ହିଜକିୟ ନିସ୍ତାରପର୍ବ ପାଳନ କଲେ
30
ରାଜା ହିଜକିୟ ଇସ୍ରାଏଲ ଓ ଯିହୁଦାର ସବୁ ଲୋକମାନଙ୍କ ନିକଟକୁ ବାର୍ତ୍ତାମାନ ପ୍ରେରଣ କଲେ। ସେ ଇଫ୍ରୟିମ ଓ ମନଃଶିର ଲୋକମାନଙ୍କ ନିକଟକୁ ମଧ୍ୟ ପତ୍ରମାନ ଲେଖିଲେ। ହିଜକିୟ ସେହି ସମସ୍ତ ଲୋକଙ୍କୁ ଯିରୁଶାଲମସ୍ଥ ସଦାପ୍ରଭୁଙ୍କ ମନ୍ଦିରକୁ ଆସିବା ନିମନ୍ତେ ନିମନ୍ତ୍ରଣ ଜଣାଇଲେ, ଯେପରି ସେମାନେ ସମସ୍ତ ଇସ୍ରାଏଲର ସଦାପ୍ରଭୁ ପରମେଶ୍ୱରଙ୍କ ନିମନ୍ତେ ନିସ୍ତାରପର୍ବ ପାଳନ କରି ପାରିବେ। ଦ୍ୱିତୀୟ ମାସରେ ନିସ୍ତାରପର୍ବ ପାଳିବା ନିମନ୍ତେ ରାଜା ହିଜକିୟ ତାଙ୍କର ସମସ୍ତ ପଦାଧିକାରୀ ଓ ଯିରୁଶାଲମର ସମସ୍ତ ଜନତାଙ୍କ ସହ ଏକମତ ହେଲେ। ସେମାନେ ନିୟମିତ ସମୟରେ ନିସ୍ତାରପର୍ବର ଉତ୍ସବ ପାଳନ କରି ପାରିଲେ ନାହିଁ। କାରଣ ପବିତ୍ର ସେବାକାର୍ଯ୍ୟ ନିମନ୍ତେ ଯଥେଷ୍ଟ ସଂଖ୍ୟକ ଯାଜକ ନିଜକୁ ପ୍ରସ୍ତୁତ କରିପାରି ନ ଥିଲେ। ଆଉ ଗୋଟିଏ କାରଣ ଥିଲା, ଲୋକମାନେ ଯିରୁଶାଲମରେ ଏକତ୍ରିତ ହୋଇ ନ ଥିଲେ। ଏହି ଚୁକ୍ତି ରାଜା ହିଜକିୟ ଓ ସମଗ୍ର ଜନତାଙ୍କୁ ସନ୍ତୁଷ୍ଟ କଲା। ତେଣୁ ସେମାନେ ବେ‌ର୍‌ଶେବା ସହରଠାରୁ ଦାନ୍ ସହର ପର୍ଯ୍ୟନ୍ତ ଇସ୍ରାଏଲର ପ୍ରତ୍ୟେକ ସ୍ଥାନରେ ଏହା ଘୋଷଣା କଲେ। ସେମାନେ ଲୋକମାନଙ୍କୁ ଇସ୍ରାଏଲର ସଦାପ୍ରଭୁ ପରମେଶ୍ୱରଙ୍କ ନିମନ୍ତେ ନିସ୍ତାରପର୍ବ ପାଳନ କରିବା ପାଇଁ ଯିରୁଶାଲମକୁ ଆସିବାକୁ କହିଲେ। ମୋଶାଙ୍କ ଦତ୍ତ ବ୍ୟବସ୍ଥା ନିୟମରେ ଯେଉଁ ପ୍ରକାର ଭାବେ ନିସ୍ତାରପର୍ବ ପାଳନ କରିବାକୁ କୁହାଯାଇଅଛି, ସେ ପ୍ରକାର ଭାବ ଇସ୍ରାଏଲର ବହୁତ ସଂଖ୍ୟକ ଲୋକ ଅନେକ ବର୍ଷ ଧରି ପାଳନ କରି ନ ଥିଲେ। ତେଣୁ ବାର୍ତ୍ତାବାହକମାନେ ରାଜାଙ୍କର ପତ୍ର ନେଇ ଇସ୍ରାଏଲ ଓ ଯିହୁଦାର ସମସ୍ତ ଅଞ୍ଚଳକୁ ଗଲେ। ସେହି ପତ୍ରରେ ଏହିପରି ଲେଖାଥିଲା।
