୧୩
ଈଶ୍ୱରଙ୍କ ସନ୍ତୋଷଜନକ ବଳିସମୂହ
୧ ଭ୍ରାତୃପ୍ରେମ ସ୍ଥିର ହୋଇଥାଉ । ୨ ଆତିଥ୍ୟସତ୍କାର ନ ପାସୋର, ଯେଣୁ ତଦ୍ୱାରା କେହି କେହି ଅଜ୍ଞାତସାରରେ ଦୂତମାନଙ୍କୁ ଆତିଥ୍ୟ କରିଅଛନ୍ତି । ୩ ଆପଣାମାନଙ୍କୁ ବନ୍ଦୀମାନଙ୍କ ସହବନ୍ଦୀ ସ୍ୱରୂପେ ଜ୍ଞାନ କରି ପୁଣି, ନିଜେ ଦେହଧାରୀ ଅଟ ବୋଲି ଜାଣି କ୍ଳେଶଭୋଗ କରୁଥିବା ଲୋକମାନଙ୍କୁ ସ୍ମରଣ କର । ୪ ବିବାହ ସମସ୍ତଙ୍କ ମଧ୍ୟରେ ଆଦରଣୀୟ ହେଉ ଓ ତାହାର ଶଯ୍ୟା ଶୁଚି ଥାଉ, କାରଣ ଈଶ୍ୱର ପାରଦାରିକ ଓ ବ୍ୟଭିଚାରୀମାନଙ୍କ ବିଚାର କରିବେ । ୫ ଆଚାରବ୍ୟବହାରରେ ଧନଲୋଭ ଶୂନ୍ୟ ହୁଅ, ତୁମ୍ଭମାନଙ୍କର ଯାହା କିଛି ଅଛି, ସେଥିରେ ସନ୍ତୁଷ୍ଟ ଥାଅ, କାରଣ ସେ ନିଜେ କହିଅଛନ୍ତି, “ଆମ୍ଭେ ତୁମ୍ଭକୁ କେବେ ହେଁ ଛାଡ଼ିବା ନାହିଁ, ଆମ୍ଭେ ତୁମ୍ଭକୁ କେବେ ହେଁ ପରିତ୍ୟାଗ କରିବା ନାହିଁ''। ୬ ଅତଏବ ଆମ୍ଭେମାନେ ସାହସପୂର୍ବକ କହି ପାରୁ, ପ୍ରଭୁ ମୋହର ସହାୟ, ମୁଁ ଭୟ କରିବି ନାହିଁ ମନୁଷ୍ୟ ମୋହର କ'ଣ କରିବ ? ୭ ଯେଉଁମାନେ ତୁମ୍ଭମାନଙ୍କୁ ଈଶ୍ୱରଙ୍କ ବାକ୍ୟ କହିଥିଲେ, ତୁମ୍ଭମାନଙ୍କ ଏପରି ନେତାମାନଙ୍କୁ ସ୍ମରଣ କର; ସେମାନଙ୍କ ଜୀବନଯାତ୍ରାର ଶେଷ ଗତି ପ୍ରତି ଦୃଷ୍ଟି ରଖି ସେମାନଙ୍କ ବିଶ୍ୱାସର ଅନୁକାରୀ ହୁଅ । ୮ ଯୀଶୁ ଖ୍ରୀଷ୍ଟ କାଲି, ଆଜି ଓ ଅନନ୍ତକାଳ ସମାନ ଅଟନ୍ତି । ୯ ବିବିଧ ଓ ବିପରୀତ ପ୍ରକାର ଶିକ୍ଷାରେ ବିଚଳିତ ନ ହୁଅ, କାରଣ ଖାଦ୍ୟପଦାର୍ଥ ଦ୍ୱାରା ନୁହେଁ, ମାତ୍ର ଅନୁଗ୍ରହ ଦ୍ୱାରା ହୃଦୟ ସ୍ଥିରୀକୃତ ହେବା ଭଲ; ଯେଉଁମାନେ ଖାଦ୍ୟଦ୍ରବ୍ୟ ପ୍ରଥା ପାଳନ କରନ୍ତି, ସେମାନଙ୍କର କିଛି ଲାଭ ହେବ ନାହିଁ । ୧୦ ଯେଉଁ ବେଦିର ସାମଗ୍ରୀ ତମ୍ବୁର ଉପାସକମାନଙ୍କର ଭୋଜନ କରିବା ନିମନ୍ତେ ଅଧିକାର ନାହିଁ, ଆମ୍ଭମାନଙ୍କର ଏପରି ଏକ ବେଦି ଅଛି । ୧୧ କାରଣ ଯେଉଁ ସବୁ ପଶୁର ରକ୍ତ ପାପାର୍ଥକ ବଳି ସ୍ୱରୂପେ ମହାଯାଜକଙ୍କ ଦ୍ୱାରା ମହାପବିତ୍ର ସ୍ଥାନକୁ ଅଣାଯାଏ, ସେହି ସବୁ ପଶୁର ଶରୀର ଛାଉଣୀର ବାହାରେ ଦଗ୍ଧ ହୁଏ । ୧୨ ଏଥିସକାଶେ ଯୀଶୁ ମଧ୍ୟ ଆପଣା ରକ୍ତ ଦ୍ୱାରା ଯେପରି ଲୋକଙ୍କୁ ପବିତ୍ର କରନ୍ତି, ଏଥିପାଇଁ ନଗର ଦ୍ୱାରର ବାହାରେ ମୃତ୍ୟୁଭୋଗ କଲେ । ୧୩ ଅତଏବ, ଆସ, ଆମ୍ଭେମାନେ ତାହାଙ୍କ ପରି ନିନ୍ଦା ସହ୍ୟ କରି ଛାଉଣୀର ବାହାରେ ତାହାଙ୍କ ନିକଟକୁ ଯାଉ । ୧୪ କାରଣ ଏଠାରେ ଆମ୍ଭମାନଙ୍କର ଚିରସ୍ଥାୟୀ ନଗର ନାହିଁ, କିନ୍ତୁ ଆମ୍ଭେମାନେ ଭାବି ନଗରର ଅନ୍ୱେଷଣ କରୁଅଛୁ । ୧୫ ଏଣୁ ଆସ, ତାହାଙ୍କ ଦ୍ୱାରା ଆମ୍ଭେମାନେ ଈଶ୍ୱରଙ୍କ ଉଦ୍ଦେଶ୍ୟରେ ପ୍ରଶଂସାରୂପ ବଳି, ଅର୍ଥାତ୍‍ ତାହାଙ୍କ ନାମ ସ୍ୱୀକାରକାରୀ ଓଷ୍ଠାଧରର ଫଳ ନିତ୍ୟ ଉତ୍ସର୍ଗ କରୁ । ୧୬ ପରୋପକାର ଓ ଦାନ କରିବାକୁ ପାସୋର ନାହିଁ, କାରଣ ଏହିପରି ବଳିରେ ଈଶ୍ୱରଙ୍କର ପରମ ସନ୍ତୋଷ । ୧୭ ତୁମ୍ଭମାନଙ୍କ ନେତାମାନଙ୍କର ବାଧ୍ୟ ହୋଇ ସେମାନଙ୍କର ବଶୀଭୂତ ହୁଅ, କାରଣ ଯେଉଁମାନଙ୍କୁ ନିକାଶ ଦେବାକୁ ହେବ, ସେମାନଙ୍କ ସଦୃଶ ସେମାନେ ତୁମ୍ଭମାନଙ୍କ ଆତ୍ମା ସମ୍ବନ୍ଧରେ ପ୍ରହରୀକର୍ମ କରନ୍ତି, ଯେପରି ସେମାନେ ତାହା ଦୁଃଖରେ ନ କରି ଆନନ୍ଦରେ କରି ପାରନ୍ତି; ଦୁଃଖରେ କଲେ, ତୁମ୍ଭମାନଙ୍କର କିଛି ଲାଭ ନାହିଁ । ୧୮ ଆମ୍ଭମାନଙ୍କ ନିମନ୍ତେ ପ୍ରାର୍ଥନା କର, କାରଣ ଆମ୍ଭମାନଙ୍କର ବିଶ୍ୱାସ ଯେ, ଆମ୍ଭମାନଙ୍କର ସୁବିବେକ ଅଛି, ଯେଣୁ ସମସ୍ତ ବିଷୟରେ ସଦାଚରଣ କରିବାକୁ ଆମ୍ଭେମାନେ ଇଚ୍ଛା କରୁଅଛୁ । ୧୯ ଆଉ ମୁଁ ଯେପରି ଶୀଘ୍ର ତୁମ୍ଭମାନଙ୍କ ନିକଟରେ ଉପସ୍ଥିତ ହୋଇ ପାରିବି, ଏଥି ନିମନ୍ତେ ପ୍ରାର୍ଥନା କରିବାକୁ ତୁମ୍ଭମାନଙ୍କୁ ବିଶେଷ ଭାବରେ ଅନୁରୋଧ କରୁଅଛି ।
ଶେଷ ଆଶିଷ
୨୦ ଯେଉଁ ଶାନ୍ତିଦାତା ଈଶ୍ୱର ଅନନ୍ତକାଳସ୍ଥାୟୀ ନିୟମର ରକ୍ତ ହେତୁ ପ୍ରଧାନ ମେଷପାଳକ, ଅର୍ଥାତ୍‍, ଆମ୍ଭମାନଙ୍କର ପ୍ରଭୁ ଯୀଶୁଙ୍କୁ ମୃତମାନଙ୍କ ମଧ୍ୟରୁ ଫେରାଇ ଆଣିଲେ; ୨୧ ତାହାଙ୍କ ଦୃଷ୍ଟିରେ ଯାହା ସନ୍ତୋଷଜନକ, ତାହା ସେ ଆମ୍ଭମାନଙ୍କ ଅନ୍ତରରେ ଯୀଶୁଖ୍ରୀଷ୍ଟଙ୍କ ଦ୍ୱାରା ସମ୍ପନ୍ନ କରି ତାହାଙ୍କ ଇଚ୍ଛା ସାଧନ କରିବାକୁ ତୁମ୍ଭମାନଙ୍କୁ ପ୍ରତ୍ୟେକ ସତ୍କର୍ମରେ ସିଦ୍ଧ କରନ୍ତୁ । ଯୁଗେ ଯୁଗେ ଗୌରବ ତାହାଙ୍କର । ଆମେନ୍‍ ।
ଶେଷ ଶୁଭେଚ୍ଛା
୨୨ ହେ ଭାଇମାନେ, ମୁଁ ତୁମ୍ଭମାନଙ୍କୁ ବିନୟ କରୁଅଛି, ଏହି ଉପଦେଶ ସହ୍ୟ କର, ଯେଣୁ ମୁଁ ସଂକ୍ଷେପରେ ତୁମ୍ଭମାନଙ୍କୁ ଲେଖିଅଛି । ୨୩ ଆମ୍ଭମାନଙ୍କର ଭ୍ରାତା ତୀମଥି ମୁକ୍ତ ହୋଇ ଯଦି ସେ ଶୀଘ୍ର ଆସନ୍ତି, ତେବେ ତାହାଙ୍କ ସଙ୍ଗରେ ମୁଁ ତୁମ୍ଭମାନଙ୍କ ସହିତ ସାକ୍ଷାତ କରିବାକୁ ଆସିବି । ୨୪ ତୁମ୍ଭମାନଙ୍କର ସମସ୍ତ ନେତା ଓ ସାଧୁସମସ୍ତଙ୍କୁ ନମସ୍କାର ଜଣାଅ । ଯେଉଁମାନେ ଇତାଲିଆରୁ ଆସିଅଛନ୍ତି, ସେମାନେ ତୁମ୍ଭମାନଙ୍କୁ ନମସ୍କାର ଜଣାଉଅଛନ୍ତି । ୨୫ ଅନୁଗ୍ରହ ତୁମ୍ଭ ସମସ୍ତଙ୍କ ସହବର୍ତ୍ତୀ ହେଉ ।