୧ ମାତ୍ର ତୁମ୍ଭମାନଙ୍କ ନିକଟକୁ ମୋହର ଯିବା ଯେପରି ପୁନର୍ବାର ଦୁଃଖଜନକ ନ ହୁଏ, ଏହା ମୁଁ ମନରେ ସ୍ଥିର କଲି । ୨ ଯେଣୁ ମୁଁ ଯଦି ତୁମ୍ଭମାନଙ୍କୁ ଦୁଃଖ ଦିଏ, ତେବେ ଯାହାକୁ ମୁଁ ଦୁଃଖ ଦିଏ, ତାହା ଛଡ଼ା ଆଉ କିଏ ମୋତେ ଆନନ୍ଦ ଦେବ ? ୩ ପୁଣି, ଯେଉଁମାନଙ୍କଠାରୁ ମୋହର ଆନନ୍ଦ ପାଇବା ଉଚିତ, ସେମାନଙ୍କଠାରୁ ମୁଁ ଆସି ଯେପରି ଦୁଃଖ ନ ପାଏ, ଏଥି ନିମନ୍ତେ ମୁଁ ଏହି କଥା ଲେଖିଥିଲି, ଯେଣୁ ମୋହର ଆନନ୍ଦରେ ଯେ ତୁମ୍ଭମାନଙ୍କର ଆନନ୍ଦ, ଏହା ତୁମ୍ଭ ସମସ୍ତଙ୍କ ବିଷୟରେ ମୋହର ବିଶ୍ୱାସ । ୪ କାରଣ ବହୁତ କ୍ଳେଶ ଓ ହୃଦୟର ବେଦନାରେ ବହୁଅଶ୍ରୁପାତ ସହିତ ମୁଁ ତୁମ୍ଭମାନଙ୍କୁ ଲେଖିଥିଲି ଯେପରି ତୁମ୍ଭେମାନେ ଦୁଃଖିତ ହୁଅ, ଏପରି ନୁହେଁ, ମାତ୍ର ତୁମ୍ଭମାନଙ୍କ ପ୍ରତି ମୋହର ଯେ ଅଧିକ ପ୍ରଚୁର ପ୍ରେମ ଅଛି, ଏହା ଯେପରି ତୁମ୍ଭେମାନେ ଜ୍ଞାତ ହୁଅ ।
ଦୋଷୀକୁ କ୍ଷମା
୫ କିନ୍ତୁ ଯଦି କେହି ଦୁଃଖ ଦେଇଅଛି, ସେ ମୋତେ ଦୁଃଖ ଦେଇ ନାହିଁ, ମାତ୍ର କେତେକ ପରିମାଣରେ (ମୁଁ ଅଧିକ କଠିନ ହେବାକୁ ଇଚ୍ଛା କରୁ ନାହିଁ) ତୁମ୍ଭ ସମସ୍ତଙ୍କୁ ଦୁଃଖ ଦେଇଅଛି । ୬ ଅଧିକାଂଶଙ୍କ ଦ୍ୱାରା ଏପରିଲୋକ ଯେଉଁ ଶାସ୍ତି ପାଇଅଛି, ତାହା ପକ୍ଷରେ ତାହା ଯଥେଷ୍ଟ; ୭ ଏଣୁ କାଳେ ଏପରିଲୋକ ଅତିରିକ୍ତ ଦୁଃଖରେ ବୁଡ଼ିଯାଏ, ଏଥିପାଇଁ ତୁମ୍ଭେମାନେ ତାହାକୁ ବରଂ କ୍ଷମା କର ଓ ସାନ୍ତ୍ୱନା ଦିଅ । ୮ ଅତଏବ, ତାହା ପ୍ରତି ପ୍ରେମ ବ୍ୟବହାର ସ୍ଥାପନ କରିବାକୁ ମୁଁ ତୁମ୍ଭମାନଙ୍କୁ ଅନୁରୋଧ କରୁଅଛି । ୯ କାରଣ ତୁମ୍ଭେମାନେ ସମସ୍ତ ବିଷୟରେ ଯେ ବାଧ୍ୟ ଅଟ, ତୁମ୍ଭମାନଙ୍କ ବିଷୟରେ ସେଥିର ପ୍ରମାଣ ଯେପରି ମୁଁ ପାଏ, ଏହି ଉଦ୍ଦେଶ୍ୟରେ ମଧ୍ୟ ଲେଖିଥିଲି । ୧୦ କିନ୍ତୁ ତୁମ୍ଭେମାନେ ଯାହାର କିଛି କ୍ଷମା କର, ମୁଁ ମଧ୍ୟ ତାହାକୁ କ୍ଷମା କରେ; କାରଣ ମୁଁ ଯଦି କିଛି କ୍ଷମା କରିଅଛି, ତେବେ ଯାହା କ୍ଷମା କରିଅଛି, ତାହା ଖ୍ରୀଷ୍ଟଙ୍କ ସାକ୍ଷାତରେ ତୁମ୍ଭମାନଙ୍କ ସକାଶେ କ୍ଷମା କରିଅଛି, ୧୧ ଯେପରି ଶୟତାନ ଆମ୍ଭମାନଙ୍କର ଅପକାର କରିବାକୁ ସୁଯୋଗପ୍ରାପ୍ତ ନ ହୁଏ । କାରଣ ଆମ୍ଭେମାନେ ତା'ର ସମସ୍ତ କଳ୍ପନା ସମ୍ବନ୍ଧରେ ଅଜ୍ଞ ନୋହୁ ।
ଖ୍ରୀଷ୍ଟଙ୍କ ଦ୍ୱାରା ବିଜୟ
୧୨ ପୁଣି, ଖ୍ରୀଷ୍ଟଙ୍କ ସୁସମାଚାର ପ୍ରଚାର କରିବା ପାଇଁ ମୁଁ ତ୍ରୋୟାକୁ ଆସିଲା ଉତ୍ତାରେ ପ୍ରଭୁଙ୍କ କାର୍ଯ୍ୟ ନିମନ୍ତେ ସୁଯୋଗରୂପ ଦ୍ୱାର ମୁକ୍ତ ହେଲେ ହେଁ ୧୩ ମୋହର ଭାଇ ତୀତସଙ୍କୁ ନ ଦେଖି ଆତ୍ମାରେ ଶାନ୍ତି ନ ପାଇବାରୁ ସେମାନଙ୍କଠାରୁ ବିଦାୟ ଘେନି ମାକିଦନିଆକୁ ପ୍ରସ୍ଥାନ କଲି । ୧୪ କିନ୍ତୁ ଈଶ୍ୱରଙ୍କର ଧନ୍ୟବାଦ ହେଉ, ସେ ସବୁବେଳେ ଆମ୍ଭମାନଙ୍କୁ ଘେନି ଖ୍ରୀଷ୍ଟଙ୍କଠାରେ ବିଜୟ ଯାତ୍ରା କରୁଅଛନ୍ତି, ଆଉ ସବୁ ସ୍ଥାନରେ ତାହାଙ୍କ ଜ୍ଞାନରୂପ ସୁବାସ ଆମ୍ଭମାନଙ୍କ ଦ୍ୱାରା ପ୍ରକାଶ କରୁଅଛନ୍ତି, ୧୫ କାରଣ ପରିତ୍ରାଣ ପାଉଥିବା ଓ ବିନାଶ ହେଉଥିବା ଲୋକମାନଙ୍କ ମଧ୍ୟରେ ଆମ୍ଭେମାନେ ଈଶ୍ୱରଙ୍କ ଦୃଷ୍ଟିରେ ଖ୍ରୀଷ୍ଟଙ୍କର ସୁଗନ୍ଧ ସ୍ୱରୂପ,. ୧୬ ଏକ ପକ୍ଷର ଲୋକଙ୍କ ପ୍ରତି ମୃତ୍ୟୁଦାୟକ ଓ ଅନ୍ୟ ପକ୍ଷରେ ଲୋକଙ୍କ ପ୍ରତି ଜୀବନଦାୟକ ସୁବାସ ସ୍ୱରୂପ। ଆଉ ଏହି ସମସ୍ତ ନିମନ୍ତେ କିଏ ସମର୍ଥ ? ୧୭ ସେହି ଅନେକ ଲୋକ ଯେପରି ଈଶ୍ୱରଙ୍କ ବାକ୍ୟବିକୃତ କରନ୍ତି, ଆମ୍ଭେମାନେ ତ ସେମାନଙ୍କ ପରି କରୁ ନାହୁଁ, କିନ୍ତୁ ସରଳ ଭାବରେ ଈଶ୍ୱରଙ୍କ ଆଦେଶକ୍ରମେ ତାହାଙ୍କ ସାକ୍ଷାତରେ ଆମ୍ଭେମାନେ ଖ୍ରୀଷ୍ଟଙ୍କଠାରେ ଥାଇ କଥା କହୁଅଛୁ ।