୧ ହେ ଶମରୀୟାର ପର୍ବତବାସିନୀ ବାଶନର ଗାଭୀସବୁ, ତୁମ୍ଭେମାନେ ଏହି ବାକ୍ୟ ଶୁଣ,
ତୁମ୍ଭେମାନେ ଦରିଦ୍ରଗଣ ପ୍ରତି ଉପଦ୍ରବ କରୁଅଛ, ଦୀନହୀନମାନଙ୍କୁ ଦଳି ପକାଉଅଛ,
ତୁମ୍ଭେମାନେ ଆପଣା ଆପଣା କର୍ତ୍ତାକୁ କହୁଅଛ, “ଆଣ, ଆମ୍ଭେମାନେ ପାନ କରିବା।”
୨ ପ୍ରଭୁ ସଦାପ୍ରଭୁ ଆପଣା ପବିତ୍ରତାରେ ଶପଥ କରି କହିଅଛନ୍ତି,
“ଦେଖ, ଯେଉଁ ସମୟରେ ଲୋକମାନେ ତୁମ୍ଭମାନଙ୍କୁ ତେଣ୍ଟାରେ
ଓ ତୁମ୍ଭମାନଙ୍କର ଅବଶିଷ୍ଟାଂଶକୁ ବନଶୀ କଣ୍ଟାରେ ଟାଣି ନେବେ,
ଏପରି ସମୟ ତୁମ୍ଭମାନଙ୍କ ଉପରେ ଆସିବ।
୩ ପୁଣି, ତୁମ୍ଭମାନଙ୍କର ପ୍ରତ୍ୟେକ ଜଣ
ଆପଣା ଆପଣା ସମ୍ମୁଖସ୍ଥ ଭଗ୍ନସ୍ଥାନ ଦେଇ ବାହାରି ଯିବ
ଓ ହର୍ମ୍ମୋଣରେ ଆପଣାମାନଙ୍କୁ ନିକ୍ଷେପ କରିବ।”
ଏହା ସଦାପ୍ରଭୁ କହନ୍ତି।
୪ “ତୁମ୍ଭେମାନେ ବେଥେଲ୍‍କୁ ଯାଇ ଅପରାଧ କର; ଗିଲ୍‍ଗଲ୍‍କୁ ଯାଇ ଅପରାଧ ବୃଦ୍ଧି କର;
ଆଉ, ପ୍ରତି ପ୍ରଭାତରେ ଆପଣା ଆପଣା ବଳି
ଓ ପ୍ରତି ତିନି ଦିନରେ ଆପଣା ଆପଣାର ଦଶମାଂଶ ଉତ୍ସର୍ଗ କର;
୫ ପୁଣି, ପ୍ରଶଂସାର୍ଥକ ବଳି ନିମନ୍ତେ ତାଡ଼ି ମିଶ୍ରିତ ଦ୍ରବ୍ୟ ଉତ୍ସର୍ଗ କର
ଓ ସ୍ଵେଚ୍ଛାଦତ୍ତ ଉପହାର ବିଷୟ ଘୋଷଣା କରି ପ୍ରକାଶ କର;
କାରଣ, ହେ ଇସ୍ରାଏଲ ସନ୍ତାନଗଣ, ତୁମ୍ଭେମାନେ ଏପରି କରିବାକୁ ଭଲ ପାଅ।”
ଏହା ପ୍ରଭୁ ସଦାପ୍ରଭୁ କହନ୍ତି।
ଶିକ୍ଷା ଗ୍ରହଣ କରିବାକୁ ଇସ୍ରାଏଲ ଅସମର୍ଥ
୬ “ଆଉ, ଆମ୍ଭେ ତୁମ୍ଭମାନଙ୍କର ସମୁଦାୟ ନଗରରେ ଦନ୍ତ ପଂକ୍ତିର ନିର୍ମଳତା
ଓ ତୁମ୍ଭମାନଙ୍କର ସମୁଦାୟ ବାସସ୍ଥାନରେ ଅନ୍ନାଭାବ ତୁମ୍ଭମାନଙ୍କୁ ଦେଇଅଛୁ;
ତଥାପି ତୁମ୍ଭେମାନେ ଆମ୍ଭ ପ୍ରତି ଫେରି ନାହଁ।”
ଏହା ସଦାପ୍ରଭୁ କହନ୍ତି।
୭ “ଆହୁରି, ଶସ୍ୟ ପାଚିବାର ତିନି ମାସ ପୂର୍ବେ ଆମ୍ଭେ ତୁମ୍ଭମାନଙ୍କଠାରୁ ବୃଷ୍ଟି ନିବାରଣ କରିଅଛୁ;
ପୁଣି, ଏକ ନଗରରେ ଜଳ ବର୍ଷାଇ ଅଛୁ ଓ ଅନ୍ୟ ନଗରରେ ଜଳ ବର୍ଷାଇ ନାହୁଁ;
ଏକ କ୍ଷେତ୍ରରେ ବୃଷ୍ଟି ହେଲା ଓ ଯେଉଁ କ୍ଷେତ୍ରରେ ବୃଷ୍ଟି ହେଲା ନାହିଁ,
ତାହା ଶୁଷ୍କ ହେଲା।
