39
ଯାଜକୀୟ ବସ୍ତ୍ରର ପ୍ରସ୍ତୁତି 
 1 ଏଥିଉତ୍ତାରେ ଲୋକମାନେ ମୋଶାଙ୍କ ପ୍ରତି ସଦାପ୍ରଭୁଙ୍କ ଆଜ୍ଞାନୁସାରେ ନୀଳ, ଧୂମ୍ର ଓ ସିନ୍ଦୂର ବର୍ଣ୍ଣ ସୂତ୍ର ଦ୍ୱାରା ପବିତ୍ର ସ୍ଥାନରେ ସେବା କରିବା ନିମନ୍ତେ ସୁଶୋଭିତ ବସ୍ତ୍ର ପ୍ରସ୍ତୁତ କଲେ, ଆଉ ହାରୋଣଙ୍କ ନିମନ୍ତେ ପବିତ୍ର ବସ୍ତ୍ର ପ୍ରସ୍ତୁତ କଲେ। 
 2 ପୁଣି, ସେ ସୁବର୍ଣ୍ଣ ଦ୍ୱାରା, ନୀଳ, ଧୂମ୍ର, ସିନ୍ଦୂର ବର୍ଣ୍ଣ ଓ ବଳା ଶୁଭ୍ର କ୍ଷୌମସୂତ୍ର ଦ୍ୱାରା ଏଫୋଦ-ବସ୍ତ୍ର ପ୍ରସ୍ତୁତ କଲେ।  3 ଅର୍ଥାତ୍, ସେମାନେ ସ୍ୱର୍ଣ୍ଣ ପିଟାଇ ପାତଳ ପତ୍ର କରି ଶିଳ୍ପକର୍ମ ଦ୍ୱାରା ନୀଳ, ଧୂମ୍ର, ସିନ୍ଦୂର ବର୍ଣ୍ଣ ଓ ଶୁଭ୍ର କ୍ଷୌମସୂତ୍ର ମଧ୍ୟରେ ବୁଣିବା ପାଇଁ ତାହା କାଟି ଜରୀ କଲେ।  4 ସେମାନେ ପରସ୍ପର ସଂଯୁକ୍ତ ଦୁଇ ସ୍କନ୍ଧପଟି କଲେ; ତହିଁର ଦୁଇ ମୁଣ୍ଡରେ ପରସ୍ପର ଯୋଡ଼ ଦିଆଗଲା।  5 ମୋଶାଙ୍କ ପ୍ରତି ସଦାପ୍ରଭୁଙ୍କ ଆଜ୍ଞାନୁସାରେ ଏଫୋଦର ଉପରିସ୍ଥ ଯେଉଁ ଚିତ୍ରିତ ପଟୁକା ତହିଁର ଅଂଶ ଥିଲା, ତାହା ମଧ୍ୟ ସେହି କର୍ମାନୁସାରେ ସୁବର୍ଣ୍ଣ ଦ୍ୱାରା, ନୀଳ, ଧୂମ୍ର, ସିନ୍ଦୂର ବର୍ଣ୍ଣ ଓ ବଳା ଶୁଭ୍ର କ୍ଷୌମସୂତ୍ର ଦ୍ୱାରା ନିର୍ମିତ ହେଲା। 
 6 ଆହୁରି ସେମାନେ ଇସ୍ରାଏଲ-ପୁତ୍ରଗଣର ନାମାନୁସାରେ ଖୋଦିତ ମୁଦ୍ରାନ୍ୟାୟ ଖୋଦିତ ଓ ସ୍ୱର୍ଣ୍ଣାଧାରରେ ଖଚିତ ଦୁଇ ଗୋମେଦକ ମଣି ପ୍ରସ୍ତୁତ କଲେ।  7 ପୁଣି, ସେ ସଦାପ୍ରଭୁଙ୍କ ଆଜ୍ଞାନୁସାରେ ଏଫୋଦର ଦୁଇ ସ୍କନ୍ଧପଟି ଉପରେ ଇସ୍ରାଏଲ-ପୁତ୍ରମାନଙ୍କ ସ୍ମରଣାର୍ଥକ ମଣି ରୂପେ ତାହା ବସାଇଲେ। 
 8 ଏଥିଉତ୍ତାରେ ସେ ଏଫୋଦର କର୍ମନ୍ୟାୟ ସୁବର୍ଣ୍ଣ ଦ୍ୱାରା, ନୀଳ, ଧୂମ୍ର, ସିନ୍ଦୂର ବର୍ଣ୍ଣ ଓ ବଳା ଶୁଭ୍ର କ୍ଷୌମସୂତ୍ର ଦ୍ୱାରା ନିପୁଣ ଶିଳ୍ପକାରର କର୍ମରେ ବୁକୁପଟା ନିର୍ମାଣ କଲେ।  9 ତାହା ଚତୁଷ୍କୋଣ ଥିଲା, ଅର୍ଥାତ୍, ସେମାନେ ସେହି ବୁକୁପଟା ଦୋହରା କରି ଏକ ଚାଖଣ୍ଡ ଦୀର୍ଘ ଓ ଏକ ଚାଖଣ୍ଡ ପ୍ରସ୍ଥ କଲେ।  10 ପୁଣି, ତାହା ଚାରି ଧାଡ଼ି ମଣିରେ ଖଚିତ କଲେ; ତହିଁର ପ୍ରଥମ ଧାଡ଼ିରେ ଚୁଣି, ପୀତମଣି ଓ ମରକତ,  11 ଦ୍ୱିତୀୟ ଧାଡ଼ିରେ ପଦ୍ମରାଗ, ନୀଳକାନ୍ତ ଓ ହୀରକ,  12 ତୃତୀୟ ଧାଡ଼ିରେ ପେରୋଜ, ଯିସ୍ମ ଓ କଟାହେଳା,  13 ପୁଣି, ଚତୁର୍ଥ ଧାଡ଼ିରେ ବୈଦୁର୍ଯ୍ୟ, ଗୋମେଦକ ଓ ସୂର୍ଯ୍ୟକାନ୍ତ ମଣି ଥିଲା; ଏହିସବୁ ମଣି ସ୍ୱର୍ଣ୍ଣାଧାରରେ ବସାଗଲା।  14 ପୁଣି, ଇସ୍ରାଏଲ-ପୁତ୍ରମାନଙ୍କ ନାମାଙ୍କିତ ଏହିସବୁ ମଣି ସେମାନଙ୍କ ନାମାନୁସାରେ ଦ୍ୱାଦଶ ହେଲା ଓ ମୁଦ୍ରାନ୍ୟାୟ ଏକ ଏକ ମଣିରେ ଦ୍ୱାଦଶ ବଂଶର ଏକ ଏକ ନାମ ରହିଲା।  15 ଏଉତ୍ତାରେ ସେମାନେ ବୁକୁପଟାରେ ନିର୍ମଳ ସୁବର୍ଣ୍ଣ ଦ୍ୱାରା ମାଳା ତୁଲ୍ୟ ମୋଡ଼ା ଜଞ୍ଜିର ନିର୍ମାଣ କଲେ।  16 ଦୁଇ ସ୍ୱର୍ଣ୍ଣାଧାରା ଓ ଦୁଇ ସ୍ୱର୍ଣ୍ଣକଡ଼ା ନିର୍ମାଣ କରି ବୁକୁପଟାର ଦୁଇ ପ୍ରାନ୍ତରେ ସେହି ଦୁଇ କଡ଼ା ଲଗାଇଲେ।  17 ଆଉ ବୁକୁପଟାର ପ୍ରାନ୍ତସ୍ଥିତ ଦୁଇ କଡ଼ା ମଧ୍ୟରେ ସେହି ଦୁଇ ମୋଡ଼ା ସ୍ୱର୍ଣ୍ଣ ଜଞ୍ଜିର ଲଗାଇଲେ।  18 ପୁଣି, ମୋଡ଼ା ଜଞ୍ଜିରର ଦୁଇ ମୁଣ୍ଡ ଦୁଇ ଆଧାରରେ ବନ୍ଦ କରି ଏଫୋଦ-ବସ୍ତ୍ର ସମ୍ମୁଖସ୍ଥ ଦୁଇ ସ୍କନ୍ଧପଟି ଉପରେ ରଖିଲେ।  19 ପୁଣି, ସେମାନେ ଦୁଇ ସ୍ୱର୍ଣ୍ଣକଡ଼ା ନିର୍ମାଣ କରି ବୁକୁପଟାର ଦୁଇ ପ୍ରାନ୍ତରେ ଏଫୋଦର ସମ୍ମୁଖସ୍ଥ ଭିତର ଭାଗରେ ରଖିଲେ।  20 ସେମାନେ ଆଉ ଦୁଇ ସ୍ୱର୍ଣ୍ଣକଡ଼ା କରି ଏଫୋଦର ଦୁଇ ସ୍କନ୍ଧପଟି ତଳେ ତହିଁ ସମ୍ମୁଖ ଭାଗର ଯୋଡ଼ ସ୍ଥାନରେ ଏଫୋଦର ଚିତ୍ରିତ ପଟୁକା ଉପରେ ତାହା ରଖିଲେ।  21 ଆଉ ବୁକୁପଟା ଯେପରି ଏଫୋଦର ଚିତ୍ରିତ ପଟୁକା ଉପରେ ଥାଇ ଏଫୋଦରୁ ଖସି ନ ପଡ଼େ, ଏଥିପାଇଁ ସେମାନେ ବୁକୁପଟାକୁ ନିଜ କଡ଼ାରେ ନୀଳ ସୂତ୍ର ଦ୍ୱାରା ଏଫୋଦର କଡ଼ା ସହିତ ବନ୍ଦ କରି ରଖିଲେ; ମୋଶାଙ୍କ ପ୍ରତି ସଦାପ୍ରଭୁଙ୍କ ଆଜ୍ଞାନୁସାରେ ଏହା କରାଗଲା। 
 22 ଏଥିଉତ୍ତାରେ ମୋଶାଙ୍କ ପ୍ରତି ସଦାପ୍ରଭୁଙ୍କ ଆଜ୍ଞାନୁସାରେ ସେ ବୁଣା କର୍ମରେ ଏଫୋଦର ଚୋଗା ସମ୍ପୂର୍ଣ୍ଣ ନୀଳବର୍ଣ୍ଣ କଲେ।  23 ସେହି ଚୋଗାର ମଧ୍ୟସ୍ଥଳରେ ସାଞ୍ଜୁଆର ଗଳଦେଶ ନ୍ୟାୟ ଛିଦ୍ର ଥିଲା; ତାହା ଯେପରି ଛିଣ୍ଡି ନ ଯାଏ, ଏଥିପାଇଁ ସେହି ଗଳାର ଚାରିପାଖରେ ବୁଣାକର୍ମ ଥିଲା।  24 ପୁଣି, ସେମାନେ ଚୋଗାର ଅଞ୍ଚଳର ଚତୁର୍ଦ୍ଦିଗରେ ନୀଳ, ଧୂମ୍ର ଓ ସିନ୍ଦୂର ବର୍ଣ୍ଣ ବଳା ସୂତ୍ରରେ ଡାଳିମ୍ବ ନିର୍ମାଣ କଲେ।  25 ଆଉ ସେମାନେ ଡାଳିମ୍ବ ମଧ୍ୟରେ ନିର୍ମଳ ସ୍ୱର୍ଣ୍ଣ ଦ୍ୱାରା ଘଣ୍ଟି କରି ଚୋଗା ଅଞ୍ଚଳର ଚାରିଆଡ଼ରେ ଡାଳିମ୍ବର ମଧ୍ୟେ ମଧ୍ୟେ ରଖିଲେ;  26 ଅର୍ଥାତ୍, ସେବାକରଣାର୍ଥକ ଚୋଗା ଅଞ୍ଚଳର ଚାରିଆଡ଼ରେ ଏକ ଘଣ୍ଟି ଉତ୍ତାରେ ଏକ ଡାଳିମ୍ବ ଓ ଏକ ଘଣ୍ଟି ଉତ୍ତାରେ ଏକ ଡାଳିମ୍ବ, ଏହିରୂପେ କଲେ। 
