୧୩
ପ୍ରଥମଜାତର ଉତ୍ସର୍ଗୀକରଣ
୧ ଏଥିଉତ୍ତାରେ ସଦାପ୍ରଭୁ ମୋଶାଙ୍କୁ କହିଲେ, ୨ “ଇସ୍ରାଏଲ ସନ୍ତାନମାନଙ୍କ ମଧ୍ୟରେ ମନୁଷ୍ୟ ହେଉ କି ପଶୁ ହେଉ, ଯେକେହି ପ୍ରଥମେ ଜାତ ହୁଏ, ସେହି ପ୍ରଥମଜାତ ସମସ୍ତଙ୍କୁ ଆମ୍ଭ ଉଦ୍ଦେଶ୍ୟରେ ପ୍ରତିଷ୍ଠା କର; ତାହା ଆମ୍ଭର ଅଟେ।”
ତାଡ଼ିଶୂନ୍ୟ ରୁଟି ପର୍ବ
୩ ଏଥିଉତ୍ତାରେ ମୋଶା ଲୋକମାନଙ୍କୁ କହିଲେ, “ଏହି ଦିନ ସ୍ମରଣରେ ରଖ, ଯେହେତୁ ଏହି ଦିନରେ ତୁମ୍ଭେମାନେ ଦାସଗୃହ ସ୍ୱରୂପ ମିସରରୁ ବାହାର ହେଲ, ଆଉ ସଦାପ୍ରଭୁ ବାହୁ ବଳ ଦ୍ୱାରା ସେଠାରୁ ତୁମ୍ଭମାନଙ୍କୁ ବାହାର କରି ଆଣିଲେ; ଏଥିରେ ତାଡ଼ି ମିଶ୍ରିତ ରୁଟି ଭୋଜନ କରାଯିବ ନାହିଁ। ୪ ତୁମ୍ଭେମାନେ ଆବୀବ୍‍ ମାସର ଏହି ଦିନରେ ବାହାର ହେଲ। ୫ ଆଉ କିଣାନୀୟ, ହିତ୍ତୀୟ, ଇମୋରୀୟ, ହିବ୍ବୀୟ ଓ ଯିବୂଷୀୟ ଲୋକମାନଙ୍କର ଯେଉଁ ଦେଶ ତୁମ୍ଭଙ୍କୁ ଦେବାକୁ ସଦାପ୍ରଭୁ ତୁମ୍ଭ ପୂର୍ବପୁରୁଷମାନଙ୍କ ନିକଟରେ ଶପଥ କରିଥିଲେ, ସେହି ଦୁଗ୍ଧ ଓ ମଧୁ ପ୍ରବାହୀ ଦେଶକୁ ଯେତେବେଳେ ସେ ତୁମ୍ଭଙ୍କୁ ଆଣିବେ, ସେହି ସମୟରେ ତୁମ୍ଭେ ଏହି ମାସରେ ଏହି ସେବାର କାର୍ଯ୍ୟ ସାଧନ କରିବ। ୬ ସପ୍ତାହ ପର୍ଯ୍ୟନ୍ତ ତାଡ଼ିଶୂନ୍ୟ ରୁଟି ଖାଇବ ଓ ସପ୍ତମ ଦିନରେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉତ୍ସବ କରିବ। ୭ ପୁଣି, ସେହି ସପ୍ତାହ ପର୍ଯ୍ୟନ୍ତ ତାଡ଼ିଶୂନ୍ୟ ରୁଟି ଭୋଜନ କରାଯିବ ଓ ତୁମ୍ଭ ନିକଟରେ ତାଡ଼ି ମିଶ୍ରିତ ରୁଟି ଦେଖାଯିବ ନାହିଁ, ଆଉ ତୁମ୍ଭର ସମୁଦାୟ ଦେଶ ମଧ୍ୟରେ ତାଡ଼ି ଦୃଷ୍ଟ ହେବ ନାହିଁ। ୮ ପୁଣି, ସେହି ଦିନ ତୁମ୍ଭେ ଆପଣା ପୁତ୍ରକୁ କହିବ, ‘ମିସରଠାରୁ ଆମ୍ଭେ ବାହାର ହେବା ବେଳେ ସଦାପ୍ରଭୁ ଆମ୍ଭ ପ୍ରତି ଯେଉଁ ଯେଉଁ କର୍ମ କରିଥିଲେ, ସେହିସବୁର ସ୍ମରଣ ନିମନ୍ତେ ଏହା ହୁଏ। ୯ ପୁଣି, ସଦାପ୍ରଭୁଙ୍କ ବ୍ୟବସ୍ଥା ଯେପରି ତୁମ୍ଭ ମୁଖରେ ରହିବ, ଏଥିପାଇଁ ଏହା ଚିହ୍ନ ସ୍ୱରୂପେ ତୁମ୍ଭ ହସ୍ତରେ ଓ ସ୍ମରଣର ଉପାୟ ସ୍ୱରୂପ ତୁମ୍ଭ ଚକ୍ଷୁ ଦ୍ୱୟର ମଧ୍ୟସ୍ଥାନରେ ରହିବ; ଯେହେତୁ ସଦାପ୍ରଭୁ ପରାକ୍ରାନ୍ତ ହସ୍ତ ଦ୍ୱାରା ମିସରଠାରୁ ତୁମ୍ଭଙ୍କୁ ବାହାର କରି ଆଣିଅଛନ୍ତି। ୧୦ ଏହେତୁ ସମୟାନୁସାରେ ତୁମ୍ଭେ ପ୍ରତି ବର୍ଷ ଏହି ବିଧି ପାଳନ କରିବ। ୧୧ ସଦାପ୍ରଭୁ ତୁମ୍ଭ ଓ ତୁମ୍ଭ ପୂର୍ବପୁରୁଷମାନଙ୍କ ନିକଟରେ ଯେଉଁ ଶପଥ କରିଅଛନ୍ତି, ତଦନୁସାରେ ସେ ଯେତେବେଳେ କିଣାନୀୟ ଲୋକମାନଙ୍କର ଦେଶରେ ପ୍ରବେଶ କରାଇ ତୁମ୍ଭଙ୍କୁ ତାହା ଦେବେ; ୧୨ ସେତେବେଳେ ତୁମ୍ଭେ ପ୍ରଥମଜାତ ସମସ୍ତ ଗର୍ଭଫଳ ଓ ତୁମ୍ଭ ପଶୁଠାରୁ ଜାତ ପ୍ରତ୍ୟେକ ପ୍ରଥମ ଗର୍ଭଫଳ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପୃଥକ କରିବ; ପୁଂସନ୍ତାନ ସକଳ ସଦାପ୍ରଭୁଙ୍କର ହେବେ। ୧୩ ପୁଣି, ତୁମ୍ଭେ ମେଷଶାବକ ଦେଇ ପ୍ରତ୍ୟେକ ପ୍ରଥମଜାତ ଗର୍ଦ୍ଦଭକୁ ମୁକ୍ତ କରିବ; ଯଦି ମୁକ୍ତ ନ କରିବ, ତେବେ ତା’ର ବେକ ଭାଙ୍ଗିବ; ମାତ୍ର ତୁମ୍ଭ ପୁତ୍ରମାନଙ୍କ ମଧ୍ୟରୁ ମନୁଷ୍ୟର ପ୍ରଥମଜାତ ସମସ୍ତଙ୍କୁ ମୁକ୍ତ କରିବାକୁ ହେବ। ୧୪ ଆଉ ଭବିଷ୍ୟତ କାଳରେ ତୁମ୍ଭର ପୁତ୍ର ଯଦି ପଚାରିବ, ଏହା କଅଣ ? ତେବେ ତୁମ୍ଭେ କହିବ, ସଦାପ୍ରଭୁ ଯେତେବେଳେ ଆମ୍ଭମାନଙ୍କୁ ଆପଣା ବାହୁ ବଳ ଦ୍ୱାରା ଦାସଗୃହ ସ୍ୱରୂପ ମିସରଠାରୁ ବାହାର କଲେ, ୧୫ ସେତେବେଳେ ଫାରୋ ଆମ୍ଭମାନଙ୍କୁ ଯିବାକୁ ଦେବା ପାଇଁ କଠିନ ହୁଅନ୍ତେ, ସଦାପ୍ରଭୁ ମିସର ଦେଶସ୍ଥିତ ମନୁଷ୍ୟ ଓ ପଶ୍ୱାଦିର ସମସ୍ତ ପ୍ରଥମଜାତ ସନ୍ତାନମାନଙ୍କୁ ବଧ କରିଥିଲେ; ଏହେତୁ ଆମ୍ଭେ ପ୍ରଥମଜାତ ପୁତ୍ରସନ୍ତାନମାନଙ୍କୁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ବଳିଦାନ କରୁ; ମାତ୍ର ଆମ୍ଭର ପ୍ରଥମଜାତ ପୁତ୍ର ସମସ୍ତଙ୍କୁ ମୁକ୍ତ କରୁ। ୧୬ ଏହା ଚିହ୍ନ ସ୍ୱରୂପେ ତୁମ୍ଭ ହସ୍ତରେ ଓ ଭୂଷଣ ସ୍ୱରୂପେ ତୁମ୍ଭ ଚକ୍ଷୁ ଦ୍ୱୟର ମଧ୍ୟସ୍ଥାନରେ ରହିବ; ଯେହେତୁ ସଦାପ୍ରଭୁ ବାହୁ ବଳରେ ଆମ୍ଭମାନଙ୍କୁ ମିସରରୁ ବାହାର କରି ଆଣିଲେ।”
ମେଘସ୍ତମ୍ଭ ଓ ଅଗ୍ନିସ୍ତମ୍ଭ
୧୭ ଏଥିଉତ୍ତାରେ ଫାରୋ ଲୋକମାନଙ୍କୁ ଯିବାକୁ ଦିଅନ୍ତେ, ପଲେଷ୍ଟୀୟ ଲୋକମାନଙ୍କର ଦେଶକୁ ଯିବାର ପଥ ନିକଟ ହେଲେ ହେଁ ପରମେଶ୍ୱର ସେହି ପଥରେ ସେମାନଙ୍କୁ ଗମନ କରାଇଲେ ନାହିଁ; ଯେହେତୁ ପରମେଶ୍ୱର କହିଲେ, “ଯେବେ ଲୋକମାନେ ଯୁଦ୍ଧ ଦେଖନ୍ତି ସେମାନେ ଆପଣା ଆପଣାର ମନକୁ ବଦଳାଇ ମିସରକୁ ଫେରିଯାଇ ପାରନ୍ତି।” ୧୮ ଏହେତୁ ପରମେଶ୍ୱର ସେମାନଙ୍କୁ ସୂଫ ସାଗରର ପ୍ରାନ୍ତରଗାମୀ ବକ୍ର ପଥରେ ଗମନ କରାଇଲେ ଓ ଇସ୍ରାଏଲ ସନ୍ତାନଗଣ ସସଜ୍ଜ ହୋଇ ମିସରଠାରୁ ଯାତ୍ରା କଲେ। ୧୯ ପୁଣି, ମୋଶା ଯୋଷେଫଙ୍କର ଅସ୍ଥି ଆପଣା ସଙ୍ଗେ ନେଲେ; କାରଣ ସେ ଇସ୍ରାଏଲ ସନ୍ତାନଗଣକୁ ଦୃଢ଼ ଶପଥ କରାଇ କହିଥିଲେ, “ପରମେଶ୍ୱର ଅବଶ୍ୟ ତୁମ୍ଭମାନଙ୍କର ତତ୍ତ୍ୱାବଧାନ କରିବେ; ସେ ସମୟରେ ତୁମ୍ଭେମାନେ ଆପଣାମାନଙ୍କ ସହିତ ଆମ୍ଭର ଅସ୍ଥି ଏହି ସ୍ଥାନରୁ ନେଇଯିବ।” ୨୦ ଏଥିଉତ୍ତାରେ ସେମାନେ ସୁକ୍‍କୋତଠାରୁ ଯାତ୍ରା କରି ପ୍ରାନ୍ତର-ଧାରସ୍ଥିତ ଏଥମରେ ଛାଉଣି କଲେ। ୨୧ ସେମାନେ ଯେପରି ଦିବସରେ ଓ ରାତ୍ରିରେ ଯାତ୍ରା କରିପାରିବେ, ଏଥିପାଇଁ ସଦାପ୍ରଭୁ ଦିବସରେ ପଥ କଢ଼ାଇବା ନିମନ୍ତେ ମେଘସ୍ତମ୍ଭରେ ଓ ରାତ୍ରିରେ ଦୀପ୍ତି ଦେବା ନିମନ୍ତେ ଅଗ୍ନିସ୍ତମ୍ଭରେ ଥାଇ ସେମାନଙ୍କ ଆଗେ ଆଗେ ଯାତ୍ରା କଲେ; ୨୨ ସେ ଲୋକମାନଙ୍କ ସମ୍ମୁଖରୁ ଦିବସରେ ମେଘସ୍ତମ୍ଭ ଓ ରାତ୍ରିରେ ଅଗ୍ନିସ୍ତମ୍ଭ ସ୍ଥାନାନ୍ତର କଲେ ନାହିଁ।