୧୯
ଏଫିସରେ ପାଉଲ
୧ ଆପଲ୍ଲ କରିନ୍ଥରେ ଥିବା ସମୟରେ ପାଉଲ ପୂର୍ବ ଅଞ୍ଚଳ ଦେଇ ଯାତ୍ରା କରି ଏଫିସ ନଗରକୁ ଆସି କେତେକ ଶିଷ୍ୟଙ୍କ ଦେଖାପାଇଲେ । ୨ ସେ ସେମାନଙ୍କୁ ପଚାରିଲେ, ବିଶ୍ୱାସ କରିବା ସମୟରେ କ'ଣ ତୁମ୍ଭେମାନେ ପବିତ୍ର ଆତ୍ମାଙ୍କୁ ପାଇଥିଲ ? ସେମାନେ ତାହାଙ୍କୁ ଉତ୍ତର ଦେଲେ, ନା ପବିତ୍ର ଆତ୍ମା ଯେ ଦତ୍ତ ହୋଇଅଛନ୍ତି, ତାହା ସୁଦ୍ଧା ଆମ୍ଭେମାନେ ଶୁଣିନାହୁଁ । ୩ ତେଣୁ ସେ ପଚାରିଲେ, ତେବେ ତୁମ୍ଭେମାନେ କାହିଁରେ ବାପ୍ତିଜିତ ହୋଇଥିଲ ? ସେମାନେ କହିଲେ, ଯୋହନଙ୍କ ବାପ୍ତିସ୍ମରେ । ୪ ସେଥିରେ ପାଉଲ କହିଲେ, ଯୋହନ ମନପରିବର୍ତ୍ତନର ବାପ୍ତିସ୍ମରେ ବାପ୍ତିସ୍ମ ଦେଇ, ତାହାଙ୍କ ପରେ ଯେ ଆସିବେ, ତାହାଙ୍କଠାରେ ଅର୍ଥାତ୍ ଯୀଶୁଙ୍କଠାରେ ବିଶ୍ୱାସ କରିବାକୁ ହେବ ବୋଲି ଲୋକମାନଙ୍କୁ କହୁଥିଲେ । ୫ ସେମାନେ ଏହା ଶୁଣି ପ୍ରଭୁ ଯୀଶୁଙ୍କ ନାମରେ ବାପ୍ତିଜିତ ହେଲେ, ୬ ଆଉ ପାଉଲ ସେମାନଙ୍କ ଉପରେ ହସ୍ତାର୍ପଣ କରନ୍ତେ ପବିତ୍ର ଆତ୍ମା ସେମାନଙ୍କ ଉପରେ ଅବତରଣ କଲେ, ପୁଣି, ସେମାନେ ନାନା ଭାଷାରେ କଥା କହିବାକୁ ଓ ଭାବବାଣୀ ମଧ୍ୟ କହିବାକୁ ଲାଗିଲେ । ୭ ସେମାନେ ସମସ୍ତେ ପ୍ରାୟ ବାର ଜଣ ପୁରୁଷ ଥିଲେ । ୮ ପରେ ସେ ସମାଜଗୃହରେ ପ୍ରବେଶ କରି ତିନି ମାସ ପର୍ଯ୍ୟନ୍ତ ସାହସ ସହିତ ଈଶ୍ୱରଙ୍କ ରାଜ୍ୟ ବିଷୟରେ ଉପଦେଶ ଦେଇ ବିଶ୍ୱାସ ଜନ୍ମାଇବାକୁ ଚେଷ୍ଟା କରିବାକୁ ଲାଗିଲେ । ୯ କିନ୍ତୁ ସେତେବେଳେ କେତେକ ଲୋକ କଠିନ ଓ ଅବାଧ୍ୟ ହୋଇ ଲୋକସମୂହ ସାକ୍ଷାତରେ ଏହି ମାର୍ଗ ବିଷୟରେ ନିନ୍ଦା କରିବାକୁ ଲାଗିଲେ, ସେତେବେଳେ ସେ ସେମାନଙ୍କୁ ପରିତ୍ୟାଗ କରି ଶିଷ୍ୟମାନଙ୍କୁ ପୃଥକ୍ କଲେ, ଆଉ ପ୍ରତିଦିନ ତୁରାନ୍ନର ବିଦ୍ୟାଳୟରେ ଉପଦେଶ ଦେବାକୁ ଲାଗିଲେ । ୧୦ ଏହିପରି ଦୁଇ ବର୍ଷ ପର୍ଯ୍ୟନ୍ତ ଚାଲିଲା; ସେଥିରେ ଆସିଆ ନିବାସୀ ଯିହୂଦୀ ଓ ଗ୍ରୀକ୍ ସମସ୍ତେ ପ୍ରଭୁଙ୍କ ବାକ୍ୟ ଶ୍ରବଣ କଲେ ।
ସ୍କେବାର ପୁତ୍ରମାନେ
୧୧ ପୁଣି, ଈଶ୍ୱର ପାଉଲଙ୍କ ହସ୍ତ ଦ୍ୱାରା ଅସାମାନ୍ୟ ଅଦ୍ଭୁତ କାର୍ଯ୍ୟ ସାଧନ କରୁଥିଲେ, ୧୨ ଏପରିକି ତାହାଙ୍କ ଦେହରୁ ରୁମାଲ କିମ୍ବା ଗାମୁଛା ରୋଗୀମାନଙ୍କ ନିକଟକୁ ଅଣାଯାଆନ୍ତେ ସେମାନଙ୍କଠାରୁ ରୋଗ ଛାଡ଼ିଯାଉଥିଲା ଓ ମନ୍ଦଆତ୍ମାଗୁଡ଼ାକ ବାହାରିଯାଉଥିଲେ । ୧୩ କିନ୍ତୁ ଭ୍ରମଣକାରୀ ଯିହୂଦୀୟ ଭୂତୁଡ଼ିଆମାନଙ୍କ ମଧ୍ୟରୁ କେତେକ ଜଣକୁ ଦୁଷ୍ଟ ଆତ୍ମା ଲାଗିଥିବା ଲୋକମାନଙ୍କ ଉପରେ ପ୍ରଭୁ ଯୀଶୁଙ୍କ ନାମ ଉଚ୍ଚାରଣ କରିବାକୁ ପ୍ରବୃତ୍ତ ହୋଇ କହିଲେ, ଯେଉଁ ଯୀଶୁଙ୍କୁ ପାଉଲ ପ୍ରଚାର କରୁଅଛନ୍ତି, ମୁଁ ତୁମ୍ଭମାନଙ୍କୁ ତାହାଙ୍କର ଆଦେଶ ଦେଉଅଛି । ୧୪ ପୁଣି, ସ୍କେବା ନାମକ ଜଣେ ଯିହୂଦୀୟ ପ୍ରଧାନ ଯାଜକଙ୍କର ସାତ ପୁତ୍ର ଏହିପରି କରୁଥିଲେ । ୧୫ ସେଥିରେ ମନ୍ଦଆତ୍ମା ସେମାନଙ୍କୁ ଉତ୍ତର ଦେଲା, ଆମ୍ଭେ ଯୀଶୁଙ୍କୁ ଜାଣୁ ଓ ପାଉଲଙ୍କୁ ଚିହ୍ନୁଁ; ମାତ୍ର ତୁମ୍ଭେମାନେ କିଏ ? ୧୬ ସେତେବେଳେ ମନ୍ଦଆତ୍ମା ଲାଗିଥିବା ଲୋକଟା ସେମାନଙ୍କ ଉପରକୁ ଡେଇଁପଡ଼ି ସେ ଦୁଇ ଜଣଙ୍କୁ ପରାସ୍ତ କରି ସେମାନଙ୍କୁ ଏପରି ଆଘାତ କଲା ଯେ, ସେମାନେ ଉଲଙ୍ଗ ଓ କ୍ଷତବିକ୍ଷତ ହୋଇ ସେହି ଘରୁ ବାହାରି ପଳାଇଗଲେ। ୧୭ ଏହି କଥା ଏଫିସ ନିବାସୀ ଯିହୂଦୀ ଓ ଗ୍ରୀକ୍ ସମସ୍ତେ ଜାଣିଲେ । ସେଥିରେ ସମସ୍ତେ ଭୀତ ହେଲେ, ଆଉ ପ୍ରଭୁ ଯୀଶୁଙ୍କ ନାମ ମହିମାନ୍ୱିତ ହେବାକୁ ଲାଗିଲା । ୧୮ ପୁଣି, ବିଶ୍ୱାସୀମାନଙ୍କ ମଧ୍ୟରୁ ଅନେକେ ଆସି ଆପଣା ଆପଣା କର୍ମ ସ୍ୱୀକାର ଓ ପ୍ରକାଶ କରିବାକୁ ଲାଗିଲେ, ୧୯ ଆଉ ଯାଦୁକ୍ରିୟା କରୁଥିବା ଅନେକେ ଆପଣା ଆପଣା ପୁସ୍ତକ ଆଣି ଏକତ୍ର କରି ସମସ୍ତଙ୍କ ସାକ୍ଷାତରେ ପୋଡ଼ିପକାଇଲେ; ସେମାନେ ସେ ସବୁର ମୂଲ୍ୟ ହିସାବ କରି ତାହା ପଚାଶ ହଜାର ଟଙ୍କା ବୋଲି ଦେଖିଲେ । ୨୦ ଏହି ପ୍ରକାରେ ପ୍ରଭୁଙ୍କର ବାକ୍ୟ ପରାକ୍ରମରେ ବୃଦ୍ଧି ପାଇବାକୁ ଓ ଜୟଯୁକ୍ତ ହେବାକୁ ଲାଗିଲା ।
ଏଫିସରେ ହିଂସାକାଣ୍ଡ
୨୧ ଏହି ସମସ୍ତ ବିଷୟ ଶେଷ ହେଲା ଉତ୍ତାରେ ପାଉଲ ମାକିଦନିଆ ଓ ଆଖାୟା ଦେଇ ଯିରୂଶାଲମକୁ ଯିବାକୁ ମନରେ ସ୍ଥିର କରି କହିଲେ, ସେଠାକୁ ଗଲା ଉତ୍ତାରେ ମୋତେ ରୋମକୁ ମଧ୍ୟ ଯିବାକୁ ହେବ । ୨୨ ପୁଣି, ଯେଉଁମାନେ ତାହାଙ୍କର ସେବା କରୁଥିଲେ, ସେମାନଙ୍କର ମଧ୍ୟରୁ ତୀମଥି ଓ ଏରାଷ୍ଟ, ଏହି ଦୁଇ ଜଣଙ୍କୁ ମାକିଦନିଆକୁ ପ୍ରେରଣ କରି ସେ ଆପେ କିଛି କାଳ ପର୍ଯ୍ୟନ୍ତ ଆସିଆରେ ରହିଲେ । ୨୩ ପ୍ରାୟ ସେହି ସମୟରେ ଏହି ମାର୍ଗ ବିଷୟରେ ମହା ଗଣ୍ଡଗୋଳ ଉଠିଲା । ୨୪ କାରଣ ଦୀମିତ୍ରୀୟ ନାମକ ଜଣେ ସ୍ୱର୍ଣ୍ଣକାର ଆର୍ତ୍ତେମୀର ରୌପ୍ୟ ମନ୍ଦିର ନିର୍ମାଣ କରୁଥିଲା, ପୁଣି, ଶିଳ୍ପକାରମାନଙ୍କର ଯଥେଷ୍ଟ ଲାଭ କରାଯାଉଥିଲା । ୨୫ ସେ ସେମାନଙ୍କୁ ଓ ସେହି ବ୍ୟବସାୟର କାରିଗରମାନଙ୍କୁ ଡାକି କହିଲା, ମହାଶୟମାନେ, ଏହି ବ୍ୟବସାୟ ଦ୍ୱାରା ଆମ୍ଭେମାନେ ଧନ ପ୍ରାପ୍ତ ହେଉ ବୋଲି ଆପଣମାନେ ଜାଣନ୍ତି; ୨୬ ଆଉ ହାତ ତିଆରି ଦେବତାମାନେ ଈଶ୍ୱର ନୁହଁନ୍ତି ବୋଲି କହି ଏହି ପାଉଲ କେବଳ ଏଫିସରେ ନୁହେଁ, ମାତ୍ର ପ୍ରାୟ ସମସ୍ତ ଆସିଆରେ ବହୁତ ଲୋକଙ୍କୁ ମତାଇ ଭୁଲାଇଅଛି, ଏହା ଆପଣମାନେ ଦେଖୁଅଛନ୍ତି ଓ ଶୁଣୁଅଛନ୍ତି । ୨୭ ଏଥିରେ ଯେ କେବଳ ଆମ୍ଭମାନଙ୍କ ଏହି ବ୍ୟବସାୟର ଦୁର୍ନାମ ହେବାର ଆଶଙ୍କା ଅଛି, ତାହା ନୁହେଁ, କିନ୍ତୁ ଯେଉଁ ମହାଦେବୀ ଆର୍ତ୍ତେମୀଙ୍କୁ ସମସ୍ତ ଆସିଆ ଓ ଜଗତଯାକ ଉପାସନା କରନ୍ତି, ତାହା ମନ୍ଦିର ମଧ୍ୟ ନଗଣ୍ୟ ହୋଇପଡ଼ିବାର ଓ ତାହାଙ୍କ ମହିମାର ଗ୍ଲାନି ସୁଦ୍ଧା ଘଟିବାର ଆଶଙ୍କା ଅଛି । ୨୮ ଏହି କଥା ଶୁଣି ସେମାନେ କ୍ରୋଧରେ ପରିପୂର୍ଣ୍ଣ ହୋଇ ଚିତ୍କାର କରି କହିବାକୁ ଲାଗିଲେ, ଏଫିସୀୟମାନଙ୍କର ଆର୍ତ୍ତେମୀ ମହାଦେବୀ ଅଟନ୍ତି । ୨୯ ଏଥିରେ ନଗରଟି ଗଣ୍ଡଗୋଳରେ ପରିପୂର୍ଣ୍ଣ ହେଲା, ଆଉ ସେମାନେ ଏକଯୋଗରେ ପାଉଲଙ୍କ ସହଯାତ୍ରୀ ମାକିଦନିଅାର ଗାୟ ଓ ଆରିସ୍ତାର୍ଖଙ୍କୁ ଧରି ବଡ଼ ବେଗରେ ରଙ୍ଗଭୂମିକୁ ଦୌଡ଼ିଗଲେ । ୩୦ ଏଥିରେ ପାଉଲ ଲୋକମାନଙ୍କ ଭିତରକୁ ଯିବାକୁ ଇଚ୍ଛା କଲେ, କିନ୍ତୁ ଶିଷ୍ୟମାନେ ତାହାଙ୍କୁ ଯିବାକୁ ଦେଲେ ନାହିଁ । ୩୧ ଆଉ ଆସିଅାର ପ୍ରଧାନ କର୍ମଚାରୀମାନଙ୍କ ମଧ୍ୟରୁ ସୁଦ୍ଧା କେତେକ ଜଣ ତାହାଙ୍କ ବନ୍ଧୁ ଥିବାରୁ ଲୋକ ପଠାଇ ରଙ୍ଗଭୂମି ମଧ୍ୟକୁ ଦୁଃସାହସ କରି ନ ଯିବାକୁ ତାହାଙ୍କୁ ଅନୁରୋଧ କଲେ । ୩୨ ସେତେବେଳେ କେହି କେହି ଏକଥା, କେହି କେହି ବା ସେ କଥା କହି ଚିତ୍କାର କରୁଥିଲେ, କାରଣ ସଭା ଗଣ୍ଡଗୋଳରେ ପରିପୂର୍ଣ୍ଣ ହୋଇଥିଲା, ଆଉ ସେମାନେ ଯେ କାହିଁକି ଏକତ୍ର ହୋଇଅଛନ୍ତି, ତାହା ଅଧିକାଂଶ ଜାଣି ନ ଥିଲେ । ୩୩ ଆଉ ଯିହୂଦୀମାନେ ଆଲେକ୍‌ଜାଣ୍ଡରକୁ ଆଗକୁ ବାହାର କରି ଆଣିବାରୁ ଲୋକସମୂହ ମଧ୍ୟରୁ କେହି କେହି ତାହାକୁ ମତାଇଲେ; ସେଥିରେ ଆଲେକ୍‌ଜାଣ୍ଡର