4
ସେହି ସମୟରେ ସାତ ଜଣ ସ୍ତ୍ରୀ ଏକ ପୁରୁଷକୁ ଧରି କହିବେ, “ଆମ୍ଭେମାନେ ଆମ୍ଭ ନିଜର ଅନ୍ନ ଭୋଜନ କରିବୁ ଓ ନିଜର ବସ୍ତ୍ର ପରିଧାନ କରିବୁ। ତୁମ୍ଭେ ଯଦି ଆମ୍ଭମାନଙ୍କୁ ବିବାହ କରିବ ତାହାହେଲେ ଆମ୍ଭେମାନେ ଆମ୍ଭମାନଙ୍କର ସମସ୍ତ କାର୍ଯ୍ୟ କରିବୁ। ଆମ୍ଭମାନଙ୍କୁ କେବଳ ତୁମ୍ଭର ନାମରେ ଖ୍ୟାତ କର ଓ ଆମ୍ଭମାନଙ୍କର ଲଜ୍ଜା ଅପମାନକୁ ଦୂର କର।”
ସେହି ସମୟରେ, ସଦାପ୍ରଭୁଙ୍କ ଶାଖା (ଯିହୁଦା) ଅତି ମନୋରମ ଆକର୍ଷଣୀୟ ଓ ମହାନ ହେବ। ଇସ୍ରାଏଲର ପରିବେଷ୍ଟନୀୟର ଉପଯୋଗୀ ସେମାନଙ୍କ ଦେଶର ଉତ୍ତମ ଫଳ ଯୋଗୁଁ ଗୌରବାନ୍ୱିତ ହେବେ। ସେହି ସମୟରେ ସିୟୋନ ଓ ଯିରୁଶାଲମର ଅବଶିଷ୍ଟ ସମସ୍ତ ଲୋକ ସ୍ୱତନ୍ତ୍ର ଓ ପବିତ୍ର ଲୋକ ବୋଲି କଥିତ ହେବେ। ଏହା ସେହି ଲୋକମାନଙ୍କ ପ୍ରତି ଘଟିବ ଯେଉଁମାନେ ଏକ ସ୍ୱତନ୍ତ୍ର ତାଲିକାରେ ଥିବେ ଓ ସେହି ତାଲିକାଭୁକ୍ତ ଲୋକେ କେବଳ ବଞ୍ଚି ରହିବେ।
ସଦାପ୍ରଭୁ ସିୟୋନର ନାରୀମାନଙ୍କର ମଇଳାକୁ ଧୌତ କରିବେ। ସେ ଯିରୁଶାଲମର ସମସ୍ତ ରକ୍ତକୁ ଧୋଇ ଦେବେ। ପରମେଶ୍ୱର ତାଙ୍କର ନ୍ୟାୟ ଆତ୍ମାକୁ ପ୍ରୟୋଗ କରିବେ। ଆଉ ମଧ୍ୟ ସେ ତାଙ୍କର ଜ୍ୱଳନ୍ତ ଆତ୍ମାକୁ ବ୍ୟବହାର କରିବେ। ସେତେବେଳେ ପରମେଶ୍ୱର ତାଙ୍କର ଲୋକମାନଙ୍କ ସହିତ ଅଛନ୍ତି ବୋଲି ପ୍ରମାଣ କରିବେ। ଦିବସରେ ପରମେଶ୍ୱର ଧୂମର ମେଘ ସୃଷ୍ଟି କରିବେ ଓ ରାତ୍ରିରେ ଜ୍ୱଳନ୍ତ ଅଗ୍ନିଶିଖା ସୃଷ୍ଟି କରିବେ। ଆଉ ଏହା ପ୍ରମାଣିତ ହେବ ଯେ ସିୟୋନର ସମସ୍ତ ପର୍ବତ ଓ ସମସ୍ତ ଆବାସ ଉପର ଆକାଶ ଏହି ଧୂମ ରୂପକ ମେଘରେ ଆଚ୍ଛାଦିତ ହେବ। ପ୍ରତ୍ୟେକ ଲୋକର ସୁରକ୍ଷା ପାଇଁ ଚନ୍ଦ୍ରାତାପ ବିସ୍ତୃତ ହେବ। ଏହି ଆଚ୍ଛାଦନ ଏକ ନିରାପଦ ସ୍ଥାନ ହେବ। ଏହା ଦିବସରେ ସୂର୍ଯ୍ୟ ତାପରୁ ସୁରକ୍ଷା ଦେବ ଓ ସମସ୍ତ ବନ୍ୟା, ଝଡ଼ ଓ ବର୍ଷାରୁ ଏହି ଛାୟା ରକ୍ଷା କରିବ।