୮ ତହିଁ ସକାଶୁ ଦୁଇ, ତିନି ନଗରସ୍ଥ ଲୋକମାନେ ଜଳ ପାନ କରିବା ନିମନ୍ତେ
ବୁଲି ବୁଲି ଅନ୍ୟ ଏକ ନଗରକୁ ଗଲେ, ମାତ୍ର ତୃପ୍ତ ହେଲେ ନାହିଁ;
ତଥାପି ତୁମ୍ଭେମାନେ ଆମ୍ଭ ପ୍ରତି ଫେରି ନାହଁ।”
ଏହା ସଦାପ୍ରଭୁ କହନ୍ତି।
୯ “ଆମ୍ଭେ ଶସ୍ୟର ଶୋଷ ଓ ମ୍ଳାନି ଦ୍ୱାରା ତୁମ୍ଭମାନଙ୍କୁ ଆଘାତ କରିଅଛୁ;
ଶୂକ କୀଟ ତୁମ୍ଭମାନଙ୍କର ବହୁସଂଖ୍ୟକ ଉଦ୍ୟାନ, ଦ୍ରାକ୍ଷାକ୍ଷେତ୍ର, ଡିମ୍ବିରି ବୃକ୍ଷ ଓ ଜୀତବୃକ୍ଷ ଗ୍ରାସ କରିଅଛି;
ତଥାପି ତୁମ୍ଭେମାନେ ଆମ୍ଭ ପ୍ରତି ଫେରି ନାହଁ।”
ଏହା ସଦାପ୍ରଭୁ କହନ୍ତି।
୧୦ “ଆମ୍ଭେ ତୁମ୍ଭମାନଙ୍କ ମଧ୍ୟରୁ ମିସର ଦେଶର ମହାମାରୀ ତୁଲ୍ୟ ମହାମାରୀ ପଠାଇଅଛୁ;
ତୁମ୍ଭମାନଙ୍କର ଯୁବାଗଣକୁ ଆମ୍ଭେ ଖଡ୍ଗରେ ସଂହାର କରିଅଛୁ
ଓ ତୁମ୍ଭମାନଙ୍କର ଅଶ୍ୱଗଣକୁ ନେଇ ଯାଇଅଛୁ;
ପୁଣି, ଆମ୍ଭେ ତୁମ୍ଭମାନଙ୍କର ଛାଉଣି ସ୍ଥାନର ଦୁର୍ଗନ୍ଧ ତୁମ୍ଭମାନଙ୍କର ନାସିକା ପର୍ଯ୍ୟନ୍ତ ହିଁ ପ୍ରବେଶ କରାଇଅଛୁ;
ତଥାପି ତୁମ୍ଭେମାନେ ଆମ୍ଭ ପ୍ରତି ଫେରି ନାହଁ।”
ଏହା ସଦାପ୍ରଭୁ କହନ୍ତି।
୧୧ “ପରମେଶ୍ୱର ସଦୋମ ଓ ହମୋରାକୁ ଯେପରି ଉତ୍ପାଟନ କରିଥିଲେ,
ସେପରି ଆମ୍ଭେ ତୁମ୍ଭମାନଙ୍କର କେତେକ (ସ୍ଥାନ) ଉତ୍ପାଟନ କରିଅଛୁ,
ଆଉ ତୁମ୍ଭେମାନେ ପୋଡ଼ା ଖୁଣ୍ଟ ପରି ଅଗ୍ନିରୁ କଢ଼ାଗଲ;
ତଥାପି ତୁମ୍ଭେମାନେ ଆମ୍ଭ ପ୍ରତି ଫେରି ନାହଁ।”
ଏହା ସଦାପ୍ରଭୁ କହନ୍ତି।
୧୨ “ଏଥିପାଇଁ ହେ ଇସ୍ରାଏଲ, ଆମ୍ଭେ ତୁମ୍ଭ ପ୍ରତି ଏରୂପ କରିବା;
ଆଉ, ଆମ୍ଭେ ତୁମ୍ଭ ପ୍ରତି ଏରୂପ କରିବା,
ଏଥିସକାଶୁ ହେ ଇସ୍ରାଏଲ, ତୁମ୍ଭେ ଆପଣା ପରମେଶ୍ୱରଙ୍କ ସହିତ
ସାକ୍ଷାତ କରିବାକୁ ପ୍ରସ୍ତୁତ ହୁଅ।
୧୩ କାରଣ ଦେଖ, ଯେ ପର୍ବତଗଣ ନିର୍ମାଣ କରନ୍ତି,
ବାୟୁକୁ ସୃଷ୍ଟି କରନ୍ତି ଓ ମନୁଷ୍ୟ ପ୍ରତି ତାହାର ଚିନ୍ତା ପ୍ରକାଶ କରନ୍ତି,
ଯେ ଅରୁଣକୁ ଅନ୍ଧକାରମୟ କରନ୍ତି
ଓ ପୃଥିବୀର ଉଚ୍ଚସ୍ଥଳୀସକଳର ଉପରେ ଗମନାଗମନ କରନ୍ତି।”
ସଦାପ୍ରଭୁ ସୈନ୍ୟାଧିପତି ପରମେଶ୍ୱର ତାହାଙ୍କର ନାମ।