୧ ସଦାପ୍ରଭୁ ଏହି କଥା କହନ୍ତି,
“ମୋୟାବର ତିନି, ହିଁ, ଚାରି ଅପରାଧ ସକାଶୁ
ଆମ୍ଭେ ତହିଁର ଦଣ୍ଡ ନିବାରଣ କରିବା ନାହିଁ;
କାରଣ ସେ ଇଦୋମ ରାଜାର ଅସ୍ଥି ଦଗ୍ଧ କରି ତାହା ଚୂର୍ଣ୍ଣ କଲା;
୨ ମାତ୍ର ଆମ୍ଭେ ମୋୟାବର ଉପରେ ଅଗ୍ନି ନିକ୍ଷେପ କରିବା
ଓ ତାହା କରୀୟୋଥ ନଗରର ଅଟ୍ଟାଳିକାସବୁ ଗ୍ରାସ କରିବ;
ପୁଣି, ମୋୟାବ କୋଳାହଳ, ସିଂହନାଦ ଓ ତୂରୀଧ୍ୱନି ସହିତ ପ୍ରାଣତ୍ୟାଗ କରିବ;
୩ ପୁଣି, ଆମ୍ଭେ ତହିଁ ମଧ୍ୟରୁ ବିଚାରକର୍ତ୍ତାକୁ ଉଚ୍ଛିନ୍ନ କରିବା
ଓ ତାହା ସଙ୍ଗେ ତହିଁର ସମସ୍ତ ଅଧିପତିଙ୍କୁ ସଂହାର କରିବା।”
ଏହା ସଦାପ୍ରଭୁ କହନ୍ତି।
ଯିହୁଦାର ଦଣ୍ଡ
୪ ସଦାପ୍ରଭୁ ଏହି କଥା କହନ୍ତି,
“ଯିହୁଦାର ତିନି, ହଁ, ଚାରି ଅପରାଧ ସକାଶୁ
ଆମ୍ଭେ ତହିଁର ଦଣ୍ଡ ନିବାରଣ କରିବା ନାହିଁ;
କାରଣ ସେମାନେ ସଦାପ୍ରଭୁଙ୍କର ବ୍ୟବସ୍ଥା ଅଗ୍ରାହ୍ୟ କରିଅଛନ୍ତି
ଓ ତାହାଙ୍କର ବିଧିସବୁ ପାଳନ କରି ନାହାନ୍ତି,
ପୁଣି ସେମାନଙ୍କର ପିତୃପୁରୁଷମାନେ ଯେଉଁ ମିଥ୍ୟା ଦେବଗଣର ଅନୁଗାମୀ ହେଲେ,
ତଦ୍ଦ୍ୱାରା ସେମାନେ ଭ୍ରାନ୍ତ ହୋଇଅଛନ୍ତି;
୫ ମାତ୍ର ଆମ୍ଭେ ଯିହୁଦା ଉପରେ ଅଗ୍ନି ନିକ୍ଷେପ କରିବା
ଓ ତାହା ଯିରୂଶାଲମର ଅଟ୍ଟାଳିକାସବୁ ଗ୍ରାସ କରିବ।”
ଇସ୍ରାଏଲର ଦଣ୍ଡ
୬ ସଦାପ୍ରଭୁ ଏହି କଥା କହନ୍ତି,
“ଇସ୍ରାଏଲର ତିନି, ହଁ, ଚାରି ଅପରାଧ ସକାଶୁ
ଆମ୍ଭେ ତହିଁର ଦଣ୍ଡ ନିବାରଣ କରିବା ନାହିଁ;
କାରଣ ସେମାନେ ରୂପା ପାଇଁ ଧାର୍ମିକକୁ
ଓ ଏକ ଯୋଡ଼ା ପାଦୁକା ପାଇଁ ଦୀନହୀନକୁ ବିକ୍ରୟ କରିଅଛନ୍ତି;
୭ ସେମାନେ ଦରିଦ୍ରର ମସ୍ତକରେ ଧୂଳିର ଆକାଂକ୍ଷା କରନ୍ତି
ଓ ନମ୍ର ଲୋକମାନଙ୍କର ମାର୍ଗ ବକ୍ର କରନ୍ତି;
ପୁଣି, ଆମ୍ଭର ପବିତ୍ର ନାମ ଅପବିତ୍ର କରିବା ପାଇଁ
ଜଣେ ପୁରୁଷ ଓ ତାହାର ପିତା ଏକ ଯୁବତୀଠାରେ ଗମନ କରନ୍ତି;
