କ୍ରୁଶବିଦ୍ଧ ଖ୍ରୀଷ୍ଟଙ୍କ ବିଚାର
୧ ଅତଏବ, ହେ ଭାଇମାନେ, ଯେତେବେଳେ ମୁଁ ତୁମ୍ଭମାନଙ୍କ ନିକଟକୁ ଯାଇଥିଲି, ସେତେବେଳେ ଈଶ୍ୱରଙ୍କ ନିଗୂଢ଼ ତତ୍ତ୍ୱ ବକ୍ତୃତା କିମ୍ବା ଜ୍ଞାନର ଉତ୍କୃଷ୍ଟତା ସହିତ ଯେ ତୁମ୍ଭମାନଙ୍କ ନିକଟରେ ପ୍ରଚାର କରିଥିଲି, ତାହା ନୁହେଁ । ୨ କାରଣ ଯୀଶୁ ଖ୍ରୀଷ୍ଟ, ଅର୍ଥାତ୍‍ କ୍ରୁଶରେ ହତ ଯୀଶୁଖ୍ରୀଷ୍ଟଙ୍କ ବିନା ତୁମ୍ଭମାନଙ୍କ ମଧ୍ୟରେ ଆଉ କୌଣସି ବିଷୟ ନ ଜାଣିବାକୁ ମୁଁ ମନସ୍ଥ କଲି । ୩ ପୁଣି, ମୁଁ ଦୁର୍ବଳତା, ଭୟ ଓ ମହାକମ୍ପ ସହ ତୁମ୍ଭମାନଙ୍କ ମଧ୍ୟରେ ଥିଲି; ୪ ତୁମ୍ଭମାନଙ୍କ ବିଶ୍ୱାସ ଯେପରି ମନୁଷ୍ୟର ଜ୍ଞାନ ଉପରେ ସ୍ଥାପିତ ନ ହୋଇ ଈଶ୍ୱରଙ୍କ ଶକ୍ତି ଉପରେ ସ୍ଥାପିତ ହୁଏ, ୫ ଏଥିପାଇଁ ମୋହର ଶିକ୍ଷା ଓ ମୋହର ପ୍ରଚାର, ଜ୍ଞାନର ମନୋହର ବାକ୍ୟଯୁକ୍ତ ନ ହୋଇ ପବିତ୍ର ଆତ୍ମାଙ୍କ ଶକ୍ତିରେ ପ୍ରମାଣ- ଯୁକ୍ତ ହୋଇଥିଲା ।
ଆତ୍ମାଙ୍କର ଜ୍ଞାନ
୬ ତଥାପି ଆମ୍ଭେମାନେ ପରିପକ୍ୱ ଲୋକମାନଙ୍କ ମଧ୍ୟରେ ଜ୍ଞାନର କଥା କହୁ, କିନ୍ତୁ ତାହା ଏହି ଯୁଗର ଜ୍ଞାନ ନୁହେଁ କିମ୍ବା ଏହି ଯୁଗର ନଷ୍ଟକଳ୍ପ ନେତାମାନଙ୍କ ଜ୍ଞାନ ନୁହେଁ, ୭ ମାତ୍ର ଆମ୍ଭେମାନେ ନିଗୂଢ଼ତତ୍ତ୍ୱ ସ୍ୱରୂପ ଈଶ୍ୱରଙ୍କ ଜ୍ଞାନର କଥା କହୁଅଛୁ ସେହି ଗୁପ୍ତ ଜ୍ଞାନ ଈଶ୍ୱର ଆମ୍ଭମାନଙ୍କ ଗୌରବ ନିମନ୍ତେ ଜଗତର ପୂର୍ବେ ନିରୂପଣ କରିଥିଲେ । ୮ ଏହି ଯୁଗର ନେତାମାନଙ୍କ ମଧ୍ୟରେ କେହି ତାହା ଜାଣି ନାହାଁନ୍ତି, କାରଣ ସେମାନେ ତାହା ଜାଣିଥିଲେ ଗୌରବମୟ ପ୍ରଭୁଙ୍କୁ କ୍ରୁଶରେ ହତ କରି ନ ଥାଆନ୍ତେ; ୯ କିନ୍ତୁ ଯେପରି ଲେଖା ଅଛି, “ଚକ୍ଷୁ ଯାହା ଦେଖି ନାହିଁ, କର୍ଣ୍ଣ ଯାହା ଶୁଣି ନାହିଁ, ଆଉ ମନୁଷ୍ୟର ହୃଦୟରେ ଯାହା ଜାତ ହୋଇ ନାହିଁ, ଯେ ସମସ୍ତ ବିଷୟ ଈଶ୍ୱର ଆପଣା ପ୍ରେମକାରୀ ଲୋକମାନଙ୍କ ନିମନ୍ତେ ପ୍ରସ୍ତୁତ କରିଅଛନ୍ତି” । ୧୦ କିନ୍ତୁ ଈଶ୍ୱର ଆମ୍ଭମାନଙ୍କ ନିମନ୍ତେ ପବିତ୍ର ଆତ୍ମାଙ୍କ ଦ୍ୱାରା ସେ ସମସ୍ତ ପ୍ରକାଶ କରିଅଛନ୍ତି ଯେଣୁ ସେହି ଆତ୍ମା ସମସ୍ତ ବିଷୟ, ହଁ, ଈଶ୍ୱରଙ୍କର ଗଭୀର ବିଷୟସବୁ ଅନୁସନ୍ଧାନ କରନ୍ତି । ୧୧ କାରଣ ମନୁଷ୍ୟର ବିଷୟସବୁ ମନୁଷ୍ୟଠାରେ ଥିବା ଆତ୍ମା ବିନା ଆଉ କିଏ ଜାଣେ ? ସେହିପରି ମଧ୍ୟ ଈଶ୍ୱରଙ୍କ ବିଷୟସବୁ ଈଶ୍ୱରଙ୍କ ଆତ୍ମା ବିନା ଆଉ କେହି ଜାଣେ ନାହିଁ । ୧୨ ଯେପରି ଈଶ୍ୱରଙ୍କ ଦ୍ୱାରା ଆମ୍ଭମାନଙ୍କୁ ଅନୁଗ୍ରହରେ ଦିଆଯାଇଥିବା ବିଷୟଗୁଡ଼ିକ ଆମ୍ଭେମାନେ ଜାଣି ପାରୁ, ଏଥିପାଇଁ ଆମ୍ଭେମାନେ ଜଗତର ଆତ୍ମା ନ ପାଇ ଈଶ୍ୱରଙ୍କ ଆତ୍ମା ପାଇଅଛୁ । ୧୩ ସେହି ସମସ୍ତ ବିଷୟ ମଧ୍ୟ ଆମ୍ଭେମାନେ ମନୁଷ୍ୟର ଜ୍ଞାନର ଶିକ୍ଷା ଦ୍ୱାରା ବାକ୍ୟରେ କହି ନ ଥାଉ, ମାତ୍ର ଆତ୍ମିକ ବିଷୟସବୁ ଆତ୍ମିକ ବିଷୟ ଦ୍ୱାରା ବୁଝାଇ ଆତ୍ମାଙ୍କ ଦ୍ୱାରା ଶିକ୍ଷିତ ବାକ୍ୟରେ କହିଥାଉ । ୧୪ କିନ୍ତୁ ସାଂସାରିକ ମନୁଷ୍ୟ ଈଶ୍ୱରଙ୍କ ଆତ୍ମାଙ୍କ ବିଷୟଗୁଡ଼ିକ ଗ୍ରହଣ କରେ ନାହିଁ, କାରଣ ସେହି ସବୁ ତାହା ନିକଟରେ ମୂର୍ଖତା, ପୁଣି, ସେ ସେହି ସବୁ ବୁଝି ପାରେ ନାହିଁ, ଯେଣୁ ସେହିସବୁକୁ ଆତ୍ମିକ ଭାବରେ ବିଚାର କରାଯାଏ । ୧୫ ମାତ୍ର ଯେ ଆତ୍ମିକମନା, ସେ ସମସ୍ତ ବିଷୟ ବିଚାର କରେ, ତଥାପି କେହି ତା'ର ବିଚାର କରେ ନାହିଁ । ୧୬ କାରଣ, କିଏ ପ୍ରଭୁଙ୍କ ମନ ଜାଣିଅଛି ଯେ, ସେ ତାହାଙ୍କୁ ଶିକ୍ଷା ଦେଇ ପାରେ ? କିନ୍ତୁ ଆମ୍ଭେମାନେ ଖ୍ରୀଷ୍ଟଙ୍କ ମନ ପାଇଅଛୁ ।