16
ଆୟୁବ - ତୁମ୍ଭେ ସବୁ ମିଥ୍ୟା ସାନ୍ତ୍ୱନାକାରୀ 
 1 ଏଥିରେ ଆୟୁବ ଉତ୍ତର କରି କହିଲା, 
 2 “ମୁଁ ଏପରି ଅନେକ କଥା ଶୁଣିଅଛି; 
ତୁମ୍ଭେ ସମସ୍ତେ ଦୁଃଖଦାୟକ ସାନ୍ତ୍ୱନାକାରୀ ଅଟ। 
 3 ଅସାର କଥାରେ କି ଶେଷ ଥାଏ? 
ଉତ୍ତର ଦେବା ପାଇଁ ତୁମ୍ଭକୁ କେଉଁ କଥା ଉତ୍ତେଜିତ କରୁଅଛି? 
 4 ମୁଁ ମଧ୍ୟ ତୁମ୍ଭମାନଙ୍କ ପରି କହି ପାରନ୍ତି; 
ଯଦି ତୁମ୍ଭମାନଙ୍କ ପ୍ରାଣ ମୋର ପ୍ରାଣର ଅବସ୍ଥାରେ ଥାʼନ୍ତା, 
ତେବେ ମୁଁ ତୁମ୍ଭମାନଙ୍କ ବିରୁଦ୍ଧରେ ବାକ୍ୟମାଳା ଏକତ୍ର ଖଞ୍ଜି ପାରନ୍ତି 
ଓ ତୁମ୍ଭମାନଙ୍କ ପ୍ରତି ଆପଣା ମୁଣ୍ଡ ହଲାଇ ପାରନ୍ତି। 
 5 ମାତ୍ର ମୁଁ ଆପଣା ମୁଖରେ ତୁମ୍ଭମାନଙ୍କୁ ସବଳ କରନ୍ତି 
ଓ ମୋʼ ଓଷ୍ଠାଧରର ସାନ୍ତ୍ୱନା ତୁମ୍ଭମାନଙ୍କ ଦୁଃଖରେ ଉପଶମ କରନ୍ତା। 
 6 ମୁଁ କଥା କହିଲେ ହେଁ ମୋʼ ଦୁଃଖର ଉପଶମ ହେଉ ନାହିଁ; 
ମୁଁ ନୀରବ ହେଲେ ହେଁ ମୋହର ଆରାମ ହୁଏ ନାହିଁ। 
 7 ମାତ୍ର ସେ ଏବେ ମୋତେ କ୍ଳାନ୍ତ କରିଅଛନ୍ତି; 
ତୁମ୍ଭେ ମୋହର ସକଳ ସଙ୍ଗୀଦଳ ଶୂନ୍ୟ କରିଅଛ। 
 8 ପୁଣି, ତୁମ୍ଭେ ମୋତେ ଦୃଢ଼ କରି ଧରିଅଛ, ଏହା ମୋର ପ୍ରତିକୂଳରେ ସାକ୍ଷୀ ହୁଏ; 
ଆଉ, ମୋʼ କ୍ଷୀଣତା ମୋʼ ପ୍ରତିକୂଳରେ ଉଠି 
ମୋʼ ମୁଖ ଆଗରେ ସାକ୍ଷ୍ୟ ଦିଏ। 
 9 ସେ ନିଜ କୋପରେ ମୋତେ ବିଦୀର୍ଣ୍ଣ ଓ ତାଡ଼ନା କରିଅଛନ୍ତି; 
ସେ ମୋʼ ଉପରେ ଦନ୍ତ କଡ଼ମଡ଼ କରିଅଛନ୍ତି; 
ମୋହର ବିପକ୍ଷ ମୋʼ ଉପରେ ଆପଣା ଚକ୍ଷୁ ତୀବ୍ର କରିଅଛି। 
 10 ସେମାନେ ମୋʼ ଉପରେ ଆପଣା ଆପଣା ମୁଖ ମେଲା କରିଅଛନ୍ତି; 
ସେମାନେ ଧିକ୍କାରପୂର୍ବକ ମୋʼ ଗାଲରେ ମାରିଅଛନ୍ତି; 
ସେମାନେ ମୋʼ ବିରୁଦ୍ଧରେ ଏକତ୍ରିତ ହୁଅନ୍ତି। 
