ବିସ୍ରାମ୍ ଦିନ୍ ବିସଇ ନେଇ ପର୍ସନ୍
(ମାତିଉ ୧୨:୧-୮; ମାର୍କ ୨:୨୩-୨୮)
୧ତରେକ୍ ବିସ୍ରାମ୍ ବାରେ ଜିସୁ ତାସ୍ ରଇଲା ପଦାବାଟେ ଜିବାବେଲେ ତାର୍ ସିସ୍ମନ୍ କେଡ୍ ଚିଡାଇ ଆତେ ରମ୍ଦି କାଇତେରଇଲାଇ । ୨ସେମନ୍କେ ଦେକ୍ତେରଇବା ପାରୁସି ଲକ୍ମନର୍ ବିତ୍ରେଅନି କେତେଲକ୍ କଇଲାଇ, “ବିସ୍ରାମ୍ ବାରେ ଜନ୍ଟା କର୍ବାର୍ ବିଦି ନଏଁ, ସେଟା ତମେ କାଇକେ କଲାସ୍ନି ?”
୩ଜିସୁ ସେମନ୍କେ କଇଲା, “ଦାଉଦ୍ ଆରି ତାର୍ ସଙ୍ଗର୍ ଲକ୍ମନ୍ ବୁକେ ରଇଲାବେଲେ, ଦାଉଦ୍ କାଇଟା କରିରଇଲା, ସେଟା କାଇ ତମେ ପଡାସ୍ ନାଇ କି ? ୪ସୁନା, ଦାଉଦ୍ ପର୍ମେସରର୍ ଗରେ ପୁରି, ପର୍ମେସର୍କେ ସର୍ପି ଅଇରଇଲା ଜନ୍ ରୁଟି, ପୁଜାରିମନ୍କେ ଚାଡି ଆରି କେ ମିସା କାଇବାର୍ ବିଦି ନ ରଇଲା, ସେଟା ନେଇକରି କାଇଲା ଆରି ତାର୍ ସଙ୍ଗର୍ ଲକ୍ମନ୍କେ ମିସା ଦେଇରଇଲା ।”
୫ଆରି ଜିସୁ କଇଲା, “ପର୍ମେସର୍ ପାଟାଇରଇବା ନର୍ପିଲା ମୁଇ ବିସ୍ରାମ୍ ବାରେ ଲକ୍ମନ୍ କାଇଟା କର୍ବାର୍ ଆଚେ କାଇଟା କର୍ବାର୍ ନାଇ, ସେଟା କଇବାର୍ ମର୍ ଅଦିକାର୍ ଆଚେ ।”
ଆତ୍ ସୁକିଜାଇରଇଲା ଲକ୍ ନିକ ଅଇଲା
(ମାତିଉ ୧୨:୯-୧୪; ମାର୍କ ୩:୧-୬)
୬ଆରି ଜିସୁ ବିନ୍ ଗଟେକ୍ ବିସ୍ରାମ୍ବାରେ, ଜିଉଦି ଲକ୍ମନର୍ ପାର୍ତନା ଗରେ ଜାଇକରି ସିକାଇତେରଇଲା । ତେଇ ଗଟେକ୍ ଲକ୍ ରଇଲା । ତାର୍ ଉଜା ଆତ୍ ସୁକିଜାଇରଇଲା । ୭ଆରି ଜିସୁ ବିସ୍ରାମ୍ବାରେ ମିସା କେ ଜାନେ ନିକ କର୍ସି, ଏଟା ଦେକୁ ବଲି ପାରୁସି ଲକ୍ମନ୍ ଆରି ସାସ୍ତର୍ ସିକାଉମନ୍ ତାକେସେ ଦେକି ଦେକି ରଇଲାଇ, କାଇକେବଇଲେ ତାର୍ ବିରୁଦେ ଦସ୍ ଦାର୍ବାକେ । ୮ମାତର୍ ଜିସୁ ତାକର୍ ମନେ ବାବ୍ଲାଟା ଜାନିକରି, ଜନ୍ ଲକର୍ ଆତ୍ ସୁକିଜାଇରଇଲା, ତାକେ କଇଲା, “ଉଟ୍ ଆରି ସବୁଲକର୍ ମୁଆଟେ ଟିଆ ଅ ।” ଆରି ସେଲକ୍ ଉଟି