ଯୀଶୁ ମୋଶାଙ୍କଠାରୁ ମହାନ
୧ ଅତଏବ, ହେ ସ୍ୱର୍ଗୀୟ ଆହ୍ୱାନର ସହଭାଗୀ ପବିତ୍ର ଭ୍ରାତୃଗଣ, ଆମ୍ଭମାନଙ୍କ ବିଶ୍ୱାସ ମତାନୁସାରେ ପ୍ରେରିତ ଓ ମହାଯାଜକ ଯୀଶୁଙ୍କ ବିଷୟ ବିବେଚନା କର; ୨ ମୋଶା ଯେପରି ଈଶ୍ୱରଙ୍କ ଗୃହ ମଧ୍ୟରେ ବିଶ୍ୱସ୍ତ ଥିଲେ, ଯୀଶୁ ସେହିପରି ଆପଣା ନିଯୋଗକର୍ତ୍ତାଙ୍କ ପ୍ରତି ବିଶ୍ୱସ୍ତ ଥିଲେ । ୩ ଗୃହ ଅପେକ୍ଷା ଗୃହର ସ୍ଥାପନକର୍ତ୍ତା ଯେପରି ଅଧିକ ସମାଦର ପ୍ରାପ୍ତ ହୁଅନ୍ତି, ସେହିପରି ମୋଶାଙ୍କ ଅପେକ୍ଷା ସେ ଅଧିକ ଗୌରବର ଯୋଗ୍ୟ ବୋଲି ଗଣିତ ହୋଇଅଛନ୍ତି । ୪ ଯେଣୁ ପ୍ରତ୍ୟେକ ଗୃହ କୌଣସି ନା କୌଣସି ବ୍ୟକ୍ତିଙ୍କ ଦ୍ୱାରା ନିର୍ମିତ ହୋଇଥାଏ, କିନ୍ତୁ ସମସ୍ତ ବିଷୟର ଯେ ନିର୍ମାଣକର୍ତ୍ତା, ସେ ଈଶ୍ୱର । ୫ ପରବର୍ତ୍ତୀ ବକ୍ତବ୍ୟ ବିଷୟ ସମ୍ବନ୍ଧରେ ସାକ୍ଷ୍ୟ ଦେବା ନିମନ୍ତେ ମୋଶା ତାହାଙ୍କ ଗୃହ ମଧ୍ୟରେ ସେବକ ସ୍ୱରୂପେ ପ୍ରକୃତରେ ବିଶ୍ୱସ୍ତ ଥିଲେ । ୬ କିନ୍ତୁ ଖ୍ରୀଷ୍ଟ ତାହାଙ୍କ ଗୃହ ଉପରେ ପୁତ୍ର ସ୍ୱରୂପେ ବିଶ୍ୱସ୍ତ ଅଟନ୍ତି; ଯଦି ଆମ୍ଭେମାନେ ଆମ୍ଭମାନଙ୍କ ସାହସ ପୁଣି, ଦର୍ପର କାରଣ ଯେ ଆମ୍ଭମାନଙ୍କ ଭରସା, ତାହା ଦୃଢ଼ ଭାବରେ ଶେଷ ପର୍ଯ୍ୟନ୍ତ ଧରି ରଖୁ, ତାହାହେଲେ ଆମ୍ଭେମାନେ ତ ତାହାଙ୍କ ଗୃହ ସ୍ୱରୂପ ।
ଈଶ୍ୱରଙ୍କ ଲୋକମାନଙ୍କ ନିମନ୍ତେ ବିଶ୍ରାମ
୭ ଅତଏବ ପବିତ୍ର ଆତ୍ମା ଯେପରି କହନ୍ତି, “ଆଜି ଯଦି ତୁମ୍ଭେମାନେ ତାହାଙ୍କ ବାଣୀ ଶୁଣ'' ୮ ପ୍ରାନ୍ତରରେ ପରୀକ୍ଷା ଦିନରେ ଓ ବିରକ୍ତି ଜନ୍ମାଇବା ସ୍ଥାନରେ ଯେପରି ଘଟିଥିଲା, ସେପରି ଆପଣା ଆପଣା ହୃଦୟ କଠିନ ନ କରନ୍ତି ୯ ସେହି ପ୍ରାନ୍ତରରେ ତୁମ୍ଭମାନଙ୍କ ପିତୃପୁରୁଷମାନେ ଆମ୍ଭକୁ ପରୀକ୍ଷା କରି ଆମ୍ଭର ଅନୁସନ୍ଧାନ କଲେ, ଆଉ ଚାଳିଶ ବର୍ଷ ପର୍ଯ୍ୟନ୍ତ ଆମ୍ଭର କାର୍ଯ୍ୟ ଦେଖିଲେ । ୧୦ ତେଣୁ ଆମ୍ଭେ ଏହି ବଂଶ ପ୍ରତି ବିରକ୍ତ ହୋଇ କହିଲୁ, ସେମାନେ ସର୍ବଦା ହୃଦୟରେ ଭ୍ରାନ୍ତ ଅଟନ୍ତି, ସେମାନେ ଆମ୍ଭର ମାର୍ଗସବୁ ଜାଣି ନାହାଁନ୍ତି । ୧୧ ଏଣୁ ଆମ୍ଭେ ଆପଣା କ୍ରୋଧରେ ଶପଥ କଲୁ, ସେମାନେ ଆମ୍ଭର ବିଶ୍ରାମରେ ପ୍ରବେଶ କରିବେ ନାହିଁ । ୧୨ ହେ ଭାଇମାନେ, ସାବଧାନ,ଯେପରି ଜୀବନ୍ତ ଈଶ୍ୱରଙ୍କଠାରୁ ବିମୁଖକାରୀ ଦୁଷ୍ଟ, ଅବିଶ୍ୱାସୀ ହୃଦୟ ତୁମ୍ଭମାନଙ୍କର କାହାରିଠାରେ ନ ଥାଏ । ୧୩ କିନ୍ତୁ କାଳେ ପାପର ପ୍ରବଞ୍ଚନା ଦ୍ୱାରା ତୁମ୍ଭମାନଙ୍କ ମଧ୍ୟରୁ କେହି କଠିନମନା ହୁଏ, ଏଥି ନିମନ୍ତେ ଆଜି ସୁଯୋଗ ଥାଉ ଥାଉ ପ୍ରତିଦିନ ପରସ୍ପରକୁ ଉତ୍ସାହ ଦିଅ; ୧୪ କାରଣ ଆରମ୍ଭରେ ଆମ୍ଭମାନଙ୍କର ଯେଉଁ ବିଶ୍ୱାସ ଥିଲା, ତାହା ଯଦି ଶେଷ ପର୍ଯ୍ୟନ୍ତ ଦୃଢ଼ରୂପେ ଧରି ରଖୁ, ତାହାହେଲେ ଖ୍ରୀଷ୍ଟଙ୍କ ସହଭାଗୀ ହୋଇ ରହିବୁ । ୧୫ ଉକ୍ତ ଅଛି, ଆଜି ଯଦି ତୁମ୍ଭେମାନେ ତାହାଙ୍କ ବାଣୀ ଶୁଣ, ଯେପରି ବିରକ୍ତି ଜନ୍ମାଇବା ସ୍ଥାନରେ ଘଟିଥିଲା, ସେପରି ଆପଣା ଆପଣା ହୃଦୟ କଠିନ ନ କର । ୧୬ ତେବେ କେଉଁମାନେ ଶୁଣି ବିରକ୍ତି ଜନ୍ମାଇଲେ ? ମୋଶାଙ୍କ ଦ୍ୱାରା ମିସର ଦେଶରୁ ଯେଉଁମାନେ ବାହାରି ଆସିଥିଲେ, ସେ ସମସ୍ତେ କ'ଣ ନୁହଁନ୍ତି ? ୧୭ ଆଉ କେଉଁମାନଙ୍କ ଉପରେ ଚାଳିଶ ବର୍ଷ ପର୍ଯ୍ୟନ୍ତ ସେ ବିରକ୍ତ ହୋଇଥିଲେ ? ଯେଉଁମାନେ ପାପ କରିଥିଲେ, ଯେଉଁମାନଙ୍କ ଶବ ପ୍ରାନ୍ତରରେ ପଡ଼ି ରହିଥିଲା, କ'ଣ ସେମାନଙ୍କ ଉପରେ ନୁହେଁ ? ୧୮ ଯେଉଁମାନେ ଅବାଧ୍ୟ ହୋଇଥିଲେ, ସେମାନଙ୍କ ବିନା ଆଉ କେଉଁମାନଙ୍କ ବିରୁଦ୍ଧରେ ସେ ଶପଥ କରିଥିଲେ ଯେ, ସେମାନେ ତାହାଙ୍କ ବିଶ୍ରାମରେ ପ୍ରବେଶ କରିବେ ନାହିଁ ? ୧୯ ଆମ୍ଭେମାନେ ଦେଖୁ ଯେ, ଅବିଶ୍ୱାସ ହେତୁ ସେମାନେ ବିଶ୍ରାମରେ ପ୍ରବେଶ କରି ପାରିଲେ ନାହିଁ ।