ସୁସମାଚାରର ଆଲୋକ
୧ ଅତଏବ, ଆମ୍ଭେମାନେ ଅନୁଗ୍ରହ ପ୍ରାପ୍ତ ହୋଇ ଏହି ସେବକପଦ ପାଇବାରୁ ସାହସବିହୀନ ନୋହୁଁ, ୨ ମାତ୍ର ଆମ୍ଭେମାନେ ଲଜ୍ଜାଜନକ ଗୁପ୍ତ ବିଷୟସବୁ ପରିତ୍ୟାଗ କରିଅଛୁ; ଏଣୁ ଆମ୍ଭେମାନେ ଧୁର୍ତ୍ତତାରେ ଆଚରଣ କରୁ ନାହୁଁ ଅବା ଈଶ୍ୱରଙ୍କ ବାକ୍ୟ ଛଳରେ ବ୍ୟବହାରକରୁ ନାହୁଁ, କିନ୍ତୁ ସତ୍ୟ ପ୍ରକାଶ ଦ୍ୱାରା ଈଶ୍ୱରଙ୍କ ସାକ୍ଷାତରେ ପ୍ରତ୍ୟେକ ମନୁଷ୍ୟର ବିବେକ ନିକଟରେ ଆପଣା ଆପଣାକୁ ଯୋଗ୍ୟ ଦେଖାଉଅଛୁ । ୩ କିନ୍ତୁ ଯଦ୍ୟପି ଆମ୍ଭମାନଙ୍କ ସୁସମାଚାର ଆଚ୍ଛାଦିତ ଥାଏ, ତାହା ବିନାଶପ୍ରାପ୍ତମାନଙ୍କ ପକ୍ଷରେ ଆଚ୍ଛାଦିତ; ୪ ଈଶ୍ୱରଙ୍କ ପ୍ରତିମୂର୍ତ୍ତି ଯେ ଖ୍ରୀଷ୍ଟ ତାହାଙ୍କ ଗୌରବମୟ ସୁସମାଚାରର ଆଲୋକ ଯେପରି ଏହି ପ୍ରକାର ଲୋକଙ୍କ ପ୍ରତି ପ୍ରକାଶିତ ନ ହୁଏ, ଏଥି ନିମନ୍ତେ ଏହି ଜଗତ୍‍ପତି ଅବିଶ୍ୱାସୀମାନଙ୍କର ଜ୍ଞାନଚକ୍ଷୁ ଅନ୍ଧ କରିଅଛି । ୫ କାରଣ ଆମ୍ଭେମାନେ ଆପଣା ଆପଣାକୁ ପ୍ରଚାର କରୁ ନାହୁଁ, ମାତ୍ର ଖ୍ରୀଷ୍ଟ ଯୀଶୁ ଯେ ପ୍ରଭୁ, ପୁଣି, ଯୀଶୁଙ୍କ ସକାଶେ ଆମ୍ଭେମାନେ ଯେ ତୁମ୍ଭମାନଙ୍କର ସେବକ, ଏହା ପ୍ରଚାର କରୁ । ୬ ଯେଣୁ ଅନ୍ଧକାରରୁ ଦୀପ୍ତି ପ୍ରକାଶ ପାଉ ବୋଲି ଆଜ୍ଞା ଦେଇଥିଲେ ଯେଉଁ ଈଶ୍ୱର, ସେ ଖ୍ରୀଷ୍ଟଙ୍କ ମୁଖରେ ପ୍ରକାଶିତ ଈଶ୍ୱରଙ୍କ ଗୌରବମୟ ଜ୍ଞାନର ଆଲୋକ ଦେଖାଇବା ନିମନ୍ତେ ଆମ୍ଭମାନଙ୍କ ହୃଦୟରେ ଆଲୋକ ପ୍ରକାଶ କରିଅଛନ୍ତି ।
ମୃତ୍ତିକା ପାତ୍ରରେ ଧନ
୭ ମାତ୍ର ମହାଶକ୍ତି ଯେ ଈଶ୍ୱରଙ୍କର, ପୁଣି, ତାହା ଯେ ଆମ୍ଭମାନଙ୍କଠାରୁ ଉତ୍ପନ୍ନ ନୁହେଁ, ଏହା ଯେପରି ପ୍ରକାଶ ପାଏ, ଏଥି ନିମନ୍ତେ ଆମ୍ଭେମାନେ ଏହି ଧନ ମୃତ୍ତିକା ପାତ୍ରରେ ପାଇଅଛୁ; ୮ ଆମ୍ଭେମାନେ ସର୍ବପ୍ରକାରେ କ୍ଳେଶଭୋଗ କରୁଅଛୁ,ତଥାପି ଅବରୁଦ୍ଧ ନୋହୁଁ; ହତବୁଦ୍ଧି ହେଉଅଛୁ, ତଥାପି ନିରାଶ ନୋହୁଁ; ୯ ତାଡ଼ନା ପ୍ରାପ୍ତ ହେଉଅଛୁ, ତଥାପି