ଖ୍ରୀଷ୍ଟ ଯୀଶୁଙ୍କ ଉତ୍ତମ ଯୋଦ୍ଧା
୧ ଅତଏବ, ହେ ମୋହର ପୁତ୍ର, ଖ୍ରୀଷ୍ଟ ଯୀଶୁଙ୍କ ପ୍ରଦତ୍ତ ଅନୁଗ୍ରହରେ ବଳବାନ ହୁଅ, ୨ ଆଉ ଅନେକ ସାକ୍ଷୀଙ୍କ ସାକ୍ଷାତରେ ଯେଉଁ ସବୁ ବାକ୍ୟ ମୋଠାରୁ ଶୁଣିଅଛ, ଯେଉଁମାନେ ଅନ୍ୟମାନଙ୍କୁ ମଧ୍ୟ ଶିକ୍ଷା ଦେବାକୁ ସମର୍ଥ, ଏପରି ବିଶ୍ୱସ୍ତ ଲୋକମାନଙ୍କ ନିକଟରେ ସେହି ସବୁ ଅର୍ପଣ କର । ୩ ଖ୍ରୀଷ୍ଟ ଯୀଶୁଙ୍କର ଜଣେ ଉତ୍ତମ ଯୋଦ୍ଧା ପରି ମୋ ସହିତ କ୍ଲେଶ ସହ୍ୟ କର । ୪ କୌଣସି ଲୋକ ସୖେନ୍ୟକାର୍ଯ୍ୟ କରି ସଂସାରର ଅନ୍ୟ କାର୍ଯ୍ୟରେ ନିଜକୁ ଆବଦ୍ଧ କରେ ନାହିଁ, ଯେପରି ସୖେନ୍ୟପଦରେ ନିଯୋଗକର୍ତ୍ତାଙ୍କୁ ସେ ସନ୍ତୁଷ୍ଟ କରି ପାରେ | ୫ ଆହୁରି ମଧ୍ୟ ଯଦି ଜଣେ ଲୋକ ଖେଳରେ ଭାଗ ନିଏ, ସେ ନିୟମ ଅନୁସାରେ ତାହା ନ କଲେ ମୁକୁଟ ପାଏ ନାହିଁ । ୬ ଯେଉଁ କୃଷକ ପରିଶ୍ରମ କରେ, ସେ ପ୍ରଥମେ ଫଳର ଅଂଶ ପାଇବା ଉଚିତ୍ । ୭ ମୁଁ ଯାହା କହୁଅଛି, ତାହା ଚିନ୍ତା କର; ପ୍ରଭୁ ସମସ୍ତ ବିଷୟରେ ତୁମ୍ଭକୁ ବୁଦ୍ଧି ଦେବେ । ୮ ମୋ ଦ୍ୱାରା ପ୍ରଚାରିତ ସୁସମାଚାର ଅନୁସାରେ ମୃତମାନଙ୍କ ମଧ୍ୟରୁ ଉତ୍ଥିତ ଓ ଦାଉଦଙ୍କର ବଂଶଜାତ ଯୀଶୁ ଖ୍ରୀଷ୍ଟଙ୍କୁ ସ୍ମରଣ କର | ୯ ସେହି ସୁସମାଚାର ନିମନ୍ତେ ମୁଁ ଅପରାଧୀ ପରି ବନ୍ଧାଯିବା ପର୍ଯ୍ୟନ୍ତ କ୍ଲେଶ ଭୋଗ କରୁଅଛି; କିନ୍ତୁ ଈଶ୍ୱରଙ୍କ ବାକ୍ୟ ଆବଦ୍ଧ ନୁହେଁ । ୧୦ ଅତଏବ, ମନୋନୀତ ଲୋକମାନେ ମଧ୍ୟ ଯେପରି ଅନନ୍ତ ଗୌରବ ସହିତ ଖ୍ରୀଷ୍ଟ ଯୀଶୁଙ୍କ ଦତ୍ତ ପରିତ୍ରାଣ ପାଆନ୍ତି, ଏଥିପାଇଁ ମୁଁ ସେମାନଙ୍କ ନିମନ୍ତେ ସମସ୍ତ ବିଷୟ ଧୖେର୍ଯ୍ୟ ଧରି ସହ୍ୟ କରୁଅଛି । ୧୧ ଏହି ବାକ୍ୟ ବିଶ୍ୱାସଯୋଗ୍ୟ, ଯଦି ତାହାଙ୍କ ସହିତ ମରିଅଛୁ, ତେବେ ତାହାଙ୍କ ସହିତ ମଧ୍ୟ ବଞ୍ଚିବା; ୧୨ ଯଦି ଆମ୍ଭେମାନେ ଧୖେର୍ଯ୍ୟ ଧରି ସହ୍ୟ କରୁ, ତେବେ ତାହାଙ୍କ ସହିତ ମଧ୍ୟ ଶାସନ କରିବ; ଯଦି ଆମ୍ଭେମାନେ ତାହାଙ୍କୁ ଅସ୍ୱୀକାର କରୁ, ତେବେ ସେ ମଧ୍ୟ ଆମ୍ଭମାନଙ୍କୁ ଅସ୍ୱୀକାର କରିବେ; ୧୩ ଯେବେ ଆମ୍ଭେମାନେ, ଅବିଶ୍ୱସ୍ତ ହେଉ, ତେବେ ସୁଦ୍ଧା ସେ (ଯୀଶୁ) ସର୍ବଦା ବିଶ୍ୱସ୍ତ, କାରଣ ସେ ଆପଣାକୁ ଅସ୍ୱୀକାର କରି ପାରନ୍ତି ନାହିଁ ।
ଏକ ପରୀକ୍ଷାସିଦ୍ଧ କାର୍ଯ୍ୟକାରୀ
୧୪ ଏହି ସମସ୍ତ କଥା ସ୍ମରଣ କରାଇ ଶ୍ରୋତାମାନଙ୍କର ଅହିତକର ଓ ବିନାଶଜନକ ବାଦାନୁବାଦ ନ କରିବାକୁ ସେମାନଙ୍କୁ ପ୍ରଭୁଙ୍କ ସାକ୍ଷାତରେ ଦୃଢ଼ରୂପେ ଆଦେଶ ଦିଅ । ୧୫ ସତ୍ୟ ବାକ୍ୟ ଯଥାର୍ଥରୂପେ ବ୍ୟବହାର କରି, ଯେଉଁ କାର୍ଯ୍ୟକାରୀର ଲଜ୍ଜା ବୋଧ କରିବା ଆବଶ୍ୟକ ନୁହେଁ, ତାହାର ପରି ଈଶ୍ୱରଙ୍କ ନିକଟରେ ଆପଣାକୁ ପରୀକ୍ଷାସିଦ୍ଧ ଦେଖାଇବାକୁ ଯତ୍ନ କର । ୧୬ କିନ୍ତୁ ଅସାର କଥାବାର୍ତ୍ତାରୁ ଦୂରରେ ରୁହ; କାରଣ ଯେଉଁମାନେ ସେଥିରେ ଲିପ୍ତ ହେବେ, ସେମାନେ ଅଧର୍ମରେ ଅଧିକ ବୃଦ୍ଧି ପାଇବେ, ୧୭ ଆଉ ସେମାନଙ୍କର କଥା ପଚା ଘା ପରି ଖାଇଯିବ; ସେମାନଙ୍କ ମଧ୍ୟରେ ହୁମନାୟ ଓ ଫିଲୀତ ଅନ୍ୟତମ; ୧୮ ସେମାନେ ପୁନରୁତ୍ଥାନ ହୋଇଗଲାଣି ବୋଲି କହି ସତ୍ୟଭ୍ରଷ୍ଟ ହୋଇଅଛନ୍ତି, ପୁଣି, କେତେକଙ୍କର ବିଶ୍ୱାସ ଓଲଟାଇ ପକାଉଅଛନ୍ତି । ୧୯ ତଥାପି ଈଶ୍ୱରଙ୍କ ସ୍ଥାପିତ ସୁଦୃଢ଼ ଭିତ୍ତିମୂଳ ଅଟଳ ରହିଅଛି, ଆଉ ତହିଁ ଉପରେ ଏହା ମୁଦ୍ରାଙ୍କିତ ହୋଇଅଛି, ପ୍ରଭୁ ଆପଣା ଲୋକମାନଙ୍କୁ ଜାଣନ୍ତି, ଆଉ, ଯେ କେହି ପ୍ରଭୁଙ୍କର ନାମ ଧରେ, ସେ ଅଧର୍ମରୁ ଦୂରରେ ରହୁ । ୨୦ ଗୋଟିଏ ବଡ଼ ଘରେ (ଧନୀ) ଯେ କେବଳ ସୁନା ଓ ରୂପାର ପାତ୍ର ଥାଏ, ତାହା ନୁହେଁ, ମାତ୍ର କାଠ ଓ ମାଟିର ପାତ୍ର ମଧ୍ୟ ଥାଏ; କେତେକ ସମାଦର ଓ କେତେକ ଅନାଦର ନିମନ୍ତେ ଥାଏ । ୨୧ ଅତଏବ, ଯଦି କେହି ସେହି ସମସ୍ତଙ୍କଠାରୁ ନିଜକୁ ପରିଷ୍କାର କରେ, ତାହାହେଲେ ସେ ପବିତ୍ରୀକୃତ, କର୍ତ୍ତାଙ୍କ ବ୍ୟବହାର ପାଇଁ ଉପଯୁକ୍ତ, ପୁଣି, ସମସ୍ତ ଉତ୍ତମ କାର୍ଯ୍ୟ ନିମନ୍ତେ ପ୍ରସ୍ତୁତ, ଏପରି ଏକ ସମାଦରର ପାତ୍ର ହେବ । ୨୨ କିନ୍ତୁ ତୁମ୍ଭେ ଯୌବନ କାଳର ଅଭିଳାଷରୁ ପଳାୟନ କରି, ଯେଉଁମାନେ ଶୁଚି ହୃଦୟରେ ପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରନ୍ତି, ସେମାନଙ୍କ ସହିତ ଧାର୍ମିକତା, ବିଶ୍ୱାସ, ପ୍ରେମ ଓ ଶାନ୍ତିର ଅନୁଗାମୀ ହୁଅ । ୨୩ ଅଜ୍ଞାନୀ ଓ ମୁର୍ଖ ମାନଙ୍କର ଯୁକ୍ତିତର୍କ ଯେ ବିରୋଧ ଜନ୍ମାଏ, ଏହା ଜାଣି ସେହି ସବୁ ଅଗ୍ରାହ୍ୟ କର । ୨୪ ପ୍ରଭୁଙ୍କର ଦାସ ବିରୋଧ କରିବା ଉଚିତ୍ ନୁହେଁ, ମାତ୍ର ସମସ୍ତଙ୍କ ପ୍ରତି କୋମଳ, ଶିକ୍ଷା ଦେବାରେ ନିପୁଣ ଓ ସହିଷ୍ଣୁ ହେବା ଏବଂ ବିରୋଧ କରୁଥିବା ଲୋକମାନଙ୍କୁ ମୃଦୁ ଭାବରେ ଉପଦେଶ ଦେବା ଉଚିତ୍; ୨୫ ତାହାହେଲେ କେଜାଣି ଈଶ୍ୱର ସେମାନଙ୍କୁ ସତ୍ୟ ସମ୍ବନ୍ଧରେ ଜ୍ଞାନ ପାଇବା ପାଇଁ ମନପରିବର୍ତ୍ତନରୂପ ବର ଦେବେ, ୨୬ ଆଉ, ଯେଉଁ ଶୟତାନ ସେମାନଙ୍କୁ ତାହାର ଇଚ୍ଛା ସାଧନ କରିବା ନିମନ୍ତେ ବନ୍ଦୀ କରିଅଛି, ସଚେତନ ହୋଇ ତାହାର ଫାନ୍ଦରୁ ମୁକ୍ତ ହେବେ ।