ପ୍ରେରିତଙ୍କ ଅଧିକାର ଓ କର୍ତ୍ତବ୍ୟ
୧ ମୁଁ କ'ଣ ସ୍ୱାଧୀନ ନୁହେଁ ? ମୁଁ କ'ଣ ଜଣେ ପ୍ରେରିତ ନୁହେଁ ? ମୁଁ କ'ଣ ଆମ୍ଭମାନଙ୍କ ପ୍ରଭୁ ଯୀଶୁଙ୍କୁ ଦର୍ଶନ କରି ନାହିଁ ? ତୁମ୍ଭେମାନେ କ'ଣ ପ୍ରଭୁଙ୍କଠାରେ ମୋହର କୃତ କର୍ମ ନୁହଁ ? ୨ ଯଦ୍ୟପି ମୁଁ ଅନ୍ୟମାନଙ୍କ ନିକଟରେ ଜଣେ ପ୍ରେରିତ ନୁହେଁ, ତଥାପି ତୁମ୍ଭମାନଙ୍କ ନିକଟରେ ଅବଶ୍ୟ ଜଣେ ପ୍ରେରିତ, କାରଣ ପ୍ରଭୁଙ୍କଠାରେ ତୁମ୍ଭେମାନେ ମୋହର ପ୍ରେରିତପଦର ମୁଦ୍ରାଙ୍କ ସ୍ୱରୂପ । ୩ ମୋହର ସମାଲୋଚକମାନଙ୍କୁ ମୋହର ଉତ୍ତର ଏହି । ୪ ଭୋଜନପାନ କରିବାକୁ କ'ଣ ଆମ୍ଭମାନଙ୍କର ଅଧିକାର ନାହିଁ ? ୫ ଅନ୍ୟ ସମସ୍ତ ପ୍ରେରିତ, ପ୍ରଭୁଙ୍କ ଭ୍ରାତୃବର୍ଗ ଓ କୈଫାଙ୍କ ପରି ବିଶ୍ୱାସିନୀ ସ୍ତ୍ରୀ ବିବାହ କରି ସଙ୍ଗରେ ଘେନି ଭ୍ରମଣ କରିବାକୁ କ'ଣ ଆମ୍ଭମାନଙ୍କର ଅଧିକାର ନାହିଁ ? ୬ କିମ୍ବା ଜୀବିକା ନିର୍ବାହର ପରିଶ୍ରମ ପରିତ୍ୟାଗ କରିବାକୁ କ'ଣ କେବଳ ମୋହର ଓ ବର୍ଣ୍ଣବ୍ବାଙ୍କର ଅଧିକାର ନାହିଁ ? ୭ କିଏ ନିଜ ବ୍ୟୟରେ କେବେ ସୈନିକବୃତ୍ତି କରେ ? କିଏ ଦ୍ରାକ୍ଷାକ୍ଷେତ୍ର କରି ସେଥିର ଫଳ ଭୋଜନ ନ କରେ ? ଅବା କିଏ ପଶୁପଲ ପାଳନ କରି ପଲର ଦୁଗ୍ଧ ପାନ ନ କରେ ? ୮ ମୁଁ ମନୁଷ୍ୟ ଭାବରେ କ'ଣ ଏହି ସବୁ କଥା କହୁଅଛି ? ମୋଶାଙ୍କ ବ୍ୟବସ୍ଥା ମଧ୍ୟ କ'ଣ ଏହି ସବୁ କଥା କୁହେ ନାହିଁ ? ୯ କାରଣ ମୋଶାଙ୍କ ବ୍ୟବସ୍ଥାରେ ଏହା ଲେଖା ଅଛି, “ବେଙ୍ଗଳାରେ ବୁଲୁଥିବା ବଳଦର ମୁହଁରେ ତୁଣ୍ଡି ଦିଅ ନାହିଁ”। ଈଶ୍ୱର କ'ଣ ବଳଦ ବିଷୟରେ ଚିନ୍ତା କରନ୍ତି ? ୧୦ ସେ କ'ଣ କେବଳ ଆମ୍ଭମାନଙ୍କ ନିମନ୍ତେ ଏହା କହନ୍ତି ନାହିଁ ? ହଁ ଆମ୍ଭମାନଙ୍କ ନିମନ୍ତେ ଏହା ଲିଖିତ ହୋଇଅଛି, ଯେପରି ଯେ ଚାଷ କରେ, ଆଶାରେ ତାହାର ଚାଷ କରିବା ଉଚିତ, ଆଉ ଯେ ବେଙ୍ଗଳା ପକାଏ, ଭାଗ ପାଇବା ଆଶାରେ ତା'ର ବେଙ୍ଗଳା ପକାଇବା ଉଚିତ । ୧୧ ଯଦି ଆମ୍ଭେମାନେ ତୁମ୍ଭମାନଙ୍କ ନିମନ୍ତେ ପାରମାର୍ଥିକ ବୀଜ ବୁଣିଅଛୁ, ତେବେ ତୁମ୍ଭମାନଙ୍କର ଐହିକ ଶସ୍ୟ ଛେଦନ କଲେ କ'ଣ ଗୁରୁତର ବିଷୟ ? ୧୨ ଯଦି ଅନ୍ୟମାନେ ତୁମ୍ଭମାନଙ୍କ ଅଂଶାଧିକାରୀ ଅଟନ୍ତି, ତେବେ ଆମ୍ଭେମାନେ କ'ଣ ଆହୁରି ଅଧିକ ନୋହୁଁ ? ତଥାପି ଆମ୍ଭେମାନେ ସେହି ଅଧିକାର ବ୍ୟବହାର କରି ନାହୁଁ; କିନ୍ତୁ ଯେପରି ଆମ୍ଭେମାନେ ଖ୍ରୀଷ୍ଟଙ୍କ ସୁସମାଚାରର କୌଣସି ବାଧା ନ ଜନ୍ମାଉ, ଏଥିପାଇଁ ସମସ୍ତ ସହ୍ୟ କରୁଅଛୁ । ୧୩ ଯେଉଁମାନେ ମନ୍ଦିରରେ ସେବା କରନ୍ତି, ସେମାନେ ଯେ ମନ୍ଦିରରୁ ଖାଦ୍ୟ ପାଆନ୍ତି, ପୁଣି, ଯେଉଁମାନେ ବେଦିର ସେବାରେ ନିବିଷ୍ଟ ରହନ୍ତି, ସେମାନେ ଯେ ବେଦୀ ସହିତ ଅଂଶୀ ହୁଅନ୍ତି, ଏହା କ'ଣ ଜାଣ ନାହିଁ ? ୧୪ ସେହି ପ୍ରକାରେ ଯେଉଁମାନେ ସୁସମାଚାର ପ୍ରଚାର କରନ୍ତି, ସେମାନେ ଯେ ସୁସମାଚାର ଦ୍ୱାରା ଜୀବନ ନିର୍ବାହ କରିବେ, ଏହା ପ୍ରଭୁ ଆଦେଶ ଦେଇଅଛନ୍ତି । ୧୫ କିନ୍ତୁ ମୁଁ ଏହି ସବୁ ବିଷୟ କିଛି ବ୍ୟବହାର କରି ନାହିଁ, ଆଉ ମୋ' ପ୍ରତି ଯେ ଏହିପରି କରାଯିବ, ଏଥିପାଇଁ ମୁଁ ଏହି ସବୁ ଲେଖୁ ନାହିଁ; କାରଣ କେହି ମୋହର ଏହି ଦର୍ପ ବ୍ୟର୍ଥ କରିବା ଅପେକ୍ଷା ବରଂ ମୋହର ମରିବା ଭଲ । ୧୬ କାରଣ ମୁଁ ଯଦି ସୁସମାଚାର ପ୍ରଚାର କରେ, ସେଥିରେ ମୋହର ଦର୍ପ କରିବାର କିଛି ନାହିଁ, ଯେଣୁ ତାହା କରିବା ନିମନ୍ତେ ମୁଁ ବାଧ୍ୟ; ଆଉ ଯଦି ମୁଁ ସୁସମାଚାର ପ୍ରଚାର ନ କରେ, ତେବେ ହାୟ, ମୁଁ ଦଣ୍ଡର ପାତ୍ର । ୧୭ କାରଣ ଯଦି ମୁଁ ସ୍ୱେଚ୍ଛାରେ ଏହା କରେ, ତେବେ ମୋହର ପୁରସ୍କାର ଅଛି; କିନ୍ତୁ ଯଦି ସ୍ୱେଚ୍ଛାରେ ନ କରେ, ତେବେ ହେଁ ସେବକପଦର ଭାର ମୋ'ଠାରେ ସମର୍ପିତ ହୋଇଅଛି । ୧୮ ତେବେ ମୋହର ପୁରସ୍କାର କ'ଣ ? ତାହା ଏହି ଯେ, ଯେପରି ମୁଁ ସୁସମାଚାରରେ ଥିବା ମୋହର ଅଧିକାର ବ୍ୟବହାର ନ କରି ସୁସମାଚାର ପ୍ରଚାର କରୁ କରୁ ସେହି ସୁସମାଚାରକୁ ବିନାମୂଲ୍ୟର ପ୍ରଚାର କରେ । ୧୯ କାରଣ ଯେପରି ମୁଁ ଅଧିକସଂଖ୍ୟକ ଲୋକ ଲାଭ କରି ପାରେ, ଏଥିପାଇଁ ମୁଁ କାହାରି ଅଧୀନ ନ ହେଲେ ହେଁ ନିଜକୁ ସମସ୍ତଙ୍କ ଦାସ କଲି । ୨୦ ଯେପରି ମୁଁ ଯିହୂଦୀମାନଙ୍କୁ ଲାଭ କରି ପାରେ, ଏଥିପାଇଁ ଯିହୂଦୀମାନଙ୍କ ନିକଟରେ ମୁଁ ଯିହୂଦୀ ପରି ହେଲି; ଯେପରି ମୋଶାଙ୍କ ବ୍ୟବସ୍ଥା ଅଧୀନରେ ଥିବା ଲୋକମାନଙ୍କୁ ଲାଭ କରି ପାରେ, ଏଥିପାଇଁ ମୁଁ ମୋଶାଙ୍କ ବ୍ୟବସ୍ଥାର ଅଧୀନ ନ ହେଲେ ସୁଦ୍ଧା ମୋଶାଙ୍କ ବ୍ୟବସ୍ଥା ଅଧୀନ ଲୋକମାନଙ୍କ ନିକଟରେ ମୋଶାଙ୍କ ବ୍ୟବସ୍ଥା ଅଧୀନର ପରି ହେଲି । ୨୧ ଯେପରି ମୁଁ ମୋଶାଙ୍କ ବ୍ୟବସ୍ଥାବିହୀନ ଲୋକମାନଙ୍କୁ ଲାଭ କରି ପାରେ, ଏଥିପାଇଁ ମୁଁ ଈଶ୍ୱରଙ୍କ ମୋଶାଙ୍କ ବ୍ୟବସ୍ଥାବିହୀନ ନ ହୋଇ ଖ୍ରୀଷ୍ଟଙ୍କ ମୋଶାଙ୍କ ବ୍ୟବସ୍ଥାର ଅନୁଗତ ହେଲେ ହେଁ ମୋଶାଙ୍କ ବ୍ୟବସ୍ଥାବିହୀନ ଲୋକମାନଙ୍କ ନିକଟରେ ମୋଶାଙ୍କ ବ୍ୟବସ୍ଥାବିହୀନ ପରି ହେଲି । ୨୨ ଯେପରି ମୁଁ ଦୁର୍ବଳ ମାନଙ୍କୁ ଲାଭ କରି ପାରେ, ଏଥିପାଇଁ ମୁଁ ଦୁର୍ବଳମାନଙ୍କ ନିକଟରେ ଦୁର୍ବଳ ପରି ହେଲି; ଯେପରି ମୁଁ ଯେକୌଣସି ପ୍ରକାରେ କେତେକଙ୍କୁ ରକ୍ଷା କରି ପାରେ, ଏଥିପାଇଁ ମୁଁ ସମସ୍ତଙ୍କ ନିକଟରେ ସବୁପ୍ରକାର ହୋଇଅଛି । ୨୩ ମୁଁ ଯେପରି ସୁସମାଚାରର ଆଶୀର୍ବାଦର ସହଭାଗୀ ହୁଏ, ଏଥିପାଇଁ ମୁଁ ସୁସମାଚାର ନିମନ୍ତେ ସବୁ କରେ ।
ପ୍ରଭୁଙ୍କ ନିମନ୍ତେ ଦୌଡ଼
୨୪ ଯେଉଁମାନେ ରଙ୍ଗଭୂମିରେ ଦୌଡ଼ନ୍ତି, ସେମାନେ ସମସ୍ତେ ଦୌଡ଼ନ୍ତି ସତ, କିନ୍ତୁ କେବଳ ଜଣେ ଯେ ପଣ ପାଏ, ଏହା କି ତୁମ୍ଭେମାନେ ଜାଣ ନାହିଁ ? ତୁମ୍ଭେମାନେ ଯେପରି ପଣ ପାଇବ, ଏଥିପାଇଁ ସେହିପରି ଦୌଡ଼ । ୨୫ ଯେ କେହି କ୍ରୀଡ଼ାରେ ପ୍ରତିଦ୍ୱନ୍ଦିତା କରେ, ସେ ସମସ୍ତ ବିଷୟରେ ପରିମିତଭୋଗୀ ହୁଏ; ସେମାନେ କ୍ଷୟଣୀୟ ମୁକୁଟ ପାଇବା ନିମନ୍ତେ ତାହା କରନ୍ତି; ମାତ୍ର ଆମ୍ଭେମାନେ ଅକ୍ଷୟ ମୁକୁଟ ପାଇବା ନିମନ୍ତେ ତାହା କରୁ । ୨୬ ଅତଏବ ମୁଁ ଦୌଡ଼ୁଅଛି, କିନ୍ତୁ ବିନାଲକ୍ଷ୍ୟରେ ନୁହେଁ, ମୁଁ ମୁଷ୍ଟିଯୁଦ୍ଧ କରୁଅଛି, କିନ୍ତୁ ଶୂନ୍ୟକୁ ଆଘାତ କରିବା ଲୋକ ପରି ନୁହେଁ । ୨୭ ଅନ୍ୟ ଲୋକମାନଙ୍କ ନିକଟରେ ପ୍ରଚାର କରି କାଳେ ମୁଁ ନିଜେ କୌଣସି ପ୍ରକାରେ ଅଗ୍ରାହ୍ୟ ହୁଏ, ଏଥିପାଇଁ ମୋହର ନିଜ ଶରୀରକୁ କଷ୍ଟ ଦେଇ ବଶରେ ଦାସ କରି ରଖୁଅଛି ।