9
ଇସ୍ରାଏଲ ପ୍ରତି ପରମେଶ୍ୱରଙ୍କ ଶାସ୍ତି 
 1 ହେ ଇସ୍ରାଏଲ, ତୁମ୍ଭେ ଆନନ୍ଦ ସକାଶୁ ନାନା ଗୋଷ୍ଠୀୟମାନଙ୍କ ତୁଲ୍ୟ ଆନନ୍ଦ କର ନାହିଁ; 
କାରଣ ତୁମ୍ଭେ ଆପଣା ପରମେଶ୍ୱରଙ୍କୁ ଛାଡ଼ି ବ୍ୟଭିଚାର କରିଅଛ, 
ତୁମ୍ଭେ ଶସ୍ୟପୂର୍ଣ୍ଣ ପ୍ରତ୍ୟେକ ଖମାରରେ ବେତନ ଭଲ ପାଇଅଛ। 
 2 ଶସ୍ୟ ଖଳା କିଅବା ଦ୍ରାକ୍ଷାପେଷଣ ଯନ୍ତ୍ର ସେମାନଙ୍କୁ ପ୍ରତିପୋଷଣ କରିବ ନାହିଁ 
ଓ ନୂତନ ଦ୍ରାକ୍ଷାରସରୁ ସେମାନେ ବଞ୍ଚିତ ହେବେ। 
 3 ସେମାନେ ସଦାପ୍ରଭୁଙ୍କ ଦେଶରେ ବାସ କରିବେ ନାହିଁ; 
ମାତ୍ର ଇଫ୍ରୟିମ ମିସରକୁ ଫେରିଯିବ, ଆଉ ସେମାନେ ଅଶୂରରେ ଅଶୁଚି ଦ୍ରବ୍ୟ ଭୋଜନ କରିବେ। 
 4 ସେମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଦ୍ରାକ୍ଷାରସର ଉପହାର ଢାଳିବେ ନାହିଁ, 
କିଅବା ସେହି ସବୁ ସଦାପ୍ରଭୁଙ୍କ ତୁଷ୍ଟିଜନକ ହେବ ନାହିଁ। 
ସେମାନଙ୍କର ବଳିଦାନସକଳ ସେମାନଙ୍କ ପ୍ରତି ବିଳାପକାରୀଗଣର ଖାଦ୍ୟର ସମାନ ହେବ; 
ଯେଉଁମାନେ ତାହା ଭୋଜନ କରିବେ, ସେମାନେ ସମସ୍ତେ ଅଶୁଚି ହେବେ; 
କାରଣ ସେମାନଙ୍କର ଖାଦ୍ୟ ସେମାନଙ୍କ କ୍ଷୁଧାର ତୃପ୍ତି ନିମନ୍ତେ ହେବ; 
ତାହା ସଦାପ୍ରଭୁଙ୍କ ଗୃହକୁ ଆସିବ ନାହିଁ। 
 5 ମହାସଭା ଦିନରେ ଓ ସଦାପ୍ରଭୁଙ୍କ ଉତ୍ସବ ଦିନରେ ତୁମ୍ଭେମାନେ କଅଣ କରିବ? 
 6 କାରଣ ଦେଖ, ସେମାନେ ଧ୍ୱଂସ ସ୍ଥାନରୁ ଯାଇଅଛନ୍ତି, 
ତଥାପି ମିସର ସେମାନଙ୍କୁ ଏକତ୍ର କରିବ, ମେମ୍ଫିସ (ମିସରର ରାଜଧାନୀ) ସେମାନଙ୍କୁ କବର ଦେବ। 
ସେମାନଙ୍କର ରୂପାର ମନୋହର ପଦାର୍ଥସବୁ ବିଛୁଆତି ଗଛର ଅଧିକାର ହେବ; 
ସେମାନଙ୍କ ତମ୍ବୁସବୁରେ କଣ୍ଟକ ବୃକ୍ଷ ଉତ୍ପନ୍ନ ହେବ। 
 7 ପ୍ରତିଫଳର ଦିନ ଉପସ୍ଥିତ, ଦଣ୍ଡର ଦିନ ଉପସ୍ଥିତ; ଇସ୍ରାଏଲ ଏହା ଜାଣିବ। 
ଭବିଷ୍ୟଦ୍ବକ୍ତା ନିର୍ବୋଧ, ଆତ୍ମା ପ୍ରାପ୍ତ ଲୋକ ଉତ୍ତେଜିତ, 
କାରଣ ତୁମ୍ଭର ଅଧର୍ମ ବହୁଳ ଓ ଶତ୍ରୁତାଭାବ ବଡ଼। 
 8 ଇଫ୍ରୟିମ ମୋʼ ପରମେଶ୍ୱରଙ୍କ ସହିତ ପ୍ରହରୀ ଥିଲା; 
ଭବିଷ୍ୟଦ୍ବକ୍ତାଙ୍କର ସକଳ ପଥରେ ଶିକାରୀର ଫାନ୍ଦ 
ଓ ତାହାର ପରମେଶ୍ୱରଙ୍କ ଗୃହରେ ଶତ୍ରୁତାଭାବ ଅଛି। 
 9 ଗିବୀୟାର ସମୟରେ ଯେପରି, 
ସେମାନେ ଆପଣାମାନଙ୍କୁ ସେପରି ଅତିଶୟ ଭ୍ରଷ୍ଟ କରିଅଛନ୍ତି; 
ସେ ସେମାନଙ୍କର ଅଧର୍ମ ସ୍ମରଣ କରି ସେମାନଙ୍କ ପାପସକଳର ପ୍ରତିଫଳ ଦେବେ। 
 10 ସଦାପ୍ରଭୁ କହନ୍ତି, ଆମ୍ଭେ ଦ୍ରାକ୍ଷାଫଳର ନ୍ୟାୟ ଇସ୍ରାଏଲକୁ ପ୍ରାନ୍ତରରେ ପାଇଲୁ; 
ଆମ୍ଭେ ଡିମ୍ବିରି ବୃକ୍ଷର ପ୍ରଥମକାଳୀନ ଆଦ୍ୟପକ୍ୱ ଡିମ୍ବିରି ଫଳ ସଦୃଶ୍ୟ ତୁମ୍ଭର ପୂର୍ବପୁରୁଷଗଣଙ୍କୁ ଦେଖିଲୁ; 
ମାତ୍ର ସେମାନେ ବାଲ୍-ପିୟୋରର ନିକଟକୁ ଆସି 
ସେହି ଲଜ୍ଜାସ୍ପଦର ଉଦ୍ଦେଶ୍ୟରେ ଆପଣାମାନଙ୍କୁ ପ୍ରତିଷ୍ଠା କଲେ 
ଓ ଯାହାକୁ ସେମାନେ ପ୍ରେମ କଲେ, ତାହାରି ତୁଲ୍ୟ ଘୃଣାଯୋଗ୍ୟ ହେଲେ। 
 11 ଇଫ୍ରୟିମର ଗୌରବ ପକ୍ଷୀ ପରି ଉଡ଼ିଯିବ; 
ତାହାର କୌଣସି ଜନ୍ମ, ଗର୍ଭ କିଅବା ଗର୍ଭଧାରଣ ହେବ ନାହିଁ। 
 12 ଯଦ୍ୟପି ସେମାନେ ସନ୍ତାନଗଣକୁ ପ୍ରତିପାଳନ କରିବେ, 
ତଥାପି ଆମ୍ଭେ ସେମାନଙ୍କୁ ନିଃସନ୍ତାନ କରିବା, 
ତହିଁରେ ଜଣେ ମନୁଷ୍ୟ ମଧ୍ୟ ସେଠାରେ ରହିବ ନାହିଁ; 
ହଁ, ଆମ୍ଭେ ସେମାନଙ୍କୁ ଯେତେବେଳେ ପରିତ୍ୟାଗ କରିବା, 
ସେତେବେଳେ ସେମାନଙ୍କର ସନ୍ତାପ ହେବ! 
 13 ଆମ୍ଭେ ସୋରକୁ ଯେପରି ଦେଖିଅଛୁ, ଇଫ୍ରୟିମ ସେପରି ମନୋହର ସ୍ଥାନରେ ରୋପିତ ହୋଇଅଛି; 
ମାତ୍ର ଇଫ୍ରୟିମ ଆପଣା ସନ୍ତାନଗଣକୁ ହତ୍ୟାକାରୀର ନିକଟକୁ ବାହାର କରି ଆଣିବ। 
 14 ହେ ସଦାପ୍ରଭୁ, ସେମାନଙ୍କୁ ଦିଅ; ତୁମ୍ଭେ ସେମାନଙ୍କୁ କଅଣ ଦେବ? 
ସେମାନଙ୍କୁ ଗର୍ଭସ୍ରାବ ଉଦର ଓ ଶୁଷ୍କ ସ୍ତନ ଦିଅ। 
 15 ସେମାନଙ୍କର ଦୁଷ୍ଟତାସକଳ ଗିଲ୍ଗଲ୍ରେ ଅଛି; 
କାରଣ ସେଠାରେ ଆମ୍ଭେ ସେମାନଙ୍କୁ ଘୃଣା କଲୁ; 
ଆମ୍ଭେ ସେମାନଙ୍କ କ୍ରିୟାର ଦୁଷ୍ଟତା ସକାଶୁ ସେମାନଙ୍କୁ ଆମ୍ଭ ଗୃହରୁ ତଡ଼ିଦେବା; 
ଆମ୍ଭେ ସେମାନଙ୍କୁ ଆଉ ସ୍ନେହ କରିବା ନାହିଁ; 
ସେମାନଙ୍କର ଅଧିପତି ସମସ୍ତେ ବିଦ୍ରୋହୀ। 
 16 ଇଫ୍ରୟିମ ଆହତ ହୋଇଅଛି, ସେମାନଙ୍କର ମୂଳ ଶୁଷ୍କ ହୋଇଅଛି; 
ସେମାନେ ଫଳ ଧାରଣ କରିବେ ନାହିଁ; ହଁ, ଯଦ୍ୟପି ସେମାନେ ପ୍ରସବ କରିବେ, 
ତଥାପି ଆମ୍ଭେ ସେମାନଙ୍କ ଗର୍ଭର ପ୍ରିୟତମ ଫଳକୁ ସଂହାର କରିବା। 
 17 ମୋର ପରମେଶ୍ୱର ସେମାନଙ୍କୁ ଦୂର କରିଦେବେ, 
କାରଣ ସେମାନେ ତାହାଙ୍କ ବାକ୍ୟରେ କର୍ଣ୍ଣପାତ କଲେ ନାହିଁ; 
ଆଉ, ସେମାନେ ନାନା ଗୋଷ୍ଠୀ ମଧ୍ୟରେ ଭ୍ରମଣକାରୀ ହେବେ।