 27 ଏଥିଉତ୍ତାରେ ମୋଶାଙ୍କ ପ୍ରତି ସଦାପ୍ରଭୁଙ୍କ ଆଜ୍ଞାନୁସାରେ ସେମାନେ ହାରୋଣ ଓ ତାଙ୍କର ପୁତ୍ରଗଣ ନିମନ୍ତେ ଶୁଭ୍ର କ୍ଷୌମସୂତ୍ର ଦ୍ୱାରା ତନ୍ତୁବାୟ ନିର୍ମିତ ଜାମା  28 ଓ ଶୁଭ୍ର କ୍ଷୌମସୂତ୍ର ନିର୍ମିତ ପଗଡ଼ି, ଶୁଭ୍ର କ୍ଷୌମସୂତ୍ର ନିର୍ମିତ ଶିରୋଭୂଷଣ ଓ ବଳା ଶୁଭ୍ର କ୍ଷୌମସୂତ୍ର ନିର୍ମିତ ଶୁକ୍ଳ ଜଙ୍ଘିଆ ପ୍ରସ୍ତୁତ କଲେ।  29 ଆଉ ବଳା ଶୁଭ୍ର କ୍ଷୋମ, ନୀଳ, ଧୂମ୍ର ଓ ସିନ୍ଦୂର ବର୍ଣ୍ଣ ସୂତ୍ରରେ ସୂଚି କର୍ମ ବିଶିଷ୍ଟ ଏକ କଟିବନ୍ଧନ ପ୍ରସ୍ତୁତ କଲେ। 
 30 ଏଥିଉତ୍ତାରେ ମୋଶାଙ୍କ ପ୍ରତି ସଦାପ୍ରଭୁଙ୍କ ଆଜ୍ଞାନୁସାରେ ସେମାନେ ନିର୍ମଳ ସୁବର୍ଣ୍ଣରେ ପବିତ୍ର ମୁକୁଟର ପତ୍ର ପ୍ରସ୍ତୁତ କରି ଖୋଦିତ ମୁଦ୍ରାନ୍ୟାୟ ତହିଁ ଉପରେ “ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପବିତ୍ର” ଏହା ଲେଖିଲେ।  31 ପୁଣି, ଊର୍ଦ୍ଧ୍ୱରେ ପାଗ ଉପରେ ରଖିବା ନିମନ୍ତେ ତାହା ନୀଳ ସୂତ୍ରରେ ବାନ୍ଧିଲେ। 
ଆବାସର ସମସ୍ତ ନିର୍ମାଣ କାର୍ଯ୍ୟର ସମାପ୍ତି 
 32 ଏହି ପ୍ରକାରେ ସମାଗମ-ତମ୍ବୁରୂପ ଆବାସର ସମସ୍ତ କାର୍ଯ୍ୟ ସମାପ୍ତ ହେଲା; ଇସ୍ରାଏଲ-ସନ୍ତାନଗଣ ତାହା କଲେ, ମୋଶାଙ୍କ ପ୍ରତି ସଦାପ୍ରଭୁଙ୍କ ଆଜ୍ଞାନୁସାରେ ସେମାନେ ସମସ୍ତ କର୍ମ କଲେ। 
