ଶଲୋମନଙ୍କ ପ୍ରାସାଦ ନିର୍ମାଣ
୧ ଏଥିଉତ୍ତାରେ ଶଲୋମନ ତେର ବର୍ଷ ଆପଣା ଗୃହ ନିର୍ମାଣ କରିବାରେ ଲାଗି ଆପଣାର ସମୁଦାୟ ଗୃହ ସମାପ୍ତ କଲେ। ୨ କାରଣ, ସେ ଲିବାନୋନ-ଅରଣ୍ୟ ନାମକ ଗୃହ ନିର୍ମାଣ କଲେ; ତହିଁର ଦୀର୍ଘତା ଏକ ଶହ ହାତ, ତହିଁର ପ୍ରସ୍ଥ ପଚାଶ ହାତ ଓ ତହିଁର ଉଚ୍ଚତା ତିରିଶ ହାତ, ଚାରି ଧାଡ଼ି ଏରସ କାଷ୍ଠର ସ୍ତମ୍ଭ ଉପରେ ଏରସ କାଷ୍ଠର କଡ଼ି ଦେଇ ତାହା ନିର୍ମାଣ କଲେ। ୩ ଆଉ, ସ୍ତମ୍ଭମାନର ଉପରିସ୍ଥିତ ପଞ୍ଚଚାଳିଶ କଡ଼ି ଉପରେ ଏରସ କାଷ୍ଠର ଛାତ କଲେ; ଧାଡ଼ିକେ ପନ୍ଦର ଲେଖାଏଁ। ୪ ପୁଣି, ତିନି ଧାଡ଼ି ଖିଡ଼ିକି ଥିଲା ଓ ତିନି ଧାଡ଼ିର ଆଲୁଅ ସମ୍ମୁଖାସମ୍ମୁଖୀ ଥିଲା। ୫ ଖିଡ଼ିକିର ସମସ୍ତ ଦ୍ୱାର ଓ ଚୌକାଠ ଚାରି ଚୌରସ ଥିଲା ଓ ତିନି ଧାଡ଼ିର ଆଲୁଅ ସମ୍ମୁଖାସମ୍ମୁଖୀ ଥିଲା। ୬ ଆହୁରି ସେ ସ୍ତମ୍ଭଶ୍ରେଣୀର ବାରଣ୍ଡା କଲେ; ତହିଁର ଦୀର୍ଘତା ପଚାଶ ହାତ, ପ୍ରସ୍ଥ ତିରିଶ ହାତ; ତହିଁ ସମ୍ମୁଖରେ ଆଉ ଏକ ବାରଣ୍ଡା କଲେ ଓ ତହିଁ ସମ୍ମୁଖରେ ସ୍ତମ୍ଭ ଓ ମୋଟ କଡ଼ିମାନ ଦେଲେ। ୭ ପୁଣି, ସେ ବିଚାରାର୍ଥେ ସିଂହାସନର ବାରଣ୍ଡା, ଅର୍ଥାତ୍‍, ବିଚାର-ବାରଣ୍ଡା କଲେ; ଆଉ ଚଟାଣକୁ ଚଟାଣ ଏରସ କାଷ୍ଠରେ ଆଚ୍ଛାଦିତ କଲେ। ୮ ଆଉ, ତାଙ୍କର ବାସଗୃହ, ବାରଣ୍ଡା ଭିତର ଅନ୍ୟ ପ୍ରାଙ୍ଗଣର କାର୍ଯ୍ୟ ପରି ଥିଲା। ଆଉ, ଶଲୋମନ ଆପଣା ଭାର୍ଯ୍ୟା ଫାରୋର କନ୍ୟା ନିମନ୍ତେ ସେହି ବାରଣ୍ଡା ପରି ଏକ ଗୃହ ମଧ୍ୟ ନିର୍ମାଣ କଲେ। ୯ ଏହିସବୁ ଭିତ୍ତିମୂଳ ଠାରୁ ଛାତ ପର୍ଯ୍ୟନ୍ତ ଭିତରେ ଓ ବାହାରେ ଖୋଦିତ ପ୍ରସ୍ତରର ପରିମାଣାନୁସାରେ କରତରେ ଚିରା ବହୁମୂଲ୍ୟ ପ୍ରସ୍ତର ଦ୍ୱାରା ନିର୍ମିତ ହେଲା। ପୁଣି, ବାହାରେ ବୃହତ ପ୍ରାଙ୍ଗଣ ପର୍ଯ୍ୟନ୍ତ ସେହିରୂପ ହେଲା। ୧୦ ଆଉ ଦଶ ହାତ ଓ ଆଠ ହାତର ବଡ଼ ବଡ଼ ଓ ବହୁମୂଲ୍ୟ ପ୍ରସ୍ତରରେ ଭିତ୍ତିମୂଳ ହେଲା। ୧୧ ପୁଣି, ଉପରେ ପରିମାଣାନୁସାରେ ବହୁମୂଲ୍ୟ ଓ ଖୋଦିତ ପ୍ରସ୍ତର ଓ ଏରସ କାଷ୍ଠ ଥିଲା। ୧୨ ଆଉ ଯେପରି ସଦାପ୍ରଭୁଙ୍କ ଗୃହର ଭିତର ପ୍ରାଙ୍ଗଣ ଓ ଗୃହ-ବାରଣ୍ଡାରେ, ସେପରି ବୃହତ ପ୍ରାଙ୍ଗଣର ଚତୁର୍ଦ୍ଦିଗରେ ତିନି ଧାଡ଼ି ଖୋଦିତ ପ୍ରସ୍ତର ଓ ଏକ ଧାଡ଼ି ଏରସ-କଡ଼ି ଥିଲା।
ହୂରମ୍‍ଙ୍କ ଶିଳ୍ପ କାର୍ଯ୍ୟ
୧୩ ଏଥିଉତ୍ତାରେ ଶଲୋମନ ରାଜା ଲୋକ ପଠାଇ ହୂରମ୍‍କୁ ସୋରରୁ ଅଣାଇଲେ। ୧୪ ସେ ନପ୍ତାଲି-ବଂଶୀୟ ଏକ ବିଧବା ସ୍ତ୍ରୀର ପୁତ୍ର, ତାହାର ପିତା ସୋର ନଗରସ୍ଥ ଏକ କାଂସ୍ୟକାର ଥିଲା; ପୁଣି, ସେ ପିତ୍ତଳର ସମସ୍ତ କାର୍ଯ୍ୟ କରିବାକୁ ଜ୍ଞାନ ଓ ବୁଦ୍ଧି ଓ ବିଦ୍ୟାରେ ପରିପୂର୍ଣ୍ଣ ଥିଲା। ପୁଣି, ସେ ଶଲୋମନ ରାଜାଙ୍କ ନିକଟକୁ ଆସି ତାଙ୍କର ସମସ୍ତ କାର୍ଯ୍ୟ କଲା।
ଦୁଇଟି ପିତ୍ତଳ ସ୍ତମ୍ଭ
୧୫ ଆଉ ସେ ଅଠର ହାତ ଉଚ୍ଚ ଓ ବାର ହାତ ପରିଧିରେ ଦୁଇ ପିତ୍ତଳ ସ୍ତମ୍ଭ ନିର୍ମାଣ କଲା। ୧୬ ପୁଣି, ସେ ଦୁଇ ସ୍ତମ୍ଭର ମଥାନରେ ଦେବା ପାଇଁ ଢଳା ପିତ୍ତଳର ଦୁଇ ମୁଣ୍ଡାଳି କଲା; ଏକ ମୁଣ୍ଡାଳିର ଉଚ୍ଚତା ପାଞ୍ଚ ହାତ ଓ ଅନ୍ୟ ମୁଣ୍ଡାଳିର ଉଚ୍ଚତା ପାଞ୍ଚ ହାତ ଥିଲା। ୧୭ ସ୍ତମ୍ଭ-ମଥାନର ସେହି ମୁଣ୍ଡାଳି ନିମନ୍ତେ ଜାଲିକାର୍ଯ୍ୟର ଜାଲି ଓ ଜଞ୍ଜିର କାର୍ଯ୍ୟର ମାଳା ଥିଲା, ଏକ ମୁଣ୍ଡାଳି ପାଇଁ ସାତ ଓ ଅନ୍ୟ ମୁଣ୍ଡାଳି ପାଇଁ ସାତ। ୧୮ ଏହିପରି ସେ ସ୍ତମ୍ଭ ନିର୍ମାଣ କଲା; ସ୍ତମ୍ଭ-ମଥାନରେ ଥିବା ମୁଣ୍ଡାଳିର ଆଚ୍ଛାଦନାର୍ଥକ ପ୍ରତ୍ୟେକ ଜାଲିକାର୍ଯ୍ୟ ଉପରେ ଚତୁର୍ଦ୍ଦିଗରେ ଦୁଇ ଧାଡ଼ି ଡାଳିମ୍ବ ଥିଲା ଓ ସେ ଅନ୍ୟ ମୁଣ୍ଡାଳି ନିମନ୍ତେ ତଦ୍ରୂପ କଲା। ୧୯ ପୁଣି, ବାରଣ୍ଡା ଭିତର ସ୍ତମ୍ଭ-ମଥାନର ମୁଣ୍ଡାଳି ଚାରି ହାତ କଇଁଫୁଲ-କର୍ମବିଶିଷ୍ଟ ଥିଲା। ୨୦ ଆଉ, ଦୁଇ ସ୍ତମ୍ଭର ଉପରି ଭାଗରେ ମଧ୍ୟ ମୁଣ୍ଡାଳି ଥିଲା, ତାହା ଜାଲିକର୍ମ ସନ୍ନିକଟ ଗର୍ଭ ପାଖରେ ଥିଲା; ପୁଣି, ଅନ୍ୟ ମୁଣ୍ଡାଳି ଉପରେ ଚତୁର୍ଦ୍ଦିଗରେ ଧାଡ଼ି ଧାଡ଼ି ହୋଇ ଦୁଇ ଶହ ଡାଳିମ୍ବ ଥିଲା। ୨୧ ଆହୁରି ସେ ମନ୍ଦିରର ବାରଣ୍ଡାରେ ସେହି ସ୍ତମ୍ଭମାନ ସ୍ଥାପନ କଲା; ଆଉ ସେ ଦକ୍ଷିଣ ସ୍ତମ୍ଭ ସ୍ଥାପନ କରି ତହିଁର ନାମ ଯାଖୀନ୍‍ (ସେ ସ୍ଥିର କରିବେ) ଦେଲା ଓ ସେ ବାମ ସ୍ତମ୍ଭ ସ୍ଥାପନ କରି ତହିଁର ନାମ ବୋୟସ୍‍ (ତହିଁରେ ବଳ) ଦେଲା। ୨୨ ପୁଣି, ସେହି ସ୍ତମ୍ଭ-ମଥାନ ଉପରେ କଇଁଫୁଲ-କର୍ମ ଥିଲା; ଏହିରୂପେ ସ୍ତମ୍ଭ କାର୍ଯ୍ୟ ସମାପ୍ତ ହେଲା।
ପିତ୍ତଳ କୁଣ୍ଡ
୨୩ ଏଥିଉତ୍ତାରେ ସେ ଛାଞ୍ଚରେ ଢଳା ଗୋଲାକାର ସମୁଦ୍ର ରୂପ ପାତ୍ର ନିର୍ମାଣ କଲା, ତାହା ଏକ ଫନ୍ଦରୁ ଅନ୍ୟ ଫନ୍ଦ ଯାଏ ଦଶ ହାତ ଓ ତହିଁର ଉଚ୍ଚତା ପାଞ୍ଚ ହାତ ଓ ତହିଁର ପରିଧି ତିରିଶ ହାତ ପରିମିତ ଥିଲା। ୨୪ ଆଉ ଫନ୍ଦ ତଳେ ଚତୁର୍ଦ୍ଦିଗରେ କଳିକାମାନ ପରିବେଷ୍ଟିତ ଥିଲା, ତାହା ହାତକେ ଦଶ ଲେଖାଏଁ ସମୁଦ୍ରରୂପ ପାତ୍ରକୁ ବେଷ୍ଟନ କରି ରହିଲା; ପାତ୍ର ଢଳା ହେବା ବେଳେ ଏହି କଳିକାମାନ ଦୁଇ ଧାଡ଼ିରେ ଢଳା ଯାଇଥିଲା। ୨୫ ଏହି ପାତ୍ର ଦ୍ୱାଦଶ ଗୋରୁ ଉପରେ ସ୍ଥାପିତ ଥିଲା, ସେମାନଙ୍କ ତିନିର ମୁଖ ଉତ୍ତରକୁ ଓ ତିନିର ମୁଖ ପଶ୍ଚିମକୁ ଓ ତିନିର ମୁଖ ଦକ୍ଷିଣକୁ ଓ ତିନିର ମୁଖ ପୂର୍ବକୁ ଥିଲା; ସେମାନଙ୍କ ଉପରେ ସମୁଦ୍ରରୂପ ପାତ୍ର ସ୍ଥାପିତ ଥିଲା ଓ ସେସମସ୍ତର ପଶ୍ଚାତ୍‍ଭାଗ ଭିତରକୁ ଥିଲା। ୨୬ ସେହି ପାତ୍ର ଚାରି ଅଙ୍ଗୁଳି ମୋଟ, ତହିଁର ଫନ୍ଦ ତାଟିଆର ଫନ୍ଦ ପରି ନିର୍ମିତ, କଇଁଫୁଲ ତୁଲ୍ୟ ଥିଲା; ତହିଁରେ ଦୁଇ ହଜାର ମହଣ ଧରିଲା।
ପିତ୍ତଳ ବଇଠି
୨୭ ପୁଣି, ସେ ଦଶ ପିତ୍ତଳ ବଇଠି କଲା; ପ୍ରତ୍ୟେକ ବଇଠିର ଦୈର୍ଘ୍ୟ ଚାରି ହାତ, ପ୍ରସ୍ଥ ଚାରି ହାତ ଓ ଉଚ୍ଚତା ତିନି ହାତ ଥିଲା। ୨୮ ସେସବୁ ବଇଠିର ଗଠନ ଏହିରୂପ, ଯଥା, ସେସବୁର ମଧ୍ୟଦେଶ ଥିଲା; ସେହିସବୁ ମଧ୍ୟଦେଶ ବିଟମାନର ମଧ୍ୟରେ ଥିଲା; ୨୯ ପୁଣି, ବିଟର ମଧ୍ୟବର୍ତ୍ତା ସେହିସବୁ ମଧ୍ୟଦେଶରେ ସିଂହ, ଗୋରୁ ଓ କିରୂବମାନେ ଥିଲେ; ଆଉ ବିଟ ଉପରେ ଏକ ବଇଠି ଥିଲା; ପୁଣି, ସିଂହ ଓ ଗୋରୁମାନଙ୍କ ତଳେ ସୂକ୍ଷ୍ମ କାର୍ଯ୍ୟର ମାଳା ଥିଲା। ୩୦ ଆହୁରି ପ୍ରତ୍ୟେକ ବଇଠିର ପିତ୍ତଳମୟ ଚାରି ଚକ୍ର, ପିତ୍ତଳର ଅଖ ଥିଲା ଓ ଚାରିକୋଣରେ ସ୍ଥାପିତ ଅବଲମ୍ବନ ଥିଲା; ସେହିସବୁ ଢଳାକର୍ମର ଅବଲମ୍ବନ ପ୍ରକ୍ଷାଳନ-ପାତ୍ର ତଳେ ଥିଲା ଓ ପ୍ରତ୍ୟେକର ପାର୍ଶ୍ୱରେ ମାଳା ଥିଲା। ୩୧ ପୁଣି, ତହିଁର ମୁଣ୍ଡାଳି ମଧ୍ୟରେ ଓ ତାହା ଉପରେ ତହିଁର ମୁଖ ଏକ ହସ୍ତ, ଆଉ ତହିଁର ମୁଖ ବଇଠିର କର୍ମାନୁସାରେ ଗୋଲାକାର ଓ ଦେଢ଼ ହସ୍ତ ପରିମିତ; ମଧ୍ୟ ତହିଁର ମୁଖ ଉପରେ ଶିଳ୍ପକାର୍ଯ୍ୟ ଓ ତହିଁର ମଧ୍ୟଦେଶସବୁ ଗୋଲାକାର ନୋହି ଚତୁଷ୍କୋଣ ଥିଲା। ୩୨ ପୁଣି, ମଧ୍ୟଦେଶ ତଳେ ଚାରିଚକ୍ର ଓ ଚକ୍ରର ଅଖ ବଇଠିକିରେ ସଂଯୁକ୍ତ ଥିଲା; ଆଉ ପ୍ରତ୍ୟେକ ଚକ୍ର ଦେଢ଼ ହସ୍ତ ଉଚ୍ଚ ଥିଲା। ୩୩ ଆଉ ସେହିସବୁ ଚକ୍ରର କର୍ମ ରଥଚକ୍ରର କର୍ମ ତୁଲ୍ୟ ଥିଲା; ତହିଁର ଅଖ, ନେମୀ, ନାଭି ଓ ଅରସବୁ ଢଳାକର୍ମର ଥିଲା। ୩୪ ପୁଣି, ପ୍ରତ୍ୟେକ ବଇଠିକିର ଚାରିକୋଣରେ ଚାରି ଅବଲମ୍ବନ ଥିଲା, ସେହି ଅବଲମ୍ବନ ବଇଠିକି ଦେହରେ ନିର୍ମିତ ଥିଲା। ୩୫ ଆଉ ବଇଠିକି ମୁଣ୍ଡରେ ଅର୍ଦ୍ଧ ହସ୍ତ ଉଚ୍ଚ ଏକ ଗୋଲାକାର ବନ୍ଧନୀ ଥିଲା; ପୁଣି, ବଇଠିକି ଉପରିସ୍ଥ ଅବଲମ୍ବନ ଓ ମଧ୍ୟଦେଶ ତହିଁ ସଙ୍ଗେ ନିର୍ମିତ ଥିଲା। ୩୬ ପୁଣି, ସେ ତହିଁର ଅବଲମ୍ବନ ପ୍ରଦେଶରେ ଓ ତହିଁର ମଧ୍ୟଦେଶରେ ପ୍ରତ୍ୟେକର ପରିମାଣାନୁଯାୟୀ କିରୂବ, ସିଂହ ଓ ଖର୍ଜ୍ଜୁର ବୃକ୍ଷ ଖୋଦନ କରି ଚତୁର୍ଦ୍ଦିଗରେ ମାଳା ଦେଲା। ୩୭ ଏହିରୂପେ ସେ ଏକ ଛାଞ୍ଚ, ଏକ ପରିମାଣ ଓ ଏକ ଆକାରରେ ସେହି ଦଶ ବଇଠିକିଯାକ ନିର୍ମାଣ କଲା। ୩୮ ଏଉତ୍ତାରେ ସେ ପିତ୍ତଳର ଦଶ ପ୍ରକ୍ଷାଳନ-ପାତ୍ର ନିର୍ମାଣ କଲା; ଏକ ଏକ ପାତ୍ର ଚାଳିଶ ମହଣ* ଚାଳିଶ ମହଣ ପ୍ରାୟ ୮୦୦ ଲିଟର ଧରେ; ପ୍ରତ୍ୟେକ ପାତ୍ର ଚାରି ହସ୍ତ ପରିମିତ; ପୁଣି, ଦଶ ବଇଠିକିର ପ୍ରତ୍ୟେକର ଉପରେ ଏକ ଏକ ପ୍ରକ୍ଷାଳନ-ପାତ୍ର ରହିଲା। ୩୯ ପୁଣି, ସେ ଗୃହର ଦକ୍ଷିଣ ପାର୍ଶ୍ୱରେ ପାଞ୍ଚ ଓ ଗୃହର ବାମ ପାର୍ଶ୍ୱରେ ପାଞ୍ଚ ବଇଠିକି ରଖିଲା; ଆଉ ଗୃହର ଦକ୍ଷିଣ ପାର୍ଶ୍ୱରେ ପୂର୍ବଦିଗରେ ଦକ୍ଷିଣ ଆଡ଼କୁ ସମୁଦ୍ରରୂପ ପାତ୍ର ସ୍ଥାପନ କଲା।
ମନ୍ଦିର ସାଜସଜାର ତାଲିକା
୪୦ ପୁଣି, ହୂରମ୍‍ ଏହିସବୁ ପ୍ରକ୍ଷାଳନ-ପାତ୍ର ଓ କରଚୁଲି ଓ କୁଣ୍ଡ ନିର୍ମାଣ କଲା। ଏହିରୂପେ ସଦାପ୍ରଭୁଙ୍କ ଗୃହରେ ଶଲୋମନ ରାଜାଙ୍କ ନିମନ୍ତେ ହୂରମ୍‍ ଯେ ଯେ କର୍ମରେ ପ୍ରବୃତ୍ତ ହୋଇଥିଲା, ସେସକଳ ସମାପ୍ତ କଲା; ୪୧ ଦୁଇ ସ୍ତମ୍ଭ ଓ ସେହି ସ୍ତମ୍ଭ ଉପରିସ୍ଥ ମୁଣ୍ଡାଳିର ଦୁଇ ଗୋଲାକାର ଓ ସ୍ତମ୍ଭ ଉପରିସ୍ଥ ମୁଣ୍ଡାଳିର ଦୁଇ ଗୋଲାକାର ଆଚ୍ଛାଦନାର୍ଥେ ଦୁଇ ଜାଲିକର୍ମ; ୪୨ ଆଉ, ସେହି ଦୁଇ ଜାଲିକର୍ମ ନିମନ୍ତେ ଚାରି ଶହ ଡାଳିମ୍ବ; ଅର୍ଥାତ୍‍, ସ୍ତମ୍ଭ ଉପରିସ୍ଥ ମୁଣ୍ଡାଳିର ଦୁଇ ଗୋଲାକାର ଆଚ୍ଛାଦନାର୍ଥେ ପ୍ରତ୍ୟେକ ଜାଲିକର୍ମ ପାଇଁ ଦୁଇ ଦୁଇ ଧାଡ଼ି ଡାଳିମ୍ବ; ୪୩ ଆଉ, ଦଶ ବଇଠିକି ଓ ସେହିସବୁ ବଇଠିକି ଉପରେ ଦଶ ପ୍ରକ୍ଷାଳନ-ପାତ୍ର, ୪୪ ଏକ ସମୁଦ୍ରରୂପ ପାତ୍ର, ସେହି ସମୁଦ୍ର ପାତ୍ର ତଳେ ବାର ଗୋରୁ, ୪୫ ହାଣ୍ଡି, କରଚୁଲି ଓ କୁଣ୍ଡ, ଏହି ଯେସକଳ ପାତ୍ର ହୂରମ୍‍ ଶଲୋମନ ରାଜାଙ୍କ ପାଇଁ ସଦାପ୍ରଭୁଙ୍କ ଗୃହରେ ନିର୍ମାଣ କଲା, ତାହାସବୁ ଉଜ୍ଜ୍ୱଳ ପିତ୍ତଳର ଥିଲା। ୪୬ ରାଜା ଯର୍ଦ୍ଦନ-ପଦାରେ ସୁକ୍‍କୋତ ଓ ସର୍ତ୍ତନ ମଧ୍ୟସ୍ଥିତ ଚିକ୍‍କଣ ଭୂମିରେ ତାହାସବୁ ଢଳାଇଲେ। ୪୭ ଆଉ, ଅତ୍ୟନ୍ତ ବାହୁଲ୍ୟ ହେତୁ ଶଲୋମନ ସେହିସବୁ ପାତ୍ର ତୌଲ କଲେ ନାହିଁ; ପିତ୍ତଳର ଓଜନ ଜଣାଗଲା ନାହିଁ। ୪୮ ଆହୁରି ଶଲୋମନ ସଦାପ୍ରଭୁଙ୍କ ଗୃହସ୍ଥିତ ସମସ୍ତ ସାମଗ୍ରୀ ନିର୍ମାଣ କରାଇଲେ; ଅର୍ଥାତ୍‍, ସ୍ୱର୍ଣ୍ଣ ବେଦି ଓ ଦର୍ଶନୀୟ ରୁଟି ସ୍ଥାପନାର୍ଥେ ସ୍ୱର୍ଣ୍ଣର ମେଜ; ୪୯ ପୁଣି, ମହା ପବିତ୍ର ସ୍ଥାନ ସମ୍ମୁଖର ଦକ୍ଷିଣରେ ପାଞ୍ଚ, ବାମରେ ପାଞ୍ଚ ନିର୍ମଳ ସୁବର୍ଣ୍ଣର ଦୀପବୃକ୍ଷ, ସୁବର୍ଣ୍ଣର ପୁଷ୍ପ, ପ୍ରଦୀପ, ଚିମୁଟା, ୫୦ ନିର୍ମଳ ସୁବର୍ଣ୍ଣର ପାତ୍ର, କତୁରୀ, କୁଣ୍ଡ, ଚାମର ଓ ଅଙ୍ଗାରଧାନୀ; ପୁଣି, ଅନ୍ତରାଗାରର, ଅର୍ଥାତ୍‍, ମହାପବିତ୍ର ସ୍ଥାନର କବାଟ ପାଇଁ ଓ ଗୃହର, ଅର୍ଥାତ୍‍, ମନ୍ଦିରର କବାଟ ପାଇଁ ସୁବର୍ଣ୍ଣର କବ୍‌ଜା କଲେ। ୫୧ ଏହିରୂପେ ସଦାପ୍ରଭୁଙ୍କ ଗୃହରେ ଶଲୋମନ ରାଜା ଯେସକଳ କାର୍ଯ୍ୟରେ ପ୍ରବୃତ୍ତ ହେଲେ, ତାହା ସମାପ୍ତ କଲେ। ପୁଣି, ଶଲୋମନ ଆପଣା ପିତା ଦାଉଦଙ୍କର ପବିତ୍ରୀକୃତ ସାମଗ୍ରୀ, ଅର୍ଥାତ୍‍, ରୂପା, ସୁନା ଓ ପାତ୍ରସବୁ ଆଣି ସଦାପ୍ରଭୁଙ୍କ ଗୃହସ୍ଥିତ ଭଣ୍ଡାରରେ ରଖିଲେ।

*୭:୩୮ ଚାଳିଶ ମହଣ ପ୍ରାୟ ୮୦୦ ଲିଟର