ଯୀଶୁଖ୍ରୀଷ୍ଟଙ୍କ ବିଷୟରେ ଲୁକ ଲେଖିଥିବା ସୁସମାଚାର
ଜିସୁକିରିସ୍ଟର୍ ବିସଇ ନେଇକରି ଲୁକ୍ ଲେକିରଇବା ନିମାନ୍ କବର୍
ଏ ବଇ ବିସଇ ଜାନ୍ବାଟା
ଲୁକ୍ ଲେକିରଇବା ନିମାନ୍ କବର୍ ଅଇଲାନି, ଜିସୁକିରିସ୍ଟର୍ ଜିବନେ ଅଇରଇବା ଟିକିନିକି ବିସଇର୍ କାତା । ନୁଆ ନିଅମର୍ ଚାର୍ଟା ବଇ ବିତ୍ରେ ଅନି ଏଟା ଗଟେକ୍ । ସେ ବିତ୍ରେ ଅନି ସବୁକେ ନିମାନ୍ କବର୍ କଇବାଇ । ଜାର୍ ଅରତ୍ ଅଇଲାନି ସୁବ୍ କବର୍ । ସେଟା ସବୁ ଜିସୁର୍ ମରନର୍ ପଚେ ମାତିଉ, ମାର୍କ, ଲୁକ୍ ଆରି ଜଅନର୍ ଲଗେ ଅନି ଲେକା ଅଇଆଚେ । ଲୁକ୍ ଲେକ୍ଲା ବଇଟାନେ ଜିସୁର୍ ଜିବନେ ଗଟ୍ଲା ଲେକ୍ବା ସଙ୍ଗ୍ ତାର୍ ମରନ୍ ଆରି ମଲାଟାନେ ଅନି ଉଟ୍ଲା ବିସଇ ମିସା ଆଚେ । ତାର୍ ସିସ୍ମନ୍ ଜନ୍ ଜନ୍ ବିସଇ ସବୁ କରିରଇଲାଇ, ସେଟାମନ୍ମିସା ଏ ବଇଟାନେ ଆଚେ । ବଇକେ ପେରିତ୍ମନର୍ କାମର୍ ବିସଇ ବଲି କଇବାଇ । ଲୁକ୍ ସୁବ୍କବରର୍ ବଇ କେଡେବେଲେ ଆରି କନ୍ଟାନେ ଲେକାଅଇ ରଇଲା, ସେ ବିସଇ କେମିସା ନିକସଙ୍ଗ୍ ନାଜାନତ୍ । ମାତର୍ ପଣ୍ଡିତ୍ମନ୍ ଜେନ୍ତିକି ଏଟା ଜିସୁକିରିସ୍ଟ ଜନମ୍ ଅଇ ୭୦ ବରସ୍ ପଚେ ଲେକା ଅଇଲାଆଚେ ବଲି ବିସ୍ବାସ୍ କର୍ବାଇ ।
ଲେକ୍ଲା ଲକ୍ ଅଇଲାନି ଲୁକ୍ । ସେ ଗଟେକ୍ ଡାକ୍ଦର୍ । ତାର୍ ଲେକା ସଇଲି ଆରି କାତା ଆରି ଚାଲିଚଲନ୍ ଜାନାଇ ଦେଲାନିଜେ, ସେ ଗଟେକ୍ ସିକିତ୍ଲକ୍ ରଇଲା । ଜିସୁର୍ ଜିବ୍ନେ ଗଟିରଇବା ସବୁ ଗଟନାର୍ ଲେକା, ନିୟମ୍ ଇସାବେ ଟିକ୍ ବାବ୍ନା କର୍ବାକେ ଇଚା କଲାନି । ଜେନ୍ତିକି ସେଟା ବିନ୍ଲକ୍ମନ୍ ପଡିକରି ଉପ୍କାର୍ ପାଇବାଇ ୧:୧-୩ । ସେ ଗଟେକ୍ ଜିଉଦି ଲକ୍ ନ ରଇଲା ମିସା କଲସିଅ ୪:୧୦-୧୪ ସେ ଏ ରକାମ୍ ବାବ୍ନାକରି ଲେକ୍ଲା । ଜିଉଦି ନଇଲା ଲକ୍ମନ୍ ଜେନ୍ତିକି ବୁଜିପାର୍ବାଇ । ସେ ଜିଉଦିର୍ ନିତିନିୟମ୍ କଇବାଟା ଇତି ଆମେ ସଅଜେ ଦେକ୍ବାର୍ ଅଇସି ୧:୮ ।