 33 ଏଥିଉତ୍ତାରେ ସେମାନେ ମୋଶାଙ୍କ ନିକଟକୁ ସେହି ଆବାସ ଆଣିଲେ, ଅର୍ଥାତ୍, ତମ୍ବୁ ଓ ତହିଁର ସକଳ ପାତ୍ର, ଆଙ୍କୁଡ଼ା, ପଟା, ଅର୍ଗଳ, ଆଉ ସ୍ତମ୍ଭ ଓ ଚୁଙ୍ଗୀ;  34 ପୁଣି, ରକ୍ତୀକୃତ ମେଷ ଚର୍ମ ନିର୍ମିତ ଛାତ ଓ ଶିଶୁକ ଚର୍ମ ନିର୍ମିତ ଛାତ ଓ ଆଚ୍ଛାଦନର ବିଚ୍ଛେଦ ବସ୍ତ୍ର;  35 ସାକ୍ଷ୍ୟ-ସିନ୍ଦୁକ, ତହିଁର ସାଙ୍ଗୀ ଓ ପାପାଚ୍ଛାଦନ ମେଜ,  36 ତହିଁର ସକଳ ପାତ୍ର ଓ ଦର୍ଶନୀୟ ରୁଟି,  37 ନିର୍ମଳ ଦୀପବୃକ୍ଷ, ତହିଁର ପ୍ରଦୀପ, ଅର୍ଥାତ୍, ପ୍ରଦୀପାବଳୀ ଓ ତହିଁର ସକଳ ପାତ୍ର ଓ ଦୀପାର୍ଥକ ତୈଳ;  38 ଆଉ ସ୍ୱର୍ଣ୍ଣମୟ ବେଦି, ଅଭିଷେକାର୍ଥକ ତୈଳ, ଧୂପାର୍ଥକ ସୁଗନ୍ଧି ଦ୍ରବ୍ୟ ଓ ତମ୍ବୁଦ୍ୱାରର ଆଚ୍ଛାଦନ ବସ୍ତ୍ର;  39 ପିତ୍ତଳର ବେଦି ଓ ତହିଁର ପିତ୍ତଳ-ଝାଞ୍ଜିରୀ, ତହିଁର ସାଙ୍ଗୀ ଓ ସକଳ ପାତ୍ର, ପ୍ରକ୍ଷାଳନ-ପାତ୍ର ଓ ତହିଁର ବୈଠିକି;  40 ପ୍ରାଙ୍ଗଣର ପରଦା, ତହିଁର ସ୍ତମ୍ଭ ଓ ଚୁଙ୍ଗୀ ଓ ପ୍ରାଙ୍ଗଣ ଦ୍ୱାରର ଆଚ୍ଛାଦନ ବସ୍ତ୍ର, ତହିଁର ରଜ୍ଜୁ ଓ ମେଖ ଓ ସମାଗମ-ତମ୍ବୁ ନିମନ୍ତେ ଆବାସର କାର୍ଯ୍ୟ ସମ୍ବନ୍ଧୀୟ ସକଳ ପାତ୍ର;  41 ପବିତ୍ର ସ୍ଥାନରେ ସେବାକରଣାର୍ଥକ ସୁଶୋଭିତ ବସ୍ତ୍ର, ଅର୍ଥାତ୍, ହାରୋଣ ଯାଜକର ପବିତ୍ର ବସ୍ତ୍ର ଓ ତାହାର ପୁତ୍ରମାନଙ୍କର ଯାଜକ କର୍ମ ସମ୍ବନ୍ଧୀୟ ବସ୍ତ୍ର,  42 ଇତ୍ୟାଦି ଯେଉଁ ଯେଉଁ କାର୍ଯ୍ୟ କରିବାକୁ ମୋଶାଙ୍କ ପ୍ରତି ସଦାପ୍ରଭୁ ଆଜ୍ଞା ଦେଇଥିଲେ, ଇସ୍ରାଏଲ-ସନ୍ତାନଗଣ ତାହାସବୁ ସମ୍ପନ୍ନ କଲେ।  43 ଏଥିରେ ମୋଶା ସେହି ସମସ୍ତ କାର୍ଯ୍ୟ ପ୍ରତି ଦୃଷ୍ଟି କଲେ, ଆଉ ଦେଖ, ସେମାନେ ସବୁ କରିଅଛନ୍ତି; ସଦାପ୍ରଭୁ ଯେପରି ଆଜ୍ଞା ଦେଇଥିଲେ, ସେମାନେ ସେହିପରି ସବୁ କରିଥିଲେ; ତହିଁରେ ମୋଶା ସେମାନଙ୍କୁ ଆଶୀର୍ବାଦ କଲେ।