ଚେରେଙ୍ଗ୍ବାତ୍ ରଗି ନିମାନ୍ ଅଇଲା
(ମାତିଉ ୯:୧-୮; ଲୁକ୍ ୫:୧୭-୨୬)
୧କେତେଦିନ୍ ଗାଲା ପଚେ ଜିସୁ ଆରି ତରେକ୍ କପର୍ନାଉମେ ବାଅଡ୍ଲାକେ, ସେ ଗରେ ଆଚେ ବଲି ଆଲା ଅଇଗାଲା । ୨ସେ ଗରେ ଏତେମାଣ୍ଡ୍ ଲକ୍ ଜମ୍ଲାଇ ଜେ, ଦୁଆରେ ମିସା ଟାନ୍ ଦାରିନାପାର୍ଲା, ଆରି ଜିସୁ ସେମନର୍ ଲଗେ ପର୍ମେସରର୍ ବାକିଅ ସୁନାଇବାର୍ ଦାର୍ଲା । ୩ସେଡ୍କି ବେଲେ କେତେକ୍ ଲକ୍ମନ୍ ଗଟେକ୍ ଚେରେଙ୍ଗ୍ ରଗିକେ ବଇକରି ତାର୍ ଲଗେ ଦାରିଆଇଲାଇ । ତାକର୍ ବିତ୍ରେ ଅନି ଚାର୍ଲକ୍ ରଗିକେ ବଇରଇଲାଇ । ୪ମାତର୍ ଲକ୍ମନ୍ ଚିପାଟେଲା ଅଇରଇଲାଇକେ, ତାକେ ଜିସୁର୍ ଲଗେ ନେଇ ନାପାର୍ଲାଇ । ନାପାରିକରି, ଜିସୁ ଜନ୍ଟାନେ ରଇଲା, ତେଇର୍ ଚାନି ବଡ୍ଟା କାଣାକରି, ରଗିକେ କଟ୍ ମିସ୍ତେ ତାର୍ ମୁଆଟେ ସିଦା ଉତ୍ରାଇଦେଲାଇ । ୫ଜିସୁ ସେମନର୍ ବିସ୍ବାସ୍ ଦେକି ଚେରେଙ୍ଗ୍ ରଗିକେ କଇଲା, “ବାବୁରେ ମୁଇ ତର୍ ପାପ୍ କେମା କରିଦେଲି ।”
୬ମାତର୍ ସେ ଗର୍ ବିତ୍ରେ କେତେଟା ସାସ୍ତର୍ ସିକାଇବା ଲକ୍ମନ୍ ବସି ନିଜର୍ ନିଜର୍ ମନ୍ ବିତ୍ରେ ବାବିଅଇତେରଇଲାଇ, ୭“ଏ ଲକ୍ ଚେରେଙ୍ଗ୍ ରଗିକେ ‘ତର୍ ପାପ୍ କେମା କରିଦେଲି ।’ ବଲି କେନ୍ତି କଇପାର୍ଲା ? ଏ ପର୍ମେସର୍କେ ନିନ୍ଦା କର୍ସିଆଚେ, ସେ ଗଟେକ୍ ମାପ୍ରୁକେ ଚାଡିଦେଲେ, ଆରି କେ ମିସା ପାପ୍ କେମା କରି ପାରତ୍ କି ?”
୮ସେଦାପ୍ରେ ଜିସୁ ସେମନ୍ ମନେ ମନେ ଏନ୍ତାରି ବାବିଅଇଲାଟା, ନିଜର୍ ଆତ୍ମାଇ ଜାନି ସେମନ୍କେ କଇଲା, “ତମେ କାଇକେ ନିଜର୍ ନିଜର୍ ମନେ ଏ ସବୁଜାକ ବାବିଅଇଲାସ୍ନି ? ୯କନ୍ଟା କର୍ବାଟା ସଅଜ୍ ଅଇଲାନି ? ବାବୁରେ ‘ମୁଇ ତର୍ ପାପ୍ କେମା କରିଦେଲି ।’ ବଲି କଇବାଟା, କି ‘ଉଟ୍ ତର୍ କଟ୍ ବଇ ଇଣ୍ଡିଜା ।’ ବଲ୍ବାଟା ? ୧୦ମାତର୍ ଗୁଲାଇ ଜଗତର୍ ପାପ୍ କେମା କର୍ବାକେ ପର୍ମେସର୍ ପାଟାଇଲା ନର୍ପିଲା ମର୍ ଅଦିକାର୍ ଆଚେ ବଲି ଏବେ ମୁଇ, ଏ ଲକ୍କେ ନିକ କରି ଦେକାଇବି ।” ସେ ଚେରେଙ୍ଗ୍ ରଗିକେ କଇଲା, ୧୧“ମୁଇ ତକେ କଇଲିନି ଉଟ୍, ତର୍ କଟ୍ ବଇ, ନିଜର୍ ଗରେ ବାରିଜା ।”
୧୨ସେଦାପ୍ରେ ସେ ରଗି ଉଟି କଟ୍ ବଇକରି ସବୁ ଲକର୍ ଦେକ୍ତେ ବାରଇ ଗାଲା । ସେବେଲାଇ ସବୁଲକ୍ କାବା ଅଇ ପର୍ମେସରର୍ ମଇମା କରି କରି କଇଲାଇ, “ଆମେ ଏନ୍ତାରିଟା କେବେ ମିସା ଦେକି ନ ରଇଲୁ ।”
ଜିସୁ ଲେବିକେ ଡାକ୍ଲା
(ମାତିଉ ୯:୯-୧୩; ଲୁକ୍ ୫:୨୭-୩୨)
୧୩ସେ ଆରିତରେକ୍ ସମ୍ଦୁରର୍ କଣ୍ଡିବାଟେ ବାରଇଗାଲା । ବେସି ଲକ୍ମନ୍ ତାର୍ ଲଗେ ଆଇଲାକେ, ଜିସୁ ସେମନ୍କେ ସିକିଆ ଦେବାର୍ ଦାର୍ଲା । ୧୪ଆରି ସେ ଜାଉ ଜାଉ ଆଲ୍ପିଅର୍ ପଅ ଲେବିକେ ରମିୟ ସର୍କାରର୍ ପାଇ ସିସ୍ତୁମାଙ୍ଗୁମନ୍ ମାଙ୍ଗ୍ବା ଜାଗାଇ ବସି ରଇବାଟା ଦେକି ତାକେ କଇଲା, “ମର୍ ସଙ୍ଗ୍ ଆଉ ।” ତେଇଅନି ସେ ତାର୍ ସିସ୍ତୁମାଙ୍ଗୁମନ୍ ମାଙ୍ଗ୍ବାଟା ଚାଡି ଉଟିକରି ଜିସୁର୍ ସଙ୍ଗ୍ ଗାଲା ।
୧୫ପଚେ ଜିସୁ ଲେବିର୍ ଗରେ ଜାଇ କାଇବା ବେଲେ ବେସି ସିସ୍ତୁମାଙ୍ଗ୍ବା ଲକ୍ ଆରି ଜନ୍ ଲକ୍ମନ୍କେ ପାପି ବଲି କଇତେରଇଲାଇ, ତାର୍ ସିସ୍ମନ୍ର୍ ସଙ୍ଗ୍ ମିସି କାଇତେରଇଲାଇ । କାଇକେବଇଲେ ଏନ୍ତାରି ବେସି ଲକ୍ ତାର୍ ସଙ୍ଗ୍ ଜାଇତେ ରଇଲାଇ । ୧୬ଜିସୁ ପାପି ଆରି ସିସ୍ତୁମାଙ୍ଗୁମନର୍ ସଙ୍ଗ୍ କାଇଲାନି, ଏଟା ଦେକିକରି ପାରୁସି ଦଲର୍ ସାସ୍ତର୍ ସିକାଉମନ୍ ତାର୍ ସିସ୍ମନ୍କେ କଇବାର୍ ଦାର୍ଲାଇ, “ସେ କାଇକେ ସିସ୍ତୁମାଙ୍ଗୁମନର୍ ଆରି ପାପିମନର୍ ସଙ୍ଗ୍ କାଇଲାନି ?”