ଲୁକ୍ ଲେକ୍ଲା ସୁସମାଚାର୍, ମାତିଉ ଆରି ମାର୍କ ବଇସଙ୍ଗେ ସମାନ୍ । କାଇକେ ବଇଲେ ସେମନ୍ ସମାନ୍ ବିସଇ ଆରି ସମାନ୍ ବାବ୍ନାଇ କଇବାଟା ଲେକିଆଚତ୍ । ତିନ୍ଟା ବଇବିତ୍ରେଅନି ଲୁକ୍ ଡୁବନ୍ ଦେଉ ଜଅନର୍ ଜନମ୍ ବିସଇ ତିଆର୍ କଲାଆଚେ । ଆରି ଲୁକ୍ ପାର୍ତନା ଉପ୍ରେ ଦିଆନ୍ ଦେଇଆଚେ ୩:୨୧;୫:୧୬;୬:୧୨;୧୧:୧-୧୨;୨୨:୩୨; ଆରି ସେ କେମା ଉପ୍ରେ ମିସା ଦିଆନ୍ କରିଆଚେ । ୩:୩, ୧୧:୪, ୧୭:୩-୪, ୨୩:୩୪, ୨୪:୪୭
ଏ ବଇବିତ୍ରେ ରଇବା ବିସଇ
୧. ଲୁକ୍ ସୁବ୍କବର୍ ଉପକର୍ମ ଆର୍ ଲେକା ଉଦେସେ ବରନା କର୍ସି । ୧:୧-୪
୨. ଜିସୁର୍ ଜନମ୍ ଆରି ସେ କେନ୍ତି ସେବାକାମର୍ ପାଇ ତିଆର୍ ଅଇଲା । ୧:୫–୪:୧୩
୩. ଜିସୁର୍ କାମ୍ ପୁରାପୁରୁନ୍ ବିସଇର୍ ବେଲେ ସେ ସବୁକରି ରଇଲା ଚକିତ୍ କାମ୍ ଆରି ତାର୍ ସିକିଆ ବିସଇ କଇଲା ଆଚେ । ଏଟା ଅଇଲାନି ସୁବ୍କବର୍ର୍ ବଡ୍ ବାଗ୍ । ୪:୧୪–୨୧:୩୮
୪. ତାର୍ପଚେ, ପଚର୍ ବାଗ୍ ଟାନେ, ଜିସୁ କେନ୍ତି ମରିରଇଲା ମସ୍ନେ ତପି ଅଇରଇଲା ଆରି ମଲାଟାନେ ଅନି ଉଟ୍ଲା ସେଟାମନ୍ ଆଚେ । ୨୨:୨୪
୧ଏ ତିଅପିଲ୍ ମଆସୟ, ଆମର୍ ବିତ୍ରେ ଜନ୍ ସବୁ ଗଟ୍ନା ଗଟ୍ଲା, ସେସବୁ ଲେକ୍ବାକେ ବେସି ଲକ୍ ଚେସ୍ଟା କଲାଇ । ୨ଆରାମ୍ ଅଇଲା ମୁଲେ, ଜେଜେ ଏ ସବୁ ଦେକିରଇଲାଇ ଆରି ସୁବ୍ କବର୍ ବିନ୍ ଲକ୍ମନ୍କେ ଜାନାଇଲାଇ, ସେମନ୍ ଆମ୍କେ କଇଲା ଇସାବେ ଲେକ୍ଲାଇ । ୩ତେବର୍ପାଇ ଏ ମାନନିୟ ତିୟପିଲ୍. ପୁର୍ବେଅନି ଟିକିନିକି କଜ୍ଲଡ୍କରି ତେଇ ସବୁଜାକ ରିତିିନିତି ସଙ୍ଗ୍ ଅଇଲାଟା ତମର୍ପାଇ ମୁଇ ଲେକ୍ବିଆକା ବଲି ମନ୍କଲି । ୪ଜେନ୍ତି ତୁଇ ସବୁ ବିସଇର୍ ସିକିଆ ପାଇଆଚୁସ୍, ସେ ସିକିଆର୍ ପୁରାପୁରୁନ୍ ସତ୍ ପାଇପାରୁସ୍ ।
ଡୁବନ୍ ଦେଉ ଜଅନର୍ ଜନମ୍
୫ଜିଉଦା ଦେସର୍ ରାଜା ଏରଦର୍ ବେଲେ, ଅବିୟ ପୁଜାରି ଦଲେ ଜିକରିୟ ନାଉଁର୍ ଗଟେକ୍ ପୁଜାରି ରଇଲା । ତାର୍ ମାଇଜି ଏଲିସାବେତ୍ । ସେ ଆରଣ୍ ବଁସର୍ ରଇଲା । ୬ପର୍ମେସରର୍ ଦେକ୍ବା ଇସାବେ ସେମନ୍ ଦୁଇଲକ୍ ଜାକ ମାପ୍ରୁର୍ ସବୁ ଆଦେସ୍, ବିଦି ଇସାବେ କରତେରଇଲାଇ । ୭ମାତର୍ ସେମନ୍କେ ପିଲାଜିଲା ନ ରଇଲା । କାଇକେ ବଇଲେ ଏଲିସାବେତ୍ ବାଞ୍ଜି ରଇଲା । ଆରି ସେମନ୍ ଡକ୍ରା ଡକ୍ରି ଅଇଜାଇରଇଲାଇ ।