୮ ଆଉ, ସେମାନେ ପ୍ରତ୍ୟେକ ଯଜ୍ଞବେଦିର ନିକଟରେ
ବନ୍ଧକି ବସ୍ତ୍ରର ଉପରେ ଶୟନ କରନ୍ତି,
ଆଉ ସେମାନେ ଅର୍ଥଦଣ୍ଡପ୍ରାପ୍ତ ଲୋକମାନଙ୍କର ଦ୍ରାକ୍ଷାରସ
ଆପଣାମାନଙ୍କ ପରମେଶ୍ୱରଙ୍କ ଗୃହରେ ପାନ କରନ୍ତି।
୯ ତଥାପି ଏରସ ବୃକ୍ଷ ତୁଲ୍ୟ ଦୀର୍ଘ ଓ ଅଲୋନ ବୃକ୍ଷ ତୁଲ୍ୟ ବଳିଷ୍ଠ
ଇମୋରୀୟକୁ ଆମ୍ଭେ ସେମାନଙ୍କ ସମ୍ମୁଖରେ ବିନାଶ କଲୁ;
ଆଉ, ଉପରେ ତାହାର ଫଳ ଓ ତଳେ ତାହାର ମୂଳ ନଷ୍ଟ କଲୁ।
୧୦ ଆହୁରି, ଇମୋରୀୟମାନଙ୍କ ଦେଶ ଅଧିକାର କରିବା ନିମନ୍ତେ
ଆମ୍ଭେ ତୁମ୍ଭମାନଙ୍କୁ ମିସର ଦେଶରୁ ବାହାର କରି ଆଣିଲୁ
ଓ ଚାଳିଶ ବର୍ଷ ପର୍ଯ୍ୟନ୍ତ ପ୍ରାନ୍ତରରେ ପଥ କଢ଼ାଇ ତୁମ୍ଭମାନଙ୍କୁ ଗମନ କରାଇଲୁ।
୧୧ ପୁଣି, ଆମ୍ଭେ ତୁମ୍ଭମାନଙ୍କ ପୁତ୍ରଗଣ ମଧ୍ୟରୁ ଭବିଷ୍ୟଦ୍‍ବକ୍ତାଗଣ
ଓ ତୁମ୍ଭମାନଙ୍କ ଯୁବାଗଣ ମଧ୍ୟରୁ ନାସରୀୟ ଲୋକମାନଙ୍କୁ ଉତ୍ପନ୍ନ କଲୁ।”
ସଦାପ୍ରଭୁ କହନ୍ତି,
“ହେ ଇସ୍ରାଏଲ ସନ୍ତାନଗଣ, ଏପରି କି ହୋଇ ନାହିଁ ?
୧୨ ମାତ୍ର ତୁମ୍ଭେମାନେ ନାସରୀୟ ଲୋକମାନଙ୍କୁ ଦ୍ରାକ୍ଷାରସ ପାନ କରିବାକୁ ଦେଲ
ଓ ଭବିଷ୍ୟଦ୍‍ବକ୍ତାମାନଙ୍କୁ ଆଜ୍ଞା ଦେଇ କହିଲ, ‘ଭବିଷ୍ୟଦ୍‍ବାକ୍ୟ ପ୍ରଚାର କର ନାହିଁ।’
୧୩ ଦେଖ, ହଳାରେ ଶସ୍ୟବିଡ଼ା ପୂର୍ଣ୍ଣ ଶଗଡ଼ ଯେପରି ଚାପେ,
ସେପରି ଆମ୍ଭେ ତୁମ୍ଭମାନଙ୍କ ନିଜ ସ୍ଥାନରେ ତୁମ୍ଭମାନଙ୍କୁ ଚାପିବା।
୧୪ ତହିଁରେ ଦ୍ରୁତଗାମୀର ପଳାୟନ ଉପାୟ ନଷ୍ଟ ହେବ
ଓ ବଳବାନ ଆପଣା ବଳ ଦୃଢ଼ କରିବ ନାହିଁ,
ଅଥବା ବୀର ଆପଣାକୁ ରକ୍ଷା କରିବ ନାହିଁ;
୧୫ ଅଥବା ଧନୁର୍ଦ୍ଧାରୀ ଠିଆ ହେବ ନାହିଁ
ଓ ଯାହାର ଚରଣ ଦ୍ରୁତଗାମୀ, ସେ ଆପଣାକୁ ରକ୍ଷା କରିବ ନାହିଁ;
ଯେ ଅଶ୍ୱାରୋହୀ, ସେ ଆପଣାକୁ ରକ୍ଷା କରିବ ନାହିଁ;
୧୬ ପୁଣି, ବୀରଗଣ ମଧ୍ୟରେ ଯେ ସାହସିକ,
ସେ ଉଲଙ୍ଗ ହୋଇ ସେଦିନ ପଳାଇ ଯିବ।”
ଏହା ସଦାପ୍ରଭୁ କହନ୍ତି।