୨୦
ଦାଉଦଙ୍କ ରବ୍ବା ଅଧିକାର
୧ ଏଥିଉତ୍ତାରେ ବର୍ଷର ପରିବର୍ତ୍ତନ ସମୟରେ ରାଜାମାନେ ଯୁଦ୍ଧକୁ ଯିବା ବେଳେ, ଯୋୟାବ ସୈନ୍ୟଦଳ ନେଇ ଅମ୍ମୋନ-ସନ୍ତାନଗଣର ଦେଶ ଉଚ୍ଛିନ୍ନ କଲା ଓ ରବ୍ବାକୁ ଯାଇ ତାହା ଅବରୋଧ କଲା। ମାତ୍ର, ଦାଉଦ ଯିରୂଶାଲମରେ ରହିଲେ। ଏଥି ମଧ୍ୟରେ ଯୋୟାବ ରବ୍ବାକୁ ଆଘାତ କରି ଭୂମିସାତ୍‍ କଲା। ୨ ପୁଣି, ଦାଉଦ ସେମାନଙ୍କ ରାଜାର ମସ୍ତକରୁ ମୁକୁଟ କାଢ଼ି ନେଲେ, ଆଉ ଦେଖିଲେ ଯେ, ତାହା ଏକ ତାଳନ୍ତ* ପ୍ରାୟ ୩୩ କିଲୋଗ୍ରାମ୍ ଅଟେ ପରିମିତ ସ୍ୱର୍ଣ୍ଣ ଓ ତହିଁରେ ବହୁମୂଲ୍ୟ ପ୍ରସ୍ତରମାନ ଥିଲା। ପୁଣି, ତାହା ଦାଉଦଙ୍କର ମସ୍ତକରେ ଦିଆଗଲା; ଆଉ ସେ ସେହି ନଗରର ପ୍ରଚୁର ଲୁଟ ଦ୍ରବ୍ୟ ବାହାର କରି ଆଣିଲେ। ୩ ଆହୁରି, ସେ ତନ୍ମଧ୍ୟବର୍ତ୍ତୀ ଲୋକମାନଙ୍କୁ ବାହାର କରି ଆଣି କରତ ଓ ଲୁହାର ମଇ ଓ କୁହ୍ରାଡ଼ି ଦ୍ୱାରା ଛେଦନ କଲେ। ଏହି ପ୍ରକାରେ ଦାଉଦ ଅମ୍ମୋନ-ସନ୍ତାନଗଣର ସମୁଦାୟ ନଗର ପ୍ରତି କଲେ। ଏଉତ୍ତାରେ ଦାଉଦ ଓ ସମସ୍ତ ଲୋକ ଯିରୂଶାଲମକୁ ଫେରି ଆସିଲେ।
ଦୀର୍ଘକାୟ ପଲେଷ୍ଟୀୟଙ୍କ ସଙ୍ଗେ ଯୁଦ୍ଧ
୪ ଏଥିଉତ୍ତାରେ ଗେଷରରେ ପଲେଷ୍ଟୀୟମାନଙ୍କ ସହିତ ଯୁଦ୍ଧ ଲାଗିଲା; ତହିଁରେ ହୂଶାତୀୟ ସିବ୍ବଖୟ ଦୀର୍ଘକାୟ ବଂଶଜାତ ସିପ୍ପୀକୁ ବଧ କଲା, ଯେ ରଫାୟୀମର ଏକ ବଂଶଜ ଥିଲା ପୁଣି ସେମାନେ ପରାସ୍ତ ହେଲେ। ୫ ଏଉତ୍ତାରେ ପୁନର୍ବାର ପଲେଷ୍ଟୀୟମାନଙ୍କ ସହିତ ଯୁଦ୍ଧ ହେଲା, ତହିଁରେ ଯାୟୀରର ପୁତ୍ର ଇଲ୍‍ହାନନ୍‍ ତନ୍ତୀର ନରାଜ ତୁଲ୍ୟ ବର୍ଚ୍ଛାଧାରୀ ଗାଥୀୟ ଗଲୀୟାତର ଭ୍ରାତା ଲହମିକୁ ବଧ କଲା। ୬ ଏଉତ୍ତାରେ ପୁନର୍ବାର ଗାଥ୍‍ ନଗରରେ ଯୁଦ୍ଧ ହେଲା, ସେଠାରେ ଅତି ଦୀର୍ଘକାୟ; ପୁଣି, ପ୍ରତି ହସ୍ତ ଓ ପାଦରେ ଛଅ ଛଅ ଅଙ୍ଗୁଳି, ସର୍ବସୁଦ୍ଧା ଚବିଶ ଅଙ୍ଗୁଳିବିଶିଷ୍ଟ ଏକ ଜଣ ଥିଲା; ସେ ମଧ୍ୟ ଦୀର୍ଘକାୟ-ବଂଶଜାତ। ୭ ପୁଣି, ସେ ଇସ୍ରାଏଲକୁ ତୁଚ୍ଛ କରନ୍ତେ, ଦାଉଦଙ୍କର ଭ୍ରାତା ଶିମୀୟର ପୁତ୍ର ଯୋନାଥନ ତାହାକୁ ବଧ କଲା। ୮ ଏମାନେ ଗାଥ୍‍ ନଗରରେ ଦୀର୍ଘକାୟ ବଂଶରେ ଜନ୍ମିଥିଲେ; ଏମାନେ ଦାଉଦଙ୍କ ହସ୍ତରେ ଓ ତାଙ୍କର ଦାସମାନଙ୍କ ହସ୍ତରେ ବଧ ହେଲେ।

*୨୦:୨ ପ୍ରାୟ ୩୩ କିଲୋଗ୍ରାମ୍ ଅଟେ