୮ଦିନେକ୍ ଜିକରିୟ ନିଜର୍ ଦଲର୍ ପାଲି ଇସାବେ, ଜିଉଦିମନର୍ ମନ୍ଦିରେ ପୁଜାରି କାମ୍ କର୍ବାବେଲେ, ୯ରିତିନିତି ଇସାବେ ଜିକରିୟର୍ ନାଉଁ କେଡ୍ ପୁଟ୍ଲାଜେ ତାକେ ମାପ୍ରୁର୍ ମନ୍ଦିରେ ଜାଇକରି ବେଦିଟାନେ ଦୁପ୍ ଦେବାକେ ପଡ୍ଲା । ୧୦ଆରି ଦୁପ୍ ଦେବାବେଲେ ଲକ୍ମନ୍ ବାଇରେ ପାର୍ତନା କର୍ତେ ରଇଲାଇ ।
୧୧ସେଡ୍କିବେଲେ ଏଦେ ଦେକା ! ମାପ୍ରୁର୍ ଗଟେକ୍ ଦୁତ୍ ଦୁପ୍ ଦେବା ବେଦିର୍ ଉଜାବାଟେ ଟିଆଅଇ ତାକେ ଦର୍ସନ୍ ଦେଲା । ୧୨ଜିକରିୟ ତାକେ ଦେକି କିଲ୍ବିଲ୍ ଅଇ ଡରିଗାଲା । ୧୩ମାତର୍ ଦୁତ୍ ତାକେ କଇଲା, “ଜିକରିୟ ଡର୍ନାଇ, କାଇକେବଇଲେ ତମେ ଗୁଆରି କଲାଟା ପର୍ମେସର୍ ସୁନିଆଚେ । ତର୍ ମାଇଜି ଏଲିସାବେତ୍ ଗଟେକ୍ ପିଲା ଜନମ୍ ଦେଇସି । ତମେ ତାକେ ଜଅନ୍ ବଲି ନାଉଁ ଦିଆସ୍ । ୧୪ସେ ତମର୍ ପାଇ ବେସି ସାର୍ଦା ଆନ୍ସି ଆରି କେତେ କେତେ ଲକ୍ମନ୍ ତାର୍ ଜନମେ ସାର୍ଦା କର୍ବାଇ । ୧୫ମାପ୍ରୁର୍ ଦେକ୍ବା ଇସାବେ ସେ ଗଟେକ୍ ଡାକ୍ପୁଟା ଲକ୍ ଅଇସି । ସେ ଆମଟ୍ ଅଇଜାଇରଇବା ଅଙ୍ଗୁର୍ ରସ୍ କି ନିସା ଜିନିସ୍ ମୁଲ୍କେ ନ କାଏ ଆରି ମାଆର୍ ଗର୍ବେ ଅନି ସୁକଲ୍ ଆତ୍ମାଇ ପୁରାପୁରୁନ୍ ଅଇ ଆଇସି । ୧୬ଆରି ଇସ୍ରାଏଲ୍ ଲକ୍ମନର୍ ବିତ୍ରେ ଅନି କେତେ କେତେ ଲକ୍ମନ୍କେ ମାପ୍ରୁ ତାର୍ ପର୍ମେସରର୍ ଟାନେ ବାଉଡାଇସି । ୧୭ସେ ବବିସତ୍ବକ୍ତା ଏଲିୟର୍ ଆତ୍ମାଇ ବପୁଅଇ ପର୍ମେସରର୍ ଆଗ୍ତୁ ଜାଇସି । ବାବାମନର୍ ମନ୍ ପିଲାମନର୍ଟାନେ ବାଉଡାଇସି । ପର୍ମେସରର୍ କାତା ନ ମାନ୍ବା ଲକ୍ମନ୍କେ ଦରମ୍ ଲକ୍ମନ୍ ଚିନ୍ତା କର୍ବା ଟାନେ ବାଉଡାଇସି । ଆରି ପର୍ମେସରର୍ ଲକ୍ମନ୍କେ ତାର୍ ପାଇ ଜାଗ୍ରତ୍ କରାଇସି ।”