ହସ୍ତରେ ସଙ୍କେତ କରି ଲୋକମାନଙ୍କ ନିକଟରେ ସେମାନଙ୍କର ପକ୍ଷ ସମର୍ଥନ କରିବାକୁ ଇଚ୍ଛା କଲା । ୩୪ କିନ୍ତୁ ସେ ଜଣେ ଯିହୂଦୀ ବୋଲି ଯେତେବେଳେ ସେମାନେ ଜାଣିଲେ, ସେତେବେଳେ ସମସ୍ତେ ଏକସ୍ୱରରେ ପ୍ରାୟ ଦୁଇ ଘଣ୍ଟା ପର୍ଯ୍ୟନ୍ତ ଚିତ୍କାର କରି କହିବାକୁ ଲାଗିଲେ, ଏଫିସୀୟମାନଙ୍କର ଆର୍ତ୍ତେମୀ ମହାଦେବୀ ଅଟନ୍ତି । ୩୫ ପରେ ନଗରବେବର୍ତ୍ତା ଲୋକସମୂହକୁ ଶାନ୍ତ କରାଇ କହିଲେ, ହେ ଏଫିସୀୟ ଲୋକମାନେ, ଏଫିସ ନଗରୀ ଯେ ମହାଦେବୀ ଆର୍ତ୍ତେମୀ ଓ ଆକାଶରୁ ପତିତ ପ୍ରତିମାର ମନ୍ଦିର ପରିଚାରିକା, ଏହା କିଏ ନ ଜାଣେ ? ୩୬ ଅତଏବ ଏହି ସବୁ କଥା ଅଖଣ୍ଡନୀୟ ହେବାରୁ ତୁମ୍ଭମାନଙ୍କର ଶାନ୍ତ ହେବା ଓ ଅବିବେଚନା ରେ କୌଣସି କର୍ମ ନ କରିବା ଉଚିତ । ୩୭ କାରଣ ଏହି ଯେଉଁ ଲୋକମାନଙ୍କୁ ତୁମ୍ଭେମାନେ ଘେନି ଆସିଅଛ, ଏମାନେ ତ ମନ୍ଦିର ଲୁଣ୍ଠନକାରୀ ନୁହଁନ୍ତି, କିମ୍ବା ଆମ୍ଭମାନଙ୍କ ଦେବୀଙ୍କ ନିନ୍ଦକ ନୁହଁନ୍ତି । ୩୮ ଏଣୁ ଯଦି କାହାରି ବିରୁଦ୍ଧରେ ଦୀମିତ୍ରୀୟର ଓ ତାହାର ସଙ୍ଗୀ ଶିଳ୍ପକରମାନଙ୍କର କୌଣସି କଥା ଥାଏ , ତାହାହେଲେ ବିଚାରାଳୟ ଉନ୍ମୁକ୍ତ ଅଛି ଓ ଶାସନକର୍ତ୍ତାମାନେ ଅଛନ୍ତି; ସେମାନେ ପରସ୍ପର ବିରୁଦ୍ଧରେ ଅଭିଯୋଗ କରନ୍ତୁ । ୩୯ କିନ୍ତୁ ଯଦି ତୁମ୍ଭମାନଙ୍କର ଅନ୍ୟ କୌଣସି ଦାବି ଥାଏ, ତେବେ ନିୟମିତ ସାଧାରଣ ସଭାରେ ତାହାର ମୀମାଂସା ହେବ । ୪୦ କାରଣ ପ୍ରକୃତରେ ଆଜିର ଗଣ୍ଡଗୋଳ ଘେନି ଆମ୍ଭମାନଙ୍କ ବିରୁଦ୍ଧରେ ଅଭିଯୋଗ ହେବାର ଆଶଙ୍କା ଅଛି; ଆମ୍ଭେମାନେ ଏହି ଗଣ୍ଡଗୋଳର କୌଣସି କାରଣ ଦେଖାଇ ପାରିବୁ ନାହିଁ । ୪୧ ଏହା କହି ସେ ସଭାସ୍ଥ ସମସ୍ତଙ୍କୁୁ ବିଦାୟ ଦେଲେ ।