The Book of Prophet
Hosea
ହୋଶେୟ ଭବିଷ୍ୟଦ୍‍ବକ୍ତାଙ୍କ ପୁସ୍ତକ
୧ ଯିହୁଦାର ରାଜାଗଣ ଉଷୀୟ, ଯୋଥମ୍‍, ଆହସ୍‌ ଓ ହିଜକୀୟର ରାଜତ୍ୱ ସମୟରେ ଯୋୟାଶ୍‍ର ପୁତ୍ର ଇସ୍ରାଏଲର ରାଜା ଯାରବୀୟାମର ସମୟରେ ସଦାପ୍ରଭୁଙ୍କର ଏହି ବାକ୍ୟ ବେରିଙ୍କ ପୁତ୍ର ହୋଶେୟଙ୍କର ନିକଟରେ ଉପସ୍ଥିତ ହେଲା।
ହୋଶେୟଙ୍କ ଭାର୍ଯ୍ୟା ଏବଂ ସନ୍ତାନଗଣ
୨ ଯେଉଁ ସମୟରେ ସଦାପ୍ରଭୁ ପ୍ରଥମରେ ହୋଶେୟଙ୍କ ଦ୍ୱାରା କଥା କହିଲେ, ସେହି ସମୟରେ ସଦାପ୍ରଭୁ ହୋଶେୟଙ୍କୁ କହିଲେ,
“ତୁମ୍ଭେ ଯାଇ ବ୍ୟଭିଚାରିଣୀ ଏକ ଭାର୍ଯ୍ୟାକୁ
ଓ ବ୍ୟଭିଚାରରୁ ଜାତ ସନ୍ତାନଗଣକୁ ଗ୍ରହଣ କର;
କାରଣ ଏହି ଦେଶ ସଦାପ୍ରଭୁଙ୍କୁ ପରିତ୍ୟାଗ କରି ମହା ବ୍ୟଭିଚାର କରିଅଛି।”
୩ ତହିଁରେ ସେ ଯାଇ ଦିବ୍‍ଲାଇମର କନ୍ୟା ଗୋମରକୁ ଗ୍ରହଣ କଲା ଓ ସେ ଗର୍ଭବତୀ ହୋଇ ତାହାର ଏକ ପୁତ୍ର ପ୍ରସବ କଲା।
୪ ତହୁଁ ସଦାପ୍ରଭୁ ତାହାଙ୍କୁ କହିଲେ,
“ତୁମ୍ଭେ ତାହାର ନାମ ଯିଷ୍ରିୟେଲ ରଖ;
କାରଣ ଅଳ୍ପ ସମୟ ପରେ ଆମ୍ଭେ ଯେହୂର ବଂଶକୁ
ଯିଷ୍ରିୟେଲର ରକ୍ତପାତର ପ୍ରତିଫଳ ଭୋଗ କରାଇବା
ଓ ଇସ୍ରାଏଲ ବଂଶର ରାଜ୍ୟ ଶେଷ କରାଇବା।
୫ ପୁଣି, ସେହି ସମୟରେ ଆମ୍ଭେ ଯିଷ୍ରିୟେଲର ଉପତ୍ୟକାରେ
ଇସ୍ରାଏଲର ଧନୁ ଭଗ୍ନ କରିବା।”
୬ ଆଉ, ଗୋମର ପୁନର୍ବାର ଗର୍ଭଧାରଣ କରି ଏକ କନ୍ୟା ପ୍ରସବ କଲା।
ଆଉ, ସଦାପ୍ରଭୁ ତାହାକୁ କହିଲେ,
“ତୁମ୍ଭେ ତାହାର ନାମ ଲୋ-ରୁହାମା* ଲୋ-ରୁହାମା ଅର୍ଥାତ୍ ଅଦୟା ପାତ୍ରୀ ରଖ;
କାରଣ ଆମ୍ଭେ କୌଣସି ପ୍ରକାରେ ଇସ୍ରାଏଲ ବଂଶକୁ କ୍ଷମା କରିବା ପାଇଁ
ସେମାନଙ୍କ ପ୍ରତି ଆଉ ଦୟା ପ୍ରକାଶ କରିବା ନାହିଁ।
୭ ମାତ୍ର ଆମ୍ଭେ ଯିହୁଦା ବଂଶ ପ୍ରତି ଦୟା କରିବା
ଓ ଧନୁ, ଖଡ୍ଗ, ଯୁଦ୍ଧ କି ଅଶ୍ୱଗଣ କିଅବା
ଅଶ୍ୱାରୋହୀଗଣ ଦ୍ୱାରା ସେମାନଙ୍କୁ ଉଦ୍ଧାର ନ କରି
ସଦାପ୍ରଭୁ ସେମାନଙ୍କ ପରମେଶ୍ୱରଙ୍କ ଦ୍ୱାରା ଉଦ୍ଧାର କରିବା।”
୮ ସେହି ସ୍ତ୍ରୀ ଲୋ-ରୁହାମାକୁ ସ୍ତନ୍ୟପାନ ତ୍ୟାଗ କରାଇଲା ଉତ୍ତାରେ ଗର୍ଭଧାରଣ କରି ଏକ ପୁତ୍ର ପ୍ରସବ କଲା।
୯ ତହିଁରେ ସଦାପ୍ରଭୁ କହିଲେ,
“ତୁମ୍ଭେ ତାହାର ନାମ ଲୋ-ଆମୀ (ଆମ୍ଭର ଲୋକ ନୁହେଁ) ରଖ;
କାରଣ ତୁମ୍ଭେମାନେ ଆମ୍ଭର ଲୋକ ନୁହଁ
ଓ ଆମ୍ଭେ ତୁମ୍ଭମାନଙ୍କର ପରମେଶ୍ୱର ହେବା ନାହିଁ।”
୧୦ ତଥାପି ଇସ୍ରାଏଲ ସନ୍ତାନଗଣର ସଂଖ୍ୟା
ସମୁଦ୍ରର ବାଲୁକା ତୁଲ୍ୟ ଅପରିମେୟ ଓ ଅସଂଖ୍ୟ ହେବ;
ପୁଣି, ଯେଉଁ ସ୍ଥଳରେ ସେମାନଙ୍କୁ,
“ତୁମ୍ଭେମାନେ ଆମ୍ଭର ଲୋକ ନୁହଁ” ବୋଲି କୁହା ଯାଇଥିଲା,
ସେହି ସ୍ଥଳରେ ସେମାନଙ୍କୁ କୁହାଯିବ ଯେ,
“ତୁମ୍ଭେମାନେ ଜୀବିତ ପରମେଶ୍ୱରଙ୍କର ସନ୍ତାନଗଣ ଅଟ।”
୧୧ ଆଉ, ଯିହୁଦାର ସନ୍ତାନଗଣ ଓ ଇସ୍ରାଏଲର ସନ୍ତାନଗଣ
ଏକତ୍ର ସଂଗ୍ରହ କରାଯିବେ ଓ ସେମାନେ ଆପଣାମାନଙ୍କ ଉପରେ
ଏକ ଜଣକୁ ପ୍ରଧାନ ରୂପେ ନିଯୁକ୍ତ କରି ଦେଶରୁ ଯାତ୍ରା କରିବେ;
କାରଣ ଯିଷ୍ରିୟେଲର ଦିନ ମହତ୍ ଦିନ ହେବ।

*୧:୬ ଲୋ-ରୁହାମା ଅର୍ଥାତ୍ ଅଦୟା ପାତ୍ରୀ