୧୮ତେଇ ଜିକରିୟ ଦୁତ୍କେ କଇଲା, “ତମେ କଇବାଟା ସତ୍ ଅଇସି ବଲି ମୁଇ କେନ୍ତି ଜାନ୍ବି ? କାଇକେବଇଲେ ମୁଇତା ଡକ୍ରା ଅଇଗାଲିବେ, ଆରି ମର୍ ମାଇଜି ମିସା ଡକ୍ରି ଅଇଗାଲାନି ।”
୧୯ଦୁତ୍ ତାକେ କଇଲା “ମୁଇ ଗାବ୍ରିଏଲ୍, ମୁଇ ପର୍ମେସରର୍ ମୁଆଟେ ଟିଆ ଅଇରଇବା ଦୁତ୍, ତମ୍କେ ଏ କବର୍ ଜାନାଇବାକେ ମକେ ପାଟାଇଆଚେ । ୨୦ଦେକ୍, ଏ ସବୁ ନ ଅଇବା ଦିନ୍ ଜାକ ତୁଇ ଗୁଲାଅଇ ରଇସୁ । କାଇକେବଇଲେ ମର୍ ସବୁ ବାକିଅ ସମାନ୍ ବେଲାଇସେ ପୁରାପୁରୁନ୍ ଅଇସି । ସେଟା ସବୁ ତୁଇ ବିସ୍ବାସ୍ କୁରୁସ୍ ନାଇ ।” ୨୧ଏତ୍କି ଅଇବା ବିତ୍ରେ ଲକ୍ମନ୍ ଜିକରିୟକେ ବାଇରେ ଜାଗିରଇଲାଇ ଆରି ଦେଉଲେ ତାର୍ ଅଲ୍ସମ୍ ଅଇଲାଜେ ସେମନ୍ କାବାଅଇ ଜାଇତେରଇଲାଇ । ୨୨ମାତର୍ ଜିକରିୟ ବାରଇ ଆସି ଲକ୍ମନର୍ ସଙ୍ଗ୍ କାତାଅଇ ନାପାର୍ଲା, ତେଇ ସେ ଦେଉଲେ ଦର୍ସନ୍ ପାଇଆଚେ ବଲି ଲକ୍ମନ୍ ବୁଜ୍ଲାଇ ଆରି ସେ ଲକ୍ମନ୍କେ ଆତ୍ ସଗିଆ କରି ଜାନାଇବାର୍ ଦାର୍ଲା ଆରି ଗୁଲାଅଇକରି ରଇଲା ।
୨୩ଜିକରିୟ ତାର୍ ସେବା କର୍ବା ପାଲି ଦିନ୍ ସବୁ ସାର୍ଲା ପଚେ ତାର୍ ଗରେ ଉଟିଗାଲା । ୨୪ଏତ୍କି ଅଇ କେତେକ୍ ଦିନ୍ ଗାଲା ପଚେ ତାର୍ ମାଇଜି ଏଲିସାବେତ୍ ଗାଗ୍ଡେ ଅଇଲା ଆରି ସେ ପାଁଚ୍ ମାସ୍ ଜାକ କାକେ ନ ଜାନାଇ ଗରେସେ ରଇଲା । ୨୫ତାର୍ପଚେ ଏଲିସାବେତ୍ କଇଲା, “ଲକ୍ମନର୍ ଜେଞ୍ଜେଟ୍ କର୍ବାଟା ଦୁର୍ କର୍ବାକେ ସାରାସାରି ମକେ ଦୟା କରି ମାପ୍ରୁ ଏନ୍ତାରି କଲାଆଚେ ।”
ଜିସୁର୍ ଜନମ୍ ବିସଇ
୨୬ଏଲିସାବେତ୍ ଗାଗ୍ଡେଅଇ ଚ ମାସ୍ ଅଇଲାକେ, ପର୍ମେସର୍ ଗାବ୍ରିଏଲ୍ ଦୁତ୍କେ ଗାଲିଲି ରାଇଜର୍ ନାଜରିତ୍ ନାଉଁର୍ ନଅରେ ଗଟେକ୍ ଦାଙ୍ଗ୍ଡିର୍ ଟାନେ ପାଟାଇଲା । ୨୭ ସେ ଦାଙ୍ଗ୍ଡିର୍ ନାଉଁ ମରିୟମ୍, ଦାଉଦ୍ ବଁସର୍ ଜସେପ୍ ନାଉଁର୍ ଗଟେକ୍ ଦାଙ୍ଗ୍ଡା ସଙ୍ଗ୍ ତାର୍ ମାଙ୍ଗ୍ନି ଅଇରଇଲା । ୨୮ଦୁତ୍ ମରିୟମର୍ ଲଗେ ଆସି କଇଲା, “ଏ ନୁନି, ମାପ୍ରୁ ତକେ ଦୟାକଲା ଆଚେ, ଆରି ତର୍ସଙ୍ଗ୍ ଆଚେ ।”
୨୯ମରିୟମ୍ ସରଗର୍ ଦୁତ୍ କଇଲା ବାକିଅ ସୁନ୍ଲା ଆରି କାଇଟା ବୁଜିନାପାରି ଉଡୁକ୍ ଦୁଡୁକ୍ ଅଇଜାଇକରି, ବାବିବାବି ରଇଲା । ୩୦ଦୁତ୍ ତାକେ କଇଲା, “ମରିୟମ ଡର୍ ନାଇ, ତୁଇ ମାପ୍ରୁର୍ ଦୟା ପାଇଆଚୁସ୍ । ୩୧ ଦେକ୍ ତୁଇ ଗାଗ୍ଡେ ଅଇ ପିଲା ଗଟେକ୍ ଜନମ୍ କର୍ସୁ ଆରି ତାର୍ ନାଉଁ ଜିସୁ ଦେଇସା । ୩୨ସେ ଗଟେକ୍ ଡାକ୍ପୁଟା ଲକ୍ ଅଇସି ଆରି ସବୁର୍ ଉପ୍ରେ ରଇବା ପର୍ମେସରର୍ ପଅ ବଲି କଇବାଇ, ସରଗର୍ ମାପ୍ରୁ ତାକେ, ତାର୍ ଆନିଦାଦି ଦାଉଦର୍ ପାରା ରାଜା କରାଇସି । ୩୩ସେ କାଲ୍କାଲ୍ ଜୁଗ୍ଜୁଗ୍ ଇସ୍ରାଏଲ୍ ଲକ୍ମନ୍କେ ସାସନ୍ କର୍ସି । ତାର୍ ରାଇଜ୍ କେବେ ନ ସାରେ ।”
୩୪ମରିୟମ୍ ଦୁତ୍କେ କଇଲା, “ଏଟା କେନ୍ତି ଅଇସି ? ମୁଇତା ମୁନୁସ୍କେ ନାଜାନି !” ୩୫ଦୁତ୍ ତାକେ କଇଲା, “ସୁକଲ୍ ଆତ୍ମା ଆସି ତକେ ଡାବି ଅଇସି, ଆରି ସବୁର୍ ଉପ୍ରେ ରଇବା ପର୍ମେସରର୍ ବପୁ ତକେ ଗୁଡିଆଇ ଅଇସି, ତେବର୍ପାଇ ଜେ ଜାତ୍ ଅଇସି, ସେ ସୁକଲ୍ ପର୍ମେସରର୍ ପଅ ବଲି ଡାକ୍ପୁଟା ଅଇସି ।”
୩୬ଆରି ଦେକ୍, ତର୍ ଲାଗାର୍ ଲିତାର୍ ଏଲିସାବେତ୍ ମିସା ଡକ୍ରି ବେଲେ ଗାଗ୍ଡେ ଆଚେ, ଜାକେ ଲକ୍ମନ୍ ବାଞ୍ଜି ବଲି କଇତେରଇଲାଇ । ତାକେ ଏବେ ଚ ମାସ୍ ଅଇଲାନି । ୩୭କାଇକେବଇଲେ ପର୍ମେସରର୍ଟାନେ କାଇଟା ମିସା ନ ଅଇବା କାମ୍ ନାଇ, ବଲି କଇଲା ।
୩୮ତେଇ ମରିୟମ୍ କଇଲା, “ଦେକା, ମୁଇ ଗଟେକ୍ ମାପ୍ରୁର୍ ଦାସି, ତମେ କଇବା ଇସାବେ ମକେ ଅ ।” ତାର୍ପଚେ ଦୁତ୍ ତାର୍ଟାନେଅନି ଉଟିଗାଲା ।
ଏଲିସାବେତ ଆରି ମରିୟମର୍ ବେଟ୍ଗାଟ୍
୩୯ସେଡ୍କିବେଲେ ମରିୟମ୍ ବାରଇକରି ଜିଉଦା ରାଇଜର୍ ଡଙ୍ଗର୍ ଜାଗାର୍ ଗଟେକ୍ ନଅରେ ଉଟିଗାଲା । ୪୦ତେଇ ଜିକରିୟର୍ ଗରେ ପୁରିକରି ସେ ଏଲିସାବେତ୍କେ ଜୁଆର୍ କଲା । ୪୧ମରିୟମ୍ ଜୁଆର୍କଲାଟା ସୁନ୍ଲା ଦାପ୍ରେ ଏଲିସାବେତର୍ ଗର୍ବେ, ପିଲା ସାର୍ଦା ଅଇ ଡେଗଇଲା ଆରି ଏଲିସାବେତ୍ ସୁକଲ୍ ଆତ୍ମାଇ ପୁରାପୁରୁନ୍ ଅଇଲା । ୪୨ଏଲିସାବେତ୍ ଆଉଲି ଅଇକରି କଇଲା, “ତୁଇ ସବୁ ମାଇଜିମନର୍ ବିତ୍ରେ ଅନି କେଡେକ୍ ନିକ କରମର୍ ଲକ୍ ! ତର୍ ଗରବର୍ ପିଲାର୍ ମିସା କେଡେକ୍ କରମ୍ ! ୪୩ମୁଇ କେ ଜେ ମର୍ ମାପ୍ରୁର୍ ମାଆ, ମକେ ଦେକ୍ବାର୍ ଆଇଲା ଆଚେ ? ୪୪କାଇକେବଇଲେ, ଦେକ୍, ତୁଇ ଜୁଆର୍କଲାଟା ସୁନ୍ଲା ଦାପ୍ରେ ମର୍ ଗରବର୍ ପିଲା ସାର୍ଦା ଅଇ ଡେଗଇଲା । ୪୫ଜେ ବିସ୍ବାସ୍ କର୍ସି ତାର୍ କେଡେକ୍ ନିମାନ୍ କରମ୍, କାଇକେବଇଲେ ମାପ୍ରୁ ତାକେ ଜାଇଜାଇଟା କୁଆଅଇଲାଆଚେ, ସେ ସବୁଜାକ ଅଇସି ଆକା ।”
ମାପ୍ରୁକେ ମରିୟମର୍ ମଇମା ଗିତ୍
୪୬ତେଇ ମରିୟମ୍ କଇଲା,
“ମର୍ ଜିବନ୍ ମର୍ ମାପ୍ରୁର୍ ମଇମା କଲାନି ।
୪୭ଆରି ମର୍ ଆତ୍ମା ମର୍ ରକିଆକାରି ପର୍ମେସରର୍ଟାନେ ସାର୍ଦା କଲାନି ।
୪୮କାଇକେବଇଲେ ସେ ମର୍ପାରା କାକୁର୍ତିଆନିକେ ନିଜର୍ ଗତିଦାଙ୍ଗ୍ଡି ବଲି ଏତାଇଲା ଆଚେ ।
ଆରି ଦେକା ଆଜିଅନି କାଲ୍କାଲ୍ ଜୁଗ୍ଜୁଗ୍, ସବୁ ଲକ୍ ମକେ ପର୍ମେସରର୍ ତେଇଅନି ଆସିର୍ବାଦ୍ ମିଲ୍ଲା ଲକ୍ ବଲି କଇବାଇ ।
୪୯କାଇକେବଇଲେ ସବୁର୍ଟାନେଅନି ବପୁର୍ ମାପ୍ରୁ, ମର୍ପାଇ କାବାଅଇଜିବା କାମ୍ କଲାଆଚେ,
ତାର୍ ନାଉଁ ସୁକଲ୍ ।
୫୦ଆରି ଜନ୍ ଲକ୍ମନ୍ ତାକେ ଡରିକରି ରଇବାଇ, ଜୁଗେ ଜୁଗେ ସେ ସେମନ୍କେ ଦୟା କର୍ସି ।
୫୧ସେ ତାର୍ ନିଜର୍ ବପୁର୍ ଆତ୍ ଦେକାଇଆଚେ,
ସେ ଆଁକାର୍ ଲକ୍ମନ୍କେ ସେମନର୍ ମନେ ବାବ୍ନା କଲାଟା ଚିନ୍ଚତର୍ କଲା ଆଚେ ।
୫୨ସେ ବଡ୍ ବଡ୍ ରାଜାମନ୍କେ ସେମନ୍ ରଇବାଟାନେଅନି ଉତ୍ରାଇ ଦେଲା ଆଚେ,
ଆରି କାକୁର୍ତିଆମନ୍କେ ଉପ୍ରେ ଉଟାଇ ଆଚେ ।
୫୩ସେ ବୁକର୍ ଲକ୍ମନ୍କେ ନିକ ନିକ ବିସଇ ଦେଇ ସାର୍ଦା କରାଇ ଆଚେ,
ସାଉକାର୍ଲକ୍ମନ୍କେ ଚୁଚା ଆତେ ବାଉଡାଇଦେଇ ଆଚେ ।
୫୪ଆମର୍ ଆନିଦାଦିମନ୍କେ ଜନ୍ କାତା ଦେଇରଇଲା,
ସେଟା ପୁରାପୁରୁନ୍ କଲା ଆରି ତାର୍ ନିଜର୍ ଚାକର୍ ଇସ୍ରାଏଲର୍ ଉପ୍କାର୍ କରି ଆଚେ ।
