁଗୋଚରରେ ଅଛି। 
 3 ହେ ପରମେଶ୍ୱର ବିନୟ କରୁଅଛି, ପ୍ରତିନିଧି ଦିଅ, ଆପଣା ନିକଟରେ ଆପେ ମୋʼ ପାଇଁ ଲଗା ହୁଏ; 
ଆଉ କିଏ ମୋʼ ହାତରେ ହାତ ଦେବ? 
 4 କାରଣ ତୁମ୍ଭେ ସେମାନଙ୍କ ଅନ୍ତଃକରଣକୁ ବୁଦ୍ଧିରୁ ଗୁପ୍ତ କରିଅଛ; 
ଏହେତୁ ତୁମ୍ଭେ ସେମାନଙ୍କୁ ଉନ୍ନତ କରିବ ନାହିଁ। 
 5 ଯେ ଆପଣା ମିତ୍ରଗଣକୁ ଲୁଟ ରୂପେ ସମର୍ପଣ କରେ, 
ତାହାର ସନ୍ତାନଗଣର ଚକ୍ଷୁ ନିସ୍ତେଜ ହେବ। 
 6 ମଧ୍ୟ ସେ ମୋତେ ଲୋକମାନଙ୍କର ହାସ୍ୟାସ୍ପଦ କରିଅଛନ୍ତି; 
ମୁଁ ପ୍ରକାଶରେ ଘୃଣାପାତ୍ର ହୋଇଅଛି। 
 7 ଦୁଃଖ ସକାଶୁ ମଧ୍ୟ ମୋର ଚକ୍ଷୁ କ୍ଷୀଣ ହୋଇଅଛି 
ଓ ମୋହର ସର୍ବାଙ୍ଗ ଛାୟା ତୁଲ୍ୟ ହୋଇଅଛି। 
 8 ସରଳ ଲୋକେ ଏଥିରେ ଚମତ୍କୃତ ହେବେ 
ଓ ନିର୍ଦ୍ଦୋଷ ଲୋକ ଅଧାର୍ମିକ ବିରୁଦ୍ଧରେ ଆପଣାକୁ ଉତ୍ତେଜିତ କରିବ। 
 9 ତଥାପି ଧାର୍ମିକ ଆପଣା ମାର୍ଗ ଦୃଢ଼ କରି ଧରିବ 
ଓ ଶୁଚିହସ୍ତ ଲୋକ ଆହୁରି ଆହୁରି ବଳବାନ ହେବ। 
 10 ମାତ୍ର ତୁମ୍ଭେ ସମସ୍ତେ ଏବେ ଫେରି ଆସ; 
ମୁଁ ତୁମ୍ଭମାନଙ୍କ ମଧ୍ୟରେ ଜ୍ଞାନବାନ ଲୋକ ପାଇବି ନାହିଁ। 
 11 ମୋହର ବଞ୍ଚିବାର ଦିନସବୁ ଅତୀତ ହେଲା, ମୋହର ଅଭିପ୍ରାୟ, 
ଅର୍ଥାତ୍, ମୋର ମନର ସଂକଳ୍ପସବୁ ନିଷ୍ଫଳ ହେଲା। 
 12 ସେମାନେ ରାତ୍ରିକୁ ଦିନ କରନ୍ତି; 
ସେମାନେ ଆଲୁଅକୁ ଅନ୍ଧକାରର ସନ୍ନିକଟ ବୋଲି କହନ୍ତି। 
 13 ଯଦି ମୁଁ ପାତାଳକୁ ଆପଣାର ଗୃହ ବୋଲି ଅନାଏ; 
ଯଦି ମୁଁ ଅନ୍ଧକାରରେ ଆପଣା ଶଯ୍ୟା ବିଛାଇଅଛି; 
 14 ଯଦି ମୁଁ କ୍ଷୟକୁ କହିଅଛି, ‘ତୁମ୍ଭେ ମୋହର ପିତା;’ 
କୀଟକୁ କହିଅଛି, ‘ତୁମ୍ଭେ ମୋହର ମାତା’ ଓ ‘ଭଗିନୀ;’ 
 15 ତେବେ ମୋହର ଭରସା କାହିଁ? 
ଓ ମୋହର ଭରସା କିଏ ଦେଖିବ? 
 16 ତାହା ପାତାଳର ଅର୍ଗଳ ଆଡ଼କୁ ଓହ୍ଲାଇ ଯିବ, 
ତହିଁରେ ଏକାବେଳେ ମାଟିରେ ବିଶ୍ରାମ ହେବ।”