ଜିସୁକେ ସଇତାନର୍ ପରିକା
(ମାତିଉ ୪:୧-୧୧; ମାର୍କ ୧:୧୨-୧୩)
୧ଜିସୁ ସୁକଲ୍ ଆତ୍ମାଇ ପୁରାପୁରୁନ୍ ଅଇକରି ଜର୍ଦନ୍ ଗାଡେଅନି ବାଉଡି ଆଇଲା । ଆରି ସଇତାନର୍ ଟାନେ ପରିକା କରାଇବାକେ ତାକେ ଆତ୍ମା ଚାଲାଇ ନେଲା । ତେଇ ଚାଲିସ୍ ଦିନ୍ ଜାକ ସଇତାନ୍ ତାକେ ପରିକା କର୍ତେରଇଲା । ୨ସର୍ତେ ଦିନ୍ ସାର୍ଲା ପଚେ ସେ ବୁକ୍କେ ବାୟାଚୁରା ଅଇଗାଲା ।
୩ତେଇ ସଇତାନ୍ ଜିସୁକେ କଇଲା, “ତୁଇ ଜଦି ପର୍ମେସରର୍ ପ, ତେବେ ଏ ପାକ୍ନା କାଦି ଅ ବଲି ଆଦେସ୍ ଦେସ୍ ।”
୪ଜିସୁ ତାକେ କଇଲା, “ପର୍ମେସରର୍ ସାସ୍ତରେ ଲେକାଅଇ ଆଚେ, ମୁନୁସ୍ ଅବ୍କା କାଦି କାଇ ନ ବଁଚେ । ”
୫ତାର୍ପଚେ ସଇତାନ୍ ଜିସୁକେ ଗଟେକ୍ ଉଁଚ୍ ଜାଗାଇ ଡାକି ଦାରିଜାଇ କରି ଆଁକିମିଟ୍କା ମାର୍ବା ଏତ୍କି ପର୍କେ ଜଗତର୍ ସବୁ ରାଇଜ୍ ଦେକାଇଲା । ୬ଆରି ଜିସୁକେ କଇଲା, “ମୁଇ ତକେ ଏ ସବୁ ଦନ୍ ସଁପତିର୍ ଅଦିକାର୍ ଆରି ମଇମା ଦେବି । କାଇକେବଇଲେ ସେଟା ସବୁ ମକେ ସର୍ପିଦେଲାଆଚେ, ଆରି ମୁଇ ଜାକେ ମନ୍ କର୍ବି, ତାକେ ଦେବି । ୭ତେବର୍ପାଇ, ଜେବେ ତୁଇ ମକେ ଜୁଆର୍ କର୍ସୁ, ତେବେ ସେ ସବୁଜାକ ତର୍ ଅଇସି ।”
୮ଜିସୁ ତାକେ କଇଲା, “ପର୍ମେସରର୍ ସାସ୍ତରେ ଲେକାଅଇଆଚେ, ତୁଇ ତର୍ ପର୍ମେସର୍କେସେ ଜୁଆର୍ କର୍ସୁ, ଆରି ତାକେସେ ସେବା କର୍ସୁ ।”
୯ପଚେ ସଇତାନ୍ ଜିସୁକେ ଜିରୁସାଲାମେ ଡାକିଦାରିଜାଇ, ମନ୍ଦିରର୍ ଚାଉନି ଟିପେ ଟିଆକରାଇ କଇଲା, “ତୁଇ ଜଦି ପର୍ମେସରର୍ ପ, ତେବେ ଇତିଅନି ତଲେ ଡେଗଇଦେସ୍, ୧୦କାଇକେବଇଲେ ସାସ୍ତରେ ଲେକାଆଚେ ତକେ ରକିଆ କର୍ବାକେ ପର୍ମେସର୍ ତାର୍ ନିଜର୍ ଦୁତ୍ମନ୍କେ ଆଦେସ୍ ଦେଇସି । ୧୧ଆରି ମିସା ଲେକା ଆଚେ, ‘ଜେନ୍ତିକି ତର୍ ପାଦ୍ ପାକ୍ନାଇ ନ ପାଏ, ସେଟାର୍ପାଇ ଦୁତ୍ମନ୍ ତକେ ଆତେଦାରି ଟେକି ନେବାଇ ।’ ”
୧୨ଜିସୁ ସଇତାନ୍କେ କଇଲା, “ଏଟା ମିସା ଲେକାଆଚେ, ତୁଇ ତର୍ ମାପ୍ରୁ ନିଜର୍ ପର୍ମେସର୍କେ ପରିକା କର୍ ନାଇ ।”
୧୩ସଇତାନ୍ ସବୁ ରକାମର୍ ପରିକା ସାରାଇଲା ପଚେ, ଆରି ତରେକ୍ ବେଲା ମିଲ୍ବାଜାକ କେତେ ଦିନର୍ ପାଇ ଜିସୁକେ ଚାଡି ଉଟିଗାଲା ।
ଜିସୁର୍ ସେବା କାମ୍ ଆରାମ୍
(ମାତିଉ ୪:୧୨-୧୭; ମାର୍କ ୧:୧୪-୧୫)
୧୪ତାର୍ପଚେ ଜିସୁ ଆତ୍ମାଇ ବପୁଅଇକରି ଗାଲିଲି ରାଇଜେ ବାଉଡିଗାଲା । ଆରି ତାର୍ କବର୍ ଗାଲିଲି ରାଇଜର୍ ଗୁଲାଇ ଗାଉଁମନ୍ ଜାନ୍ଲାଇ । ୧୫ପଚେ ଜିସୁ ଜିଉଦିମନର୍ ପାର୍ତନା ଗର୍ମନ୍କେ ବୁଲି ବୁଲି ସିକିଆ ଦେଇକରି ସବୁ ଲକର୍ଟାନେ ଅନି ଡାକ୍ପୁଟା ପାଇବାର୍ ଦାର୍ଲା ।
ଜିସୁକେ ନାଜରିତର୍ ଲକ୍ ନାମତ୍ନାଇ
(ମାତିଉ ୧୩:୫୩-୫୮; ମାର୍କ ୬:୧-୬)
୧୬ଏତ୍କିବିତ୍ରେ ନାଜରିତେ, ଜନ୍ ଜାଗାଇ କି ଜିସୁ ସାନ୍ବେଲେ ଅନି ବଡ୍ ଅଇରଇଲା, ସେ ଜାଗାଇ ଗାଲା । ଆରି ନିଜର୍ ରିତିନିତି ଇସାବେ, ବିସ୍ରାମ୍ ବାରେ ଜିଉଦିମନର୍ ପାର୍ତନା ଗରେ କେଟି ଦରମ୍ ସାସ୍ତର୍ ପଡ୍ବାକେ ଟିଆ ଅଇଲା । ୧୭ସେଡ୍କିବେଲେ ତାକେ ଜିସାୟ ବବିସତ୍ବକ୍ତା ଲେକିରଇଲା ଦରମ୍ ସାସ୍ତର୍ ଦିଆଅଇଲା, ଆରି ଜିସୁ ସେ ଜିସାୟ ବଇଟାନେ ଲେକାଅଇରଇଲା ଏନ୍ତାରି ବାକିଅ ମେଲାକରି ପାଇଲା ।
୧୮“ମାପ୍ରୁର୍ ଆତ୍ମା ମର୍ ସଙ୍ଗ୍ ଆଚେ,
ତେବର୍ପାଇ ନଇଲା ମଇଲା ଲକ୍ମନର୍ଟାନେ ସୁବ୍ କବର୍ ଜାନାଇବାକେ, ପର୍ମେସର୍ ମକେ ବାଚିକରି ପାଟାଇଲା,
ବନ୍ଦି ଗରେ ରଇବା ଲକ୍ମନ୍କେ ମୁକ୍ଲାଇବାକେ,
କାଣା ଲକ୍ମନ୍କେ ଦେକାଇବା ବିସଇ ଜାନାଇବାକେ ଆରି
ଦୁକର୍ ଲକ୍ମନ୍କେ ମୁକ୍ଲାଇବାକେ,