“ଇସ୍ରାଏଲ* ସନ୍ତାନଗଣ, ଅବ୍ରହାମ, ଇ‌ସ୍‌ହାକ ଓ ଇସ୍ରାଏଲ ଯେଉଁ ସଦାପ୍ରଭୁ ପରମେଶ୍ୱରଙ୍କୁ ମାନିଥିଲେ, ତାଙ୍କ ନିକଟକୁ ଫେରି ଆସ। ଯେଉଁ ଲୋକମାନେ ବର୍ତ୍ତମାନ ସୁଦ୍ଧା ଜୀବିତ ଅଛ ଓ ଅଶୂର ରାଜାର କବଳରୁ ଖସି ଆସିଛ, ପରମେଶ୍ୱରଙ୍କ ନିକଟକୁ ତୁମ୍ଭେମାନେ ଫେରି ଆସିବ। ତୁମ୍ଭମାନଙ୍କର ପିତାଙ୍କର କିମ୍ବା ତୁମ୍ଭମାନଙ୍କର ଭ୍ରାତାଗଣଙ୍କ ପରି ହୁଅ ନାହିଁ। ସଦାପ୍ରଭୁ ସେମାନଙ୍କର ପୂର୍ବପୁରୁଷମାନଙ୍କର ପରମେଶ୍ୱର ଥିଲେ, କିନ୍ତୁ ସେମାନେ ତାଙ୍କର ବିରୁଦ୍ଧରେ ଗଲେ। ତେଣୁ ସଦାପ୍ରଭୁ ସେମାନଙ୍କୁ ଧ୍ୱଂସ କଲେ, ଏହା ତୁମ୍ଭେ ଜାଣ। ତୁମ୍ଭମାନଙ୍କ ପୂର୍ବପୁରୁଷଙ୍କ ପରି ଦାମ୍ଭିକ ହୁଅ ନାହିଁ। କିନ୍ତୁ ଇଚ୍ଛୁକ ହୃଦୟର ସହିତ ସଦାପ୍ରଭୁଙ୍କର ଆଜ୍ଞାକାରୀ ହୁଅ। ସେହି ପବିତ୍ର ସ୍ଥାନକୁ ଆସ। ସଦାପ୍ରଭୁ ତାଙ୍କ ପବିତ୍ର ସ୍ଥାନକୁ ଚିରଦିନ ନିମନ୍ତେ ପବିତ୍ର କରିଛନ୍ତି। ତୁମ୍ଭମାନଙ୍କ ସଦାପ୍ରଭୁ ପରମେଶ୍ୱରଙ୍କର ସେବା କର। ତେବେ ସଦାପ୍ରଭୁଙ୍କର କ୍ରୋଧ ତୁମ୍ଭମାନଙ୍କଠାରୁ ନିବୃତ୍ତ ହେବ। ଯଦି ତୁମ୍ଭେମାନେ ଫେରି ଆସିବ ଓ ସଦାପ୍ରଭୁଙ୍କୁ ମାନିବ, ତେବେ ତୁମ୍ଭମାନଙ୍କର ଆତ୍ମୀୟମାନେ ଓ ତୁମ୍ଭମାନଙ୍କର ସନ୍ତାନସନ୍ତତିଗଣ ସେମାନଙ୍କୁ ବନ୍ଦୀ କରି ନେଇଯାଇଥିବା ଲୋକମାନଙ୍କଠାରୁ ଦୟା ପାଇବେ। ଆଉ ତୁମ୍ଭମାନଙ୍କର ଆତ୍ମୀୟମାନେ ଓ ତୁମ୍ଭମାନଙ୍କର ସନ୍ତାନଗଣ ଏହି ଦେଶକୁ ଫେରି ଆସିବେ। ତୁମ୍ଭମାନଙ୍କର ସଦାପ୍ରଭୁ ପରମେଶ୍ୱର ଦୟାଳୁ ଓ ଅନୁଗ୍ରହରେ ପୂର୍ଣ୍ଣ ଅଟନ୍ତି। ଯଦି ତୁମ୍ଭେମାନେ ତାହାଙ୍କ ନିକଟକୁ ଫେରି ଆସିବ, ତେବେ ସେ ତୁମ୍ଭମାନଙ୍କୁ ତ୍ୟାଗ କରିଯିବେ ନାହିଁ।”