୧୭ସେଟା ସୁନି ଜିସୁ ସାସ୍ତର୍ ସିକାଉମନ୍କେ କଇଲା, “ ନିମାନ୍ ଲକ୍ମନର୍ପାଇ ଡାକ୍ଦରର୍ ଲଡା ନାଇ, ମାତର୍ ନିମାନ୍ ନ ରଇଲା ଲକ୍ମନ୍କେ ଲଡା ଆଚେ । ଜେ ନିଜେ ‘ମୁଇ ଦରମ୍ ଲକ୍ ।’ ବଲି ବାବିଅଇବା ଲକର୍ପାଇ ମୁଇ ଆସିନାଇ, ମାତର୍ ପାପିମନ୍କେ ପାପ୍ଟାନେଅନି ବାଉଡାଇବାକେ ଆସିଆଚି ।”
ଉପାସ୍ ବିସଇ
(ମାତିଉ ୯:୧୪-୧୭; ଲୁକ୍ ୫:୩୩-୩୯)
୧୮ଡୁବନ୍ ଦେଉ ଜଅନର୍ ସିସ୍ମନ୍ ଆରି ପାରୁସିମନ୍ ଉପାସ୍ କର୍ତେ ରଇଲାଇ । ସେବେଲାଇ କେତେଲକ୍ ଆସି ଜିସୁକେ କଇଲାଇ, “ଡୁବନ୍ ଦେଉ ଜଅନର୍ ସିସ୍ମନ୍ ଆରି ପାରୁସିମନର୍ ସିସ୍ମନ୍ ଉପାସ୍ କର୍ବାଇ, ମାତର୍ ତର୍ ସିସ୍ମନ୍ କାଇକେ ଉପାସ୍ ନ କରତ୍ ?”
୧୯ଜିସୁ ସେମନ୍କେ କଇଲା, “ବଜିଟାନେ ବିବା ଦାଙ୍ଗ୍ଡା ରଇବା ଜାକ ବିବା ଦାଙ୍ଗ୍ଡାର୍ ସଙ୍ଗ୍ ରଇବା ଦାଙ୍ଗ୍ଡାମନ୍ ଉପାସେ ରଇବାଇ କି ? ନାଇ ନ ରଅତ୍ । ବିବା ଦାଙ୍ଗ୍ଡା ଜେଡେବେଲାଜାକ ରଇସି, ସେ ବେଲାଜାକ ସେମନ୍ ଉପାସେ ନ ରଅତ୍ । ୨୦ମାତର୍ ବେଲା ଆଇସି, ଜେଡେବେଲେ ଲକ୍ମନ୍ ଆସି ତାକର୍ ଲଗେ ଅନି ବିବା ଦାଙ୍ଗ୍ଡାକେ ଦାରିଜିବାଇ, ସେଦିନେ ସେମନ୍ ଉପାସ୍ କର୍ବାଇ ।
୨୧“କେ ନୁଆ ଲୁଗାର୍ ଗର୍ଣ୍ଡା ପୁର୍ନା ଲୁଗାଇ ନ ସିଲାଏ, ସିଲାଇଲେ ନୁଆ ଗର୍ଣ୍ଡା ପୁର୍ନା ଲୁଗାକେ ଅଦିକ୍ ଚିରି ପାକାଇସି, ଆରି ଅଦିକ୍ ବଡ୍ଟା କାଣା କରିଦେଇସି । ୨୨ଆରି କେ ନୁଆ ଅଙ୍ଗୁର୍ ରସ୍ ପୁର୍ନା ଚାମ୍ ସଙ୍ଗ୍ ତିଆର୍ କଲା ମୁନାଇ ନ ସଙ୍ଗଅତ୍, ସଙ୍ଗଇଲେ ସେ ଅଙ୍ଗୁର୍ ରସ୍ ଆରି ଚାମ୍ ମୁନା ନସିଜାଇସି । ନାଇ ନୁଆ ଅଙ୍ଗୁର୍ ରସ୍ ନୁଆ ଚାମ୍ ମୁନାଇ ସଙ୍ଗଇବାର୍ ଆଚେ ।”
