ପ୍ରଭୁଙ୍କ ଆଗମନର ପ୍ରତିଜ୍ଞା
୧ ହେ ପ୍ରିୟମାନେ, ମୁଁ ବର୍ତ୍ତମାନ ତୁମ୍ଭମାନଙ୍କ ନିକଟକୁ ଏହି ଦ୍ୱିତୀୟ ପତ୍ର ଲେଖୁଅଛି । ୨ ତୁମ୍ଭେମାନେ ଯେପରି ପବିତ୍ର ଭାବବାଦୀମାନଙ୍କ ଦ୍ୱାରା ପୂର୍ବକାଳରେ ଉକ୍ତ ବାକ୍ୟସବୁ ପୁଣି, ତୁମ୍ଭମାନଙ୍କ ପ୍ରେରିତମାନଙ୍କ ଦ୍ୱାରା କଥିତ ପ୍ରଭୁ ଓ ତ୍ରାଣକର୍ତ୍ତାଙ୍କର ଆଜ୍ଞାଗୁଡ଼ିକ ସ୍ମରଣରେ ରଖ, ଏଥି ନିମନ୍ତେ ଉଭୟ ପତ୍ରରେ ମୁଁ ତୁମ୍ଭମାନଙ୍କୁ ସେହି ସବୁ ସ୍ମରଣ କରାଇ ତୁମ୍ଭମାନଙ୍କ ସରଳ ମନକୁ ଉତ୍ତେଜିତ କରିବାକୁ ଚେଷ୍ଟା କରୁଅଛି । ୩ ପ୍ରଥମେ ଏହା ଜ୍ଞାତ ହୁଅ ଯେ, ଶେଷକାଳରେ ଆପଣା ଆପଣା ଅଭିଳାଷାନୁସାରେ ଆଚରଣକାରୀ ପରିହାସକ ଲୋକେ ଉପସ୍ଥିତ ହୋଇ ପରିହାସ କରି କହିବେ, ୪ ତାହାଙ୍କ ଆଗମନର ପ୍ରତିଜ୍ଞା କାହିଁ ? କାରଣ ପିତୃପୁରୁଷମାନଙ୍କର ମହାନିଦ୍ରାପ୍ରାପ୍ତ ହେବା ସମୟଠାରୁ ଏପର୍ଯ୍ୟନ୍ତ ସମସ୍ତ ବିଷୟ ସୃଷ୍ଟିର ଆରମ୍ଭରେ ଯେପରି ଥିଲା, ସେହିପରି ରହିଅଛି । ୫ ସେମାନେ ଜାଣି ଜାଣି ଭୁଲିଯାଆନ୍ତି ଯେ, ପୁରାକାଳରେ ଆକାଶମଣ୍ଡଳ ଓ ଈଶ୍ୱରଙ୍କ ବାକ୍ୟ ଦ୍ୱାରା ଜଳରୁ ନିର୍ଗତ ଓ ଜଳରେ ଅବସ୍ଥିତ ପୃଥିବୀ ଥିଲା ୬ ଆଉ ତଦ୍ୱାରା ସେହି କାଳର ଜଗତ ଜଳରେ ପ୍ଳାବିତ ହୋଇ ବିନଷ୍ଟ ହେଲା; ୭ ପୁଣି, ଏହି ବର୍ତ୍ତମାନ ଆକାଶମଣ୍ଡଳ ଓ ପୃଥିବୀ ସେହି ବାକ୍ୟ ଦ୍ୱାରା ଅଧାର୍ମିକ ଲୋକମାନଙ୍କର ବିଚାର ଓ ବିନାଶର ଦିନ ପର୍ଯ୍ୟନ୍ତ ସଞ୍ଚିତ ହୋଇ ଅଗ୍ନି ନିମନ୍ତେ ରକ୍ଷିତ ହୋଇଅଛି । ୮ କିନ୍ତୁ ହେ ପ୍ରିୟମାନେ, ପ୍ରଭୁଙ୍କ ନିକଟରେ ଗୋଟିଏ ଦିନ ଯେ ସହସ୍ର ବର୍ଷ ତୁଲ୍ୟ ଓ ସହସ୍ର ବର୍ଷ ଯେ ଗୋଟିଏ ଦିନ ତୁଲ୍ୟ, ଏହି ବିଶେଷ ବିଷୟ ତୁମ୍ଭେମାନେ ଭୁଲିଯାଅ ନାହିଁ । ୯ ବିଳମ୍ବ ବୋଲି ଯେପରି କେତେକ ଭାବନ୍ତି, ପ୍ରଭୁ ଆପଣା ପ୍ରତିଜ୍ଞା ବିଷୟରେ ସେପରି ବିଳମ୍ବ କରନ୍ତି ନାହିଁ; କିନ୍ତୁ ଯେପରି କେହି ବିନଷ୍ଟ ନ ହୁଅନ୍ତି, ବରଂ ସମସ୍ତେ ମନ ପରିବର୍ତ୍ତନ କରନ୍ତି, ଏହା ଇଚ୍ଛା କରି ସେ ତୁମ୍ଭମାନଙ୍କ ପ୍ରତି ଦୀର୍ଘସହିଷ୍ଣୁ ଅଟନ୍ତି । ୧୦ ପ୍ରଭୁଙ୍କ ଦିନ ଚୋରର ପରି ଉପସ୍ଥିତ ହେବ । ସେହି ଦିନ ଆକାଶମଣ୍ଡଳ ମହାଶବ୍ଦ ସହ ଲୋପ ପାଇବ, ପୁଣି, ମୌଳିକ ବସ୍ତୁସବୁ ପ୍ରଚଣ୍ଡ ଉତ୍ତାପରେ ତରଳିଯିବ ଏବଂ ପୃଥିବୀ ଓ ତନ୍ମଧ୍ୟସ୍ଥ ମନୁଷ୍ୟକୃତ ବସ୍ତୁସବୁ ଦଗ୍ଧ ହେବ । ୧୧ ଏହି ସମସ୍ତ ବିଷୟ ଏହି ପ୍ରକାରେ ଲୁପ୍ତ ହେବାରୁ, ଈଶ୍ୱରଙ୍କ ଯେଉଁ ଦିନରେ ଆକାଶମଣ୍ଡଳ ଜ୍ୱଳିଉଠି ଲୁପ୍ତ ହେବ ଓ ମୌଳିକ ବସ୍ତୁସବୁ ପ୍ରଚଣ୍ଡ ଉତ୍ତାପରେ ତରଳିଯିବ, ୧୨ ସେହି ଦିନର ଆଗମନର ଅପେକ୍ଷା କରି, ତାହା ଯେପରି ଶୀଘ୍ର ଆସିବ, ଏଥିପାଇଁ ତୁମ୍ଭେମାନେ ସଦାଚାରୀ ଓ ଧର୍ମପରାୟଣ ହେବା ଉଚିତ । ୧୩ ଆମ୍ଭେମାନେ ତାହାଙ୍କ ପ୍ରତିଜ୍ଞାନୁସାରେ ଗୋଟିଏ ନୂତନ ଆକାଶମଣ୍ଡଳ ଓ ନୂତନ ପୃଥିବୀର ଅପେକ୍ଷାରେ ଅଛୁ, ଯାହା ଧାର୍ମିକତାର ଆବାସସ୍ଥଳ ହେବ ।
ଶେଷ ପରାମର୍ଶ
୧୪ ଅତଏବ, ହେ ପ୍ରିୟମାନେ, ତୁମ୍ଭେମାନେ ଏହି ସମସ୍ତ ବିଷୟ ଅପେକ୍ଷା କରୁଥିବାରୁ ତାହାଙ୍କ ଛାମୁରେ ଯେପରି ନିଷ୍କଳଙ୍କ ଓ ଅନିନ୍ଦନୀୟ ହୋଇ ଶାନ୍ତିରେ ଥିବାର ଦେଖାଯିବ, ଏଥିପାଇଁ ଯତ୍ନ କର; ୧୫ ପୁଣି, ଆମ୍ଭମାନଙ୍କ ପ୍ରଭୁଙ୍କର ଦୀର୍ଘସହିଷ୍ଣୁତା ତ୍ରାଣଜନକ ବୋଲି ଜ୍ଞାନ କର। ଆମ୍ଭମାନଙ୍କ ପ୍ରିୟ ଭ୍ରାତା ପାଉଲ ମଧ୍ୟ ଆପଣାକୁ ଦିଆଯାଇଥିବା ଜ୍ଞାନାନୁସାରେ ତୁମ୍ଭମାନଙ୍କ ନିକଟକୁ ସେପରି ଲେଖିଅଛନ୍ତି । ୧୬ ସେ ଆପଣାର ସମସ୍ତ ପତ୍ରରେ ମଧ୍ୟ ଏହି ସବୁ ବିଷୟ ଉଲ୍ଲେଖ କରି ସେହି ପ୍ରକାରେ କହନ୍ତି; ସେହି ସବୁରେ ଏପରି କେତେକ ବିଷୟ ଅଛି, ଯାହାକି ବୁଝିବାକୁ ଜଟିଳ, ପୁଣି, ଅଶିକ୍ଷିତ ଚଞ୍ଚଳମତି ଲୋକେ ଆପଣା ଆପଣା ବିନାଶାର୍ଥେ ଅନ୍ୟ ସମସ୍ତ ଶାସ୍ତ୍ରର ଯେପରି, ସେ ସବୁର ମଧ୍ୟ ସେହିପରି ବିକୃତ ଅର୍ଥ କରନ୍ତି । ୧୭ ଅତଏବ, ହେ ପ୍ରିୟମାନେ, ତୁମ୍ଭେମାନେ ପୂର୍ବରୁ ଏହିସବୁ ଜାଣି ସତର୍କ ହୋଇଥାଅ, କାଳେ ଦୁରାଚାରୀମାନଙ୍କ ଭ୍ରାନ୍ତିରେ ପଡ଼ି ତୁମ୍ଭେମାନେ ମଧ୍ୟ ଆପଣାମାନଙ୍କ ଦୃଢ଼ତାରୁ ସ୍ଖଳିତ ହୁଅ, ୧୮ ବରଂ ଆମ୍ଭମାନଙ୍କ ପ୍ରଭୁ ଓ ତ୍ରାଣକର୍ତ୍ତା ଯୀଶୁଖ୍ରୀଷ୍ଟଙ୍କ ଅନୁଗ୍ରହ ଓ ଜ୍ଞାନରେ ବୃଦ୍ଧି ପାଅ । ବର୍ତ୍ତମାନ ଓ ଅନନ୍ତକାଳ ପର୍ଯ୍ୟନ୍ତ ଗୌରବ ତାହାଙ୍କର ।