10 ବାର୍ତ୍ତାବାହକମାନେ ଇଫ୍ରୟିମ ଓ ମନଃଶି ଅଞ୍ଚଳର ପ୍ରତ୍ୟେକ ସହରକୁ ଗଲେ। ସେମାନେ ସବୂଲୂନର ଅଞ୍ଚଳ ପର୍ଯ୍ୟନ୍ତ ମଧ୍ୟ ଗଲେ। କିନ୍ତୁ ଲୋକମାନେ ବାର୍ତ୍ତାବାହକମାନଙ୍କ ପ୍ରତି ଅଟ୍ଟହାସ୍ୟ ଓ ବିଦ୍ରୂପ କଲେ। 11 କିନ୍ତୁ ଆଶେର୍, ମନଃଶି ଓ ସବୂଲୂନର କେତେକ ଲୋକ ସେମାନଙ୍କୁ ନମ୍ର କଲେ ଓ ଯିରୁଶାଲମକୁ ଗଲେ। 12 ଆହୁରି ମଧ୍ୟ ଯିହୁଦାରେ ପରମେଶ୍ୱରଙ୍କ ଶକ୍ତି ଲୋକମାନଙ୍କୁ ଏକତ୍ରିତ କଲା, ଯେପରି ସେମାନେ ରାଜା ଓ ତାଙ୍କ ପଦାଧିକାରୀମାନଙ୍କର ବାଧ୍ୟ ହୋଇପାରନ୍ତି। ଏହି ପ୍ରକାରେ, ସେମାନେ ସଦାପ୍ରଭୁଙ୍କ ବାକ୍ୟର ବାଧ୍ୟ ହେଲେ।
13 ଅନେକ ଲୋକ ତାଡ଼ୀଶୂନ୍ୟ ରୋଟୀର ପର୍ବ ପାଳନ କରିବା ନିମନ୍ତେ ଆସି ଯିରୁଶାଲମରେ ଦ୍ୱିତୀୟ ମାସରେ ଏକତ୍ର ହେଲେ। ତାହା ଏକ ଅତି ବୃହତ୍ ଜନତାର ଭିଡ଼ ଥିଲା। 14 ସେହି ଲୋକମାନେ ଯିରୁଶାଲମରେ ଥିବା ଭଣ୍ଡ ଦେବତାମାନଙ୍କର ଯଜ୍ଞବେଦି ସବୁ ନିଃଶେଷ କରିଦେଲେ। ଆହୁରି ମଧ୍ୟ, ସେମାନେ ଭଣ୍ଡ ଦେବତାମାନଙ୍କର ସମସ୍ତ ସୁଗନ୍ଧିଧୂପର ବେଦି ନଷ୍ଟ କରିଦେଲେ। ସେମାନେ ସେହି ଯଜ୍ଞବେଦିଗୁଡ଼ିକୁ କିଦ୍ରୋଣ ଉପତ୍ୟକାରେ ଫିଙ୍ଗି ଦେଲେ। 15 ଏହା ପରେ ସେମାନେ ଦ୍ୱିତୀୟ ମାସର ଚତୁର୍ଦ୍ଦଶତମ ଦିନରେ ନିସ୍ତାରପର୍ବର ମେଷଶାବକଙ୍କୁ ହତ୍ୟା କଲେ। ଯାଜକମାନେ ଓ ଲେବୀୟମାନେ ଲଜ୍ଜିତ ହେଲେ। ସେମାନେ ପବିତ୍ର ସେବାକାର୍ଯ୍ୟ ନିମନ୍ତେ ନିଜକୁ ପ୍ରସ୍ତୁତ କଲେ। ଯାଜକ ଓ ଲେବୀୟମାନେ ସଦାପ୍ରଭୁଙ୍କ ମନ୍ଦିରକୁ ହୋମବଳି ଉପହାର ଆଣିଲେ। 16 ପରମେଶ୍ୱରଙ୍କ ଲୋକ ମୋଶାଙ୍କ ବ୍ୟବସ୍ଥା ନିୟମରେ ଯେଉଁ ପ୍ରକାର କୁହାଯାଇଥିଲା, ସେମାନେ ସେହି ପ୍ରକାରେ ସେମାନଙ୍କର ନିୟମିତ ସ୍ଥାନ ଗ୍ରହଣ କଲେ। ଲେବୀୟମାନେ ଯାଜକମାନଙ୍କୁ ରକ୍ତ ଦେଲେ। ତା’ପରେ ଯାଜକମାନେ ଯଜ୍ଞବେଦି ଉପରେ ରକ୍ତକୁ ସିଞ୍ଚନ କଲେ। 