ମୋୟାବ ପ୍ରତି ପରମେଶ୍ୱରଙ୍କ ବାର୍ତ୍ତା
15
ମୋୟାବ ବିଷୟରେ ଏକ ଦୁଃଖର ବାର୍ତ୍ତା।
ଅନ୍ୟ ଏକ ରାତ୍ରିରେ ମୋୟାବର ଆର ନଗରରୁ ସୈନ୍ୟମାନେ ସମସ୍ତ ଧନ ନେଇଗଲେ
ଏବଂ ତାକୁ ମଧ୍ୟ ଧ୍ୱଂସ କଲେ।
ଆଉ ମଧ୍ୟ ଦିନେ ରାତ୍ରିରେ ସୈନ୍ୟମାନେ ମୋୟାବର ବୀର ନଗରରୁ ସମସ୍ତ ଧନ ନେଇଗଲେ
ଓ ସେ ନଗରକୁ ମଧ୍ୟ ଧ୍ୱଂସ କଲେ।
ରାଜ ପରିବାର ଓ ଦୀବୋନର ଲୋକମାନେ ପୂଜା ସ୍ଥଳୀକୁ ରୋଦନ କରିବାକୁ ଯାଇଛନ୍ତି।
ମୋୟାବର ଲୋକମାନେ ନେବୋ ଓ ମେଦବା ପାଇଁ କାନ୍ଦୁଛନ୍ତି।
ସେମାନଙ୍କର ଦୁଃଖ ଭାବ ଜଣାଇବା ପାଇଁ ମସ୍ତକ ଲଣ୍ଡା କରିଛନ୍ତି ଓ ଦାଢ଼ି କାଟିଅଛନ୍ତି।
ମୋୟାବର ସବୁ ସ୍ଥାନରେ, ଘର ଉଚ୍ଚସ୍ଥାନମାନଙ୍କରେ
ଓ ରାସ୍ତାମାନଙ୍କରେ ଚଟବସ୍ତ୍ର ପରିଧାନ କରି କାନ୍ଦୁଛନ୍ତି।
ହି‌ଶ୍‌ବୋନ୍ ଓ ଇଲିୟାଲି ଅତି ଉଚ୍ଚସ୍ୱରରେ କ୍ରନ୍ଦନ କରୁଛନ୍ତି।
ସେମାନଙ୍କର ରବ ଯହସ୍ ପର୍ଯ୍ୟନ୍ତ ଶୁଣା ଯାଇଛି।
ଏପରିକି ମୋୟାବର ସୈନ୍ୟମାନେ
ଭୟରେ କମ୍ପିତ ହୋଇ ଆର୍ତ୍ତନାଦ କରୁଛନ୍ତି।
ମୋର ହୃଦୟ ମୋୟାବ ପାଇଁ ବିଳାପ କରୁଛି।
ଲୋକମାନେ ଇଗ୍ଲତ୍-ଇଲୀଶୀୟା
ଓ ଦୂରସ୍ଥ ସୋୟରକୁ ନିରାପତ୍ତା ପାଇଁ ପଳାୟନ କରୁଛନ୍ତି।
ସେମାନେ ରୋଦନ କରି କରି
ଲୂହୀତ-ଘାଟୀ ଉପରକୁ ଉଠୁଛନ୍ତି।
ହୋରୋନୟିମ ପଥରେ ଯାଉଥିଲା ବେଳେ
ଉଚ୍ଚ ସ୍ୱରରେ ବିଳାପ କରୁଛନ୍ତି।
ମାତ୍ର ନିମ୍ରୀମର ଜଳ ସମୂହ ଶୁଷ୍କ ହେବ।
ସବୁଜ ବୃକ୍ଷଗୁଡ଼ିକ ରହିବନି।
ଲୋକମାନେ ସେମାନଙ୍କର ନିଜ ନିଜର ସମସ୍ତ ଦ୍ରବ୍ୟ ଏକାଠି କରିବେ ଓ ମୋୟାବ ପରିତ୍ୟାଗ କରିବେ।
ସେ ସମସ୍ତ ଦ୍ରବ୍ୟକୁ ଧରି ସୀମା ଅତିକ୍ରମ କରି ବାଈଶୀ ବୃକ୍ଷର ସ୍ରୋତ ନିକଟକୁ ନେଇଯିବେ।
ମୋୟାବର ସବୁ ସ୍ଥାନରେ କ୍ରନ୍ଦନର ରୋଳ ଶୁଣାଯିବ।
ସେହି ହାହାକାର କ୍ରନ୍ଦନ ଦୂରସ୍ଥ ଇଗ୍ଲୟିମ୍ ଓ ବେରେଲୀମ୍ ପର୍ଯ୍ୟନ୍ତ ଶୁଣାଯିବ।
ଦୀମୋନର ଜଳସମୂହ ରକ୍ତମୟ ହେବ।
ମୁଁ ଦୀମୋନ ପ୍ରତି ଅଧିକ ଦୁଃଖ ଆଣିବି।
ମୋୟାବର ପଳାତକ ଓ ଅବଶିଷ୍ଟାଂଶ ଲୋକମାନଙ୍କ ପାଇଁ
ମୁଁ ଏକ ସିଂହ ଆଣିବି ଯେ କି ସେମାନଙ୍କୁ ଭକ୍ଷ୍ୟଣ କରିବ।