3
ପରମେଶ୍ୱରଙ୍କ ଦ୍ୱାରା ଗୋଷ୍ଠୀଗଣର ବିଚାର 
 1 କାରଣ ଦେଖ, ସେହି ଦିନରେ ଓ ସେହି ସମୟରେ, 
ଯେତେବେଳେ ଆମ୍ଭେ ଯିହୁଦା ଓ ଯିରୂଶାଲମର ବନ୍ଦୀତ୍ୱାବସ୍ଥା ପରିବର୍ତ୍ତନ କରିବା, 
 2 ସେତେବେଳେ ଆମ୍ଭେ ଯାବତୀୟ ଗୋଷ୍ଠୀଙ୍କୁ ସଂଗ୍ରହ କରି 
ସେମାନଙ୍କୁ ଯିହୋଶାଫଟ୍ (ସଦାପ୍ରଭୁଙ୍କ ବିଚାର) ଉପତ୍ୟକାକୁ ଓହ୍ଲାଇ ଆଣିବା; 
ଆଉ, ସେମାନଙ୍କ ସଙ୍ଗେ ଆମ୍ଭ ଲୋକମାନଙ୍କର 
ଓ ଆମ୍ଭ ଅଧିକାର ଇସ୍ରାଏଲ ସପକ୍ଷରେ ବାଦାନୁବାଦ କରିବା, 
କାରଣ ସେମାନେ ସେମାନଙ୍କୁ ନାନା ଗୋଷ୍ଠୀ ମଧ୍ୟରେ ଛିନ୍ନଭିନ୍ନ କରି 
ଆମ୍ଭର ଦେଶ ବିଭାଗ କରିଅଛନ୍ତି। 
 3 ପୁଣି, ସେମାନେ ଆମ୍ଭ ଲୋକମାନଙ୍କ ନିମନ୍ତେ ଗୁଲିବାଣ୍ଟ କରିଅଛନ୍ତି 
ଓ ଏକ ବେଶ୍ୟା ପାଇଁ ଏକ ବାଳକ ଦେଇଅଛନ୍ତି 
ଓ ପାନ କରିବା ନିମନ୍ତେ ଦ୍ରାକ୍ଷାରସ ପାଇଁ ବାଳିକା ବିକ୍ରୟ କରିଅଛନ୍ତି। 
 4 ଆହୁରି, ହେ ସୋର, ସୀଦୋନ ଓ ପଲେଷ୍ଟୀୟାର ସକଳ ଅଞ୍ଚଳ, 
ତୁମ୍ଭେମାନେ ଆମ୍ଭ ପ୍ରତି କଅଣ କରିବ? 
ତୁମ୍ଭେମାନେ କି ଆମ୍ଭକୁ ପ୍ରତିଫଳ ଦେବ? 
ଓ ତୁମ୍ଭେମାନେ ଆମ୍ଭକୁ ପ୍ରତିଫଳ ଦେଲେ, 
ଆମ୍ଭେ ଅବିଳମ୍ବରେ ଓ ଅତି ଶୀଘ୍ରରେ ତୁମ୍ଭମାନଙ୍କର ପ୍ରତିଫଳ 
ତୁମ୍ଭମାନଙ୍କର ନିଜ ମସ୍ତକରେ ବର୍ତ୍ତାଇବା। 
 5 କାରଣ ତୁମ୍ଭେମାନେ ଆମ୍ଭର ରୂପା ଓ ସୁନା ହରଣ କରିଅଛ, 
ଆଉ ଆମ୍ଭର ଉତ୍ତମ ମନୋହର ପଦାର୍ଥମାନ 
ଆପଣାମାନଙ୍କର ମନ୍ଦିରକୁ ବହି ନେଇ ଯାଇଅଛ; 
 6 ଆହୁରି ଯିହୁଦାର ସନ୍ତାନଗଣକୁ ଓ ଯିରୂଶାଲମର ସନ୍ତାନଗଣକୁ 
ସେମାନଙ୍କ ସୀମାରୁ ଦୂର କରିବା ନିମନ୍ତେ 
ଗ୍ରୀସ୍ର ସନ୍ତାନଗଣ ନିକଟରେ ସେମାନଙ୍କୁ ବିକ୍ରୟ କରିଅଛ। 
