ନୂତନ ସ୍ୱଭାବ ପରିଧାନ କରିବା
୧ ତୁମ୍ଭେମାନେ ଯେବେ ଖ୍ରୀଷ୍ଟଙ୍କ ସହିତ ଉତ୍ଥିତ ହୋଇଅଛ, ତେବେ ଈଶ୍ୱରଙ୍କ ଦକ୍ଷିଣ ପାର୍ଶ୍ୱରେ ଉପବିଷ୍ଟ ଖ୍ରୀଷ୍ଟଙ୍କର ଯେଉଁ ବାସସ୍ଥାନ, ସେହି ଊର୍ଦ୍ଧ୍ୱସ୍ଥାନ ବିଷୟସବୁ ଅନ୍ୱେଷଣ କର । ୨ ପାର୍ଥିବ ବିଷୟରେ ଆସକ୍ତ ନ ହୋଇ ଊର୍ଦ୍ଧ୍ୱସ୍ଥାନ ବିଷୟରେ ଆସକ୍ତ ହୁଅ । ୩ କାରଣ ତୁମ୍ଭେମାନେ ମରିଅଛ, ଆଉ ତୁମ୍ଭମାନଙ୍କର ଜୀବନ ଈଶ୍ୱରଙ୍କଠାରେ ଖ୍ରୀଷ୍ଟଙ୍କ ସହିତ ଗୁପ୍ତ ଅଛି। ୪ ଆମ୍ଭମାନଙ୍କର ଜୀବନ ସ୍ୱରୂପ ଯେ ଖ୍ରୀଷ୍ଟ, ଯେତେବେଳେ ସେ ପ୍ରକାଶିତ ହେବେ, ସେତେବେଳେ ତୁମ୍ଭେମାନେ ମଧ୍ୟ ତାହାଙ୍କ ସହିତ ଗୌରବରେ ପ୍ରକାଶିତ ହେବ । ୫ ଅତଏବ, ତୁମ୍ଭମାନଙ୍କର ଶାରୀରିକ ଅଙ୍ଗପ୍ରତ୍ୟଙ୍ଗର କୁପ୍ରବୃତ୍ତିଗୁଡ଼ିକ, ଅର୍ଥାତ୍‍ ବ୍ୟଭିଚାର, ଅଶୁଚିତା, କାମ, କୁଅଭିଳାଷ, ପୁଣି, ପ୍ରତିମାପୂଜା, ଲୋଭ, ଏହି ସବୁ ପ୍ରତି ମୃତ ହୁଅ; ୬ ଏହି ସବୁ ହେତୁରୁ ଈଶ୍ୱରଙ୍କ କ୍ରୋଧ ବର୍ତ୍ତେ ୭ ପୂର୍ବେ ତୁମ୍ଭେମାନେ ମଧ୍ୟ ଏହି ସବୁ ବିଷୟରେ ଆସକ୍ତ ଥାଇ ସେହି ପ୍ରକାରେ ଆଚରଣ କରୁଥିଲ। ୮ କିନ୍ତୁ ଏବେ ତୁମ୍ଭେମାନେ ମଧ୍ୟ ଏହି ସବୁ ବିଷୟ, ଅର୍ଥାତ୍‍ କ୍ରୋଧ, ରାଗ, ହିଂସା, ନିନ୍ଦା, ମୁଖରୁ କୁତ୍ସିତ ବାକ୍ୟ ଏହି ସବୁ ପରିତ୍ୟାଗ କର । ୯ ପରସ୍ପର ମିଥ୍ୟା କୁହ ନାହିଁ ତୁମ୍ଭେମାନେ ତ ପୁରାତନ ସ୍ୱଭାବ ଓ ୧୦ ସେଥିର ସମସ୍ତ କର୍ମ ପରିତ୍ୟାଗ କରି ନୂତନ ସ୍ୱଭାବ ପରିଧାନ କରିଅଛ; ସେହି ନୂତନ ସ୍ୱଭାବ ଆପଣା ସୃଷ୍ଟିକର୍ତ୍ତାଙ୍କ ପ୍ରତିମୂର୍ତ୍ତି ଅନୁସାରେ ସମ୍ପୂର୍ଣ୍ଣ ଜ୍ଞାନ ପ୍ରାପ୍ତି ନିମନ୍ତେ ନୂତନୀକୃତ ହେଉଅଛି; ୧୧ ଏପରି ସ୍ଥଳେ ଗ୍ରୀକ୍‍ ଓ ଯିହୂଦୀ, ସୁନ୍ନତି ଓ ଅସୁନ୍ନତି, ବର୍ବର, ସ୍କୁଥୀୟ, ଦାସ, ସ୍ୱାଧୀନ ବ୍ୟକ୍ତି, ଏମାନଙ୍କ ମଧ୍ୟରେ କିଛିର ହିଁ ପ୍ରଭେଦ ନାହିଁ, କିନ୍ତୁ ଖ୍ରୀଷ୍ଟ ସବୁରେ ସବୁ ଅଟନ୍ତି, ପୁଣି, ସମସ୍ତଙ୍କଠାରେ ବାସ କରନ୍ତି । ୧୨ ଅତଏବ, ଈଶ୍ୱରଙ୍କ ମନୋନୀତ ସାଧୁ ଓ ପ୍ରିୟ ଲୋକ ହୋଇ କୋମଳ ହୃଦୟ, ଦୟା, ନମ୍ରତା, ମୃଦୁତା ଓ ଦୀର୍ଘସହିଷ୍ଣୁୁତା ପରିଧାନ କର। ୧୩ ପରସ୍ପର ପ୍ରତି ସହନଶୀଳ ହୁଅ ଆଉ ଯଦି କାହାରି କାହାରି ବିରୁଦ୍ଧରେ କୌଣସି କଥା ଥାଏ, ତେବେ ଏକକୁ ଆରେକ କ୍ଷମା କର; ପ୍ରଭୁ ଯେପରି ତୁମ୍ଭମାନଙ୍କୁ କ୍ଷମା କରିଅଛନ୍ତି, ତୁମ୍ଭେମାନେ ମଧ୍ୟ ସେହିପରି କର । ୧୪ ଆଉ, ଏହି ସମସ୍ତ ଉପରେ ପ୍ରେମକୁ ପରିଧାନ କର, ଏହା ସିଦ୍ଧ ଅବସ୍ଥାର ବନ୍ଧନ ସ୍ୱରୂପ। ୧୫ ପୁଣି, ଖ୍ରୀଷ୍ଟଦତ୍ତ ଯେଉଁ ଶାନ୍ତି ଭୋଗ କରିବା ନିମନ୍ତେ ତୁମ୍ଭେମାନେ ଏକ ଶରୀର ସ୍ୱରୂପେ ଆହୂତ ହୋଇଅଛ, ତାହା ତୁମ୍ଭମାନଙ୍କ ହୃଦୟରେ ରାଜତ୍ୱ କରୁ; ପୁଣି, ତୁମ୍ଭେମାନେ ଧନ୍ୟବାଦ ଦିଅ । ୧୬ ଖ୍ରୀଷ୍ଟଙ୍କ ବାକ୍ୟ ପ୍ରଚୁରଭାବେ ତୁମ୍ଭମାନଙ୍କଠାରେ ବାସ କରୁ; ତୁମ୍ଭେମାନେ ପରସ୍ପରକୁ ସମ୍ପୂର୍ଣ୍ଣ ଜ୍ଞାନ ସହ ଶିକ୍ଷା ଓ ଚେତନା ଦିଅ, ପୁଣି, ଈଶ୍ୱରଙ୍କ ଉଦ୍ଦେଶ୍ୟରେ ଗୀତ, ସ୍ତୋତ୍ର ଓ ଆଧ୍ୟାତ୍ମିକ ସଂକୀର୍ତ୍ତନ ଦ୍ୱାରା କୃତଜ୍ଞ ହୃଦୟରେ ଗାନ କର । ୧୭ ଆଉ, ବାକ୍ୟ କି କର୍ମରେ ତୁମ୍ଭେମାନେ ଯାହା କିଛି କର, ସେ ସମସ୍ତ ପ୍ରଭୁ ଯୀଶୁଙ୍କ ନାମରେ କରି ତାହାଙ୍କ ଦ୍ୱାରା ପିତା ଈଶ୍ୱରଙ୍କୁ ଧନ୍ୟବାଦ ଦିଅ ।
ପରିବାରରେ ଖ୍ରୀଷ୍ଟୀୟ ଆଚରଣ
୧୮ ହେ ଭାର୍ଯ୍ୟାମାନେ, ପ୍ରଭୁଙ୍କ ସହଭାଗିତାର ଉପଯୁକ୍ତ ଆଚରଣ ଅନୁସାରେ ଆପଣା ଆପଣା ସ୍ୱାମୀମାନଙ୍କ ବଶୀଭୂତା ହୁଅ । ୧୯ ହେ ସ୍ୱାମୀମାନେ, ଆପଣା ଆପଣା ଭାର୍ଯ୍ୟାମାନଙ୍କୁ ପ୍ରେମ କର, ସେମାନଙ୍କ ପ୍ରତି କଟୁ ବ୍ୟବହାର କର ନାହିଁ। ୨୦ ହେ ପିଲାମାନେ, ସମସ୍ତ ବିଷୟରେ ପିତାମାତାଙ୍କର ଆଜ୍ଞାବହ ହୁଅ, କାରଣ ଏହା ପ୍ରଭୁଙ୍କ ସହଭାଗିତାରେ ସନ୍ତୋଷଜନକ ବ୍ୟବହାର । ୨୧ ହେ ପିତାମାନେ, ଆପଣା ଆପଣା ସନ୍ତାନମାନଙ୍କୁ ବିରକ୍ତ କର ନାହିଁ, ଯେପରି ସେମାନେ ନିରୁତ୍ସାହ ନ ହୁଅନ୍ତି । ୨୨ ହେ ଦାସମାନେ, ମନୁଷ୍ୟକୁ ସନ୍ତୁଷ୍ଟ କଲାପରି ଦୃଷ୍ଟି ଆଗରେ କର୍ମ ନ କରି ବରଂ ପ୍ରଭୁଙ୍କୁ ଭୟ କରି ହୃଦୟର ସରଳତାରେ ସବୁ ବିଷୟରେ ତୁମ୍ଭମାନଙ୍କ ଜାଗତିକ କର୍ତ୍ତାମାନଙ୍କ ଆଜ୍ଞାବହ ହୁଅ । ୨୩ ତୁମ୍ଭେମାନେ ଯାହା କିଛି କର, ପ୍ରଭୁଙ୍କ ନିମନ୍ତେ କଲାପରି ଅନ୍ତର ସହ ତାହା କର, ମନୁଷ୍ୟ ନିମନ୍ତେ କଲାପରି କର ନାହିଁ; ୨୪ ପ୍ରଭୁଙ୍କଠାରୁ ଉତ୍ତରାଧିକାରରୂପ ପୁରସ୍କାର ଯେ ପାଇବ, ଏହା ତ ତୁମ୍ଭେମାନେ ଜାଣ। ତୁମ୍ଭେମାନେ ପ୍ରଭୁ ଖ୍ରୀଷ୍ଟଙ୍କର ସେବା କର, ୨୫ କାରଣ ଯେ ଅନ୍ୟାୟ କରେ, ସେ ଆପଣା ଅନ୍ୟାୟର ପ୍ରତିଫଳ ପାଇବ; ସେ ବିଷୟରେ କୌଣସି ମୁଖାପେକ୍ଷା ନାହିଁ ।