ଟିଆଅଇଲା । ୯ତେଇ ଜିସୁ ସେମନ୍କେ କଇଲା, “ମୁଇ ତମ୍କେ ପାଚାର୍ଲିନି, ବିସ୍ରାମ୍ବାରେ ବିଦି ଇସାବେ କାଇଟା କର୍ବାର୍ ? ନିକ କର୍ବାର୍ କି କାରାପ୍ କର୍ବାର୍ ? ଜିବନ୍ ବଁଚାଇବାର୍ କି ମରାଇବାର୍ ?” ୧୦ଆରି ସେ ଚାରିବେଡ୍ତି ସବୁକେ ଦେକି ସେ ଲକ୍କେ କଇଲା, “ତମର୍ ଆତ୍ ଲାମାଆ ।” ତେଇ ସେ ସେନ୍ତାର୍ କଲା, ଆରି ତାର୍ ଆତ୍ ପୁରାପୁରୁନ୍ ନିକ ଅଇଗାଲା ।
୧୧ମାତର୍ ପାରୁସିମନ୍ ଆରି ସାସ୍ତର୍ ସିକାଉମନ୍ ବେସି ରିସା ଅଇଗାଲାଇ ଆରି ଜିସୁର୍ ବିରୁଦେ “କାଇଟା କରୁ ?” ବଲି ତାକର୍ ତାକର୍ ବିତ୍ରେ ନିଆଇ କଲାଇ ।
ଜିସୁ ବାର୍ଟା ସିସ୍ମନ୍କେ ବାଚ୍ଲା
(ମାତିଉ ୧୦:୧-୪; ମାର୍କ ୩:୧୩-୧୯)
୧୨ସେବେଲେ ଦିନେକ୍ ଜିସୁ ପାର୍ତନା କର୍ବାକେ ବାରଇ, ପର୍ବତେ ଗାଲା ଆରି ଗୁଲାଇରାତି ପର୍ମେସର୍କେ ପାର୍ତନା କରି କରି ରଇଲା । ୧୩ସାକାଲ୍ ପାଇଲାକେ, ଜିସୁ ସିସ୍ମନ୍କେ ଲଗେ ଡାକି ସେମନର୍ ବିତ୍ରେଅନି ବାର ଲକ୍କେ ବାଚ୍ଲା, ଆରି ସେମନ୍କେ ପେରିତ୍ ବଲି ନାଉଁ ଦେଲା । ୧୪ସେମନ୍ ରଇଲା, ସିମନ୍ ଜାକେ କି ସେ ପିତର୍ ବଲି ମିସା ନାଉଁ ଦେଲା, ଆରି ସିମନର୍ ବାଇ ଆନ୍ଦ୍ରିୟ, ଜାକୁବ୍ ଆରି ଜଅନ୍, ପିଲିପ୍ ଆରି ବାର୍ତଲମି । ୧୫ମାତିଉ ଆରି ତମା, ଆଲ୍ପିର୍ ପ ଜାକୁବ୍ ଆରି ସିମନ୍, ଜାକେ କି କାଇ କାମ୍ କର୍ବାକେ ମିସା ଆଗ୍ତୁ ଅଇସି ବଲି କଇବାଇ । ୧୬ଜାକୁବର୍ ପ ଜିଉଦା ଆରି ଇସ୍କାରିତ ଜିଉଦା, ଜେ କି ଜିସୁକେ ସତ୍ରୁମନ୍କେ ସର୍ପିଦେଇ ରଇଲା ।
ଜିସୁ ସିକିଆ ଦେଲା ଆରି ନିକ କଲା
(ମାତିଉ ୪:୨୩-୨୫)
୧୭ଆରି ଜିସୁ ପେରିତ୍ମନର୍ ସଙ୍ଗ୍ ଉତ୍ରିକରି, ଗଟେକ୍ ସଦ୍ରମ୍ ରଇଲା ଜାଗାଇ ଟିଆଅଇଲା । ଆରି ତେଇ ତାର୍ ବେସି ସିସ୍ମନ୍, ଜିଉଦା ରାଇଜର୍ ବେସି ଲକ୍, ଜିରୁସାଲାମ୍ ଆରି ସମ୍ଦୁର୍ ପାଲି ରଇବା ସର ଆରି ସିଦନ୍ ସଅରେଅନି ବେସି ଲକ୍ମନ୍ ରୁଣ୍ଡିରଇଲାଇ । ୧୮ଲକ୍ମନ୍ ତାର୍ ବାକିଅ ସୁନ୍ବାକେ ଆରି ନିଜର୍ ନିଜର୍ ରଗେଅନି ନିକ ଅଇବାକେ ଆସିରଇଲାଇ । ଜନ୍ ଲକ୍ମନ୍ ଡୁମା ଦାରାଇଅଇ ଦୁକ୍ କସ୍ଟ ପାଇତେରଇଲାଇ, ସେମନ୍କେ ଜିସୁ ନିକ କଲା । ୧୯ସବୁଲକ୍ମନ୍ ଜିସୁକେ ଚିଇବାକେ ଚେସ୍ଟା କର୍ତେରଇଲାଇ । କାଇକେବଇଲେ ତାର୍ ଗାଗ୍ଡେଅନି ମାପ୍ରୁର୍ ବପୁ ବାରଇତେରଇଲା ଆରି ସବୁଲକ୍ମନ୍କେ ନିକ କରତେରଇଲା ।
ସୁକ୍ ଆରି ଦୁକ୍
(ମାତିଉ ୫:୧-୧୨)
୨୦ସେବେଲେ ଜିସୁ ନିଜର୍ ସିସ୍ମନର୍ ବାଟେ ଦେକି କଇଲା,
“ତମେ ଏବେ କାକୁର୍ତି ଅଇଆଚାସ୍ ତମର୍ କେଡେକ୍ ନିକ କରମ୍,
କାଇକେବଇଲେ ପର୍ମେସରର୍ ରାଇଜ୍ ତମର୍ଟା ।
୨୧ତମେମନ୍ ଏବେ ବୁକେ ଆଚାସ୍, ତମର୍ କେଡେକ୍ ନିକ କରମ୍,
କାଇକେବଇଲେ, ତମ୍କେ ପର୍ମେସର୍ ପୁରାପୁରୁନ୍ ଦେଇସି ।
ତମେମନ୍ ଏବେ କାନ୍ଦ୍ଲାସ୍ନି, ତମର୍ କେଡେକ୍ ନିକ କରମ୍,
କାଇକେବଇଲେ ତମେମନ୍ ସାର୍ଦା ଅଇକରି ଆଁସ୍ସା ।”
୨୨ ଲକ୍ମନ୍ ଜେବେ ପର୍ମେସର୍ ପାଟାଇରଇବା ନର୍ପିଲା ମର୍ ଲାଗି ତମ୍କେ ଇନ୍ କର୍ବାଇ, ଆରି ବେଗ୍ଲାଇ ଦେବାଇ, ନିନ୍ଦାକରି ତମର୍ ନାଉଁ ମନ୍ଦ୍ ବଲି ଦାର୍ବାଇ, ତମର୍ କେଡେକ୍ ନିକ କରମ୍ । ୨୩ ସେ ଦିନେ ସାର୍ଦା ଅଇ ନାଟ୍ କର୍ସା । କାଇକେବଇଲେ ଦେକା, ସର୍ଗେ ତମର୍ ପୁରୁସ୍କାର୍ ଅଦିକ୍ ଆରି ସେନ୍ତାରି ତା ସେମନର୍ ଆନିଦାଦିମନ୍, ବବିସତ୍ବକ୍ତାମନ୍କେ କର୍ତେରଇଲାଇ ।
୨୪ମାତର୍ ଏ ଡଣ୍ଡ୍ ପାଉମନ୍, ତମେମନ୍ ଏବେ ସାଉକାର୍ ଆଚାସ୍,
କାଇକେବଇଲେ ତମେ ନିଜେ ନିଜେ ସୁକ୍ ପାଇଲାସ୍ବେ ।
୨୫ଏ ଡଣ୍ଡ୍ପାଉମନ୍, ଏବେ ତମେ ନିକସଙ୍ଗ୍ କାଇଲାସ୍ନି,
କାଇକେବଇଲେ, ତମେ ବୁକେସେ ରଇସା ।
ଏ ଡଣ୍ଡ୍ପାଉମନ୍, ତମେମନ୍ ଏବେ ଆଁସ୍ଲାସ୍ନି,
କାଇକେବଇଲେ ପଚେ ଦୁକେ ରଇକରି କାନ୍ଦ୍ସା ।
