୧୧
ଯିହୁଦାର ରାଣୀ ଅଥଲୀୟା
୧ ଏଥି ମଧ୍ୟରେ ଅହସୀୟଙ୍କର ମାତା ଅଥଲୀୟା ଆପଣା ପୁତ୍ରକୁ ମୃତ ଦେଖନ୍ତେ, ସେ ଉଠି ସମସ୍ତ ରାଜବଂଶ ବିନାଶ କଲା। ୨ ମାତ୍ର ଯୋରାମ୍‍ ରାଜାଙ୍କର କନ୍ୟା, ଅହସୀୟଙ୍କର ଭଗିନୀ ଯିହୋଶେବା ଅହସୀୟଙ୍କର ପୁତ୍ର ଯୋୟାଶ୍‍କୁ ନେଇଗଲା ଓ ଯେଉଁ ରାଜପୁତ୍ରମାନେ ହତ ହେଲେ, ସେମାନଙ୍କ ମଧ୍ୟରୁ ତାହାକୁ ଚୋରାଇ ନେଇ ତାହାକୁ ଓ ତାହାର ଧାତ୍ରୀକି ଶୟନାଗାରରେ ରଖିଲା; ଆଉ ସେମାନେ ତାହାକୁ ଅଥଲୀୟାଠାରୁ ଲୁଚାଇ ରଖିବାରୁ ସେ ହତ ହେଲା ନାହିଁ। ୩ ଆଉ ସେ ତାହା ସହିତ ସଦାପ୍ରଭୁଙ୍କ ଗୃହରେ ଛଅ ବର୍ଷ ଗୋପନରେ ରହିଲା; ପୁଣି ଅଥଲୀୟା ଦେଶରେ ରାଜ୍ୟ କଲା।
୪ ଏଥିଉତ୍ତାରେ ସପ୍ତମ ବର୍ଷରେ ଯିହୋୟାଦା ଲୋକ ପଠାଇ କରୀୟମାନଙ୍କର ଓ ପ୍ରହରୀବର୍ଗର ଶତପତିମାନଙ୍କୁ ଅଣାଇ ସଦାପ୍ରଭୁଙ୍କ ଗୃହକୁ ଆପଣା ନିକଟକୁ ନେଲା; ଆଉ ସେ ସେମାନଙ୍କ ସହିତ ନିୟମ କରି ସଦାପ୍ରଭୁଙ୍କ ଗୃହରେ ସେମାନଙ୍କୁ ଶପଥ କରାଇ ରାଜପୁତ୍ରଙ୍କୁ ଦେଖାଇଲା। ୫ ଆଉ ସେ ସେମାନଙ୍କୁ ଆଜ୍ଞା ଦେଇ କହିଲା, “ତୁମ୍ଭେମାନେ ଏହି କର୍ମ କରିବ; ତୁମ୍ଭମାନଙ୍କ ମଧ୍ୟରୁ ଯେଉଁମାନେ ବିଶ୍ରାମଦିନରେ ଆସନ୍ତି, ସେମାନଙ୍କ ତୃତୀୟାଂଶ ରାଜଗୃହର ରକ୍ଷଣୀୟ ରକ୍ଷା କରିବେ, ୬ ଓ ତୃତୀୟାଂଶ ସୂର ଦ୍ୱାରରେ ରହିବେ ଓ ତୃତୀୟାଂଶ ପ୍ରହରୀବର୍ଗର ପଶ୍ଚାତ୍‍ ଦ୍ୱାରରେ ରହିବେ; ଏହିରୂପେ ତୁମ୍ଭେମାନେ ଗୃହର ରକ୍ଷଣୀୟ ରକ୍ଷା କରି ପ୍ରତିରୋଧକ ହେବ। ୭ ଆଉ ତୁମ୍ଭମାନଙ୍କର ଦୁଇ ଦଳ, ଅର୍ଥାତ୍‍, ବିଶ୍ରାମବାରରେ ବାହାରକୁ ଯିବା ଲୋକ ସମସ୍ତେ ରାଜାଙ୍କ ସମୀପରେ ସଦାପ୍ରଭୁଙ୍କ ଗୃହର ରକ୍ଷଣୀୟ ରକ୍ଷା କରିବେ। ୮ ପୁଣି ତୁମ୍ଭେମାନେ ପ୍ରତ୍ୟେକେ ଆପଣା ଆପଣା ହସ୍ତରେ ଅସ୍ତ୍ର ନେଇ ରାଜାଙ୍କୁ ଚତୁର୍ଦ୍ଦିଗରେ ବେଷ୍ଟନ କରିବ; ଆଉ ଯେ କେହି ଶ୍ରେଣୀ ଭିତରକୁ ଆସେ, ସେ ହତ ହେଉ ଓ ରାଜା ବାହାରକୁ ଯିବା ବେଳେ ଓ ଭିତରକୁ ଆସିବା ବେଳେ ତୁମ୍ଭେମାନେ ତାଙ୍କ ସଙ୍ଗେ ଥାଅ। ”