ପରିତ୍ୟକ୍ତ ନୋହୁଁ; ଅଧଃପତିତ ହେଉଅଛୁ, ତଥାପି ବିନଷ୍ଟ ନୋହୁଁ; ୧୦ ଆମ୍ଭେମାନେ ସର୍ବଦା ଯୀଶୁଙ୍କ ମୃତ୍ୟୁଭୋଗ ଶରୀରରେ ଅନୁଭବ କରୁଅଛୁ, ଯେପରି ଯୀଶୁଙ୍କ ଜୀବନ ମଧ୍ୟ ଆମ୍ଭମାନଙ୍କ ଶରୀରରେ ପ୍ରକାଶିତ ହୁଏ । ୧୧ କାରଣ ଯୀଶୁଙ୍କ ଜୀବନ ଯେପରି ଆମ୍ଭମାନଙ୍କ ମର୍ତ୍ତ୍ୟ ଶରୀରରେ ପ୍ରକାଶିତ ହୁଏ, ଏଥିପାଇଁ ଆମ୍ଭେମାନେ ଜୀବିତ ହେଲେ ହେଁ ସର୍ବଦା ଯୀଶୁଙ୍କ ସକାଶେ ମୃତ୍ୟୁମୁଖରେ ସମର୍ପିତ ହେଉଅଛୁ । ୧୨ ଏହି ପ୍ରକାରେ ଆମ୍ଭମାନଙ୍କଠାରେ ମୃତ୍ୟୁ, କିନ୍ତୁ ତୁମ୍ଭମାନଙ୍କଠାରେ ଜୀବନ କାର୍ଯ୍ୟ ସାଧନ କରୁଅଛି । ୧୩ “ମୁଁ ବିଶ୍ୱାସ କଲି, ଏଣୁ କଥା କହିଲି'', ଏହି ଲିଖିତ ବାକ୍ୟ ଅନୁସାରେ ସେହି ବିଶ୍ୱାସଜନକ ଆତ୍ମା ପାଇଥିବାରୁ ଆମ୍ଭେମାନେ ମଧ୍ୟ ବିଶ୍ୱାସ କରୁ, ଏଣୁ ମଧ୍ୟ କଥା କହୁ; ୧୪ କାରଣ ଆମ୍ଭେମାନେ ଜାଣୁ, ପ୍ରଭୁ ଯୀଶୁଙ୍କୁ ଯେ ଉଠାଇଲେ, ସେ ଆମ୍ଭମାନଙ୍କୁ ମଧ୍ୟ ଯୀଶୁଙ୍କ ସହିତ ଉଠାଇବେ ଓ ତାହାଙ୍କ ଛାମୁରେ ତୁମ୍ଭମାନଙ୍କ ସହିତ ଉପସ୍ଥିତ ରହିବେ । ୧୫ ଯେଣୁ ସମସ୍ତ ବିଷୟ ତୁମ୍ଭମାନଙ୍କ ସକାଶେ ହେଉଅଛି, ସେହିପରି ଅନେକ ଲୋକଙ୍କଠାରେ ଅନୁଗ୍ରହ ଅତ୍ୟଧିକ ବୃଦ୍ଧି ପାଇ ଈଶ୍ୱରଙ୍କ ଗୌରବାର୍ଥେ ବହୁଳ ଧନ୍ୟବାଦର କାରଣ ହେଉ । ୧୬ ତେଣୁ ଆମ୍ଭେମାନେ କ୍ଳାନ୍ତ ହେଉ ନାହୁଁ, କିନ୍ତୁ ଆମ୍ଭମାନଙ୍କର ବାହ୍ୟିକ ପୁରୁଷ କ୍ଷୟ ପାଇଲେ ସୁଦ୍ଧା ଆମ୍ଭମାନଙ୍କ ଆନ୍ତରିକ ପୁରୁଷ ଦିନକୁ ଦିନ ନୂତନୀକୃତ ହେଉଅଛି । ୧୭ କାରଣ ଏହି କ୍ଷଣକାଳସ୍ଥାୟୀ ଲଘୁ କ୍ଳେଶ ଅତ୍ୟଧିକ ବାହୁଲ୍ୟ ରୂପେ ଆମ୍ଭମାନଙ୍କ ନିମନ୍ତେ ଅନନ୍ତକାଳସ୍ଥାୟୀ ମହା ଗୌରବ ସାଧନ କରୁଅଛି; ୧୮ ଯେଣୁ ଆମ୍ଭେମାନେ ଦୃଶ୍ୟ ବିଷୟ ପ୍ରତି ଲକ୍ଷ୍ୟ ନ କରି ଅଦୃଶ୍ୟ ବିଷୟ ପ୍ରତି ଲକ୍ଷ୍ୟ କରୁଅଛୁ; କାରଣ ଦୃଶ୍ୟ ବିଷୟ କ୍ଷଣକାଳସ୍ଥାୟୀ, କିନ୍ତୁ ଅଦୃଶ୍ୟ ବିଷୟ ଅନନ୍ତକାଳସ୍ଥାୟୀ ।