ମଲ୍‍କୀଷେଦକଙ୍କ ଯାଜକପଦ
୧ ଏହି ମଲ୍‍କୀଷେଦକ ଶାଲେମର ରାଜା ଓ ପରାତ୍ପର ଈଶ୍ୱରଙ୍କ ଯାଜକ ଥିଲେ । ସେ, ଅବ୍ରହାମ, ରାଜାମାନଙ୍କୁ ସଂହାର କରି ପ୍ରତ୍ୟାବର୍ତ୍ତନ କରିବା ସମୟରେ, ସେ ତାହାଙ୍କ ସଙ୍ଗେ ସାକ୍ଷାତ କରି ଆଶୀର୍ବାଦ କରିଥିଲେ; ୨ ଅବ୍ରହାମ ମଧ୍ୟ ତାହାଙ୍କୁ ସମସ୍ତ ପଦାର୍ଥରୁ ଦଶମାଂଶ ଦେଇଥିଲେ । ଅନୁବାଦ କଲେ ମଲ୍‍କୀଷେଦକଙ୍କ ନାମର ଅର୍ଥ ଧାର୍ମିକତାର ରାଜା, ଏବଂ ଶାଲେମର ରାଜା, ଅର୍ଥାତ୍‍, ଶାନ୍ତିରାଜା । ୩ ଏହାଙ୍କର ପିତା କି ମାତା କି ବଂଶାବଳୀ କିଅବା ଆୟୁର ଆରମ୍ଭ ଓ ଜୀବନର ଅନ୍ତ କିଛି ହିଁ ଜଣା ନାହିଁ; ସେ ଈଶ୍ୱରଙ୍କ ପୁତ୍ରଙ୍କ ସଦୃଶ କରାଯାଇ ଅନନ୍ତକାଳୀନ ଯାଜକ ହୋଇ ରହିଅଛନ୍ତି । ୪ ଭାବି ଦେଖ, ଏହି ବ୍ୟକ୍ତି କିପରି ମହାନ। ପିତୃକୁଳପତି ଅବ୍ରହାମ ତାହାଙ୍କୁ ଯୁଦ୍ଧରୁ ଆଣିଥିବା ସର୍ବୋତ୍କୃଷ୍ଟ ଦ୍ରବ୍ୟର ଦଶମାଂଶ ସୁଦ୍ଧା ଦେଇଥିଲେ । ୫ ଲେବୀଙ୍କ ସନ୍ତାନମାନଙ୍କ ମଧ୍ୟରୁ ଯେଉଁମାନେ ଯାଜକପଦ ପ୍ରାପ୍ତ ହୁଅନ୍ତି, ସେମାନେ ମୋଶାଙ୍କ ବ୍ୟବସ୍ଥାନୁସାରେ ଲୋକମାନଙ୍କଠାରୁ, ଅର୍ଥାତ୍‍, ସେମାନଙ୍କ ଭାଇମାନଙ୍କଠାରୁ ଦଶମାଂଶ ଗ୍ରହଣ କରିବାକୁ ଆଜ୍ଞା ପ୍ରାପ୍ତ ହୋଇଥାଆନ୍ତି ସେମାନେ ଅବ୍ରହାମଙ୍କ ଔରସଜାତ ହେଲେ ହେଁ ସେମାନଙ୍କଠାରୁ ଏହା ଗ୍ରହଣ କରନ୍ତି; ୬ କିନ୍ତୁ ମଲ୍‍କୀଷେଦକ, ଲେବୀୟ ବଂଶାବଳୀର ଅନ୍ତର୍ଗତ ନୁହଁନ୍ତି, ସେ ଅବ୍ରହାମଙ୍କଠାରୁ ଦଶମାଂଶ ଗ୍ରହଣ କରି ପ୍ରତିଜ୍ଞାର ଅଧିକାରୀଙ୍କୁ ଆଶୀର୍ବାଦ କରିଥିଲେ । ୭ ସାନ ଯେ ବଡ଼ଠାରୁ ଆଶୀର୍ବାଦ ପ୍ରାପ୍ତ ହୁଏ, ଏହା ସ୍ୱୀକାର୍ଯ୍ୟ । ୮ ଏ ସ୍ଥଳରେ ମରଣଶୀଳ ମନୁଷ୍ୟ ଯେ ଦଶମାଂଶ ଗ୍ରହଣ କରିଥାଆନ୍ତି, ଦିନେ ମୃତ୍ୟୁବରଣ କରିବ, କିନ୍ତୁ ସେ ସ୍ଥଳରେ ଯେ ଅବ୍ରହାମଙ୍କ ଦଶମାଂଶ ଗ୍ରହଣ କରିଥିଲେ ସେହି ବ୍ୟକ୍ତିଙ୍କ ବିଷୟରେ ସାକ୍ଷ୍ୟ ଦିଆଯାଏ ଯେ, ସେ ଅମର । ୯ ପୁଣି, କହିବାକୁ ଗଲେ ଯେଉଁ ଲେବୀ ଦଶମାଂଶ ଗ୍ରହଣ କରନ୍ତି, ସେ ମଧ୍ୟ ଅବ୍ରହାମଙ୍କ ଦ୍ୱାରା ଦଶମାଂଶ ଦେଇଅଛନ୍ତି; ୧୦ କାରଣ ଅବ୍ରହାମଙ୍କ ସହିତ ମଲ୍‍କୀଷେଦକ ସାକ୍ଷାତ କରିବା ସମୟରେ ଲେବୀ ଜନ୍ମ ହୋଇ ନ ଥିଲେ । ୧୧ ଆହୁରି ମଧ୍ୟ, ଯେଉଁ ଲେବୀୟ ଯାଜକତ୍ୱ ଅଧୀନରେ ଲୋକମାନେ ମୋଶାଙ୍କ ବ୍ୟବସ୍ଥା ପ୍ରାପ୍ତ ହେଲେ, ସେହି ଯାଜକତ୍ତ୍ୱ ଦ୍ୱାରା ଯଦି ସିଦ୍ଧି ଲାଭ ହୁଅନ୍ତା, ତାହାହେଲେ ହାରୋଣଙ୍କ ଶ୍ରେଣୀ ଅନୁସାରେ ଗଣିତ ନ ହୋଇ ମଲ୍‍କୀଷେଦକଙ୍କ ସଦୃଶ ଅନ୍ୟ ଜଣେ ଯାଜକ ଉତ୍ପନ୍ନ ହେବାର ଆଉ କ'ଣ ଆବଶ୍ୟକ ଥିଲା ? ୧୨ କାରଣ ଯାଜକତ୍ଵ ଯଦି ପରିବର୍ତ୍ତିତ ହୁଏ, ତେବେ ମୋଶାଙ୍କ ବ୍ୟବସ୍ଥାର ମଧ୍ୟ ଅବଶ୍ୟ ପରିବର୍ତ୍ତନ ଘଟେ । ୧୩ ଯେଣୁ ଯାହାଙ୍କ ସମ୍ବନ୍ଧରେ ଏହି ସମସ୍ତ କୁହାଯାଏ, ସେ ଅନ୍ୟ ଏକ ଗୋଷ୍ଠୀର ଲୋକ, ଯେଉଁ ଗୋଷ୍ଠୀର କେହି କେବେ ବେଦିର କର୍ମ କରି ନାହାଁନ୍ତି । ୧୪ କାରଣ ଏହା ସ୍ପଷ୍ଟ ଯେ, ଆମ୍ଭମାନଙ୍କର ପ୍ରଭୁ ଯିହୂଦାଙ୍କ ଗୋଷ୍ଠୀରୁ ଉତ୍ପନ୍ନ ହୋଇଅଛନ୍ତି, ଯେଉଁ ଗୋଷ୍ଠୀର ଯାଜକତ୍ତ୍ୱ ସମ୍ବନ୍ଧରେ ମୋଶା କିଛି କହି ନାହାଁନ୍ତି ।
ମଲ୍‍କୀଷେଦକଙ୍କ ସଦୃଶ ଯୀଶୁ
୧୫ ଆଉ ଏହା ଏଥିରେ ମଧ୍ୟ ଆହୁରି ଅଧିକ ସୁସ୍ପଷ୍ଟ ହୁଏ, ମଲ୍‍କୀଷେଦକଙ୍କ ସାଦୃଶ୍ୟରେ ଆଉ ଜଣେ ଯାଜକ ଉତ୍ପନ୍ନ ହୋଇଅଛନ୍ତି, ୧୬ ସେ ଶାରୀରିକ ମୋଶାଙ୍କ ବ୍ୟବସ୍ଥାନୁସାରେ ନିଯୁକ୍ତ ନ ହୋଇ ଅକ୍ଷୟ ଜୀବନର ଶକ୍ତି ଅନୁସାରେ ନିଯୁକ୍ତ ହୋଇଅଛନ୍ତି । ୧୭ କାରଣ ତାହାଙ୍କ ସମ୍ବନ୍ଧରେ ଏହି ସାକ୍ଷ୍ୟ ଦିଆଯାଏ, ତୁମ୍ଭେ ମଲ୍‍କୀଷେଦକଙ୍କ ସଦୃଶ ଅନନ୍ତକାଳୀନ ଯାଜକ ଅଟ । ୧୮ ଏଥିରେ ଏକ ପକ୍ଷରେ ପୂର୍ବବର୍ତ୍ତୀ ଆଜ୍ଞା ଦୁର୍ବଳ ଓ ନିଷ୍ଫଳ ହେବାରୁ ତାହାର ଲୋପ ହୋଇଅଛି; ୧୯ (କାରଣ ମୋଶାଙ୍କ ବ୍ୟବସ୍ଥା କୌଣସି ବିଷୟ ସିଦ୍ଧ କରି ନ ଥିଲା), ଅନ୍ୟ ପକ୍ଷରେ ଶ୍ରେଷ୍ଠତର ଭରସା ପ୍ରବେଶ କରିଅଛି, ତଦ୍ୱାରା ଆମ୍ଭେମାନେ ଈଶ୍ୱରଙ୍କ ନିକଟବର୍ତ୍ତୀ ହେଉ । ୨୦ ଆଉ ଏହା ଯେପ୍ରକାରେ ବିନା ଶପଥରେ ହେଲା ନାହିଁ, ୨୧ ଯେଣୁ ସେମାନେ ତ ବିନା ଶପଥରେ ଯାଜକ ହୋଇଅଛନ୍ତି, କିନ୍ତୁ ଯେ ତାହାଙ୍କ ବିଷୟରେ ଏହା କହିଅଛନ୍ତି, ପ୍ରଭୁ ଶପଥ କରିଅଛନ୍ତି, ଆଉ ସେ ଅନୁତାପ କରିବେ ନାହିଁ, ତୁମ୍ଭେ ଅନନ୍ତକାଳୀନ ଯାଜକ ଅଟ, ତାହାଙ୍କ ଦ୍ୱାରା ସେ ଶପଥ ସହକାରେ ଯାଜକ ହୋଇଅଛନ୍ତି; ୨୨ ସେହି ପ୍ରକାରେ ଯୀଶୁ ଶ୍ରେଷ୍ଠତର ନିୟମର ମଧ୍ୟସ୍ଥ ହୋଇଅଛନ୍ତି । ୨୩ ସେହି ଯାଜକମାନେ ତ ବହୁସଂଖ୍ୟାରେ ନିଯୁକ୍ତ ହୋଇଅଛନ୍ତି, କାରଣ ମୃତ୍ୟୁ ସେମାନଙ୍କୁ ଚିରସ୍ଥାୟୀ ହେବାକୁ ଦେଇ ନାହିଁ, ୨୪ କିନ୍ତୁ ସେ ନିତ୍ୟସ୍ଥାୟୀ ହେବାରୁ ଅପରିବର୍ତ୍ତନୀୟ ଯାଜକତ୍ତ୍ୱ ପ୍ରାପ୍ତ ହୋଇଅଛନ୍ତି । ୨୫ ଅତଏବ, ତାହାଙ୍କ ଦ୍ୱାରା ଯେଉଁମାନେ ଈଶ୍ୱରଙ୍କ ନିକଟବର୍ତ୍ତୀ ହୁଅନ୍ତି, ସେମାନଙ୍କୁ ସେ ସମ୍ପୂର୍ଣ୍ଣ ରୂପେ ପରିତ୍ରାଣ ଦେବାକୁ ସକ୍ଷମ ଅଟନ୍ତି, ଯେଣୁ ସେମାନଙ୍କ ନିମନ୍ତେ ନିବେଦନ କରିବା ପାଇଁ ସେ ନିତ୍ୟ ଜୀବିତ । ୨୬ କାରଣ ଏହି ପ୍ରକାର ମହାଯାଜକ ଆମ୍ଭମାନଙ୍କ ପକ୍ଷରେ ଉପଯୁକ୍ତ, ଯେ କି ପବିତ୍ର, ନିର୍ଦ୍ଦୋଷ, ନିଷ୍କଳଙ୍କ, ପାପୀମାନଙ୍କଠାରୁ ପୃଥକୀକୃତ, ପୁଣି, ଆକାଶମଣ୍ଡଳ ଉପରେ ଉଚ୍ଚୀକୃତ । ୨୭ ସେହି ମହାଯାଜକମାନଙ୍କ ସଦୃଶ ପ୍ରତିଦିନ ପ୍ରଥମରେ ଆପଣାର ପାପ ପାଇଁ ଓ ପରେ ଲୋକମାନଙ୍କ ପାପ ପାଇଁ ବଳି ଉତ୍ସର୍ଗ କରିବା ତାହାଙ୍କର ଆବଶ୍ୟକ ନୁହେଁ, କାରଣ ଆପଣାକୁ ଉତ୍ସର୍ଗ କରିବା ଦ୍ୱାରା ସେ ଏକାଥରକେ ଏହା କରିଅଛନ୍ତି । ୨୮ ଯେଣୁ ମୋଶାଙ୍କ ବ୍ୟବସ୍ଥା ଦୁର୍ବଳତାବିଶିଷ୍ଟ ମନୁଷ୍ୟକୁ ମହାଯାଜକ ପଦରେ ନିଯୁକ୍ତ କରେ, କିନ୍ତୁ ଯେଉଁ ଶପଥବାକ୍ୟ ମୋଶାଙ୍କ ବ୍ୟବସ୍ଥା ପରେ ହୋଇଥିଲା, ତାହା ଅନନ୍ତକାଳ ପର୍ଯ୍ୟନ୍ତ ସିଦ୍ଧିପ୍ରାପ୍ତ ପୁତ୍ରଙ୍କୁ ନିଯୁକ୍ତ କରେ ।