୯ ତହିଁରେ ଯିହୋୟାଦା ଯାଜକ ଯାହାସବୁ ଆଜ୍ଞା କଲା, ତଦନୁସାରେ ଶତପତିମାନେ କଲେ; ପୁଣି ସେମାନେ ପ୍ରତ୍ୟେକେ ବିଶ୍ରାମବାରରେ ଅନ୍ତର୍ଗାମୀ ଓ ବିଶ୍ରାମବାରରେ ବହିର୍ଗାମୀ ଆପଣା ଆପଣା ଲୋକମାନଙ୍କୁ ନେଇ ଯିହୋୟାଦା ଯାଜକ ନିକଟକୁ ଆସିଲେ। ୧୦ ତହିଁରେ ଦାଉଦ ରାଜାଙ୍କର ଯେ ଯେ ବର୍ଚ୍ଛା ଓ ଢାଲ ସଦାପ୍ରଭୁଙ୍କ ଗୃହରେ ଥିଲା, ତାହାସବୁ ଯାଜକ ସେହି ଶତପତିମାନଙ୍କୁ ଦେଲା। ୧୧ ତହୁଁ ଗୃହର ଦକ୍ଷିଣ ପାର୍ଶ୍ଵରୁ ବାମ ପାର୍ଶ୍ୱ ପର୍ଯ୍ୟନ୍ତ ଯଜ୍ଞବେଦି ଓ ଗୃହ ନିକଟରେ ପ୍ରହରୀବର୍ଗର ପ୍ରତ୍ୟେକ ଲୋକ ହସ୍ତରେ ଆପଣା ଆପଣା ଅସ୍ତ୍ର ଧରି ରାଜାଙ୍କର ଚତୁର୍ଦ୍ଦିଗରେ ଠିଆ ହେଲେ। ୧୨ ସେତେବେଳେ ସେ ରାଜପୁତ୍ର ଯୋୟାଶ୍‍ଙ୍କୁ ବାହାରକୁ ଆଣି ତାଙ୍କର ମସ୍ତକରେ ମୁକୁଟ ପିନ୍ଧାଇ ତାଙ୍କୁ ସାକ୍ଷ୍ୟ ପୁସ୍ତକ ଦେଲା; ତହିଁରେ ସେମାନେ ତାଙ୍କୁ ରାଜା କରି ଅଭିଷେକ କଲେ; ଆଉ ସେମାନେ କରତାଳି ଦେଇ କହିଲେ, “ରାଜା ଚିରଜୀବୀ ହେଉନ୍ତୁ।” ୧୩ ଏଥିରେ ଅଥଲୀୟା ପ୍ରହରୀବର୍ଗର ଓ ଲୋକମାନଙ୍କର କୋଳାହଳ ଶୁଣି ସଦାପ୍ରଭୁଙ୍କ ଗୃହକୁ ଲୋକମାନଙ୍କ ନିକଟକୁ ଆସିଲା। ୧୪ ପୁଣି ସେ ଦୃଷ୍ଟିପାତ କରନ୍ତେ, ଦେଖ, ରାଜା ବିଧି ଅନୁସାରେ ସ୍ତମ୍ଭ ନିକଟରେ ଠିଆ ହୋଇଅଛନ୍ତି ଓ ରାଜାଙ୍କ ନିକଟରେ ସେନାପତିମାନେ ଓ ତୂରୀବାଦକମାନେ ଅଛନ୍ତି; ପୁଣି ଦେଶର ସମଗ୍ର ଲୋକ ଆନନ୍ଦ କରୁଅଛନ୍ତି ଓ ତୂରୀ ବଜାଉଅଛନ୍ତି। ଏଥିରେ ଅଥଲୀୟା ଆପଣା ବସ୍ତ୍ର ଚିରି “ରାଜଦ୍ରୋହ ରାଜଦ୍ରୋହ !” ବୋଲି