 11 ପରମେଶ୍ୱର ମୋତେ ଅଧାର୍ମିକମାନଙ୍କ ନିକଟରେ ସମର୍ପଣ କରନ୍ତି 
ଓ ମୋତେ ଦୁଷ୍ଟମାନଙ୍କ ହସ୍ତରେ ପକାଇ ଦିଅନ୍ତି। 
 12 ମୁଁ ଆରାମରେ ଥିଲି, ସେ ମୋତେ ଭଗ୍ନ କଲେ; 
ହଁ, ମୋʼ ବେକ ଧରି ମୋତେ କଚାଡ଼ି ଖଣ୍ଡ ଖଣ୍ଡ କରିଅଛନ୍ତି; 
ମଧ୍ୟ ସେ ମୋତେ ଆପଣାର ଲକ୍ଷ୍ୟ ରୂପେ ସ୍ଥାପନ କରିଅଛନ୍ତି। 
 13 ତାହାଙ୍କ ଧନୁର୍ଦ୍ଧରମାନେ ମୋତେ ଚାରିଆଡ଼େ ଘେରିଅଛନ୍ତି, 
ସେ ମୋହର ବୃକକ୍ ବିଦୀର୍ଣ୍ଣ କରନ୍ତି ଓ ଦୟା କରନ୍ତି ନାହିଁ; 
ସେ ମୋହର ପିତ୍ତ ଭୂମିରେ ଢାଳନ୍ତି। 
 14 ସେ ମୋତେ ଭାଙ୍ଗିଭାଙ୍ଗି ଭାଙ୍ଗି ପକାନ୍ତି; 
ସେ ବୀର ପରି ମୋର ଉପରକୁ ଧାଇଁ ଆସନ୍ତି। 
 15 ମୁଁ ଆପଣା ଚର୍ମ ଉପରେ ଅଖା ସିଁଇଅଛି 
ଓ ଆପଣା ଶୃଙ୍ଗ ଧୂଳିରେ ରଖିଅଛି। 
 16 ରୋଦନରେ ମୋହର ମୁଖ ବିକୃତ ହୋଇଅଛି 
ଓ ମୃତ୍ୟୁଚ୍ଛାୟା ମୋʼ ଚକ୍ଷୁର ପତା ଉପରେ ଅଛି। 
 17 ତଥାପି ମୋʼ ହସ୍ତରେ ଦୌରାତ୍ମ୍ୟ ନାହିଁ 
ଓ ମୋହର ପ୍ରାର୍ଥନା ନିର୍ମଳ। 
 18 ଗୋ ପୃଥିବୀ, ମୋହର ରକ୍ତ ଆଚ୍ଛାଦନ କର ନାହିଁ 
ଓ ମୋହର କ୍ରନ୍ଦନ କୌଣସି ବିଶ୍ରାମ-ସ୍ଥାନ ନ ପାଉ। 
 19 ଏବେ ମଧ୍ୟ ଦେଖ, ମୋହର ସାକ୍ଷୀ ସ୍ୱର୍ଗରେ ଅଛନ୍ତି 
ଓ ମୋʼ ପକ୍ଷରେ ପ୍ରମାଣଦାତା ସ୍ୱର୍ଗରେ ଅଛନ୍ତି। 
 20 ମୋʼ ମିତ୍ରଗଣ ମୋତେ ତୁଚ୍ଛ କରନ୍ତି; 
ମାତ୍ର ମୋହର ଚକ୍ଷୁ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ଲୋତକ ଢାଳେ; 
 21 ଯେପରି ସେ ପରମେଶ୍ୱରଙ୍କ ନିକଟରେ ମନୁଷ୍ୟର 
ଓ ପ୍ରତିବାସୀ ନିକଟରେ ମନୁଷ୍ୟପୁତ୍ରର ନ୍ୟାୟ ରକ୍ଷା କରିବେ। 
 22 କାରଣ ଅଳ୍ପ ବର୍ଷ ଗତ ହେଲେ 
ଯେଉଁ ପଥରେ ଯାଇ ମୁଁ ଫେରି ଆସିବି ନାହିଁ, ସେହି ପଥରେ ମୁଁ ଯିବି।