୧୪
ପରମେଶ୍ୱରଙ୍କ ନିକଟକୁ ଫେରି ଆସିବାକୁ ଆହ୍ୱାନ
୧ ହେ ଇସ୍ରାଏଲ, ତୁମ୍ଭେ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ନିକଟକୁ ଫେରି ଆସ;
କାରଣ ତୁମ୍ଭେ ଆପଣା ଅଧର୍ମରେ ପତିତ ହୋଇଅଛ।
୨ ତୁମ୍ଭେମାନେ ବାକ୍ୟ ସଙ୍ଗରେ ଘେନି ସଦାପ୍ରଭୁଙ୍କ ନିକଟକୁ ଫେରି ଆସ;
ତାହାଙ୍କୁ କୁହ, ଅଧର୍ମସକଳ କ୍ଷମା କର ଓ ଯାହା ଉତ୍ତମ, ତାହା ଗ୍ରହଣ କର;
ତହିଁରେ ଆମ୍ଭେମାନେ ଆପଣା ଆପଣା ଓଷ୍ଠାଧରର ଉପହାର ବୃଷ ରୂପରେ ଉତ୍ସର୍ଗ କରିବା।
୩ ଅଶୂର ଆମ୍ଭମାନଙ୍କର ପରିତ୍ରାଣ କରିବ ନାହିଁ;
ଆମ୍ଭେମାନେ ଅଶ୍ୱାରୋହଣ କରିବା ନାହିଁ;
କିଅବା ତୁମ୍ଭେମାନେ ଆମ୍ଭମାନଙ୍କର ଦେବଗଣ ବୋଲି
ଆପଣାମାନଙ୍କ ହସ୍ତକୃତ ବସ୍ତୁକୁ ଆଉ କହିବା ନାହିଁ;
କାରଣ ପିତୃହୀନ ତୁମ୍ଭ ନିକଟରେ ଦୟା ପ୍ରାପ୍ତ ହୁଏ।
୪ ଆମ୍ଭେ ସେମାନଙ୍କ ବିପଥଗମନର ପ୍ରତିକାର କରିବା,
ଆମ୍ଭେ ସ୍ୱଚ୍ଛନ୍ଦରେ ସେମାନଙ୍କୁ ପ୍ରେମ କରିବା;
କାରଣ ଆମ୍ଭ କ୍ରୋଧ ତାହାଠାରୁ ନିବୃତ୍ତ ହୋଇଅଛି।
୫ ଆମ୍ଭେ ଇସ୍ରାଏଲ ପକ୍ଷରେ କାକର ତୁଲ୍ୟ ହେବା;
ସେ କଇଁଫୁଲ ତୁଲ୍ୟ ଫୁଟିବ ଓ ଲିବାନୋନର ତୁଲ୍ୟ ମୂଳ ବାନ୍ଧିବ।
୬ ତାହାର ଶାଖାସବୁ ବିସ୍ତାରିତ ହେବ
ଓ ତାହାର ଶୋଭା ଜୀତବୃକ୍ଷ ତୁଲ୍ୟ
ଓ ତାହାର ସୁବାସ ଲିବାନୋନ ପରି ହେବ।
୭ ତାହାର ଛାୟା ତଳେ ବାସକାରୀମାନେ ଫେରି ଆସିବେ;
ସେମାନେ ଶସ୍ୟ ପରି ସଂଜୀବିତ ହେବେ ଓ ଦ୍ରାକ୍ଷାଲତା ପରି ପ୍ରସ୍ପୁଟିତ ହେବେ;
ତହିଁର ସୁବାସ ଲିବାନୋନର ଦ୍ରାକ୍ଷାରସ ତୁଲ୍ୟ ହେବ।
୮ ଇଫ୍ରୟିମ କହିବ, ପ୍ରତିମାଗଣରେ ମୋର ଆଉ କି କାର୍ଯ୍ୟ ?
ଆମ୍ଭେ ଉତ୍ତର ଦେଇଅଛୁ ଓ ତାହା ବିଷୟରେ ମନୋଯୋଗ କରିବା;
ଆମ୍ଭେ ସତେଜ ଦେବଦାରୁ ବୃକ୍ଷ ତୁଲ୍ୟ; ଆମ୍ଭଠାରୁ ତୁମ୍ଭର ଫଳପ୍ରାପ୍ତି ହୁଏ।
୯ ଜ୍ଞାନବାନ କିଏ ? ସେ ଏହିସବୁ ବିଷୟ ବୁଝିବ।
ବୁଦ୍ଧିମାନ କିଏ ? ସେ ଏସବୁ ଜାଣିବ,
କାରଣ ସଦାପ୍ରଭୁଙ୍କର ପଥସକଳ ସରଳ, ଧାର୍ମିକମାନେ ତହିଁରେ ଗମନ କରିବେ;
ମାତ୍ର ଆଜ୍ଞା-ଲଙ୍ଘନକାରୀମାନେ ତହିଁ ମଧ୍ୟରେ ପତିତ ହେବେ।