୧୯ଆରି ମାପ୍ରୁ ତାର୍ ଲକ୍ମନ୍କେ ରକିଆ କର୍ବା ବେଲା ଆସିଆଚେ, ବଲି ଜାନାଇବାକେ
ସେ ମକେ ପାଟାଇଆଚେ ।”
୨୦ପଚେ ସେ ସାସ୍ତର୍ ଡାବି, ପାର୍ତନା ଚାଲାଇବା ଗଟେକ୍ ଲକ୍କେ ବାଉଡାଇଦେଇ ବସିଦେଲା । ପାର୍ତନା ଗରେ ରଇଲା ଲକ୍ମନ୍ ତାକେସେ ଦେକ୍ତେରଇଲାଇ । ୨୧ଜିସୁ ଲକ୍ମନ୍କେ କଇବାର୍ ଦାର୍ଲା, “ଆଜି ତମେ ସୁନ୍ଲା ଏ ଦରମ୍ ସାସ୍ତରର୍ ବାକିଅ ପୁରାପୁରୁନ୍ ଅଇଲା ।”
୨୨ଜିସୁର୍ ବିସଇ ନେଇକରି ସବୁଲକ୍ ନିକ ସାକି ଦେବାର୍ ଦାର୍ଲାଇ ଆରି ସେ କଇବା, ମନ୍କେ ପାଇଲା ବାକିଅ ସୁନି କାବାଅଇଲାଇ, ଆରି ସେମନ୍ “ଏଟାକାଇ ଜସେପର୍ ପ ନଏଁ ଜେ ?” ବଲି କଇବାର୍ଦାର୍ଲାଇ ।
୨୩ଜିସୁ ଲକ୍ମନ୍କେ କଇଲା, “ତମେ ସେ ଗାଲା କାତା ଆରିତରେକ୍ କଇସା ବଲି ମୁଇ ଜାନିରଇଲି, ଏ ଅସ ଦେଉ, ନିଜେ ତୁଇ ନିକ ଅ, ଆରି କପର୍ନାଉମେ ଜାଇ ଜାଇଟା ଗଟିଆଚେ ବଲି ଆମେ ସୁନିଆଚୁ, ସେଟା ସବୁ ଏ ଜାଗାଇ, ତର୍ ନିଜର୍ ଜନମ୍ ନଅରେ ମିସା କର୍ ।” ୨୪ “ମାତର୍ ମୁଇ ତମ୍କେ ସତ୍ କଇଲିନି, ବବିସତ୍ବକ୍ତା ଅଇରଇବା କାକେମିସା ନିଜର୍ ଗାଏଁ ନ ନାମତ୍ ।”
୨୫“ମାତର୍ ମୁଇ ତମ୍କେ ସତ୍କାତା କଇଲିନି, ଜେଡେବେଲେ ବବିସତ୍ବକ୍ତା ଏଲିୟର୍ ବେଲେ ତିନ୍ବରସ୍ ଚ ମାସ୍ ଜାକ ବାଦଲେଅନି ପାନିମାରେ ନାଇକେ ଗୁଲାଇ ଦେସେ ମର୍ଡି ଅଇରଇଲା, ସେବେଲେ ଇସ୍ରାଏଲ୍ ଦେସେ କେତେ କେତେ ରାଣ୍ଡିମାଇଜିମନ୍ ରଇଲାଇ । ୨୬ରଇଲେ ମିସା ପର୍ମେସର୍ ଏଲିୟକେ କାର୍ଲଗେ ମିସା ନ ପାଟାଇ ସିଦନ୍ ଦେସର୍ ସାରିପତ୍ ବଲି ଗଟେକ୍ ଜାଗାଇ, ଗଟେକ୍ ରାଣ୍ଡିମାଇଜିର୍ ଲଗେ ପାଟାଇଲା । ୨୭ଆରି ମାପ୍ରୁର୍ ବବିସତ୍ବକ୍ତା ଏଲିସାୟର୍ ବେଲେ ଇସ୍ରାଏଲ୍ ଦେସେ କେତେ କୁସ୍ଟି ରଗି ରଇଲାଇ, ଏଲେ ମିସା ତାକର୍ ବିତ୍ରେ କାକେମିସା ନିକକରି ନ ରଇଲା, ସୁରିଆ ଦେସର୍ ନାମାନ୍ ନାଉଁର୍ ଲକ୍କେ ସେ ନିକକରି ରଇଲା ।”
