୨୭
ଯିହୁଦାର ରାଜା ଯୋଥମ୍‍
୧ ଯୋଥମ୍‍ ରାଜ୍ୟ କରିବାକୁ ଆରମ୍ଭ କରିବା ସମୟରେ ପଚିଶ ବର୍ଷ ବୟସ୍କ ହୋଇଥିଲେ; ସେ ଯିରୂଶାଲମରେ ଷୋଳ ବର୍ଷ ରାଜ୍ୟ କଲେ; ତାଙ୍କର ମାତାଙ୍କ ନାମ ଯିରୁଶା, ଯେ ସାଦୋକର କନ୍ୟା ଥିଲେ। ୨ ପୁଣି, ସେ ଆପଣା ପିତା ଉଷୀୟଙ୍କର ସମସ୍ତ କ୍ରିୟାନୁସାରେ ସଦାପ୍ରଭୁଙ୍କ ଦୃଷ୍ଟିରେ ଯଥାର୍ଥ କର୍ମ କଲେ; ତଥାପି ସେ ସଦାପ୍ରଭୁଙ୍କ ମନ୍ଦିରରେ ପ୍ରବେଶ କଲେ ନାହିଁ। ଆଉ, ଲୋକମାନେ ସେସମୟରେ ହେଁ ଦୁରାଚରଣ କଲେ। ୩ ସେ ସଦାପ୍ରଭୁଙ୍କ ଗୃହର ଉପର ଦ୍ୱାର ଦୃଢ଼ କଲେ, ପୁଣି ଓଫଲର ପ୍ରାଚୀର ଉପରେ ଅନେକ ସ୍ଥାନ ନିର୍ମାଣ କଲେ। ୪ ଆହୁରି, ସେ ଯିହୁଦାର ପର୍ବତମୟ ଦେଶରେ ନାନା ନଗର ଓ ବନରେ ଗଡ଼ ଓ ଦୁର୍ଗସବୁ ନିର୍ମାଣ କଲେ। ୫ ମଧ୍ୟ ସେ ଅମ୍ମୋନ-ସନ୍ତାନଗଣର ରାଜା ସଙ୍ଗେ ଯୁଦ୍ଧ କରି ସେମାନଙ୍କୁ ପରାସ୍ତ କଲେ; ତହିଁରେ ଅମ୍ମୋନ ସନ୍ତାନଗଣ ସେହି ବର୍ଷ ତାଙ୍କୁ ଏକ ଶହ ତାଳନ୍ତ* ପ୍ରାୟ ତିନି ହଜାର ତିନିଶହ କିଲୋ ରୂପା ଓ ଦଶ ସହସ୍ର ମହଣ ଗହମ ଓ ଦଶ ସହସ୍ର ମହଣ ଯବ ଦେଲେ। ଅମ୍ମୋନ ସନ୍ତାନଗଣ ଦ୍ୱିତୀୟ ଓ ତୃତୀୟ ବର୍ଷ ମଧ୍ୟ ସେତିକି ତାଙ୍କୁ ଦେଲେ। ୬ ଏହିରୂପେ ଯୋଥମ୍‍ ସଦାପ୍ରଭୁ ଆପଣା ପରମେଶ୍ୱରଙ୍କ ସମ୍ମୁଖରେ ଆପଣା ପଥ ସଜାଡ଼ିବାରୁ ପରାକ୍ରାନ୍ତ ହେଲେ। ୭ ଏହି ଯୋଥମ୍‍ଙ୍କର ଅବଶିଷ୍ଟ ବୃତ୍ତାନ୍ତ ଓ ତାଙ୍କର ସକଳ ଯୁଦ୍ଧ ଓ ତାଙ୍କର ଆଚରଣ ବିଷୟ, ଦେଖ, ଇସ୍ରାଏଲର ଓ ଯିହୁଦାର ରାଜାମାନଙ୍କ ପୁସ୍ତକରେ ଲେଖାଅଛି। ୮ ସେ ରାଜ୍ୟ କରିବାକୁ ଆରମ୍ଭ କରିବା ସମୟରେ ପଚିଶ ବର୍ଷ ବୟସ୍କ ହୋଇଥିଲେ ଓ ଯିରୂଶାଲମରେ ଷୋଳ ବର୍ଷ ରାଜ୍ୟ କଲେ। ୯ ପୁଣି, ଯୋଥମ୍‍ଙ୍କ ମୃତ୍ୟୁ ପରେ, ଲୋକମାନେ ଦାଉଦ-ନଗରରେ ତାଙ୍କୁ କବର ଦେଲେ; ତହୁଁ ତାଙ୍କର ପୁତ୍ର ଆହସ୍‌ ତାଙ୍କର ପଦରେ ରାଜ୍ୟ କଲେ।

*୨୭:୫ ପ୍ରାୟ ତିନି ହଜାର ତିନିଶହ କିଲୋ