୫୫ସେ ଅବ୍ରାଆମ୍ ଆରି ତାର୍ ନାତିମନ୍କେ ତାର୍ ଦୟା କାଲ୍କାଲ୍ ଜୁଗ୍ଜୁଗ୍ ଏତାଅତ୍ବଲି ଦେକାଇଲା ଆଚେ ।”
୫୬ଆରି ମରିୟମ୍ ତିନ୍ ମାସ୍ ପାରା ଏଲିସାବେତର୍ ସଙ୍ଗ୍ ରଇ ନିଜର୍ ଗରେ ବାଉଡି ଗାଲା ।
ଡୁବନ୍ ଦେଉ ଜଅନର୍ ଜନମ୍
୫୭ପଚେ ଏଲିସାବେତର୍ ଆତ୍ଗଡ୍ ସୁକ୍ ଅଇବା ଦିନ୍ କେଟି ଆଇଲାଜେ, ସେ ଗଟେକ୍ ପିଲା ଜନମ୍ ଦେଲା । ୫୮ଆରି ମାପ୍ରୁଜେ ତାକେ ଦୟା କଲାଆଚେ, ଏଟା ସୁନି ଜିକରିୟର୍ ଲାଗାର୍ଲିତାର୍ ଲକ୍ ଆରି ଗତିଆ କୁଟୁମ୍ ତାକର୍ ସଙ୍ଗ୍ ସାର୍ଦା କର୍ବାର୍ ଦାର୍ଲାଇ ।
୫୯ଆଟ୍ ଦିନ୍ ଗାଲାପଚେ ଲକ୍ମନ୍ ପିଲାର୍ ସୁନତ୍ଟାନେ ଆଇଲାଇ ଆରି ତାର୍ ବାବାର୍ ନାଉଁ ଇସାବେ ପିଲାର୍ ନାଉଁ ମିସା ଜିକରିୟ ଦେବାକେ ମନ୍କଲାଇ । ୬୦ମାତର୍ ଏଲିସାବେତ୍ କଇଲା, “ନାଇ ତାର୍ ନାଉଁ ଜଅନ ଦିଆ ଅ ।” ୬୧ଲକ୍ମନ୍ ତାକେ କଇଲାଇ “ତମର୍ ବଁସ୍ ବିତ୍ରେ ତା ଏନ୍ତାରି ନାଉଁର୍ ଲକ୍ କେ ମିସା ନାଇ ।” ୬୨ତେଇ ସେମନ୍ ପିଲାକେ କାଇ ନାଉଁ ଦେଉଁ ବଲି ମନ୍ କଲୁସ୍ନି ? ସେଟା ଜିକରିୟକେ ଆତ୍ ଦେକାଇକରି ପାଚାର୍ବାର୍ ଦାର୍ଲାଇ ।
୬୩ସେଡ୍କିବେଲେ ଜିକରିୟ ଲକ୍ମନ୍କେ ଗଟେକ୍ ଲେକ୍ବା ପାଟା ମାଙ୍ଗ୍ଲା ଆରି “ଏଦେ ଦେକା ! ତାର୍ ନାଉଁ ଜଅନ୍ !” ବଲି ଲେକ୍ଲା । ତେଇ ସବୁଲକ୍ କାବା ଅଇଗାଲାଇ । ୬୪ସେଡ୍କି ଦାପ୍ରେ ଜିକରିୟର୍ ଟଣ୍ଡ୍ ପୁଟ୍ଲା, ସେ ଆରି ତରେକ୍ କାତା ଅଇ ପର୍ମେସର୍କେ ମଇମା କର୍ବାର୍ ଦାର୍ଲା । ୬୫ତାର୍ ଲଗର୍ ପାକର୍ ଲକ୍ମନ୍ ଡରିଗାଲାଇ, ଆରି ଏସବୁ କାତା ଜିଉଦା ରାଇଜର୍ ଡଙ୍ଗର୍ ଜାଗାର୍ ସବୁ ବାଟର୍ ଲକ୍ମନ୍ କୁଆବଲା ଅଇଲାଇ । ୬୬ଆରି ସୁନିରଇବା ସବୁ ଲକ୍ମନ୍ କାବା ଅଇକରି, ମନେ ମନେ ବାବ୍ଲାଇ, ତେବେ ଏ ପିଲା କାଇଟା ଅଇସି ? କାଇକେବଇଲେ ମାପ୍ରୁର୍ ବପୁ ପିଲାର୍ସଙ୍ଗ୍ ଆଚେ ବଲି ସବୁକେ ଜାନାପଡ୍ଲା ।
ଜିକରିୟ ବବିସତ୍ବକ୍ତାର୍ କାତା
୬୭ଆରି ଜଅନର୍ ବାବା ଜିକରିୟ ସୁକଲ୍ ଆତ୍ମାଇ ପୁରାପୁରୁନ୍ ଅଇ ପର୍ମେସରର୍ କବର୍ କଇବାର୍ ଦାର୍ଲା ।
