୨୧
ଦାଉଦ ଏବଂ ପବିତ୍ର ରୁଟି
୧ ଏଥିଉତ୍ତାରେ ଦାଉଦ ନୋବରେ ଅହୀମେଲକ୍‍ ଯାଜକ ନିକଟକୁ ଆସିଲେ; ତହିଁରେ ଅହୀମେଲକ୍‍ କମ୍ପମାନ ହୋଇ ଦାଉଦଙ୍କୁ ସାକ୍ଷାତ କରିବାକୁ ଆସି ତାଙ୍କୁ କହିଲା, ତୁମ୍ଭ ସଙ୍ଗରେ କୌଣସି ଲୋକ ନାହିଁ, ତୁମ୍ଭେ ଏକା କାହିଁକି ? ୨ ଏଥିରେ ଦାଉଦ ଅହୀମେଲକ୍‍ ଯାଜକକୁ କହିଲେ, ରାଜା ମୋତେ ଗୋଟିଏ କାର୍ଯ୍ୟ କରିବାକୁ ଆଜ୍ଞା କରିଅଛନ୍ତି ଓ ମୋତେ କହିଅଛନ୍ତି, ଯେଉଁ କାର୍ଯ୍ୟ ନିମନ୍ତେ ମୁଁ ତୁମ୍ଭକୁ ପଠାଏ ଓ ମୁଁ ତୁମ୍ଭକୁ ଯାହା ଆଜ୍ଞା କରିଅଛି, ସେହି ବିଷୟ କେହି କିଛି ନ ଜାଣୁ; ଆଉ ମୁଁ ଯୁବାମାନଙ୍କୁ ନିର୍ଦ୍ଦିଷ୍ଟ ସ୍ଥାନମାନଙ୍କରେ ନିଯୁକ୍ତ କରିଅଛି। ୩ ଏବେ ତୁମ୍ଭ ହସ୍ତରେ କଅଣ ଅଛି ? ପାଞ୍ଚଟି ରୁଟି, ଅବା ଯାହା କିଛି ଅଛି, ତାହା ମୋ’ ହସ୍ତରେ ଦିଅ। ୪ ଏଥିରେ ଯାଜକ ଦାଉଦଙ୍କୁ ଉତ୍ତର କରି କହିଲା, ମୋ’ ହସ୍ତରେ ସାଧାରଣ ରୁଟି ନାହିଁ; ଯେବେ ଯୁବାମାନେ ସ୍ତ୍ରୀମାନଙ୍କଠାରୁ ଆପଣାମାନଙ୍କୁ ପୃଥକ ରଖିଥିବେ, ତେବେ କେବଳ ପବିତ୍ର ରୁଟି ଅଛି। ୫ ତହୁଁ ଦାଉଦ ଯାଜକକୁ ଉତ୍ତର ଦେଇ କହିଲେ, ପ୍ରକୃତରେ ଊଣାଧିକ ଏହି ତିନି ଦିନ ହେଲା, ସ୍ତ୍ରୀମାନେ ଆମ୍ଭମାନଙ୍କଠାରୁ ପୃଥକୀକୃତ ହୋଇଅଛନ୍ତି, ଏ କେବଳ ସାମାନ୍ୟ ଯାତ୍ରା ହେଲେ ହେଁ, ମୁଁ ବାହାରିବା ବେଳେ ଯୁବାମାନଙ୍କ ପାତ୍ର ପବିତ୍ର ଥିଲା; ତେବେ ଆଜି ସେମାନଙ୍କ ପାତ୍ର କେତେ ଅଧିକ ପବିତ୍ର ନ ଥିବ ? ୬ ତହିଁରେ ଯାଜକ ତାଙ୍କୁ ପବିତ୍ର ରୁଟି ଦେଲା; କାରଣ ସେ ସ୍ଥାନରେ ଆଉ ରୁଟି ନ ଥିଲା, କେବଳ ଦର୍ଶନୀୟ ରୁଟି ଥିଲା, ତାହା ଉଠାଇ ନେବା ଦିନ ତପ୍ତ ରୁଟି ରଖିବା ପାଇଁ ସଦାପ୍ରଭୁଙ୍କ ସମ୍ମୁଖରୁ ତାହା ସ୍ଥାନାନ୍ତରିତ କରାଯାଇଥିଲା। ୭ ସେହିଦିନ ଶାଉଲଙ୍କର ଦାସମାନଙ୍କ ମଧ୍ୟରୁ ଜଣେ ସଦାପ୍ରଭୁଙ୍କ ସମ୍ମୁଖରେ ଅଟକା