୧୦
ରାଜା ଶାଉଲଙ୍କ ମୃତ୍ୟୁୁ
୧ ଏଥି ମଧ୍ୟରେ ପଲେଷ୍ଟୀୟମାନେ ଇସ୍ରାଏଲ ବିରୁଦ୍ଧରେ ଯୁଦ୍ଧ କଲେ; ପୁଣି, ଇସ୍ରାଏଲ ଲୋକମାନେ ପଲେଷ୍ଟୀୟମାନଙ୍କ ସମ୍ମୁଖରୁ ପଳାଇ ଗିଲ୍‍ବୋୟ ପର୍ବତରେ ହତ ହୋଇ ପଡ଼ିଲେ। ୨ ଆଉ ପଲେଷ୍ଟୀୟମାନେ ଶାଉଲ ଓ ତାଙ୍କ ପୁତ୍ରମାନଙ୍କ ପଛେ ପଛେ ଲାଗି ଗୋଡ଼ାଇଲେ ଓ ପଲେଷ୍ଟୀୟମାନେ ଶାଉଲଙ୍କର ପୁତ୍ର ଯୋନାଥନକୁ, ଅବୀନାଦବକୁ ଓ ମଲ୍‍କୀଶୂୟକୁ ବଧ କଲେ। ୩ ଏହିରୂପେ ଶାଉଲଙ୍କ ସଙ୍ଗେ ଭାରୀ ଯୁଦ୍ଧ ହେଲା ଓ ଧନୁର୍ଦ୍ଧରମାନେ ତାଙ୍କୁ ଧରିଲେ; ଆଉ ଧନୁର୍ଦ୍ଧରମାନଙ୍କ ସକାଶୁ ସେ ଆହତ ହେଲେ। ୪ ତହିଁରେ ଶାଉଲ ଆପଣା ଅସ୍ତ୍ରବାହକକୁ କହିଲେ, ତୁମ୍ଭ ଖଡ୍ଗ ବାହାର କରି ତହିଁରେ ମୋତେ ଭୁସି ପକାଅ; କେଜାଣି ଏହି ଅସୁନ୍ନତମାନେ ଆସି ମୋତେ କୌତୁକ କରିବେ। ମାତ୍ର ତାଙ୍କର ଅସ୍ତ୍ରବାହକ ଅତିଶୟ ଭୀତ ହେବାରୁ ସମ୍ମତ ହେଲା ନାହିଁ। ଏହେତୁ ଶାଉଲ ଖଡ୍ଗ ନେଇ ଆପେ ତହିଁ ଉପରେ ପଡ଼ିଲେ। ୫ ତହିଁରେ ଶାଉଲ ମରିଅଛନ୍ତି, ଏହା ଦେଖି ତାଙ୍କର ଅସ୍ତ୍ରବାହକ ସେହିପରି ଆପଣା ଖଡ୍ଗ ଉପରେ ପଡ଼ି ମଲା। ୬ ଏହିରୂପେ ଶାଉଲ ଓ ତାଙ୍କର ତିନି ପୁତ୍ର ଓ ତାଙ୍କର ସମସ୍ତ ପରିଜନ ଏକାସଙ୍ଗେ ମଲେ। ୭ ଏଉତ୍ତାରେ ଇସ୍ରାଏଲ ଲୋକମାନେ ପଳାଇଲେ, ଆଉ ଶାଉଲ ଓ ତାଙ୍କର ପୁତ୍ରମାନେ ମଲେ, ଏହା ଦେଖି ତଳଭୂମିସ୍ଥ ସମସ୍ତ ଇସ୍ରାଏଲ ଲୋକ ଆପଣାମାନଙ୍କ ନଗରସବୁ ପରିତ୍ୟାଗ କରି ପଳାଇଲେ; ତହୁଁ ପଲେଷ୍ଟୀୟମାନେ ଆସି ତହିଁ ମଧ୍ୟରେ ବାସ କଲେ। ୮ ଏଥିଉତ୍ତାରେ ପର-ଦିବସ ପଲେଷ୍ଟୀୟମାନେ ହତ ଲୋକମାନଙ୍କ ସଜ୍ଜାଦି ଫିଟାଇ ନେବା ପାଇଁ ଆସନ୍ତେ, ସେମାନେ ଶାଉଲଙ୍କୁ ଓ ତାଙ୍କର ପୁତ୍ରମାନଙ୍କୁ ଗିଲ୍‍ବୋୟ ପର୍ବତରେ ପଡ଼ିଥିବାର* ଅର୍ଥାତ୍ ମୃତ୍ୟୁ ଦେଖିଲେ। ୯ ତହୁଁ ସେମାନେ ତାଙ୍କର ସଜ୍ଜା ଫିଟାଇ ତାଙ୍କର ମସ୍ତକ ଓ ସଜ୍ଜା ନେଇ ଆପଣାମାନଙ୍କ ଦେବ-ପ୍ରତିମାଗଣର ଗୃହକୁ ଓ ଲୋକମାନଙ୍କ ନିକଟକୁ ସମ୍ବାଦ ଦେବା ପାଇଁ ପଲେଷ୍ଟୀୟମାନଙ୍କ ଦେଶର ଚାରିଆଡ଼େ ପଠାଇଲେ। ୧୦ ପୁଣି, ସେମାନେ ତାଙ୍କର ସଜ୍ଜା ଆପଣାମାନଙ୍କ ଦେବ ମନ୍ଦିରରେ ରଖିଲେ ଓ ତାଙ୍କର ମସ୍ତକକୁ ଦାଗୋନ୍‍ ମନ୍ଦିରରେ ଟାଙ୍ଗି ଦେଲେ। ୧୧ ଏଉତ୍ତାରେ ଯାବେଶ୍‍-ଗିଲୀୟଦୀୟ ସମସ୍ତେ ଶାଉଲଙ୍କ ପ୍ରତି ପଲେଷ୍ଟୀୟମାନଙ୍କ କୃତ ସକଳ କର୍ମର ସମ୍ବାଦ ପାଆନ୍ତେ, ୧୨ ସମସ୍ତ ବିକ୍ରମଶାଳୀ ଲୋକ ଉଠି ଶାଉଲଙ୍କର ଶରୀର ଓ ତାଙ୍କର ପୁତ୍ରମାନଙ୍କ ଶରୀର ଯାବେଶ୍‍କୁ ନେଇ ଆସିଲେ ଓ ଯାବେଶ୍‍ସ୍ଥ ଅଲୋନ ବୃକ୍ଷ ମୂଳେ ସେମାନଙ୍କର ଅସ୍ଥି ପୋତି ସାତ ଦିନ ଉପବାସ କଲେ। ୧୩ ଏହିରୂପେ ଶାଉଲ ସଦାପ୍ରଭୁଙ୍କ ବିରୁଦ୍ଧରେ କୃତ ଆପଣା ଅବିଶ୍ବସ୍ତତା ସକାଶୁ ମଲେ, କାରଣ ସେ ସଦାପ୍ରଭୁଙ୍କ ଆଜ୍ଞା ପାଳନ କଲେ ନାହିଁ; ମଧ୍ୟ ସେ ଭୂତୁଡ଼ିଆଠାରୁ ମନ୍ତ୍ରଣା ମାଗି ସଦାପ୍ରଭୁଙ୍କୁ ପଚାରିଲେ ନାହିଁ। ୧୪ ଏହେତୁ ସେ ତାଙ୍କୁ ବଧ କଲେ ଓ ଯିଶୀର ପୁତ୍ର ଦାଉଦଙ୍କୁ ରାଜ୍ୟ ଦେଲେ।

*୧୦:୮ ଅର୍ଥାତ୍ ମୃତ୍ୟୁ