ଜିସୁ ବିସ୍ରାମ୍ ବାରର୍ ମାପ୍ରୁ
(ମାତିଉ ୧୨:୧-୮; ଲୁକ୍ ୬:୧-୫)
୨୩ଜିସୁ ତରେକ୍ ବିସ୍ରାମ୍ବାରେ ତାସ୍ ରଇବା କେତ୍ ବାଟେ ଜାଇତେ ରଇଲା, ଆରି ଜିବାବେଲେ ତାର୍ ସିସ୍ମନ୍ ଦାନ୍ କେଡ୍ ଚିଡାଇତେ ଗାଲାଇ । ୨୪ସେ ଜାଗାଇ ରଇବା ପାରୁସିମନ୍ ଜିସୁକେ କଇଲାଇ, “ଦେକ୍ ବିସ୍ରାମ୍ବାରେ ଜନ୍ଟା କର୍ବାର୍ ଆମର୍ ବିଦି ନଏଁ । ତର୍ ସିସ୍ମନ୍ କାଇକେ ସେଟା କଲାଇନି ?”
୨୫ଜିସୁ ସେମନ୍କେ କଇଲା, “ଆମର୍ ଡାକ୍ପୁଟା ଆନିଦାଦି ଦାଉଦର୍ ଅବାବ୍ ବେଲେ, ସେ ଆରି ତାର୍ ସଙ୍ଗ୍ର୍ ଲକ୍ମନ୍ ବୁକେ ରଇଲାଇ, ସେଡ୍କିବେଲେ ସେ କାଇଟା କରି ରଇଲା, ସେଟା କାଇ ତମେ କେବେ ପଡାସ୍ ନାଇ କି ? ୨୬ବଡ୍ ପୁଜାରି ଅବିୟାତର୍ ବେଲେ ସେ କେନ୍ତି ପର୍ମେସରର୍ ମନ୍ଦିରେ ପୁରିକରି ମାପ୍ରୁକେ ସର୍ପିଦେଲା ଜନ୍ ଦର୍ସନି ରୁଟି, ପୁଜାରିମନ୍କେ ଚାଡିଦେଲେ ଆରି କେ ମିସା କାଇବାର୍ ବିଦି ନଏଁ, ସେଟା ସେ କାଇଲା, ଆରି ସେ ରୁଟି ନିଜର୍ ସଙ୍ଗର୍ ଲକ୍ମନ୍କେ ମିସା ବାଟାକରି ଦେଇରଇଲା ।” ୨୭ଜିସୁ ସେମନ୍କେ କଇଲା, “ ବିସ୍ରାମ୍ବାର୍ ଲକ୍ମନର୍ ସାଇଜର୍ପାଇ ଅଇଲା ଆଚେ, ସେଟା ଲକ୍ମନ୍କେ ବିଜାର୍ କର୍ବାକେ ଅଏନାଇ । ୨୮ତେବର୍ପାଇ ପର୍ମେସର୍ ପାଟାଇଲା ନର୍ପିଲା ମୁଇ ବିସ୍ରାମ୍ବାରେ ଲକ୍ମନ୍ କାଇଟା କର୍ବାର୍ ଆଚେ, କାଇଟା କର୍ବାର୍ ନାଇ, ସେଟା କଇବାର୍ ମର୍ ଅଦିକାର୍ ଆଚେ ।”