୨୮ଜିଉଦିମନର୍ ପାର୍ତନା ଗରେ ଏ କାତା ସୁନି ଲକ୍ମନ୍ ବେସି ରିସାଅଇଗାଲାଇ । ୨୯ଆରି ସେମନ୍ ଉଟିକରି ଜିସୁକେ ନଅରେଅନି ବାର୍କରାଇଦେଲାଇ । ତାକର୍ ନଅରର୍ ଜନ୍ ପର୍ବତ୍ ଉପ୍ରେ ତିଆର୍ ଅଇରଇଲା, ସେ ପର୍ବତର୍ ଦାରେଅନି ତଲେ ପିଙ୍ଗିଦେଉଁ ବଲି, ତାକେ ତେଇ ଦାରିଗାଲାଇ । ୩୦ମାତର୍ ଜିସୁ ସେମନର୍ ବିତ୍ରେ ପୁରି ଉଟିଗାଲା ।
ଜିସୁ ଗଟେକ୍ ଡୁମା ଡସିରଇବା ଲକ୍କେ ନିମାନ୍ କଲା
(ମାର୍କ ୧:୨୧-୨୮)
୩୧ଜିସୁ ଗାଲିଲି ରାଇଜର୍ କପର୍ନାଉମ୍ ନାଉଁର୍ ଗଟେକ୍ ନଅରେ ଆଇଲା, ଆରି ବିସ୍ରାମ୍ବାରେ ଲକ୍ମନ୍କେ ସିକିଆ ଦେବାର୍ ଦାର୍ଲା । ୩୨ ଲକ୍ମନ୍ ତାର୍ ସିକାଇବାଟା ଦେକି କାବାଅଇଗାଲାଇ, କାଇକେବଇଲେ ତାର୍ ବାକିଅ ଅଦିକାର୍ ସଙ୍ଗ୍ ରଇଲା । ୩୩ଦିନେକ୍ ଜିଉଦିମନର୍ ପାର୍ତନା ଗରେ ଗଟେକ୍ ଡୁମା ଡସିରଇବା ଲକ୍ ରଇଲା । ସେ ଆଉଲିଅଇ କିର୍କିରି କଇଲା, ୩୪“ଏ ନାଜରିତର୍ ଜିସୁ, ଆମର୍ଟାନେ ତର୍ କାଇ କାମ୍ ଆଚେ ? ତୁଇ କାଇ ଆମ୍କେ ମରାଇବାକେ ଆସିଆଚୁସ୍ ? ତୁଇ କେ ସେଟା ମୁଇ ଜାନି, ତୁଇ ପର୍ମେସରର୍ ସୁକଲ୍ ଲକ୍ ।”
୩୫ଜିସୁ ତାକେ ଦମ୍କାଇ କରି କଇଲା, “ଚୁପ୍ ର, ଆର୍ଟାନେଅନି ବାରଇ ଜା ।” ତେଇଅନି ସେ ଡୁମା ସେ ଲକ୍କେ ସବୁର୍ ମୁଆଟେ ଅଦ୍ରାଇଲା ଆରି, ତାକେ କାଇଟା ନ କରି ତାର୍ ଗାଗ୍ଡେଅନି ବାରଇ ଉଟିଗାଲା ।
୩୬ତେଇ ସବୁଲକ୍ କାବାଅଇକରି ତାକର୍ ତାକର୍ ବିତ୍ରେ କୁଆବଲା ଅଇଲାଇ, “ଏଟା କାଇ କାତା, ସେ ବପୁ ଆରି ଅଦିକାର୍ ସଙ୍ଗ୍ ଡୁମାମନ୍କେ ମିସା ଆଦେସ୍ ଦେଲାନି । ସେମନ୍ ମିସା ବାରଇ ଗାଲାଇନି ।” ୩୭ଜିସୁର୍ ଏ କବର୍ ସେ ଜାଗାର୍ ଗୁଲାଇବାଟର୍ ଲକ୍ ଜାନ୍ଲାଇ ।
