ଏଷ୍ଟରଙ୍କ ଭୋଜ
୧ ଏଉତ୍ତାରୁ ତୃତୀୟ ଦିନ ଏଷ୍ଟର ରାଜକୀୟ ବସ୍ତ୍ର ପିନ୍ଧି ରାଜଗୃହର ଭିତର ପ୍ରାଙ୍ଗଣରେ ରାଜଗୃହ ସମ୍ମୁଖରେ ଠିଆ ହେଲେ; ସେହି ସମୟରେ ରାଜା ରାଜଗୃହରେ ଗୃହଦ୍ୱାର ସମ୍ମୁଖରେ ରାଜସିଂହାସନ ଉପରେ ଉପବିଷ୍ଟ ଥିଲେ। ୨ ଏଥିରେ ରାଜା ଏଷ୍ଟର ରାଣୀଙ୍କୁ ପ୍ରାଙ୍ଗଣରେ ଠିଆ ହେବାର ଦେଖିଲେ, ପୁଣି ଏଷ୍ଟର ରାଜାଙ୍କ ଦୃଷ୍ଟିରେ ଅନୁଗ୍ରହ ପାଇବାରୁ ରାଜା ଏଷ୍ଟର ପ୍ରତି ଆପଣା ହସ୍ତସ୍ଥିତ ସୁବର୍ଣ୍ଣ ଦଣ୍ଡ ବଢ଼ାଇଲେ; ତେଣୁ ଏଷ୍ଟର ନିକଟକୁ ଆସି ରାଜଦଣ୍ଡର ଅଗ୍ରଭାଗ ଛୁଇଁଲେ। ୩ ପୁଣି, ରାଜା ତାହାଙ୍କୁ ପଚାରିଲେ, “ଆଗୋ ଏଷ୍ଟର ରାଣୀ, ତୁମ୍ଭର କି ବାଞ୍ଛା ଓ କି ପ୍ରାର୍ଥନା ? ଅର୍ଦ୍ଧେକ ରାଜ୍ୟ ପର୍ଯ୍ୟନ୍ତ ହେଲେ ହେଁ ତାହା ତୁମ୍ଭକୁ ଦତ୍ତ ହେବ।” ୪ ଏଷ୍ଟର ଉତ୍ତର କଲେ, “ଯେବେ ମହାରାଜାଙ୍କ ଦୃଷ୍ଟିରେ ଭଲ ଦିଶେ, ତେବେ ମୁଁ ଆପଣଙ୍କ ପାଇଁ ଯେଉଁ ଭୋଜ ପ୍ରସ୍ତୁତ କରିଅଛି, ମହାରାଜ ଓ ହାମନ୍‍ ଆଜି ସେହି ଭୋଜକୁ ଆଗମନ କରନ୍ତୁ।” ୫ ଏଥିରେ ରାଜା କହିଲେ, “ଏଷ୍ଟରଙ୍କ କଥାନୁସାରେ ଶୀଘ୍ର କର୍ମ କରିବା ପାଇଁ ହାମନ୍‍କୁ କୁହ;” ଏଥିଉତ୍ତାରେ ରାଜା ଓ ହାମନ୍‍ ଏଷ୍ଟରଙ୍କ ପ୍ରସ୍ତୁତ ଭୋଜକୁ ଆସିଲେ। ୬ ଏଥିରେ ରାଜା ଭୋଜରେ ଦ୍ରାକ୍ଷାରସ ପାନ କରିବା ବେଳେ ଏଷ୍ଟରଙ୍କୁ କହିଲେ, ତୁମ୍ଭର ନିବେଦନ କଅଣ ? “ତାହା ତୁମ୍ଭକୁ ଦତ୍ତ ହେବ; ପୁଣି, ତୁମ୍ଭର ପ୍ରାର୍ଥନା କଅଣ ? ଅର୍ଦ୍ଧେକ ରାଜ୍ୟ ପର୍ଯ୍ୟନ୍ତ ହେଲେ ହେଁ ତାହା ସିଦ୍ଧ ହେବ।” ୭ ତହିଁରେ ଏଷ୍ଟର ଉତ୍ତର ଦେଲେ, “ମୋହର ନିବେଦନ ଓ ପ୍ରାର୍ଥନା ଏହି; ୮ ମୁଁ ଯେବେ ମହାରାଜାଙ୍କ ଦୃଷ୍ଟିରେ ଅନୁଗ୍ରହ ପାଇଅଛି, ପୁଣି ମୋହର ନିବେଦନୀୟ ବିଷୟ ଦେବାକୁ ଓ ପ୍ରାର୍ଥନା ସିଦ୍ଧ କରିବାକୁ ଯେବେ ମହାରାଜ ତୁଷ୍ଟ ହୁଅନ୍ତି, ତେବେ ମୁଁ ଯେଉଁ ଭୋଜ ଆପଣମାନଙ୍କ ନିମନ୍ତେ ପ୍ରସ୍ତୁତ କରିବି, ତହିଁକି ମହାରାଜ ଓ ହାମନ୍‍ ଆସନ୍ତୁ, ମୁଁ କାଲି ମହାରାଜାଙ୍କ ଆଜ୍ଞାନୁସାରେ କହିବି।”
ମର୍ଦ୍ଦଖୟଙ୍କୁ ଫାଶୀ ଦେବାକୁ ହାମନ୍‍ର ଷଡ଼ଯନ୍ତ୍ର
୯ ତହିଁରେ ସେହିଦିନ ହାମନ୍‍ ଆନନ୍ଦିତ ଓ ହୃଷ୍ଟଚିତ୍ତ ହୋଇ ବାହାରକୁ ଗଲା; ମାତ୍ର ହାମନ୍‍ ରାଜଦ୍ୱାରରେ ଆପଣା ସମ୍ମୁଖରେ ମର୍ଦ୍ଦଖୟଙ୍କୁ ଉଠି ଠିଆ ନ ହେବାର କିଅବା ପ୍ରଣାମ ନ କରିବାର ଦେଖି ସେ ମର୍ଦ୍ଦଖୟ ବିରୁଦ୍ଧରେ କ୍ରୋଧରେ ପରିପୂର୍ଣ୍ଣ ହେଲେ। ୧୦ ତଥାପି ହାମନ୍‍ ଆପଣା କ୍ରୋଧ ସମ୍ଭାଳି ଗୃହକୁ ଗଲା, ପୁଣି ଆପଣା ମିତ୍ରଗଣକୁ ଓ ଆପଣା ଭାର୍ଯ୍ୟା ସେରଶ୍‍କୁ ଡକାଇ ଆଣିଲେ। ୧୧ ଆଉ, ହାମନ୍‍ ଆପଣା ଧନ ଓ ଐଶ୍ୱର୍ଯ୍ୟର କଥା ଓ ବହୁ ସନ୍ତାନମାନଙ୍କ କଥା ଓ ରାଜା କିପରି ତାହାର ପଦ ବୃଦ୍ଧି କରିଅଛନ୍ତି ଓ କିପରି ତାହାଙ୍କୁ ଆପଣା ଅଧିପତିମାନଙ୍କ ଓ ଦାସମାନଙ୍କ ଉପରେ ଆସନ ଦେଇଅଛନ୍ତି, ଏହିସବୁ ବିଷୟ ସେମାନଙ୍କୁ ଶୁଣାଇଲେ। ୧୨ ହାମନ୍‍ ଆହୁରି କହିଲେ, “ଏଷ୍ଟର ରାଣୀ ଆପଣା ପ୍ରସ୍ତୁତ ଭୋଜକୁ ମୋ’ ବିନୁ ଆଉ କାହାକୁ ରାଜାଙ୍କ ସଙ୍ଗେ ଯିବାକୁ ଦେଇ ନାହାନ୍ତି; ପୁଣି, କାଲିକି ମୁଁ ରାଜାଙ୍କ ସଙ୍ଗେ ତାଙ୍କ ଦ୍ୱାରା ନିମନ୍ତ୍ରିତ ହୋଇଅଛି। ୧୩ ମାତ୍ର ଯେପର୍ଯ୍ୟନ୍ତ ମୁଁ ଯିହୁଦୀୟ ମର୍ଦ୍ଦଖୟଙ୍କୁ ରାଜଦ୍ୱାରରେ ବସିବାର ଦେଖୁଥିବି, ସେପର୍ଯ୍ୟନ୍ତ ଏହିସବୁରେ ମୋହର କିଛି ଫଳ ନାହିଁ।” ୧୪ ତେଣୁ ତାହାର ଭାର୍ଯ୍ୟା ସେରଶ୍‍ ଓ ମିତ୍ର ସମସ୍ତେ ତାହାଙ୍କୁ କହିଲେ, “ପଚାଶ ହାତ ଉଚ୍ଚ ଏକ ଫାଶୀକାଠ ପ୍ରସ୍ତୁତ କରାଯାଉ; ପୁଣି, ମର୍ଦ୍ଦଖୟଙ୍କୁ ତହିଁରେ ଫାଶୀ ଦେବା ପାଇଁ କାଲି ପ୍ରାତଃକାଳେ ରାଜାଙ୍କୁ କୁହ, ତହିଁ ଉତ୍ତାରୁ ହୃଷ୍ଟ ହୋଇ ରାଜାଙ୍କ ସହିତ ଭୋଜକୁ ଯାଅ।” ଏହି କଥାରେ ହାମନ୍‍ ସନ୍ତୁଷ୍ଟ ହୋଇ ସେହିରୂପ ଫାଶୀକାଠ ପ୍ରସ୍ତୁତ କରାଇଲେ।