୨୬“ଜେଡେବେଲେ ତମ୍କେ ଲକ୍ମନ୍ ବଲ୍ ବଲିକରି ବାବ୍ଲାଇନି, ଏ ଡଣ୍ଡ୍ପାଉମନ୍, ତାକର୍ ଆନିଦାଦି ତା ମାପ୍ରୁର୍ କାତା ବୁଲ୍କାଉମନର୍ପାଇ ସେନ୍ତାରି କର୍ତେରଇଲାଇ ।”
ସତ୍ରୁମନ୍କେ ମିସା ଆଲାଦ୍ କରା
(ମାତିଉ ୫:୩୮-୪୮;୭:୧୨)
୨୭“ମାତର୍ ତମେମନ୍ ସୁନି ଆଚାସ୍ଜେ ମୁଇ ତମ୍କେ କଇଲିନି, ତମର୍ ସତ୍ରୁମନ୍କେ ଆଲାଦ୍ କରା, ଜନ୍ ଲକ୍ମନ୍ ତମ୍କେ ଇନ୍ କର୍ବାଇ, ସେମନର୍ ମଙ୍ଗଲ୍ କରା । ୨୮ଜନ୍ ଲକ୍ମନ୍ ତମ୍କେ ସାଇପ୍ ଦେବାଇ, ସେମନ୍କେ ଆସିର୍ବାଦ୍ କରା । ଜନ୍ ଲକ୍ମନ୍ ତମ୍କେ ଇଜତ୍ ଜିକ୍ବାଇ, ସେମନର୍ପାଇ ପାର୍ତନା କରା । ୨୯ଜେ ତମ୍କେ ଗଟେକ୍ ଗାଲେ ଚାପଡ୍ ମାର୍ସି, ତାକେ ଆରିଗଟେକ୍ ଗାଲ୍ ମିସା ଦେକାଇଦିଆସ୍ । ଜେ ତମର୍ ଚାଦର୍ ଦାରିଜାଇସି, ତାକେ ତମର୍ ପିନ୍ଦ୍ଲାଟା ନେବାକେ ମିସା ମନା କରାନାଇ । ୩୦ଜେ ତମ୍କେ ମାଙ୍ଗ୍ସି, ତାକେ ଦିଆସ୍ । ଆରି ଜେ ତମର୍ ଦନ୍ ସଁମ୍ପତି ଉଦାର୍ ନେଇସି, ତାର୍ଟାନେଅନି ସେଟା ଆରିତରେକ୍ ମାଙ୍ଗାନାଇ । ୩୧ ଲକ୍ମନ୍ ତମ୍କେ ଜେନ୍ତି କରତ୍ ବଲି ମନ୍ କଲାସ୍ନି, ତମେମିସା ସେମନର୍ଟାନେ ସେନ୍ତାର୍ କରା ।”
୩୨“ଆରି ଜନ୍ ଲକ୍ମନ୍ ତମ୍କେ ଆଲାଦ୍ କଲାଇନି, ଜଦି ସେମନ୍କେସେ ତମେ ଆଲାଦ୍ କର୍ସା ବଇଲେ କାଇ ଆସିର୍ବାଦ୍ ପାଇସା ? କାଇକେବଇଲେ ପାପିମନ୍ ମିସା ସେନ୍ତାରି କର୍ବାଇ । ୩୩ଜଦି ଜନ୍ ଲକ୍ମନ୍ ତମର୍ ମଙ୍ଗଲ୍ କଲାଇନି, ସେମନ୍କେସେ ମଙ୍ଗଲ୍ କର୍ସା ବଇଲେ, କାଇ ଆସିର୍ବାଦ୍ ପାଇସା ? କାଇକେବଇଲେ ପାପିମନ୍ ମିସା ସେନ୍ତାରି କର୍ବାଇ । ୩୪ଆରି ଜନ୍ ଲକ୍ମନର୍ଟାନେଅନି ତମର୍ ମିଲାଇବାର୍ ଆସା ରଇସି, ଜଦି ସେମନ୍କେସେ ଉଦାର୍ ଦେଇସା ବଇଲେ, ତମେ କାଇ ଆସିର୍ବାଦ୍ ପାଇସା ? ପାପିମନ୍ ମିସା ସମାନ୍ ଇସାବେ ବାନ୍ଦ୍ଲାଟା ମିଲବଲି, ରୁନ୍ ଦେବାଇ । ୩୫ମାତର୍ ତମର୍ ସତ୍ରୁମନ୍କେ ଆଲାଦ୍ କରା । ଆରି ସେମନର୍ ମଙ୍ଗଲ୍ କରା । ରୁନ୍ ବାନ୍ଦ ବଲି ଆସା ନ କରି, ରୁନ୍ ଦିଆସ୍ । ସେନ୍ତାର୍କଲେ ତମର୍ ପୁରୁସ୍କାର୍ ଅଦିକ୍ ଅଇସି । ଆରି ତମେ ପର୍ମେସରର୍ ପ ଅଇସା । କାଇକେବଇଲେ ସେ ନ ମାନ୍ବା ଲକର୍ ଆରି କରାପ୍ ଲକର୍ ମିସା ଦୟାକାରିଆ । ୩୬ତମର୍ ସରଗର୍ ବାବା ଜେନ୍ତାରି ଦୟା କଲାନି, ସେନ୍ତାରି ତମେ ମିସା ଦୟା କରା ।”
ବିନ୍ ଲକ୍ମନ୍କେ ବିଚାର୍ କରାନାଇ
(ମାତିଉ ୭:୫-୭)
୩୭“ବିନ୍ଲକର୍ ବିଚାର୍ କରାନାଇ, ସେନ୍ତାର୍କଲେ ପର୍ମେସର୍ ତମ୍କେ ବିଚାର୍ କର୍ସି । ଦସ୍ ନ ଦିଆସ୍, ସେନ୍ତାର୍କଲେ ପର୍ମେସର୍ ତମ୍କେ ଦସ୍ ନ ଦାରେ । କେମା କରା, ସେନ୍ତାର୍କଲେ ତମ୍କେ କେମା ମିଲ୍ସି । ୩୮ବିନ୍ ଲକ୍କେ ଦାନ୍ କରା, ସେନ୍ତାର୍କଲେ ପର୍ମେସର୍ ତମ୍କେ ଦାନ୍ ଦେଇସି, ଲକ୍ମନ୍ ମାନ୍ଟାନେ କାଦି ପୁରୁନ୍କରି ତାକେ ଚାପି ଜୁଲାଇ, ଉଚ୍ଲାଇକରି, ତମର୍ ଅଁଟିତେଇ ଦେବାଇ, କାଇକେବଇଲେ ଜନ୍ ଇସାବେ ତମେ ନାପ୍ସା, ସେ ଇସାବେ ସେ ତମ୍କେ ନାପି ଦିଆଅଇସି ।” ୩୯ ଜିସୁ ସେମନ୍କେ ଉଦାଅରନ୍ ଦେଇ କଇଲା, “କାଣା କାଇ କାଣାକେ ବାଟ୍ ଦେକାଇପାରେକି ? ନାଇ, ନାପାରେ । ଜଦି ସେମନ୍ ସେନ୍ତାରି କର୍ବାଇ ବଇଲେ ଦୁଇଲକ୍ଜାକ କାଲେ ନ ଅଦ୍ରତ୍ କି ? ୪୦ ଗୁରୁର୍ଟାନେଅନି ସିସ୍ ବଡ୍ ନାଇ । ମାତର୍ ସିସ୍ମନ୍ ସିକିଆ ପାଇ ସାରାଇଲେ ସିଦ୍ଅଇ ଗୁରୁର୍ ସମାନ୍ ଅଇବାଇ ।”
୪୧“ଆରି କାଇକେ ତମର୍ ବାଇର୍ ଆଁକିଟାନେ ରଇବା ସାନ୍ କାଚ୍ରା ଦେକ୍ଲାସ୍ନି ? ମାତର୍ ତମର୍ ନିଜର୍ ଆଁକିଟାନେ ଜନ୍ ବଡ୍ କାଚ୍ରା ଆଚେ, ସେଟା ବାବିଦେକାସ୍ନାଇ । ୪୨ତମେ ନିଜର୍ ଆଁକିଟାନେ ରଇବା ବଡ୍ଟା କାଚ୍ରା ନ ଦେକିକରି, ନିଜର୍ ବାଇର୍ ଆଁକି ଟାନେ ରଇବା ସାନ୍ କାଚ୍ରା ଦେକି କେନ୍ତି କଇପାରାସ୍, ଆଉ ବାଇ ତମର୍ ଆଁକିଅନି କାଚ୍ରା ବାର୍କରାଇଦେବି ? ଏ କୁଟିଆଲ୍ମନ୍, ପର୍ତୁମ୍ ନିଜର୍ ଆଁକିଅନି କାଚ୍ରା ବାର୍କରାଇପାକା, ତାର୍ପଚେ ନିଜର୍ ବାଇର୍ ଆଁକିଟାନେ ରଇବା କାଚ୍ରା ସବୁ ବାର୍କରାଇବାକେ, ନିକକରି ଦେକିପାରାସ୍ ।”
