୧୩
ଅବୀୟଙ୍କ ସହ ଯାରବୀୟାମ୍‍ଙ୍କ ଯୁଦ୍ଧ
୧ ଯାରବୀୟାମ୍‍ ରାଜାଙ୍କ ରାଜତ୍ଵର ଅଠର ବର୍ଷରେ ଅବୀୟ ଯିହୁଦା ଉପରେ ରାଜତ୍ଵ କରିବାକୁ ଆରମ୍ଭ କଲେ। ୨ ସେ ଯିରୂଶାଲମରେ ତିନି ବର୍ଷ ରାଜ୍ୟ କଲେ; ତାଙ୍କର ମାତାଙ୍କ ନାମ ମୀଖାୟ, ସେ ଗିବୀୟା ନିବାସୀ ଊରୀୟେଲର କନ୍ୟା ଥିଲେ। ପୁଣି ଅବୀୟ ଓ ଯାରବୀୟାମ୍‍ ମଧ୍ୟରେ ଯୁଦ୍ଧ ଚାଲିଲା। ୩ ଅବୀୟ ଚାରି ଲକ୍ଷ ବଚ୍ଛା ବିକ୍ରମଶାଳୀ ସୈନ୍ୟ ସଙ୍ଗେ ମିଶି ଯୁଦ୍ଧ କଲେ ଓ ଯାରବୀୟାମ୍‍ ଆଠ ଲକ୍ଷ ବଚ୍ଛା ମହାବିକ୍ରମଶାଳୀ ଲୋକ ନେଇ ତାଙ୍କ ବିରୁଦ୍ଧରେ ଯୁଦ୍ଧ ସଜାଇଲା। ୪ ତହିଁରେ ଅବୀୟ ଇଫ୍ରୟିମର ପର୍ବତମୟ ଦେଶସ୍ଥ ସୀମାରୟମ୍‍ ପର୍ବତରେ ଠିଆ ହୋଇ କହିଲେ, “ହେ ଯାରବୀୟାମ୍‍ ଓ ସମଗ୍ର ଇସ୍ରାଏଲ ଲୋକ, ମୋ’ କଥା ଶୁଣ; ୫ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଯେ ଲବଣର ନିୟମ ଦ୍ୱାର ଇସ୍ରାଏଲର ରାଜତ୍ୱ ଚିରକାଳ ନିମନ୍ତେ ଦାଉଦଙ୍କୁ, ଅର୍ଥାତ୍‍, ତାଙ୍କୁ ଓ ତାଙ୍କ ସନ୍ତାନଗଣକୁ ଦେଇଅଛନ୍ତି, ଏହା କ’ଣ ତୁମ୍ଭମାନଙ୍କର ଜାଣିବା ଉଚିତ ନୁହେଁ ? ୬ ତଥାପି ଦାଉଦଙ୍କର ପୁତ୍ର ଶଲୋମନଙ୍କ ଦାସ ଯେ ନବାଟର ପୁତ୍ର ଯାରବୀୟାମ୍‍, ସେ ଉଠି ଆପଣା ପ୍ରଭୁର ବିଦ୍ରୋହୀ ହୋଇଅଛି।” ୭ ପୁଣି ଦୁଷ୍ଟ ଓ ଅସାର ଲୋକମାନେ ତାହା ପକ୍ଷରେ ଏକତ୍ର ହୋଇ ଶଲୋମନଙ୍କର ପୁତ୍ର, ରିହବୀୟାମଙ୍କ ପ୍ରତିକୂଳରେ ଆପଣମାନଙ୍କୁ ବଳିଷ୍ଠ କଲେ; ସେହି ସମୟରେ ରିହବୀୟାମ ଯୁବା ଓ କୋମଳାନ୍ତଃକରଣ ଥିଲେ ଓ ସେମାନଙ୍କର ପ୍ରତିବାଧା କରି ପାରିଲେ ନାହିଁ। ୮ ଆଉ, ଏବେ ତୁମ୍ଭେମାନେ ଦାଉଦ-ସନ୍ତାନଗଣର ହସ୍ତାଧୀନ ସଦାପ୍ରଭୁଙ୍କ ରାଜ୍ୟର ପ୍ରତିବାଧା କରିବାକୁ ମାନସ କରୁଅଛ; ପୁଣି ତୁମ୍ଭେମାନେ ଲୋକସମୂହ ଓ ତୁମ୍ଭମାନଙ୍କର ଦେବତା ହେବା ପାଇଁ ଯାରବୀୟାମ୍‍ ନିର୍ମିତ ସ୍ୱର୍ଣ୍ଣମୟ ଗୋବତ୍ସ ତୁମ୍ଭମାନଙ୍କ ସଙ୍ଗେ ଅଛି। ୯ ତୁମ୍ଭେମାନେ କି ସଦାପ୍ରଭୁଙ୍କ ଯାଜକ ହାରୋଣଙ୍କର ସନ୍ତାନଗଣକୁ ଓ ଲେବୀୟମାନଙ୍କୁ ତଡ଼ିଦେଇ ଅନ୍ୟ ଦେଶସ୍ଥ ଗୋଷ୍ଠୀମାନଙ୍କ ରୀତି ଅନୁସାରେ ଆପଣମାନଙ୍କ ପାଇଁ ଯାଜକ ନିଯୁକ୍ତ କରି ନାହଁ ? ଏଣୁ ଯେକେହି ଆପଣାର ପଦ-ନିଯୋଗାର୍ଥେ ଏକ ଗୋବତ୍ସ ଓ ସାତ ମେଷ ନେଇ ଆସେ, ସେ ଏହି ଅନୀଶ୍ୱରମାନଙ୍କର ଯାଜକ ହୋଇପାରେ। ୧୦ ମାତ୍ର ସଦାପ୍ରଭୁ ଆମ୍ଭମାନଙ୍କର ପରମେଶ୍ୱର ଅଟନ୍ତି ଓ ଆମ୍ଭେମାନେ ତାହାଙ୍କୁ ପରିତ୍ୟାଗ କରି ନାହୁଁ; ପୁଣି ସଦାପ୍ରଭୁଙ୍କ ପରିଚର୍ଯ୍ୟାକାରୀ ହାରୋଣ-ସନ୍ତାନଗଣ ଆମ୍ଭମାନଙ୍କର ଯାଜକ ଅଛନ୍ତି ଓ ଲେବୀୟମାନେ ଆପଣା ଆପଣା କାର୍ଯ୍ୟରେ ନିଯୁକ୍ତ ଅଛନ୍ତି; ୧୧ ସେମାନେ ପ୍ରତି ପ୍ରଭାତରେ ଓ ପ୍ରତି ସନ୍ଧ୍ୟାରେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ହୋମବଳି ଓ ସୁଗନ୍ଧି ଧୂପ ଦଗ୍ଧ କରୁଅଛନ୍ତି; ସେମାନେ ପବିତ୍ର ମେଜ ଉପରେ ଦର୍ଶନୀୟ ରୁଟି ଓ ପ୍ରତି ସନ୍ଧ୍ୟାରେ ଜ୍ୱଳାଇବା ପାଇଁ ପ୍ରଦୀପ ସହିତ ସ୍ୱର୍ଣ୍ଣମୟ ଦୀପବୃକ୍ଷ ସଜାନ୍ତି; କାରଣ ଆମ୍ଭେମାନେ ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱରଙ୍କ ରକ୍ଷଣୀୟ ରକ୍ଷା କରୁଅଛୁ; ମାତ୍ର ତୁମ୍ଭେମାନେ ତାହାଙ୍କୁ ପରିତ୍ୟାଗ କରିଅଛ। ୧୨ ଆଉ ଦେଖ, ପରମେଶ୍ୱର ଆମ୍ଭମାନଙ୍କର ମସ୍ତକ ସ୍ୱରୂପ ଅଛନ୍ତି ଓ ତାହାଙ୍କ ଯାଜକମାନେ ତୁମ୍ଭମାନଙ୍କ ପ୍ରତିକୂଳରେ ରଣତୂରୀ ବଜାଇବା ପାଇଁ ଆମ୍ଭମାନଙ୍କ ସଙ୍ଗରେ ଅଛନ୍ତି। ହେ ଇସ୍ରାଏଲ ସନ୍ତାନଗଣ, ତୁମ୍ଭେମାନେ ସଦାପ୍ରଭୁ ତୁମ୍ଭମାନଙ୍କ ପିତୃଗଣର ପରମେଶ୍ୱରଙ୍କ ପ୍ରତିକୂଳରେ ଯୁଦ୍ଧ ନ କର; କାରଣ ତୁମ୍ଭେମାନେ କୃତକାର୍ଯ୍ୟ ହେବ ନାହିଁ।” ୧୩ ତଥାପି ଯାରବୀୟାମ୍‍ ସେମାନଙ୍କ ଆକ୍ରମଣାର୍ଥେ ପଶ୍ଚାଦ୍ଦିଗରେ ଗୋପନରେ ସୈନ୍ୟ ରଖିଲେ; ଏଣୁ ଲୋକମାନେ ଯିହୁଦାର ଆଗରେ ଓ ସେହି ଗୁପ୍ତ ଦଳ ସେମାନଙ୍କ ପଛରେ ରହିଲେ। ୧୪ ତହିଁରେ ଯିହୁଦା ପଛକୁ ଅନାନ୍ତେ, ଦେଖ, ସେମାନଙ୍କ ଆଗରେ ଓ ପଛରେ ଯୁଦ୍ଧ; ତହୁଁ ସେମାନେ ସଦାପ୍ରଭୁଙ୍କ ନିକଟରେ ଡାକ ପକାଇଲେ ଓ ଯାଜକମାନେ ତୂରୀଧ୍ୱନି କଲେ। ୧୫ ସେତେବେଳେ ଯିହୁଦାର ଲୋକମାନେ ସିଂହନାଦ କଲେ; ଆଉ ଯିହୁଦାର ଲୋକମାନେ ସିଂହନାଦ କରିବା ସମୟରେ ପରମେଶ୍ୱର ଅବୀୟ ଓ ଯିହୁଦାର ସମ୍ମୁଖରେ ଯାରବୀୟାମଙ୍କୁ ଓ ସମସ୍ତ ଇସ୍ରାଏଲକୁ ଆଘାତ କଲେ। ୧୬ ତହିଁରେ ଇସ୍ରାଏଲ ସନ୍ତାନଗଣ ଯିହୁଦା ସମ୍ମୁଖରୁ ପଳାଇଲେ ଓ ପରମେଶ୍ୱର ସେମାନଙ୍କୁ ସେମାନଙ୍କ ହସ୍ତରେ ସମର୍ପଣ କଲେ। ୧୭ ତହୁଁ ଅବୀୟ ଓ ତାଙ୍କର ଲୋକମାନେ ମହାସଂହାରରେ ସେମାନଙ୍କୁ ବଧ କଲେ; ଏଥିରେ ଇସ୍ରାଏଲର ପାଞ୍ଚ ଲକ୍ଷ ବଚ୍ଛା ଲୋକ ହତ ହୋଇ ପଡ଼ିଲେ। ୧୮ ଏହିରୂପେ ସେହି ସମୟରେ ଇସ୍ରାଏଲ ସନ୍ତାନମାନେ ଅବନତ ହେଲେ ଓ ଯିହୁଦାର ସନ୍ତାନମାନେ ସଦାପ୍ରଭୁ ଆପଣାମାନଙ୍କ ପିତୃଗଣର ପରମେଶ୍ୱରଙ୍କ ଉପରେ ନିର୍ଭର ରଖିବାରୁ ଜୟଯୁକ୍ତ ହେଲେ। ୧୯ ଏଉତ୍ତାରେ ଅବୀୟ ଯାରବୀୟାମ୍‍ଙ୍କର ପଛେ ପଛେ ଗୋଡ଼ାଇ ତାଙ୍କର କେତେକ ନଗର, ଅର୍ଥାତ୍‍, ବେଥେଲ୍‍ ଓ ତହିଁର ଉପନଗର, ଯିଶାନା ଓ ତହିଁର ଉପନଗର, ପୁଣି ଇଫ୍ରୋଣ ଓ ତହିଁର ଉପନଗରସକଳ ହସ୍ତଗତ କରି ନେଲେ। ୨୦ ପୁଣି ଅବୀୟର ଜୀବନ କାଳଯାଏ ଯାରବୀୟାମ୍‍ ଆଉ ବଳ ପାଇ ପାରିଲେ ନାହିଁ; ଏଉତ୍ତାରେ ସଦାପ୍ରଭୁ ତାଙ୍କୁ ଆଘାତ କରନ୍ତେ, ସେ ମଲେ। ୨୧ ମାତ୍ର ଅବୀୟ ବେଳକୁ ବେଳ ବଳବାନ ହୋଇ ଉଠିଲେ, ପୁଣି ଚଉଦ ଭାର୍ଯ୍ୟା ବିବାହ କରି ବାଇଶ ପୁତ୍ର ଓ ଷୋହଳ କନ୍ୟା ଜାତ କଲେ। ୨୨ ଏହି ଅବୀୟଙ୍କର ଅବଶିଷ୍ଟ ବୃତ୍ତାନ୍ତ ଓ ସମସ୍ତ କ୍ରିୟା ଓ ତାଙ୍କର ଉକ୍ତି ଇଦ୍ଦୋ ଭବିଷ୍ୟଦ୍‍ବକ୍ତାର ଟୀକାଗ୍ରନ୍ଥରେ ଲିଖିତ ଅଛି।