ଡାକ ପକାଇଲା। ୧୫ ଏଥିରେ ଯିହୋୟାଦା ଯାଜକ ସୈନ୍ୟ ଉପରେ ନିଯୁକ୍ତ ଶତପତିମାନଙ୍କୁ ଆଜ୍ଞା ଦେଇ କହିଲା, “ସୈନ୍ୟଶ୍ରେଣୀର ମଧ୍ୟଦେଇ ଏହାକୁ ବାହାରକୁ ନେଇ ଯାଅ ଓ ଯେ ତାହାର ପଶ୍ଚାଦ୍‍ଗାମୀ ହୁଏ, ତାହାକୁ ଖଡ୍ଗରେ ବଧ କର।” କାରଣ ଯାଜକ କହିଲା, “ସେ ସଦାପ୍ରଭୁଙ୍କ ଗୃହ ଭିତରେ ହତ ନ ହେଉ।” ୧୬ ତହୁଁ ସେମାନେ ତାହା ପାଇଁ ପଥ ଛାଡ଼ନ୍ତେ, ସେ ରାଜଗୃହକୁ ଯିବା ଅଶ୍ୱଦ୍ୱାରର ପଥ ଦେଇ ଗଲା ଓ ସେଠାରେ ହତ ହେଲା।
ଯିହୋୟାଦାଙ୍କ ସଂସ୍କାର କାର୍ଯ୍ୟ
୧୭ ଏଥିଉତ୍ତାରେ ସମସ୍ତେ ଯେପରି ସଦାପ୍ରଭୁଙ୍କର ଲୋକ ହେବେ, ଏଥିପାଇଁ ଯିହୋୟାଦା ସଦାପ୍ରଭୁଙ୍କର ଏବଂ ରାଜା ଓ ଲୋକମାନଙ୍କ ମଧ୍ୟରେ ଏକ ନିୟମ କଲା; ରାଜା ଓ ଲୋକମାନଙ୍କ ମଧ୍ୟରେ ହିଁ ନିୟମ କଲା। ୧୮ ଏଥିଉତ୍ତାରେ ଦେଶର ସମଗ୍ର ଲୋକ ବାଲ୍‍ ମନ୍ଦିରକୁ ଯାଇ ତାହା ଭାଙ୍ଗି ପକାଇଲେ; ସେମାନେ ତାହାର ଯଜ୍ଞବେଦି ଓ ତାହାର ପ୍ରତିମାସବୁ ସମ୍ପୂର୍ଣ୍ଣ ରୂପେ ଚୂର୍ଣ୍ଣ କଲେ ଓ ଯଜ୍ଞବେଦିମାନର ସମ୍ମୁଖରେ ବାଲ୍‍ର ଯାଜକ ମତ୍ତନକୁ ବଧ କଲେ। ପୁଣି ଯାଜକ ସଦାପ୍ରଭୁଙ୍କ ଗୃହରେ କର୍ମଚାରୀମାନଙ୍କୁ ନିଯୁକ୍ତ କଲା। ୧୯ ପୁଣି ଯିହୋୟାଦା ଶତପତିମାନଙ୍କୁ ଓ କରୀୟମାନଙ୍କୁ ଓ ପ୍ରହରୀବର୍ଗକୁ ଓ ଦେଶର ସମଗ୍ର ଲୋକଙ୍କୁ ନେଲା; ତହୁଁ ସେମାନେ ସଦାପ୍ରଭୁଙ୍କ ଗୃହରୁ ରାଜାଙ୍କୁ ଆଣି ପ୍ରହରୀବର୍ଗର ଦ୍ୱାର ଦେଇ ରାଜଗୃହକୁ ଆସିଲେ। ଏଥିରେ ଯୋୟାଶ୍‍ ରାଜସିଂହାସନରେ ଉପବିଷ୍ଟ ହେଲେ। ୨୦ ଏହିରୂପେ ଦେଶର ସମୁଦାୟ ଲୋକ ଆନନ୍ଦ କଲେ ଓ ନଗର ସୁସ୍ଥିର ହେଲା; ଆଉ ସେମାନେ ରାଜଗୃହ ନିକଟରେ ଅଥଲୀୟାକୁ ଖଡ୍ଗରେ ବଧ କଲେ।
ଯିହୁଦାର ରାଜା ଯୋୟାଶ୍‍
୨୧ ଯୋୟାଶ୍‍ ସାତ ବର୍ଷ ବୟସରେ ରାଜ୍ୟ କରିବାକୁ ଆରମ୍ଭ କଲେ।