ଜିସୁ କେତେ କେତେ ଲକ୍ମନ୍କେ ନିମାନ୍ କଲା
(ମାତିଉ ୮:୧୪-୧୭; ମାର୍କ ୧:୨୯-୩୪)
୩୮ପଚେ ଜିସୁ ଜିଉଦିମନର୍ ପାର୍ତନା ଗରେଅନି ଉଟି ସିମନର୍ ଗରେ ଗାଲା । ସିମନର୍ ସାତ୍ରିକେ ବେସି ଜର୍ ଅଇରଇଲାଜେ ସେମନ୍ ତାର୍ ବିସଇ ନେଇ ଜିସୁକେ କଇଲାଇ । ୩୯ତେଇ ସେ ସିମନର୍ ସାତ୍ରିର୍ ଲଗେ ଟିଆଅଇ ଜର୍କେ ଦମ୍କାଇଲା ଆରି ତାକେ ଜର୍ ଚାଡିଗାଲା । ସେଦାପ୍ରେ ସେ ଉଟିକରି ସେମନ୍କେ ସେବା କର୍ବାର୍ ଦାର୍ଲା ।
୪୦ବେଲ୍ବସି ସଞ୍ଜ୍ ଅଇଲାଜେ ଜର୍ଦୁକା ଅଇରଇଲା ଲକ୍ମନ୍କେ ଜିସୁର୍ ଲଗେ ଆନ୍ଲାଇ, ଆରି ସେ ଜର୍ଦୁକାର୍ ଲକ୍ମନ୍କେ ଗଟେକ୍ ଗଟେକ୍ ଲକର୍ ଉପ୍ରେ ଆତ୍ ସଙ୍ଗଇ ନିକ କଲା । ୪୧ଡୁମା ଦାରିରଇବା ବେସି ଲକ୍ମନ୍ ମିସା କିର୍କିରି କରି “ତୁଇ ପର୍ମେସରର୍ ପଅ !” ବଲି ଲକର୍ ଟାନେଅନି ଚାଡି ପାଲାଇଲାଇ । ଜିସୁ ସେମନ୍କେ ଦମ୍କାଇ କରି କାତାଅଇବାକେ ମିସା ଦେଏନାଇ, କାଇକେବଇଲେ ସେମନ୍ ତାକେ କିରିସ୍ଟ ବଲି ଜାନିରଇଲାଇ ।
ପାର୍ତନା ଗରେ ଜିସୁର୍ ସିକିଆ
(ମାର୍କ ୧:୩୫-୩୯)
୪୨ସାକାଲ୍ ପାଇଲାଜେ ଜିସୁ ନଅରେ ଅନି ବାରଇ ଗଟେକ୍ କିନରା ଜାଗାଇ ଗାଲା । ଲକ୍ମନ୍ କଜି କଜି ତାର୍ ଲଗେ ଆଇଲାଇ, ଆରି ସେ ଜେନ୍ତିକି ତାକର୍ ଲଗେଅନି ଉଟିନଜାଅ ବଲି ଅଟ୍କାଇବାକେ ଚେସ୍ଟା କଲାଇ । ୪୩ମାତର୍ ଜିସୁ ସେମନ୍କେ କଇଲା, “ବିନ୍ ବିନ୍ ନଅରେ ମିସା ମୁଇ ପର୍ମେସରର୍ ରାଇଜର୍ ନିକ କବର୍ ଜାନାଇବାର୍ ଆଚେ, କାଇକେ ବଇଲେ ସେଟାର୍ପାଇ ପର୍ମେସର୍ ମକେ ପାଟାଇଆଚେ ।”
୪୪ଆରି ସେ ଜିଉଦା ଦେସର୍ ଜିଉଦି ଲକ୍ମନର୍ ପାର୍ତନା ଗର୍ମନ୍କେ ବାକିଅ ସୁନାଇବାର୍ ଦାର୍ଲା ।