17 ଦଳରେ ଅନେକ ଲୋକ ଥିଲେ, ଯେଉଁମାନେ ପବିତ୍ର ସେବାକାର୍ଯ୍ୟ ନିମନ୍ତେ ନିଜକୁ ପ୍ରସ୍ତୁତ କରି ନ ଥିଲେ, ତେଣୁ ସେମାନଙ୍କୁ ନିସ୍ତାରପର୍ବର ମେଷଶାବକକୁ ବଧ କରିବାକୁ ଅନୁମତି ଦିଆଗଲା ନାହିଁ। ତେଣୁ ପରିଷ୍କୃତ ହୋଇ ନ ଥିବା ପ୍ରତ୍ୟେକ ବ୍ୟକ୍ତିର ନିମନ୍ତେ ଲେବୀୟମାନେ ନିସ୍ତାରପର୍ବର ମେଷଶାବକଗୁଡ଼ିକୁ ହତ୍ୟା କରିବାର ଦାୟିତ୍ୱ ନେଲେ। ଲେବୀୟମାନେ ପ୍ରତ୍ୟେକ ମେଷଶାବକକୁ ସଦାପ୍ରଭୁଙ୍କ ନିମନ୍ତେ ପବିତ୍ର କଲେ।
18-19 ଇଫ୍ରୟିମ, ମନଃଶି, ଇଷାଖର ଓ ସବୂଲୂନର ଅନେକ ଲୋକ ନିଜକୁ ଯଥାର୍ଥରୂପେ ନିସ୍ତାରପର୍ବ ନିମନ୍ତେ ପ୍ରସ୍ତୁତ କରି ନ ଥିଲେ। ସେମାନେ ନିସ୍ତାରପର୍ବକୁ ଯଥାର୍ଥରୂପେ ଯେପରି ମୋଶାଙ୍କ ବ୍ୟବସ୍ଥା ନିୟମରେ କୁହାଯାଇଥିଲା, ସେହିପରି ପାଳନ କଲେ ନାହିଁ। କିନ୍ତୁ ହିଜକିୟ ସେହି ଲୋକମାନଙ୍କ ନିମନ୍ତେ ପ୍ରାର୍ଥନା କଲେ। ହିଜକିୟ ଏହି ପ୍ରକାରେ ପ୍ରାର୍ଥନା କଲେ, “ହେ ସଦାପ୍ରଭୁ ପରମେଶ୍ୱର, ତୁମ୍ଭେ ମଙ୍ଗଳକାରୀ ଅଟ। ଏହି ଲୋକମାନେ ପ୍ରକୃତରେ ଯଥାର୍ଥ ରୂପେ ତୁମ୍ଭର ଉପାସନା କରିବାକୁ ଗ୍ଭହିଁଥିଲେ, କିନ୍ତୁ ସେମାନେ ବ୍ୟବସ୍ଥା ନିୟମାନୁଯାୟୀ ନିଜକୁ ପରିଷ୍କୃତ କରି ପାରିଲେ ନାହିଁ। ଦୟାକରି କରୁଣା ପ୍ରଦର୍ଶନ କର ଓ ସେହି ଲୋକମାନଙ୍କୁ କ୍ଷମା କର। ଆମ୍ଭମାନଙ୍କ ପୂର୍ବପୁରୁଷମାନେ ଯାହାଙ୍କୁ ମାନିଥିଲେ ତୁମ୍ଭେ ସେହି ପରମେଶ୍ୱର ଅଟ।” 20 ସଦାପ୍ରଭୁ ରାଜା ହିଜକିୟଙ୍କ ପ୍ରାର୍ଥନା ଶୁଣିଲେ। ସଦାପ୍ରଭୁ ଲୋକମାନଙ୍କୁ କ୍ଷମା କଲେ। 21 ଯିରୁଶାଲମରେ ଇସ୍ରାଏଲର ସନ୍ତାନମାନେ ତାଡ଼ୀଶୂନ୍ୟ ପାଉଁରୋଟୀର ପର୍ବ ସାତ ଦିନ ପର୍ଯ୍ୟନ୍ତ ପାଳନ କଲେ। ସେମାନେ ଅତ୍ୟନ୍ତ ଆନନ୍ଦିତ ଥିଲେ। ଲେବୀୟ ଓ ଯାଜକମାନେ ପ୍ରତିଦିନ ସେମାନଙ୍କର ସମସ୍ତ ଶକ୍ତି ସହିତ ସଦାପ୍ରଭୁଙ୍କର ପ୍ରଶଂସା କଲେ। 