ସ୍ୱର୍ଗଦୂତ ଏବଂ କ୍ଷୁଦ୍ର ପୁସ୍ତକ
10
ତା’ପରେ ମୁଁ ଜଣେ ଶକ୍ତିଶାଳୀ ଦୂତଙ୍କୁ ସ୍ୱର୍ଗରୁ ଆସିବାର ଦେଖିଲି। ସେ ମେଘ ଦ୍ୱାରା ଆଚ୍ଛାଦିତ ଥିଲେ। ତାହାଙ୍କ ମସ୍ତକରେ ମେଘଧନୁ ଶୋଭା ପାଉଥିଲା। ତାହାଙ୍କର ମୁଖ ସୂର୍ଯ୍ୟ ପରି ଉଜ୍ଜ୍ୱଳ ଓ ପାଦ ଦୁଇଟି ଅଗ୍ନିସ୍ତମ୍ଭ ସଦୃଶ ଥିଲା। ସେହି ଦୂତଙ୍କ ହାତରେ ଗୋଟିଏ କ୍ଷୁଦ୍ର ଖୋଲା ଚର୍ମପତ୍ର ଥିଲା। ସେ ତାହାଙ୍କର ଦକ୍ଷିଣ ପାଦ ସମୁଦ୍ର ଉପରେ ଓ ବାମ ପାଦ ସ୍ଥଳଭାଗ ଉପରେ ରଖିଥିଲେ। ସେ ସିଂହ ଗର୍ଜନ ପରି ଜୋର୍‌‌ରେ ପାଟି କଲେ। ସେ ପାଟି କରନ୍ତେ ପରେ ସାତ ବଜ୍ର ତାହାର ଉତ୍ତର ଦେଲେ।
ମୁଁ ଏହା ଲେଖିବାକୁ ପ୍ରସ୍ତୁତ ହେଲି। ସେତେବେଳେ ମୋତେ ଆକାଶବାଣୀ ଶୁଭିଲା, “ସାତ ବଜ୍ର ଯାହା କହିଲେ, ତାହା ଲେଖ ନାହିଁ। ସେଗୁଡ଼ିକ ଗୁପ୍ତ ରଖ।”
ତା’ପରେ ସେହି ସ୍ୱର୍ଗଦୂତ ଯେକି ସମୁଦ୍ର ଓ ପୃଥିବୀ ଉପରେ ପାଦଦେଇ ଠିଆ ହୋଇଥିବାର ମୁଁ ଦେଖିଲି, ସେ ତାହାଙ୍କ ଦକ୍ଷିଣ ହସ୍ତ ସ୍ୱର୍ଗକୁ ଉଠାଇଲେ। ଯେ ନିତ୍ୟଜୀବିତ, ଯେ ଆକାଶ ଓ ତନ୍ମଧ୍ୟସ୍ଥ ସକଳ ବିଷୟ ଏବଂ ପୃଥିବୀ ଓ ତନ୍ମଧ୍ୟସ୍ଥ ସକଳ ବିଷୟ ସୃଷ୍ଟି କରିଛନ୍ତି, ତାହାଙ୍କ ନାମରେ ସେହି ସ୍ୱର୍ଗଦୂତ ଶପଥକରି କହିଲେ, “ଆଉ ଅଧିକ ବିଳମ୍ବ ହେବ ନାହିଁ। କିନ୍ତୁ ସପ୍ତମ ଦୂତ ସେହି ଦିନମାନଙ୍କରେ ତୂରୀ ବଜାନ୍ତେ ପରମେଶ୍ୱର ଆପଣା ସେବକ ଭବିଷ୍ୟ‌‌ଦ୍‌‌‌‌ବକ୍ତାମାନଙ୍କୁ କହିଥିବା ବାକ୍ୟ ଅନୁସାରେ ତାହାଙ୍କର ଗୁପ୍ତ ଯୋଜନା ସମ୍ପୂର୍ଣ୍ଣ ହେବ।”
ତା’ପରେ ମୁଁ ସେହି ସ୍ୱର ସ୍ୱର୍ଗରୁ ପୁଣି ଥରେ ଶୁଣିଲି। ସେ ସ୍ୱର ମୋତେ କହିଲା, “ଯାଅ ଓ ସମୁଦ୍ର ଓ ପୃଥିବୀ ଉପରେ ଠିଆ ହୋଇଥିବା ଦୂତଙ୍କ ହାତରୁ ଖୋଲା ଚର୍ମପତ୍ରଟି ନିଅ।”
ତେଣୁ ମୁଁ ଦୂତଙ୍କ ପାଖକୁ ଯାଇ କ୍ଷୁଦ୍ର ଚର୍ମପତ୍ରଟି ମାଗିଲି। ସେ ମୋତେ କହିଲେ, “ଏହାକୁ ନିଅ ଓ ଏହା ଖାଅ। ଏହା ତୁମ୍ଭ ପେଟକୁ ଖଟା ଲାଗିବ, କିନ୍ତୁ ତୁମ୍ଭ ମୁହଁକୁ ମହୁ ପରି ମିଠା ଲାଗିବ।” 10 ତେଣୁ ମୁଁ ତାହାଙ୍କ ହସ୍ତରୁ କ୍ଷୁଦ୍ର ଚର୍ମପତ୍ର ନେଲି ଓ ଖାଇଲି। ମୋ’ ପାଟିକୁ ତାହା ମିଠା ଲାଗିଲା, କିନ୍ତୁ ଯେତେବେଳେ ମୁଁ ଏହାକୁ ଢୋକିଲି, ପେଟରେ ଏହା ଖଟା ଲାଗିଲା। 11 ତା’ପରେ ସେମାନେ ମୋତେ କହିଲେ, “ଅନେକ ଦେଶ, ଜାତି, ଭାଷା ଓ ରାଜାମାନଙ୍କ ବିଷୟରେ ତୁମ୍ଭକୁ ଆହୁରି ଭବିଷ୍ୟ‌‌ଦ୍‌‌‌‌ବାଣୀ କହିବାକୁ ପଡ଼ିବ।”