ଯିରୂଶାଲମର ବିନାଶ
୧ “ପୁଣି, ହେ ମନୁଷ୍ୟ-ସନ୍ତାନ, ତୁମ୍ଭେ ଏକ ତୀକ୍ଷ୍ଣ ଖଡ୍ଗ, ବାରିକର କ୍ଷୁର ପରି ନେଇ ଆପଣା ମସ୍ତକ ଓ ଦାଢ଼ି ଉପରେ ଚଳାଇବ; ତହୁଁ ନିକିତି ନେଇ ସେହି କେଶ ତୌଲି ଭାଗ ଭାଗ କରିବ। ୨ ତହିଁର ତୃତୀୟାଂଶ ନେଇ ଅବରୋଧ କାଳ ସମାପ୍ତ ହେଲେ ନଗରର ମଧ୍ୟସ୍ଥାନରେ ଅଗ୍ନିରେ ଦଗ୍ଧ କରିବ; ପୁଣି, ତୃତୀୟାଂଶ ନେଇ ତହିଁର ଚତୁର୍ଦ୍ଦିଗରେ ଖଡ୍ଗରେ କାଟିବ; ଆଉ, ତୃତୀୟାଂଶ ନେଇ ବାୟୁରେ ଉଡ଼ାଇ ଦେବ ଓ ଆମ୍ଭେ ତହିଁର ପଛେ ପଛେ ଖଡ୍ଗ ନିଷ୍କୋଷ କରିବା। ୩ ପୁଣି, ତୁମ୍ଭେ ଅଳ୍ପସଂଖ୍ୟକ କେଶ ନେଇ ଆପଣା ବସ୍ତ୍ରର ଅଞ୍ଚଳରେ ବାନ୍ଧିବ ୪ ଓ ତହିଁ ମଧ୍ୟରୁ ହିଁ କିଛି ନେଇ ଅଗ୍ନି ମଧ୍ୟରେ ପକାଇ ଦଗ୍ଧ କରିବ, ତହିଁରୁ ଅଗ୍ନି ନିର୍ଗତ ହୋଇ ଇସ୍ରାଏଲ ବଂଶ ମଧ୍ୟକୁ ଆସିବ।” ୫ ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି: “ଏ ଯିରୂଶାଲମ; ଆମ୍ଭେ ଏହାକୁ ଗୋଷ୍ଠୀଗଣ ମଧ୍ୟରେ ସ୍ଥାପନ କରିଅଛୁ ଓ ତାହାର ଚତୁର୍ଦ୍ଦିଗରେ ନାନା ଦେଶ ଅଛି। ୬ ଆଉ, ସେ ଦୁଷ୍ଟତା କରି ସେହି ଗୋଷ୍ଠୀଗଣ ଅପେକ୍ଷା ଆମ୍ଭ ଶାସନାବଳି ବିରୁଦ୍ଧରେ ଓ ତାହାର ଚତୁର୍ଦ୍ଦିଗସ୍ଥିତ ଦେଶସମୂହର ଅପେକ୍ଷା ଆମ୍ଭ ବିଧିସକଳର ବିରୁଦ୍ଧରେ ବିଦ୍ରୋହାଚରଣ କରିଅଛି; କାରଣ ସେମାନେ ଆମ୍ଭର ଶାସନାବଳି ଅଗ୍ରାହ୍ୟ କରିଅଛନ୍ତି ଓ ଆମ୍ଭର ବିଧିରୂପ ପଥରେ ଗମନ କରି ନାହାନ୍ତି !” ୭ ଏହେତୁ, ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି; “ତୁମ୍ଭେମାନେ ଆପଣା ଚତୁର୍ଦ୍ଦିଗସ୍ଥିତ ଗୋଷ୍ଠୀଗଣ ଅପେକ୍ଷା ଅଧିକ ଗଣ୍ଡଗୋଳକାରୀ ଅଟ ଓ ଆମ୍ଭ ବିଧିରୂପ ପଥରେ ଗମନ କରି ନାହଁ, କିଅବା ଆମ୍ଭର ଶାସନସକଳ ପାଳନ କରି ନାହଁ, ଅଥବା ଆପଣା ଚତୁର୍ଦ୍ଦିଗସ୍ଥିତ ଗୋଷ୍ଠୀଗଣର ବିଧାନାନୁସାରେ କର୍ମ କରି ନାହଁ” ୮ ଏଥିପାଇଁ ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି, “ଦେଖ, ଆମ୍ଭେ, ଆମ୍ଭେ ହିଁ ତୁମ୍ଭର ବିପକ୍ଷ ଅଟୁ ଓ ଆମ୍ଭେ ଗୋଷ୍ଠୀଗଣର ସାକ୍ଷାତରେ ତୁମ୍ଭ ମଧ୍ୟରେ ବିଚାର ସାଧନ କରିବା। ୯ ପୁଣି, ଯାହା ଆମ୍ଭେ କରି ନାହୁଁ ଓ ଯହିଁର ତୁଲ୍ୟ ଆଉ ଆମ୍ଭେ କରିବା ନାହିଁ, ଏପରି କର୍ମ, ତୁମ୍ଭମାନଙ୍କର ଘୃଣାଯୋଗ୍ୟ ସକଳ କ୍ରିୟା ସକାଶୁ ଆମ୍ଭେ ତୁମ୍ଭମାନଙ୍କ ମଧ୍ୟରେ କରିବା।” ୧୦ ଏଥିପାଇଁ ତୁମ୍ଭମାନଙ୍କ ମଧ୍ୟରେ ପିତୃଗଣ ସନ୍ତାନଗଣକୁ ଭୋଜନ କରିବେ ଓ ସନ୍ତାନମାନେ ଆପଣା ଆପଣା ପିତାକୁ ଭୋଜନ କରିବେ; ପୁଣି, ଆମ୍ଭେ ତୁମ୍ଭ ମଧ୍ୟରେ ବିଚାର ସାଧନ କରିବା ଓ ତୁମ୍ଭର ସମଗ୍ର ଅବଶିଷ୍ଟାଂଶକୁ ଚତୁର୍ଦ୍ଦିଗରେ ଛିନ୍ନଭିନ୍ନ କରିବା। ୧୧ ଏହେତୁ ପ୍ରଭୁ, ସଦାପ୍ରଭୁ କହନ୍ତି, “ତୁମ୍ଭେ ଆପଣାର ତୁଚ୍ଛ ବସ୍ତୁସକଳ ଦ୍ୱାରା ଓ ଆପଣାର ସବୁ ଘୃଣାଯୋଗ୍ୟ କର୍ମ ଦ୍ୱାରା ଆମ୍ଭର ପବିତ୍ର ସ୍ଥାନ ଅଶୁଚି କରିଅଛ, ଏଥିପାଇଁ ଆମ୍ଭେ ଜୀବିତ ଥିବା ପ୍ରମାଣେ ଆମ୍ଭେ ହିଁ ତୁମ୍ଭକୁ ହ୍ରାସ କରିବା; ଆହୁରି, ଚକ୍ଷୁଲଜ୍ଜା କରିବା ନାହିଁ, ମଧ୍ୟ ଆମ୍ଭେ କିଛି ଦୟା କରିବା ନାହିଁ।” ୧୨ ତୁମ୍ଭର ତୃତୀୟାଂଶ ମହାମାରୀରେ ମରିବେ, ଆଉ ଦୁର୍ଭିକ୍ଷ ଦ୍ୱାରା ତୁମ୍ଭ ମଧ୍ୟରେ ସେମାନେ କ୍ଷୟ ପାଇବେ; ପୁଣି, ତୃତୀୟାଂଶ ଖଡ୍ଗ ଦ୍ୱାରା ତୁମ୍ଭ ଚତୁର୍ଦ୍ଦିଗରେ ପତିତ ହେବେ; ଆଉ ତୃତୀୟାଂଶକୁ ଆମ୍ଭେ ଚତୁର୍ଦ୍ଦିଗରେ ଛିନ୍ନଭିନ୍ନ କରିବା ଓ ସେମାନଙ୍କର ପଶ୍ଚାତ ଖଡ୍ଗ ନିଷ୍କୋଷ କରିବା। ୧୩ ଏହି ପ୍ରକାରେ ଆମ୍ଭର କ୍ରୋଧ ସଫଳ ହେବ ଓ ଆମ୍ଭେ ସେମାନଙ୍କ ଉପରେ ଆପଣା କୋପ ସାଧି ଶାନ୍ତ ହେବା; ତହିଁରେ ଆମ୍ଭେ ସେମାନଙ୍କ ଉପରେ ଆପଣା କୋପ ସଫଳ କଲା ଉତ୍ତାରେ ଆମ୍ଭେ ସଦାପ୍ରଭୁ, ଆପଣା ଅନ୍ତର୍ଜ୍ୱାଳାରେ ଯେ ଏ କଥା କହିଅଛୁ, ଏହା ସେମାନେ ଜାଣିବେ। ୧୪ ଆହୁରି, ଆମ୍ଭେ ତୁମ୍ଭର ଚତୁର୍ଦ୍ଦିଗସ୍ଥିତ ଗୋଷ୍ଠୀଗଣ ମଧ୍ୟରେ ତୁମ୍ଭକୁ ପଥିକମାନଙ୍କ ଦୃଷ୍ଟିରେ ଉତ୍ସନ୍ନ-ସ୍ଥାନ ଓ ନିନ୍ଦାର ପାତ୍ର କରିବା। ୧୫ ଏହିରୂପେ ଯେତେବେଳେ ଆମ୍ଭେ କ୍ରୋଧରେ, କୋପରେ ଓ କୋପଯୁକ୍ତ ଭର୍ତ୍ସନାରେ ତୁମ୍ଭ ମଧ୍ୟରେ ବିଚାର ସାଧନ କରିବା, ସେତେବେଳେ ତୁମ୍ଭ ଚତୁର୍ଦ୍ଦିଗସ୍ଥିତ ଗୋଷ୍ଠୀଗଣ ନିକଟରେ ତାହା ନିନ୍ଦାର, ଉପହାସର, ଶିକ୍ଷାର ଓ ଆଶ୍ଚର୍ଯ୍ୟର ବିଷୟ ହେବ; ଆମ୍ଭେ ସଦାପ୍ରଭୁ ଏହା କହିଅଛୁ; ୧୬ “ଆମ୍ଭେ ସେଠାସ୍ଥିତ ଲୋକମାନଙ୍କ ପ୍ରତି ବିନାଶାର୍ଥକ ଦୁର୍ଭିକ୍ଷରୂପ କ୍ରୂର ତୀରଗୁଡିକ ପଠାଇବା, ତୁମ୍ଭମାନଙ୍କୁ ବିନାଶ କରିବା ପାଇଁ ତାହା ପଠାଇବା ଓ ଆମ୍ଭେ ତୁମ୍ଭମାନଙ୍କ ଉପରେ ଦୁର୍ଭିକ୍ଷ ବୃଦ୍ଧି କରିବା ଓ ତୁମ୍ଭମାନଙ୍କର ଅନ୍ନରୂପ ଯଷ୍ଟି ଭାଙ୍ଗି ପକାଇବା; ୧୭ ଆଉ, ଆମ୍ଭେ ତୁମ୍ଭମାନଙ୍କ ବିରୁଦ୍ଧରେ ଦୁର୍ଭିକ୍ଷ ଓ ହିଂସ୍ରକ ଜନ୍ତୁମାନଙ୍କୁ ପଠାଇବା, ସେମାନେ ତୁମ୍ଭମାନଙ୍କୁ ନିଃସନ୍ତାନ କରିବେ; ମହାମାରୀ ଓ ରକ୍ତ ତୁମ୍ଭମାନଙ୍କର ମଧ୍ୟ ଦେଇ ଯିବ; ପୁଣି, ଆମ୍ଭେ ତୁମ୍ଭମାନଙ୍କ ବିରୁଦ୍ଧରେ ଖଡ୍ଗ ଆଣିବା; ଆମ୍ଭେ ସଦାପ୍ରଭୁ ଏହି କଥା କହିଅଛୁ।”