 7 ଦେଖ, ତୁମ୍ଭେମାନେ ଯେଉଁ ସ୍ଥାନରେ ସେମାନଙ୍କୁ ବିକ୍ରୟ କରିଅଛ, 
ଆମ୍ଭେ ସେମାନଙ୍କର ପ୍ରବୃତ୍ତି ଜନ୍ମାଇ ସେହି ସ୍ଥାନରୁ ବାହାର କରିବା 
ଓ ତୁମ୍ଭମାନଙ୍କର ପ୍ରତିଫଳ ତୁମ୍ଭମାନଙ୍କର ମସ୍ତକରେ ବର୍ତ୍ତାଇବା; 
 8 ପୁଣି, ଆମ୍ଭେ ତୁମ୍ଭମାନଙ୍କର ପୁତ୍ରଗଣ ଓ ତୁମ୍ଭମାନଙ୍କର କନ୍ୟାଗଣଙ୍କୁ 
ଯିହୁଦାର ସନ୍ତାନଗଣର ହସ୍ତରେ ବିକ୍ରୟ କରିବା, 
ତହିଁରେ ସେମାନେ ସେମାନଙ୍କୁ 
ଦୂର ଗୋଷ୍ଠୀୟ ଶିବାୟୀୟ ଲୋକମାନଙ୍କ ନିକଟରେ ବିକ୍ରୟ କରିବେ; 
କାରଣ ସଦାପ୍ରଭୁ ଏହା କହିଅଛନ୍ତି।” 
 9 ତୁମ୍ଭେମାନେ ଗୋଷ୍ଠୀବର୍ଗ ମଧ୍ୟରେ ଏହି କଥା ପ୍ରଚାର କର; 
ଯୁଦ୍ଧ ଆୟୋଜନ କର; ବୀରମାନଙ୍କର ପ୍ରବୃତ୍ତି ଜନ୍ମାଅ; 
ଯୋଦ୍ଧା ସମସ୍ତେ ନିକଟକୁ ଆସି ଉପସ୍ଥିତ ହେଉନ୍ତୁ। 
 10 ତୁମ୍ଭେମାନେ ଆପଣା ଆପଣା ଲଙ୍ଗଳର ଫାଳ ଭାଙ୍ଗି ଖଡ୍ଗ ଗଢ଼ାଅ 
ଓ ଆପଣା ଆପଣା ଦାଆ ଭାଙ୍ଗି ବର୍ଚ୍ଛା ଗଢ଼: 
ଦୁର୍ବଳ ଲୋକ କହୁ, ମୁଁ ବଳବାନ। 
 11 ହେ ଚତୁର୍ଦ୍ଦିଗସ୍ଥ ଗୋଷ୍ଠୀସକଳ, 
ତୁମ୍ଭେମାନେ ଚଞ୍ଚଳ ହୋଇ ଆସ ଓ ଆପଣାମାନଙ୍କୁ ଏକତ୍ର କର; 
ହେ ସଦାପ୍ରଭୁ, ସେହି ସ୍ଥାନକୁ ତୁମ୍ଭେ ଆପଣା ବୀରଗଣକୁ ଓହ୍ଲାଇ ଆଣ। 
 12 ଗୋଷ୍ଠୀବର୍ଗ ଉଦ୍ଯୋଗୀ ହୋଇ ଉଠନ୍ତୁ 
ଓ ଯିହୋଶାଫଟ୍ର ଉପତ୍ୟକାକୁ ଆସନ୍ତୁ; 
କାରଣ ସେସ୍ଥାନରେ ଆମ୍ଭେ ଚତୁର୍ଦ୍ଦିଗସ୍ଥ ସକଳ ଗୋଷ୍ଠୀର 
ବିଚାର କରିବା ପାଇଁ ବସିବା। 
 13 ତୁମ୍ଭେମାନେ ଦାʼ ଲଗାଅ କାରଣ ଶସ୍ୟ ପାଚିଅଛି; 
ତୁମ୍ଭେମାନେ ଆସି ଦଳନ କର; 
କାରଣ ଦ୍ରାକ୍ଷାଯନ୍ତ୍ର ପୂର୍ଣ୍ଣ ହୋଇଅଛି, କୁଣ୍ଡସବୁ ଉଚ୍ଛୁଳି ପଡ଼ୁଅଛି; 
କାରଣ ସେମାନଙ୍କର ଦୁଷ୍ଟତା ବଡ଼। 
 14 ଦଣ୍ଡାଜ୍ଞାର ଉପତ୍ୟକାରେ ଲୋକାରଣ୍ୟ, ଲୋକାରଣ୍ୟ! 