22 ସଦାପ୍ରଭୁଙ୍କ ସେବାକାର୍ଯ୍ୟ କିପରି କରିବାକୁ ହେବ, ଏହା ଯେଉଁ ଲେବୀୟମାନେ ଜାଣିଥିଲେ, ସେମାନଙ୍କୁ ରାଜା ହିଜକିୟ ଉତ୍ସାହିତ କଲେ। ଲୋକମାନେ ସାତ ଦିନ ପର୍ଯ୍ୟନ୍ତ ଉତ୍ସବ ପାଳନ କଲେ ଓ ବଳି ଉତ୍ସର୍ଗ କଲେ। ସେମାନେ ସେମାନଙ୍କ ପୂର୍ବପୁରୁଷମାନଙ୍କର ସଦାପ୍ରଭୁ ପରମେଶ୍ୱରଙ୍କର ଧନ୍ୟବାଦ ଓ ପ୍ରଶଂସା କଲେ।
23 ସବୁ ଲୋକମାନେ ଆଉ ଅଧିକ ସାତ ଦିନ ରହିବା ନିମନ୍ତେ ସମ୍ମତ ହେଲେ। ସେମାନେ ଆହୁରି ସାତ ଦିନ ପର୍ଯ୍ୟନ୍ତ ନିସ୍ତାରପର୍ବ ପାଳନ କରି ଅତ୍ୟନ୍ତ ଆନନ୍ଦିତ ହେଲେ। 24 ଯିହୁଦାର ରାଜା ହିଜକିୟ ସମ୍ମିଳିତ ଜନତାକୁ 1000 ବଳଦ ଓ 7000 ମେଷକୁ ହତ୍ୟାକରି ଭୋଜନ କରିବା ନିମନ୍ତେ ପ୍ରଦାନ କଲେ। ନେତାମାନେ ସମ୍ମିଳିତ ଜନତାକୁ 1000 ବଳଦ ଓ 10,000 ମେଷ ଦେଲେ। ଅନେକ ଯାଜକମାନେ ପବିତ୍ର ସେବାକାର୍ଯ୍ୟ ନିମନ୍ତେ ନିଜକୁ ପ୍ରସ୍ତୁତ କଲେ। 25 ଯିହୁଦାର ସମ୍ମିଳିତ ଜନତା, ଯାଜକଗଣ ଓ ଲେବୀୟ ସମସ୍ତେ, ଇସ୍ରାଏଲର ସମସ୍ତ ସମ୍ମିଳିତ ଜନତା ଓ ଇସ୍ରାଏଲୀୟମାନେ ଓ ଯିହୁଦାରେ ବାସ କରୁଥିବା ବିଦେଶୀଗଣ ଅତ୍ୟନ୍ତ ଆନନ୍ଦିତ ଥିଲେ। 26 ତେଣୁ ଯିରୁଶାଲମରେ ମହାଆନନ୍ଦ ହେଲା। ଇସ୍ରାଏଲର ରାଜା ଦାଉଦଙ୍କ ପୁତ୍ର ଶଲୋମନଙ୍କ ସମୟରେ ଏପରି ଆନନ୍ଦ ଉତ୍ସବ ହୋଇଥିଲା, ଆଉ କେବେ ହେଁ ହୋଇ ନ ଥିଲା। 27 ଯାଜକମାନେ ଓ ଲେବୀୟମାନେ ଉଠି ଛିଡ଼ା ହେଲେ ଓ ଲୋକମାନଙ୍କୁ ଆଶୀର୍ବାଦ କରିବା ନିମନ୍ତେ ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କଲେ। ପରମେଶ୍ୱର ସେମାନଙ୍କ କଥା ଶୁଣିଲେ, ସେମାନଙ୍କର ପ୍ରାର୍ଥନା ସଦାପ୍ରଭୁଙ୍କ ପବିତ୍ର ଗୃହ ସ୍ୱର୍ଗରେ ପହଞ୍ଚିଲା।
* 30:6 ଇସ୍ରାଏଲ ଯାକୁବ।