୬୮“ଆସା ଆମେ ଇସ୍ରାଏଲର୍ ମାପ୍ରୁକେ ଦନିଅବାଦ୍ ଦେଉ
କାଇକେବଇଲେ ସେ ତାର୍ ନିଜର୍ ଲକ୍ମନ୍କେ ଦୟାକରି ମୁକ୍ଲାଇସି ।
୬୯ତାର୍ ନିଜର୍ ଗତିଦାଙ୍ଗ୍ଡା ଦାଉଦର୍ କୁଟୁମେ ଅନି
ଆମର୍ ପାଇ ଗଟେକ୍ ବପୁ ସଙ୍ଗର୍ ଉଦାର୍କାରିଆକେ ଦେଲା ଆଚେ ।
୭୦ପୁରବ୍ କାଲେଅନି ସୁକଲ୍ ରଇବା ନିଜର୍ ବବିସତ୍ବକ୍ତାମନର୍ ଟଣ୍ଡେଅନି କାତା ଦେଇ ଜେନ୍ତି କଇରଇଲା,
୭୧ସେନ୍ତାରି ଆମ୍କେ ଇନ୍ କର୍ବା ସବୁ ସତ୍ରୁମନର୍ ଟାନେଅନି ମୁକ୍ଲାଇ ଆଚେ ।
୭୨ଜେନ୍ତି ସେ ଆମର୍ ଆନିଦାଦିମନର୍ପାଇ ଦୟା ଦେକାଇଆଚେ, ଆରି ସେମନର୍ ସଙ୍ଗ୍ କରିରଇବା ନିଜର୍ ସୁକଲ୍ ନିୟମ୍ ଏତାଇ ଆଚେ,
୭୩ଆମର୍ ପୁର୍ବର୍ ବାବା ଅବ୍ରାଆମ୍କେ ଜନ୍ କାତା ଦେଇରଇଲା ।
୭୪ଆରି ଜେନ୍ତାରିକି ସତ୍ରୁର୍ ଆତେଅନି ଉଦାର୍ ପାଇ ଆଚୁ ।
୭୫ଜେନ୍ତାରିକି ଆମେ ଜିବନ୍ସାରା ଦରମ୍ ସଙ୍ଗ୍, ସୁକଲ୍ ସଙ୍ଗ୍ ତାର୍ ସେବା କର୍ବାକେ, ଆମ୍କେ ଦୟା କର୍ସି ।
୭୬ଏ ମର୍ ନୁନା, ତୁଇ ସବୁର୍ ଉପ୍ରେ ରଇବା ପର୍ମେସରର୍ ଗଟେକ୍ ବବିସତ୍ବକ୍ତା ବଲି ଡାକ୍ପୁଟା ଅଇସୁ । ତୁଇ ସେ ପାଟାଇରଇବା ଗଟେକ୍ ଦୁତ୍ପାରା, ତାର୍ପାଇ ବାଟ୍ ତିଆର୍ କର୍ସୁ ।
୭୭ପାପ୍ଟାନେଅନି କେମା ପାଇକରି ଜେନ୍ତି କି ଉଦାର୍ ଅଇବାଇ, ସେ କାତା ଜାନାଇବାକେ ଜାଇସୁ ।
୭୮ଆମର୍ ପାଦ୍ ସାନ୍ତିର୍ ବାଟେ ଆନ୍ବାକେ, ଆମର୍ ପର୍ମେସରର୍ ଆଲାଦର୍ ଦୟାର୍ଲାଗି, ଆମର୍ପାଇ ସର୍ଗେଅନି ବେଲ୍ ତାରାସ୍ସି ।
୭୯ସେ ପୁରାପୁରୁନ୍ ଆଲାଦର୍ ଦୟାର୍ଲାଗି ମାପ୍ରୁର୍ ଲକ୍ମନ୍କେ, ସେମନର୍ ପାପ୍ଟାନେଅନି ମୁକ୍ଲାଇବା ଗିଆନ୍ ଦେଇସୁ । ତାର୍ ବାଟ୍ ତିଆର୍ କର୍ବାକେ ମୁଲିଆଇସୁ ।”
୮୦ଆରି ଜଅନ୍ ବଡିକରି ଆତ୍ମାଇ ବପୁ ଅଇଲା ଆରି ଲକ୍ମନର୍ ଟାନେ ଜାନାଇ ନ ଅଇକରି କିନରା ଜାଗାମନ୍କେ ରଇତେ ରଇଲା । ପଚେ ସେ ଇସ୍ରାଏଲର୍ ଲକ୍ମନର୍ଟାନେ ବାକିଅ ସୁନାଇବାର୍ ଦାର୍ଲା ।