THE BOOK OF
ECCLESIASTES
ଉପଦେଶକ
ସମସ୍ତ ଅସାର
୧ ଦାଉଦଙ୍କର ପୁତ୍ର, ଯିରୂଶାଲମସ୍ଥ ରାଜା, ଉପଦେଶକଙ୍କର ବାକ୍ୟମାଳା।
୨ ଉପଦେଶକ କହୁଅଛନ୍ତି,
“ଅସାରର ଅସାର, ଅସାରର ଅସାର, ସକଳ ହିଁ ଅସାର।
୩ ମନୁଷ୍ୟ ସୂର୍ଯ୍ୟ ତଳେ ଯେଉଁ ଯେଉଁ ପରିଶ୍ରମରେ ପରିଶ୍ରାନ୍ତ ହୁଏ,
ତାହାର ସେହିସବୁରୁ କି ଲାଭ ?
୪ ଏକ ପିଢ଼ି ଯାଏ ଓ ଅନ୍ୟ ପିଢ଼ି ଆସେ;
କିନ୍ତୁ ପୃଥିବୀ ସଦାକାଳ ଥାଏ।
୫ ମଧ୍ୟ ସୂର୍ଯ୍ୟ ଉଦିତ ହୁଏ ଓ ସୂର୍ଯ୍ୟ ଅସ୍ତ ହୁଏ,
ପୁଣି ଆପଣା ଉଦୟ ସ୍ଥାନକୁ ଯିବା ପାଇଁ ସତ୍ୱର ହୁଏ।
୬ ବାୟୁ ଦକ୍ଷିଣ ଦିଗକୁ ଯାଏ ଓ ଉତ୍ତର ଦିଗକୁ ଫେରେ;
ଆପଣା ପଥରେ ସର୍ବଦା ଘୁରେ
ଓ ବାୟୁ ଆପଣା ଚକ୍ରକୁ ପୁନର୍ବାର ଫେରେ।
୭ ନଦୀସବୁ ସମୁଦ୍ରକୁ ବହିଯାଆନ୍ତି,
ତଥାପି ସମୁଦ୍ର ପୂର୍ଣ୍ଣ ହୁଏ ନାହିଁ;
ନଦୀସବୁ ଆପଣା ଆପଣା ଗମନ ସ୍ଥାନକୁ ପୁନର୍ବାର ଗମନ କରନ୍ତି।
୮ ସମଗ୍ର ବିଷୟ କ୍ଳାନ୍ତିପୂର୍ଣ୍ଣ; ମନୁଷ୍ୟ ତାହା ବର୍ଣ୍ଣନା କରି ପାରେ ନାହିଁ;
ଚକ୍ଷୁ ଦର୍ଶନରେ ତୃପ୍ତ ନୁହେଁ, କିଅବା କର୍ଣ୍ଣ ଶ୍ରବଣରେ ତୃପ୍ତ ନୁହେଁ।
୯ ଯାହା ହୋଇଅଛି, ତାହା ହିଁ ହେବ
ଓ ଯାହା କରାଯାଇଅଛି, ତାହା ହିଁ କରାଯିବ;
ପୁଣି, ସୂର୍ଯ୍ୟ ତଳେ କୌଣସି ନୂତନ ବିଷୟ ନାହିଁ।
୧୦ ଯାହା ବିଷୟରେ ମନୁଷ୍ୟମାନେ କହନ୍ତି,
ଦେଖ, ଏହା ନୂତନ, ଏହାପରି କି କୌଣସି ବିଷୟ ଅଛି ?
ତାହା ତ ଏଥିପୂର୍ବେ ଆମ୍ଭମାନଙ୍କ ପୂର୍ବକାଳୀନ ସମୟରେ ଥିଲା।
୧୧ ପୂର୍ବକାଳୀନ ଲୋକମାନଙ୍କ ବିଷୟରେ କିଛି ସ୍ମରଣ ନ ଥାଏ;
କିଅବା ଭବିଷ୍ୟତରେ ଯେଉଁମାନେ ଉତ୍ପନ୍ନ ହେବେ,
ସେମାନଙ୍କ ସ୍ମରଣ ହିଁ ଉତ୍ତରକାଳୀନ ଭବିଷ୍ୟତ ଲୋକମାନଙ୍କ ମଧ୍ୟରେ ନ ଥିବ।”
ଜ୍ଞାନର ଅସାରତା
୧୨ ମୁଁ ଉପଦେଶକ, ଯିରୂଶାଲମରେ ଇସ୍ରାଏଲ ଉପରେ ରାଜା ଥିଲି। ୧୩ ପୁଣି, ଆକାଶ ତଳେ କୃତ ସମସ୍ତ ବିଷୟ ଜ୍ଞାନ ଦ୍ୱାରା ଆଲୋଚନା ଓ ଅନୁସନ୍ଧାନ କରିବା ପାଇଁ ମନୋଯୋଗ କଲି; ଏତଦ୍ଦ୍ୱାରା ପରମେଶ୍ୱର ଯେ ମନୁଷ୍ୟ ସନ୍ତାନଗଣକୁ ବ୍ୟସ୍ତ ହେବାକୁ ଦେଇଅଛନ୍ତି, ଏହା ଅତ୍ୟନ୍ତ କ୍ଲେଶଜନକ। ୧୪ ସୂର୍ଯ୍ୟ ତଳେ କୃତ ସମସ୍ତ କାର୍ଯ୍ୟ ମୁଁ ନିରୀକ୍ଷଣ କରିଅଛି; ଆଉ ଦେଖ, ସବୁ ଅସାର, ବାୟୁର ପଶ୍ଚାଦ୍ଧାବନମାତ୍ର।
୧୫ ଯାହା ବଙ୍କା, ତାହା ସଳଖ କରାଯାଇ ନ ପାରେ ପୁଣି,
ଯାହା ଅଭାବ, ତାହା ଗଣିତ ହୋଇ ନ ପାରେ।
୧୬ ମୁଁ ଆପଣା ହୃଦୟରେ ଭାବି କହିଲି, “ଦେଖ, ଯିରୂଶାଲମରେ ମୋ’ ପୂର୍ବେ ଥିବା ସମସ୍ତ ଲୋକଙ୍କ ଅପେକ୍ଷା ମୁଁ ବହୁତ ଜ୍ଞାନ ପ୍ରାପ୍ତ ହୋଇଅଛି; ଆହୁରି, ମୋହର ହୃଦୟ ଜ୍ଞାନ ଓ ବିଦ୍ୟାରେ ମହା ଅନୁଭବୀ ହୋଇଅଛି।” ୧୭ ତହୁଁ ମୁଁ ଜ୍ଞାନର ତତ୍ତ୍ୱ, ପୁଣି ପାଗଳାମି ଓ ଅଜ୍ଞାନତାର ତତ୍ତ୍ୱ ଜାଣିବା ପାଇଁ ମନୋଯୋଗ କଲି; ଏହା ହିଁ ବାୟୁର ପଶ୍ଚାଦ୍ଧାବନ ବୋଲି ଜାଣିଲି।
୧୮ କାରଣ ବହୁତ ଜ୍ଞାନରେ ବହୁତ କ୍ଲେଶ ଥାଏ;
ପୁଣି, ଯେ ବିଦ୍ୟା ବୃଦ୍ଧି କରେ, ସେ ଦୁଃଖ ବୃଦ୍ଧି କରେ।