କାରଣ ଦଣ୍ଡାଜ୍ଞାର ଉପତ୍ୟକାରେ ସଦାପ୍ରଭୁଙ୍କର ଦିନ ସନ୍ନିକଟ ହୋଇଅଛି। 
 15 ସୂର୍ଯ୍ୟ ଓ ଚନ୍ଦ୍ର ଅନ୍ଧକାରମୟ ହୋଇଅଛନ୍ତି 
ଓ ନକ୍ଷତ୍ରଗଣ ଆପଣା ଆପଣା ତେଜ ରହିତ କରୁଅଛନ୍ତି। 
ଯିହୁଦାର ଗୌରବମୟ ଭବିଷ୍ୟତ 
 16 ପୁଣି, ସଦାପ୍ରଭୁ ସିୟୋନରୁ ଗର୍ଜ୍ଜନ କରିବେ 
ଓ ଯିରୂଶାଲମରୁ ଆପଣା ରବ ଶୁଣାଇବେ; 
ତହିଁରେ ଆକାଶମଣ୍ଡଳ ଓ ପୃଥିବୀ କମ୍ପିତ ହେବେ; 
ମାତ୍ର ସଦାପ୍ରଭୁ ଆପଣା ଲୋକମାନଙ୍କ ପ୍ରତି ଆଶ୍ରୟ ହେବେ 
ଓ ଇସ୍ରାଏଲ-ସନ୍ତାନଗଣ ପ୍ରତି ଦୃଢ଼ ଦୁର୍ଗ ହେବେ। 
 17 ତହିଁରେ ଆମ୍ଭେ ଯେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ଅଟୁ 
ଓ ଆପଣା ପବିତ୍ର ପର୍ବତ ସିୟୋନରେ ବାସ କରୁ, ଏହା ତୁମ୍ଭେମାନେ ଜାଣିବ; 
ତହିଁରେ ଯିରୂଶାଲମ ପବିତ୍ର ହେବ ଓ ବିଦେଶୀୟମାନେ 
ତହିଁ ମଧ୍ୟଦେଇ ଆଉ ଗମନାଗମନ କରିବେ ନାହିଁ। 
 18 ସେଦିନ ପର୍ବତଗଣ ମିଷ୍ଟ ଦ୍ରାକ୍ଷାରସ ଝରାଇବେ, 
ଉପପର୍ବତଗଣ ଦୁଗ୍ଧରେ ପ୍ରବାହିତ ହେବେ 
ଓ ଯିହୁଦାର ନଦୀ ସ୍ରୋତସକଳ ଜଳରେ ପ୍ରବାହିତ ହେବେ; 
ପୁଣି, ସଦାପ୍ରଭୁଙ୍କ ଗୃହରୁ ଏକ ନିର୍ଝର ନିର୍ଗତ ହେବ, 
ତାହା ଶିଟୀମର ଉପତ୍ୟକାକୁ ଜଳମୟ କରିବ। 
 19 ଯିହୁଦାର ସନ୍ତାନଗଣ ପ୍ରତି କୃତ ଉପଦ୍ରବ ସକାଶୁ 
ମିସର ଧ୍ୱଂସସ୍ଥାନ ହେବ ଓ ଇଦୋମ ଧ୍ୱଂସିତ ପ୍ରାନ୍ତର ହେବ, 
କାରଣ ସେମାନେ ଆପଣାମାନଙ୍କ ଦେଶରେ 
ନିର୍ଦ୍ଦୋଷର ରକ୍ତପାତ କରିଅଛନ୍ତି। 
 20 ମାତ୍ର ଯିହୁଦା ଚିରକାଳ 
ଓ ଯିରୂଶାଲମ ପୁରୁଷାନୁକ୍ରମେ ରହିବ। 
 21 ପୁଣି, ଆମ୍ଭେ ସେମାନଙ୍କର ଯେଉଁ ରକ୍ତକୁ ନିର୍ଦ୍ଦୋଷ କରି ନାହୁଁ, 
ତାହା ନିର୍ଦ୍ଦୋଷ କରିବା। 
କାରଣ ସଦାପ୍ରଭୁ ସିୟୋନରେ ବାସ କରନ୍ତି।