ଯାଇଥିଲା; ତାହାର ନାମ ଇଦୋମୀୟ ଦୋୟେଗ୍‍, ସେ ଶାଉଲଙ୍କର ପଶୁପାଳକମାନଙ୍କ ମଧ୍ୟରେ ପ୍ରଧାନ ଥିଲା। ୮ ପୁଣି, ଦାଉଦ ଅହୀମେଲକ୍‍କୁ କହିଲେ, ଏଠାରେ ତୁମ୍ଭ ହସ୍ତରେ ବର୍ଚ୍ଛା କି ଖଡ୍ଗ ନାହିଁ ? କାରଣ ମୁଁ ଆପଣା ଖଡ୍ଗ କି ଅସ୍ତ୍ରଶସ୍ତ୍ର ସଙ୍ଗରେ ଆଣି ନାହିଁ, ଯେଣୁ ରାଜାଙ୍କ କାର୍ଯ୍ୟ ଶୀଘ୍ର କରିବାକୁ ପଡ଼ିଲା। ୯ ତହିଁରେ ଯାଜକ କହିଲା, ତୁମ୍ଭେ ଏଲା ତଳଭୂମିରେ ଯାହାକୁ ବଧ କରିଥିଲ, ଦେଖ; ସେହି ପଲେଷ୍ଟୀୟ ଗଲୀୟାତର ଖଡ୍ଗ ଏଫୋଦ ପଛେ ବସ୍ତ୍ରରେ ଗୁଡ଼ା ହୋଇଅଛି, ଯେବେ ତାହା ନେବ, ନିଅ; ତାହା ଛଡ଼ା ଆଉ ଏଠାରେ କିଛି ନାହିଁ। ତହୁଁ ଦାଉଦ କହିଲେ ତାହା ପରି ଆଉ କିଛି ନାହିଁ; ତାହା ମୋତେ ଦିଅ।
ଗାଥ୍‍ରେ ଦାଉଦ
୧୦ ଏଉତ୍ତାରେ ଦାଉଦ ଉଠି ଶାଉଲଙ୍କର ସମ୍ମୁଖରୁ ସେହିଦିନ ପଳାଇ ଗାଥ୍‍ର ରାଜା ଆଖୀଶ୍‍ ନିକଟକୁ ଗଲେ। ୧୧ ତହିଁରେ ଆଖୀଶ୍‍ର ଦାସମାନେ ତାକୁ କହିଲେ, ଏହି ଦାଉଦ କି ଦେଶର ରାଜା ନୁହନ୍ତି ? ପୁଣି, ଲୋକମାନେ ତାଙ୍କ ବିଷୟରେ ନୃତ୍ୟ କରି କି ପରସ୍ପର କହି ନ ଥିଲେ, ଶାଉଲ ବଧ କଲେ ସହସ୍ର ସହସ୍ର, ଦାଉଦ ବଧ କଲେ ଅୟୁତ ଅୟୁତ ? ୧୨ ମାତ୍ର ଦାଉଦ ଏ କଥା ମନେ ରଖିଲେ, ପୁଣି, ଗାଥ୍‍ର ରାଜା ଆଖୀଶ୍‍କୁ ବଡ଼ ଭୟ କଲେ। ୧୩ ଏଣୁ ସେ ସେମାନଙ୍କ ସାକ୍ଷାତରେ ଆପଣା ମତି ବଦଳାଇଲେ ଓ ସେମାନଙ୍କ ନିକଟରେ ଆପଣାକୁ ବାତୁଳ ପରି ଦେଖାଇ ଦ୍ୱାର କବାଟ ଆଞ୍ଚୁଡ଼ିଲେ ଓ ଆପଣା ଦାଢ଼ିରେ ଲାଳ ବୋହିବାକୁ ଦେଲେ। ୧୪ ତହିଁରେ ଆଖୀଶ୍‍ ଆପଣା ଦାସମାନଙ୍କୁ କହିଲା, ଦେଖ, ଏ ବାତୁଳ, ଏହା ତୁମ୍ଭେମାନେ ଦେଖୁଅଛ; ତୁମ୍ଭେମାନେ କାହିଁକି ଏହାକୁ ମୋର ପାଖକୁ ଆଣିଲ ? ୧୫ ମୋହର କ’ଣ ବାତୁଳ ଲୋକର ଅଭାବ ଅଛି ଯେ, ତୁମ୍ଭେମାନେ ଏହାକୁ ମୋର ଆଗରେ ବାତୁଳ ବ୍ୟବହାର କରିବାକୁ ଆଣିଅଛ ? ଏ ଲୋକ କ’ଣ ମୋହର ଘରକୁ ଆସିବ ?