5
ଦର୍ଶନ - ଉଡ଼ନ୍ତା ନଳାକାର ପୁସ୍ତକ 
 1 ଏଉତ୍ତାରେ ମୁଁ ପୁନର୍ବାର ଊର୍ଦ୍ଧ୍ୱକୁ ଦୃଷ୍ଟି କଲି, ଆଉ ଦେଖ, ଉଡ଼ନ୍ତା ଏକ ନଳାକାର ପୁସ୍ତକ।  2 ପୁଣି, ଦୂତ ମୋତେ କହିଲେ, “ତୁମ୍ଭେ କଅଣ ଦେଖୁଅଛ?” ତହିଁରେ ମୁଁ ଉତ୍ତର କଲି, “ମୁଁ ଉଡ଼ନ୍ତା ନଳାକାର ଏକ ପୁସ୍ତକ ଦେଖୁଅଛି ତହିଁର ଲମ୍ବା କୋଡ଼ିଏ ହାତ ଓ ଓସାର ଦଶ ହାତ।”  3 ତେବେ ସେ ମୋତେ କହିଲେ, “ଏହା ସମୁଦାୟ ଦେଶ ଉପରକୁ ବାହାରି ଯିବା ଅଭିଶାପ; କାରଣ ଯେ ପ୍ରତ୍ୟେକ ଲୋକ ଚୋରି କରେ, ସେ ତହିଁର ଏକ ପାର୍ଶ୍ୱ ଅନୁସାରେ ପରିଷ୍କୃତ ହେବ ଓ ଯେ ପ୍ରତ୍ୟେକ ଲୋକ ଶପଥ କରେ, ସେ ତହିଁର ଅନ୍ୟ ପାର୍ଶ୍ୱ ଅନୁସାରେ ପରିଷ୍କୃତ ହେବ। 
 4 ସୈନ୍ୟାଧିପତି ସଦାପ୍ରଭୁ କହନ୍ତି, ଆମ୍ଭେ ତାହାକୁ ବାହାର କରାଇ ଆଣିବା, 
ଆଉ ତାହା ଚୋରର ଗୃହରେ ଓ ଯେ ଆମ୍ଭ ନାମରେ ମିଥ୍ୟା ଶପଥ କରେ, ତାହାର ଗୃହରେ ପ୍ରବେଶ କରିବ; 
ପୁଣି, ତାହାର ଗୃହ ମଧ୍ୟରେ ରହି କାଷ୍ଠ ଓ ପଥର ଗ୍ରାସ କରିବ।” 
ଦର୍ଶନ - ଐଫା-ପାତ୍ର ମଧ୍ୟରେ ସ୍ତ୍ରୀ 
 5 ଏଉତ୍ତାରେ ମୋʼ ସଙ୍ଗେ ଯେଉଁ ଦୂତ କଥା କହୁଥିଲେ, ସେ ବାହାରେ ଆସି ମୋତେ କହିଲେ, “ଏବେ ତୁମ୍ଭେ ଊର୍ଦ୍ଧ୍ୱକୁ ଦୃଷ୍ଟି କର, ଏହି ଯାହା ଆସୁଅଛି, ତାହା କଅଣ?”  6 ତହିଁରେ ମୁଁ କହିଲି, “ଏ କଅଣ?” ତହୁଁ ସେ କହିଲେ, “ଏହା ଐଫା-ପାତ୍ର, ଯାହା ଆସୁଅଛି,” ସେ ଆହୁରି କହିଲେ, “ଏହା ସମୁଦାୟ ଦେଶସ୍ଥ ଲୋକଙ୍କର ପାପ ଅଟେ।”  7 ଆଉ ଦେଖ, ପାତ୍ରର ଠିପି ଉପରକୁ ଉଠାଗଲା ଆଉ, ସେହି ପାତ୍ର ମଧ୍ୟରେ ଏକ ସ୍ତ୍ରୀ ବସିଅଛି।  8 ପୁଣି, ସେ ମୋତେ କହିଲେ, “ଏହା ଦୁଷ୍ଟତା!” ଆଉ, ସେ ସେହି ସ୍ତ୍ରୀକୁ ପାତ୍ର ମଧ୍ୟରେ ପକାଇଦେଲେ ଓ ତହିଁର ମୁହଁକୁ ବନ୍ଦ କରିଦେଲେ।  9 ସେତେବେଳେ ମୁଁ ଊର୍ଦ୍ଧ୍ୱକୁ ଦୃଷ୍ଟି କଲି, ଆଉ ଦେଖ, ଦୁଇ ସ୍ତ୍ରୀ ବାହାରି ଆସିଲେ, ଆଉ ସେମାନଙ୍କ ପକ୍ଷପୁଟରେ ବାୟୁ ଥିଲା; ସେମାନଙ୍କର ପକ୍ଷ ଚରଳର ପକ୍ଷ ପରି ଥିଲା, ପୁଣି ସେମାନେ ପୃଥିବୀ ଓ ଆକାଶ ମଧ୍ୟରେ ସେ ପାତ୍ରକୁ ଉଠାଇଲେ।  10 ତହିଁରେ ଯେଉଁ ଦୂତ ମୋʼ ସହିତ କଥା କହୁଥିଲେ, ମୁଁ ତାଙ୍କୁ କହିଲି, “ଏମାନେ କେଉଁ ସ୍ଥାନକୁ ପାତ୍ର ବହି ନେଉଅଛନ୍ତି?”  11 ଏଥିରେ ସେ ମୋତେ କହିଲେ, “ଶିନୀୟର* ଶିନୀୟର ଅର୍ଥାତ୍ ବାବିଲ ଦେଶରେ ସେହି ପାତ୍ର ପାଇଁ ଏକ ମନ୍ଦିର ନିର୍ମାଣ କରିବାକୁ; ପୁଣି, ତାହା ପ୍ରସ୍ତୁତ ହେଲେ ସେଠାରେ ସେହି ପାତ୍ର ଆପଣା ସ୍ଥାନରେ ସ୍ଥାପନ କରାଯିବ।”