ଆତ୍ମାଗୁଡିକର ପରୀକ୍ଷା
୧ ହେ ପ୍ରିୟମାନେ, ପ୍ରତ୍ୟେକ ଆତ୍ମାଙ୍କୁ ବିଶ୍ୱାସ କର ନାହିଁ, ବରଂ ଆତ୍ମାମାନେ ଈଶ୍ୱରଙ୍କଠାରୁ ଆଗତ କି ନାହିଁ, ଏହା ସେମାନଙ୍କୁ ପରୀକ୍ଷା କରି ଦେଖ, କାରଣ ଜଗତରେ ଅନେକ ଭଣ୍ଡ ଭାବବାଦୀ ବାହାରି ଅଛନ୍ତି । ୨ ଏହା ଦ୍ୱାରା ତୁମ୍ଭେମାନେ ଈଶ୍ୱରଙ୍କ ଆତ୍ମାଙ୍କୁ ଚିହ୍ନି ପାରିବ, ଯୀଶୁ ଖ୍ରୀଷ୍ଟ ଯେ ଦେହବନ୍ତ ହୋଇ ଆସିଅଛନ୍ତି, ଏହା ଯେକୌଣସି ଆତ୍ମା ସ୍ୱୀକାର କରେ, ସେ ଈଶ୍ୱରଙ୍କଠାରୁ ଆଗତ, ୩ ଆଉ ଯେକୌଣସି ଆତ୍ମା ଯୀଶୁଙ୍କୁ ସ୍ୱୀକାର ନ କରେ, ସେ ଈଶ୍ୱରଙ୍କଠାରୁ ଆଗତ ନୁହେଁ; ଏହା ଭଣ୍ଡଖ୍ରୀଷ୍ଟର ଆତ୍ମା, ଯାହାର ଆଗମନ କଥା ତୁମ୍ଭେମାନେ ଶୁଣିଅଛ, ପୁଣି, ତାହା ଏବେ ହେଁ ଜଗତରେ ଉପସ୍ଥିତ ହୋଇଅଛି । ୪ ହେ ବତ୍ସଗଣ, ତୁମ୍ଭେମାନେ ଈଶ୍ୱରଙ୍କଠାରୁ ଜାତ, ଆଉ ତୁମ୍ଭେମାନେ ସେମାନଙ୍କୁ ଜୟ କରିଅଛ, କାରଣ ତୁମ୍ଭମାନଙ୍କଠାରେ ଯେ ଅଛନ୍ତି, ସେ, ଜଗତରେ ଯେ ଅଛି, ତାହାଠାରୁ ମହାନ । ୫ ସେମାନେ ଜଗତରୁ ଉତ୍ପନ୍ନ, ଅତଏବ ସେମାନେ ଜାଗତିକ କଥା କହନ୍ତି, ଆଉ ଜଗତ ସେମାନଙ୍କ କଥା ଶୁଣେ । ୬ କିନ୍ତୁ ଆମ୍ଭେମାନେ ଈଶ୍ୱରଙ୍କଠାରୁ ଜାତ; ଯେ ଈଶ୍ୱରଙ୍କୁ ଜାଣେ, ସେ ଆମ୍ଭମାନଙ୍କ କଥା ଶୁଣେ; ଯେ ଈଶ୍ୱରଙ୍କଠାରୁ ଜାତ ନୁହେଁ, ସେ ଆମ୍ଭମାନଙ୍କ କଥା ଶୁଣେ ନାହିଁ। ଏତଦ୍ୱାରା ଆମ୍ଭେମାନେ ସତ୍ୟମୟ ଆତ୍ମା ଓ ଭ୍ରାନ୍ତିପୂର୍ଣ୍ଣ ଆତ୍ମାକୁ ଚିହ୍ନି ପାରୁ ।
ଈଶ୍ୱର ପ୍ରେମମୟ
