୩୮
ଗୋଗ୍‍ ବିରୁଦ୍ଧରେ ଭବିଷ୍ୟଦ୍‍ବାଣୀ
୧ ଏଥିଉତ୍ତାରେ ସଦାପ୍ରଭୁଙ୍କର ଏହି ବାକ୍ୟ ମୋ’ ନିକଟରେ ଉପସ୍ଥିତ ହେଲା, ଯଥା; ୨ “ହେ ମନୁଷ୍ୟ-ସନ୍ତାନ, ତୁମ୍ଭେ ଗେଶର, ମେଶକ୍‍ର* ମେଶକ୍‍ର କିମ୍ବା ରୋସ୍ ଓ ତୁବଲ୍‍ର ଅଧିପତି ମାଗୋଗ୍‍ ଦେଶୀୟ ଗୋଗ୍‍ ପ୍ରତି ମୁଖ ରଖି ତାହା ବିରୁଦ୍ଧରେ ଭବିଷ୍ୟଦ୍‍ବାକ୍ୟ ପ୍ରଚାର କରି କୁହ, ୩ ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି; ହେ ଗେଶର, ମେଶକ୍‍ର ଓ ତୁବଲ୍‍ର ଅଧିପତି ଗୋଗ୍‍, ଦେଖ, ଆମ୍ଭେ ତୁମ୍ଭର ପ୍ରତିକୂଳ ଅଟୁ। ୪ ପୁଣି, ଆମ୍ଭେ ତୁମ୍ଭକୁ ବୁଲାଇବା ଓ ତୁମ୍ଭ କଳପାଟିରେ ଅଙ୍କୁଶ ଦେବା, ଆଉ ଆମ୍ଭେ ତୁମ୍ଭକୁ ଓ ତୁମ୍ଭର ସୈନ୍ୟ ସମସ୍ତକୁ, ଅଶ୍ୱ ଓ ଅଶ୍ୱାରୋହୀଗଣଙ୍କୁ ବାହାର କରି ଆଣିବା, ସେମାନେ ସମସ୍ତେ ସମ୍ପୂର୍ଣ୍ଣ ଯୁଦ୍ଧ ସଜ୍ଜାରେ ସୁସଜ୍ଜିତ, ଫଳକ ଓ ଢାଲଧାରୀ ମହାସମାଜ, ସେମାନଙ୍କର ସମସ୍ତେ ଖଡ୍ଗଧାରୀ ଅଟନ୍ତି; ୫ ସେମାନଙ୍କ ସଙ୍ଗେ ପାରସ୍ୟ, କୂଶ ଓ ପୂଟ୍‍; ସେମାନେ ସମସ୍ତେ ଢାଲ ଓ ଟୋପରଧାରୀ; ୬ ଗୋମର ଓ ତାହାର ସମସ୍ତ ଲୋକଦଳ; ଉତ୍ତର ଦିଗର ପ୍ରାନ୍ତସୀମାସ୍ଥିତ ତୋଗର୍ମାର ବଂଶ ଓ ତାହାର ସମସ୍ତ ଲୋକଦଳକୁ; ଏହି ପ୍ରକାର ଅନେକ ଗୋଷ୍ଠୀୟମାନଙ୍କୁ ତୁମ୍ଭ ସଙ୍ଗେ ଆଣିବା। ୭ ତୁମ୍ଭେ ପ୍ରସ୍ତୁତ ହୁଅ, ତୁମ୍ଭେ ଆପଣାକୁ ଓ ତୁମ୍ଭ ନିକଟରେ ଏକତ୍ରିତ ତୁମ୍ଭର ସମସ୍ତ ସମାଜକୁ ପ୍ରସ୍ତୁତ କର, ଆଉ ତୁମ୍ଭେ ସେମାନଙ୍କର ରକ୍ଷକ ହୁଅ। ୮ ଅନେକ ଦିନ ଉତ୍ତାରେ ତୁମ୍ଭର ତତ୍ତ୍ୱାନୁସନ୍ଧାନ କରାଯିବ; ଶେଷ ବର୍ଷମାନର ମଧ୍ୟରେ ତୁମ୍ଭେ, ଖଡ୍ଗରୁ ପୁନରାନୀତ, ଅନେକ ଗୋଷ୍ଠୀ ମଧ୍ୟରୁ ସଂଗୃହୀତ ଦେଶକୁ, ଇସ୍ରାଏଲର ଚିର ଉତ୍ସନ୍ନ ପର୍ବତ ସକଳକୁ ଆସିବ; ମାତ୍ର ତାହା ନାନା ଗୋଷ୍ଠୀ ମଧ୍ୟରୁ ବାହାରେ ଆନୀତ ହୋଇଅଛି, ଆଉ ସେମାନେ, ସେମାନଙ୍କର ସମସ୍ତେ ନିରାପଦରେ ବାସ କରିବେ। ୯ ପୁଣି, ତୁମ୍ଭେ ଉପରକୁ ଉଠି, ବତାସ ପରି ଆସିବ, ଦେଶକୁ ଆଚ୍ଛନ୍ନ କରିବା ପାଇଁ ତୁମ୍ଭେ, ଆଉ ତୁମ୍ଭର ସମସ୍ତ ସୈନ୍ୟଦଳ ଓ ତୁମ୍ଭ ସଙ୍ଗେ ଅନେକ ଗୋଷ୍ଠୀ ମେଘ ତୁଲ୍ୟ ହେବେ। ୧୦ ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି; ସେହି ସମୟରେ ନାନା ବିଷୟ ତୁମ୍ଭ ମନରେ ପଡ଼ିବ ଓ ତୁମ୍ଭେ ଗୋଟିଏ ଅନିଷ୍ଟ ସଂକଳ୍ପ କରିବ; ୧୧ ପୁଣି, ତୁମ୍ଭେ କହିବ, ଆମ୍ଭେ ପ୍ରାଚୀରହୀନ ଗ୍ରାମ ବିଶିଷ୍ଟ ଦେଶକୁ ଯିବା; ଯେଉଁମାନେ ଶାନ୍ତିରେ ଅଛନ୍ତି, ନିରାପଦରେ ଓ ପ୍ରାଚୀରହୀନ ସ୍ଥାନରେ ବାସ କରନ୍ତି ଓ ଯେଉଁମାନଙ୍କର ଅର୍ଗଳ କି କବାଟ ନାହିଁ; ୧୨ ଲୁଟିବାକୁ ଓ ଦ୍ରବ୍ୟ ଅପହରଣ କରିବାକୁ ଆମ୍ଭେ ସେମାନଙ୍କ ବିରୁଦ୍ଧରେ ଯାତ୍ରା କରିବା; ଯେଉଁ ସକଳ ଉତ୍ସନ୍ନ ସ୍ଥାନ ଏବେ ବସତିବିଶିଷ୍ଟ ହୋଇଅଛି, ତହିଁର ବିରୁଦ୍ଧରେ ଓ ଯେଉଁ ଗୋଷ୍ଠୀ ନାନା ଦେଶୀୟମାନଙ୍କ ମଧ୍ୟରୁ ସଂଗୃହୀତ ହୋଇଅଛନ୍ତି, ପଶୁ ଓ ଦ୍ରବ୍ୟାଦି ପ୍ରାପ୍ତ ହୋଇ ପୃଥିବୀର ମଧ୍ୟଭାଗରେ ବାସ କରୁଅଛନ୍ତି, ସେମାନଙ୍କ ବିରୁଦ୍ଧରେ ହସ୍ତାର୍ପଣ କରିବା ପାଇଁ (ତୁମ୍ଭେ ଯିବ)। ୧୩ ଶିବା, ଦଦାନ ଓ ତର୍ଶୀଶର ବଣିକଗଣ, ଆଉ ସେଠାସ୍ଥିତ ସକଳ ଗ୍ରାମ ତୁମ୍ଭକୁ କହିବେ, ତୁମ୍ଭେ କି ଲୁଟିବାକୁ ଆସିଅଛ ? ତୁମ୍ଭେ କି ଦ୍ରବ୍ୟ ଅପହରଣ କରିବା ପାଇଁ ଆପଣାର ଜନସମାଜ ଏକତ୍ର କରିଅଛ ? ରୂପା, ସୁନା ବୋହି ନେବାର, ପଶୁ ଓ ଦ୍ରବ୍ୟାଦି ପ୍ରଚୁର ଲୁଟି ନେଇଯିବାର କି ତୁମ୍ଭର ଅଭିପ୍ରାୟ ? ୧୪ ଏଥିପାଇଁ ହେ ମନୁଷ୍ୟ-ସନ୍ତାନ, ତୁମ୍ଭେ ଭବିଷ୍ୟଦ୍‍-ବାକ୍ୟ ପ୍ରଚାର କରି ଗୋଗ୍‍କୁ କୁହ, ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି: ସେହି ଦିନ ଯେତେବେଳେ ଆମ୍ଭ ଇସ୍ରାଏଲର ଲୋକମାନେ ନିରାପଦରେ ବାସ କରିବେ, ସେତେବେଳେ ତୁମ୍ଭେ କି ତାହା ଜାଣିବ ନାହିଁ ? ୧୫ ପୁଣି, ତୁମ୍ଭେ ଆପଣା ସ୍ଥାନ, ଉତ୍ତର ଦିଗସ୍ଥ ପ୍ରାନ୍ତଭାଗରୁ ଆସିବ, ତୁମ୍ଭେ ଓ ତୁମ୍ଭ ସଙ୍ଗେ ଅନେକ ଗୋଷ୍ଠୀ ଆସିବେ, ସେମାନେ ସମସ୍ତେ ଅଶ୍ୱାରୋହୀ ମହାସମାଜ ଓ ବିକ୍ରମୀ ସୈନ୍ୟସାମନ୍ତ; ୧୬ ଆଉ, ତୁମ୍ଭେ ଦେଶକୁ ମେଘ ତୁଲ୍ୟ ଆଚ୍ଛାଦନ କରିବା ପାଇଁ ଆମ୍ଭ ଇସ୍ରାଏଲ ଲୋକଙ୍କ ବିରୁଦ୍ଧରେ ଆସିବ; ହେ ଗୋଗ୍‍, ଶେଷ କାଳରେ ଏହା ଘଟିବ ଯେ, ଗୋଷ୍ଠୀୟମାନେ ଯେପରି ଆମ୍ଭକୁ ଜାଣିବେ, ଏଥିପାଇଁ ଆମ୍ଭେ ତୁମ୍ଭକୁ ଆମ୍ଭ ଦେଶ ବିରୁଦ୍ଧରେ ଆଣିବା, ସେତେବେଳେ ଆମ୍ଭେ ଗୋଷ୍ଠୀୟମାନଙ୍କ ଦୃଷ୍ଟିରେ ତୁମ୍ଭ ମଧ୍ୟରେ ପବିତ୍ରୀକୃତ ହେବା। ୧୭ ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି : ଆମ୍ଭେ ତୁମ୍ଭକୁ ସେମାନଙ୍କ ବିରୁଦ୍ଧରେ ଆଣିବା ବୋଲି ଯାହାର ବିଷୟରେ ପ୍ରାଚୀନ କାଳରେ ଆପଣା ଦାସଗଣ ଦ୍ୱାରା, ଅର୍ଥାତ୍‍, ଯେଉଁମାନେ ସେହି କାଳରେ ଅନେକ ବର୍ଷଯାଏ ଭବିଷ୍ୟଦ୍‍-ବାକ୍ୟ ପ୍ରଚାର କରିଥିଲେ, ଏପରି ଯେ ଇସ୍ରାଏଲ ଭବିଷ୍ୟଦ୍‍ବକ୍ତାଗଣ, ସେମାନଙ୍କ ଦ୍ୱାରା ଆମ୍ଭେ କହିଥିଲୁ, ତୁମ୍ଭେ କି ସେହି ବ୍ୟକ୍ତି ? ୧୮ ପୁଣି, ପ୍ରଭୁ, ସଦାପ୍ରଭୁ କହନ୍ତି, ଯେଉଁ ଦିନ ଗୋଗ୍‍ ଇସ୍ରାଏଲ ଦେଶ ବିରୁଦ୍ଧରେ ଆସିବ, ସେହି ସମୟରେ ଆମ୍ଭର କୋପ ଆମ୍ଭର ନାସାରନ୍ଧ୍ରକୁ ଉଠିବ। ୧୯ କାରଣ ଆମ୍ଭେ ଆପଣା ଅନ୍ତର୍ଜ୍ୱାଳା ଓ କୋପାନଳରେ କହିଅଛୁ, ଅବଶ୍ୟ ସେହି ଦିନ ଇସ୍ରାଏଲ ଦେଶରେ ମହାକମ୍ପ ହେବ; ୨୦ ତହିଁରେ ସମୁଦ୍ରର ମତ୍ସ୍ୟଗଣ, ଆକାଶର ପକ୍ଷୀଗଣ ଓ କ୍ଷେତ୍ରର ପଶୁଗଣ ଓ ଭୂଚର ଉରୋଗାମୀ ଜନ୍ତୁସମସ୍ତ, ଆଉ ପୃଥିବୀସ୍ଥ ମନୁଷ୍ୟ ସକଳ ଆମ୍ଭ ସାକ୍ଷାତରେ କମ୍ପମାନ ହେବେ ଓ ପର୍ବତସବୁ ଉତ୍ପାଟିତ ହେବେ, ଆଉ ଗଡ଼ନ୍ତି ସ୍ଥାନସବୁ ପଡ଼ିଯିବ ଓ ପ୍ରତ୍ୟେକ ପ୍ରାଚୀର ଭୂମିସାତ୍‍ ହେବ। ୨୧ ପୁଣି, ଆମ୍ଭେ ତାହାର ବିରୁଦ୍ଧରେ ଖଡ୍ଗ ପାଇଁ ଆମ୍ଭର ପର୍ବତ ସକଳକୁ ଆହ୍ୱାନ କରିବା; ଏହା ପ୍ରଭୁ, ସଦାପ୍ରଭୁ କହନ୍ତି; ପ୍ରତ୍ୟେକ ଲୋକର ଖଡ୍ଗ ତାହାର ଭ୍ରାତାର ପ୍ରତିକୂଳ ହେବ। ୨୨ ପୁଣି, ଆମ୍ଭେ ମହାମାରୀ ଓ ରକ୍ତ ଦ୍ୱାରା ତାହା ବିରୁଦ୍ଧରେ ପ୍ରତିବାଦ କରିବା; ଆଉ, ଆମ୍ଭେ ତାହା ଉପରେ ଓ ତାହାର ସୈନ୍ୟଦଳର ଉପରେ ଓ ତାହାର ସଙ୍ଗୀ ଅନେକ ଗୋଷ୍ଠୀର ଉପରେ ପ୍ଳାବନକାରୀ ବୃଷ୍ଟି, ବୃହତ୍‍ ବୃହତ୍‍ ଶିଳା, ଅଗ୍ନି ଓ ଗନ୍ଧକ ବର୍ଷାଇବା। ୨୩ ପୁଣି, ଆମ୍ଭେ ଆପଣାକୁ ମହାନ କରିବା ଓ ଆପଣାକୁ ପବିତ୍ରୀକୃତ କରିବା, ଆଉ ଅନେକ ଗୋଷ୍ଠୀର ସାକ୍ଷାତରେ ଆପଣାର ପରିଚୟ ଦେବା; ତହିଁରେ ଆମ୍ଭେ ଯେ ସଦାପ୍ରଭୁ ଅଟୁ, ଏହା ସେମାନେ ଜାଣିବେ।”

*୩୮:୨ ମେଶକ୍‍ର କିମ୍ବା ରୋସ୍