ଗଚ୍ ଆରି ତାର୍ ପଲ୍
(ମାତିଉ ୭:୧୬-୨୦;୧୨:୩୩-୩୫)
୪୩“ନିକ ଗଚେ କାରାପ୍ ପଲ୍ ନ ପଲେ, କାରାପ୍ ଗଚେ ନିକ ପଲ୍ ନ ପଲେ । ୪୪ କାଇକେବଇଲେ ଗଚ୍ମନ୍କେ ତାର୍ ପଲର୍ଲାଗି ଜାନିଅଇସି । କାଟା ଗଚେଅନି ଲକ୍ମନ୍ ଡୁମ୍ରି ପଲ୍ ନ ତଲତ୍, କି କାଟା ବୁଟାଇଅନି ଅଙ୍ଗୁର୍ ପଲ୍ ନ ତଲତ୍ । ୪୫ ନିକ ଲକ୍ ନିଜର୍ ମନ୍ ବିତ୍ରର୍ ଗରବ୍ବିତ୍ରେ ଅନି ନିକଟା ବାର୍କରାଇସି । ଆରି କାରାପ୍ ଲକ୍ମନ୍ ନିଜର୍ ମନ୍ ବିତ୍ରର୍ ଗରବ୍ଟାନେ ଅନି କାରାପ୍ଟା ବାର୍କରାଇବାଇ । କାଇକେବଇଲେ, ମନ୍ବିତ୍ରେ ଚିନ୍ତା କର୍ବାଟା, ଟଣ୍ଡ୍ କାତା କଇସି ।”
ଦୁଇଟା ରକାମର୍ ଗର୍ବାନ୍ଦ୍ବା ଲକ୍
(ମାତିଉ ୭:୨୪-୨୭)
୪୬“ଆରି ତମେ କାଇକେ ମକେ ଏ ମାପ୍ରୁ ଏ ମାପ୍ରୁ, ବଲି ଡାକିକରି ମର୍ ଆଦେସ୍ ମାନାସ୍ ନାଇ ? ୪୭ଜେ ମିସା ମର୍ଲଗେ ଆସି, ମର୍ କାତା ସୁନି, ସେଟା ସବୁ ମାନ୍ସି, ସେ କାର୍ ସମାନ୍ ରଇସି, ସେଟା ମୁଇ ତମ୍କେ ଦେକାଇବି । ୪୮ସେ ଏନ୍ତାରି ଗଟେକ୍ ଗର୍ ଉଟାଇବା ଲକର୍ପାରା । ଜେ ଗଇର୍ କରି କୁନି, କୁନାଦି ପାକ୍ନା ଉପ୍ରେ ବସାଇଲା । ବନିଆ ପାନି ଆସି ସେଟା ଉଲ୍କା ମାର୍ଲା ମିସା ସେଟା ବସ୍ଲାଇ ନାପାର୍ଲା । କାଇକେବଇଲେ ସେଟା ନିମାନ୍କରି ଉଟାଇରଇଲା । ୪୯ମାତର୍ ଜନ୍ ଲକ୍ମନ୍ ମର୍କାତା ସୁନିକରି ମିସା ସେ ଇସାବେ ଚଲାଚଲ୍ତି ନ କରତ୍, ସେ କୁନାଦି ନ କରି, ବାଲି ଉପ୍ରେ ଗର୍କଲା ଲକର୍ପାରା । ଜବର୍ ଅଇତେ ଉଦ୍କାମାର୍ଲା ଦାପ୍ରେ ସେ ଗର୍ ବସ୍ଲିଗାଲା ଆରି ସେଟା ଅପର୍ବଲ୍ ବିନାସ୍ ଅଇଲା ।”