୭ ହେ ପ୍ରିୟମାନେ, ଆସ, ଆମ୍ଭେମାନେ ପରସ୍ପରକୁ ପ୍ରେମ କରୁ, କାରଣ ପ୍ରେମ ଈଶ୍ୱରଙ୍କଠାରୁ ଜାତ, ଆଉ ଯେ କେହି ପ୍ରେମ କରେ, ସେ ଈଶ୍ୱରଙ୍କଠାରୁ ଜାତ ଓ ଈଶ୍ୱରଙ୍କୁ ଜାଣେ । ୮ ଯେ ପ୍ରେମ କରେ ନାହିଁ, ସେ ଈଶ୍ୱରଙ୍କୁ ଜାଣେ ନାହିଁ, କାରଣ ଈଶ୍ୱର ତ ପ୍ରେମ । ୯ ଏଥିରେ ହିଁ ଈଶ୍ୱରଙ୍କ ପ୍ରେମ ଆମ୍ଭମାନଙ୍କ ପ୍ରତି ପ୍ରକାଶିତ ହୋଇଅଛି ଯେ, ସେ ଆପଣାର ଅଦ୍ୱିତୀୟ ପୁତ୍ରଙ୍କୁ ଜଗତକୁ ପ୍ରେରଣ କଲେ, ଯେପରି ଆମ୍ଭେମାନେ ତାହାଙ୍କ ଦ୍ୱାରା ଜୀବନ ପ୍ରାପ୍ତ ହେଉ । ୧୦ ଆମ୍ଭେମାନେ ଯେ ଈଶ୍ୱରଙ୍କୁ ପ୍ରେମ କଲୁ, ତାହା ନୁହେଁ, ମାତ୍ର ସେ ଆମ୍ଭମାନଙ୍କୁ ପ୍ରେମ କଲେ, ପୁଣି, ଆପଣା ପୁତ୍ରଙ୍କୁ ଆମ୍ଭମାନଙ୍କ ପାପର ପ୍ରାୟଶ୍ଚିତ୍ତ ସ୍ୱରୂପ କରି ପଠାଇଲେ; ଏଥିରେ ତ ପ୍ରେମ ପ୍ରକାଶ ପାଏ ୧୧ ହେ ପ୍ରିୟମାନେ, ଈଶ୍ୱର ଯଦି ଆମ୍ଭମାନଙ୍କୁ ଏପରି ପ୍ରେମ କଲେ, ତେବେ ଆମ୍ଭମାନଙ୍କର ମଧ୍ୟ ପରସ୍ପରକୁ ପ୍ରେମ କରିବା ଉଚିତ । ୧୨ କେହି କେବେ ଈଶ୍ୱରଙ୍କୁ ଦେଖି ନାହିଁ; ଆମ୍ଭେମାନେ ଯଦି ପରସ୍ପରକୁ ପ୍ରେମ କରୁ, ତାହାହେଲେ ଈଶ୍ୱର ଆମ୍ଭମାନଙ୍କଠାରେ ଅଛନ୍ତି ଓ ତାହାଙ୍କ ପ୍ରେମ ଆମ୍ଭମାନଙ୍କଠାରେ ସିଦ୍ଧ ହୋଇଅଛି । ୧୩ ଆମ୍ଭେମାନେ ଯେ ତାହାଙ୍କଠାରେ ଅଛୁ ଓ ସେ ଆମ୍ଭମାନଙ୍କଠାରେ ଅଛନ୍ତି, ଏହା ଆମ୍ଭେମାନେ ଜାଣୁ, କାରଣ ସେ ଆମ୍ଭମାନଙ୍କୁ ଆପଣା ଆତ୍ମାଙ୍କର ସହଭାଗିତା ଦାନ କରିଅଛନ୍ତି । ୧୪ ପିତା ଯେ ପୁତ୍ରଙ୍କୁ ଜଗତର ତ୍ରାଣକର୍ତ୍ତା ହେବା ନିମନ୍ତେ ପ୍ରେରଣ କରିଅଛନ୍ତି, ଏହା ଆମ୍ଭେମାନେ ଦେଖିଅଛୁ ଓ ସାକ୍ଷ୍ୟ ଦେଉଅଛୁ । ୧୫ ଯେ କେହି ଯୀଶୁଙ୍କୁ ଈଶ୍ୱରଙ୍କ ପୁତ୍ର ବୋଲି ସ୍ୱୀକାର କରେ, ଈଶ୍ୱର ତାହାଠାରେ ଅଛନ୍ତି ଓ ସେ ଈଶ୍ୱରଙ୍କଠାରେ ଅଛି । ୧୬ ପୁଣି, ଆମ୍ଭମାନଙ୍କ ପ୍ରତି ଈଶ୍ୱରଙ୍କର ଯେଉଁ ପ୍ରେମ ଅଛି, ତାହା ଆମ୍ଭେମାନେ ଜାଣିଅଛୁ ଓ ବିଶ୍ୱାସ କରିଅଛୁ । ଈଶ୍ୱର ତ ପ୍ରେମ; ଯେ ପ୍ରେମରେ ରହେ, ସେ ଈଶ୍ୱରଙ୍କଠାରେ ରହେ ଓ ଈଶ୍ୱର ତାହାଠାରେ ରହନ୍ତି । ୧୭ ଏଥିରେ ପ୍ରେମ ଆମ୍ଭମାନଙ୍କ ମଧ୍ୟରେ ସିଦ୍ଧ ହୋଇଅଛି ଯେ, ବିଚାର ଦିନରେ ଆମ୍ଭେମାନେ ସାହସ ପ୍ରାପ୍ତ ହେବୁ, କାରଣ ସେ ଯେପରି ଅଛନ୍ତି, ଆମ୍ଭେମାନେ ମଧ୍ୟ ଏହି ଜଗତରେ ସେହିପରି ଅଛୁ । ୧୮ ପ୍ରେମରେ ଭୟ ନ ଥାଏ, କିନ୍ତୁ ସିଦ୍ଧ ପ୍ରେମ ଭୟକୁ ଦୂର କରେ, କାରଣ ଭୟ ଦଣ୍ଡ ସହିତ ସଂଯୁକ୍ତ, ଆଉ ଯେ ଭୟ କରେ, ସେ ପ୍ରେମରେ ସିଦ୍ଧ ନୁହେଁ । ୧୯ ସେ ପ୍ରଥମରେ ଆମ୍ଭମାନଙ୍କୁ ପ୍ରେମ କରିବାରୁ ଆମ୍ଭେମାନେ ପ୍ରେମ କରୁ । ୨୦ ଈଶ୍ୱରଙ୍କୁ ପ୍ରେମ କରୁଅଛି ବୋଲି କହି ଯଦି କେହି ଆପଣା ଭାଇକୁ ଘୃଣା କରେ, ତାହାହେଲେ ସେ ମିଥ୍ୟାବାଦୀ, ଯେଣୁ ଯେଉଁ ଭାଇକୁ ଦେଖିଅଛି, ଯଦି ତାହାକୁ କେହି ପ୍ରେମ ନ କରେ, ତାହାହେଲେ ଯେଉଁ ଈଶ୍ୱରଙ୍କୁ ସେ ଦେଖି ନାହିଁ, ତାହାଙ୍କୁ ପ୍ରେମ କରି ପାରେ ନାହିଁ । ୨୧ ଯେ ଈଶ୍ୱରଙ୍କୁ ପ୍ରେମ କରେ, ସେ ଆପଣା ଭାଇକୁ ମଧ୍ୟ ପ୍ରେମ କରୁ, ଏହି ଆଜ୍ଞା ଆମ୍ଭେମାନେ ତାହାଙ୍କଠାରୁ ପାଇଅଛୁ ।