୧୩
ବାବିଲର ଦଣ୍ଡ
୧ ବାବିଲ ବିଷୟକ ବାର୍ତ୍ତା, ଆମୋସର ପୁତ୍ର ଯିଶାଇୟ ଏହି ଦର୍ଶନ ପାଇଲେ। ୨ ତୁମ୍ଭେମାନେ ବୃକ୍ଷଶୂନ୍ୟ ପର୍ବତ ଉପରେ ଧ୍ୱଜା ଟେକ, ଲୋକମାନଙ୍କ ପ୍ରତି ରବ ଉଠାଅ, ହସ୍ତ ହଲାଅ, ସେମାନେ ଅଧିପତିମାନଙ୍କର ନଗର ଦ୍ୱାରରେ ପ୍ରବେଶ କରନ୍ତୁ। ୩ ଆମ୍ଭେ ଆପଣା ପବିତ୍ର ଲୋକମାନଙ୍କୁ ଆଦେଶ କରିଅଛୁ, ହଁ, ଆମ୍ଭେ ଆପଣା କ୍ରୋଧ ସଫଳାର୍ଥେ ଆମ୍ଭର ବୀରମାନଙ୍କୁ, ଅର୍ଥାତ୍‍, ଆମ୍ଭର ଦର୍ପିତ ଉଲ୍ଲାସକାରୀଗଣଙ୍କୁ ଆହ୍ୱାନ କରିଅଛୁ। ୪ ପର୍ବତମାନରେ ମହାଜନତାର ନ୍ୟାୟ ଲୋକସମୂହର ରବ ହେଉଅଛି ! ଏକତ୍ରୀକୃତ ଗୋଷ୍ଠୀୟମାନଙ୍କ ରାଜ୍ୟସମୂହର କଳରବ ହେଉଅଛି ! ସୈନ୍ୟାଧିପତି ସଦାପ୍ରଭୁ ଯୁଦ୍ଧାର୍ଥେ ସେନା ସଂଗ୍ରହ କରୁଅଛନ୍ତି। ୫ ସେମାନେ, ଅର୍ଥାତ୍‍, ସଦାପ୍ରଭୁ ଓ ତାହାଙ୍କ କ୍ରୋଧରୂପ ଅସ୍ତ୍ରସବୁ ସମୁଦାୟ ଦେଶ ଉଚ୍ଛିନ୍ନ କରିବା ନିମନ୍ତେ ଦୂର ଦେଶରୁ, ଆକାଶମଣ୍ଡଳର ପ୍ରାନ୍ତ ଭାଗରୁ ଆସୁଅଛନ୍ତି। ୬ ତୁମ୍ଭେମାନେ ହାହାକାର କର; କାରଣ ସଦାପ୍ରଭୁଙ୍କର ଦିନ ନିକଟବର୍ତ୍ତୀ; ସର୍ବଶକ୍ତିମାନଙ୍କ ନିକଟରୁ ପ୍ରଳୟର ନ୍ୟାୟ ତାହା ଆସିବ। ୭ ଏହେତୁ ସକଳ ହସ୍ତ ଦୁର୍ବଳ ହେବ ଓ ପ୍ରତ୍ୟେକ ମାନବ ହୃଦୟ ତରଳି ଯିବ; ୮ ପୁଣି, ସେମାନେ ଭୟଭୀତ ହେବେ; ଯନ୍ତ୍ରଣା ଓ ବେଦନା ସେମାନଙ୍କୁ ଆକ୍ରାନ୍ତ କରିବ; ସେମାନେ ପ୍ରସବକାରିଣୀ ସ୍ତ୍ରୀ ତୁଲ୍ୟ ବେଦନାଗ୍ରସ୍ତ ହେବେ; ସେମାନେ ପରସ୍ପରର ବିଷୟରେ ଚମତ୍କୃତ ହେବେ; ସେମାନଙ୍କର ମୁଖ ଅଗ୍ନିଶିଖା ତୁଲ୍ୟ ହେବ। ୯ ଦେଖ, ଦେଶ ଧ୍ୱଂସ କରିବାକୁ ଓ ତହିଁ ମଧ୍ୟରୁ ପାପୀମାନଙ୍କୁ ବିନାଶ କରିବାକୁ ସଦାପ୍ରଭୁଙ୍କର ଦିନ ଭୟଙ୍କର; କ୍ରୋଧ ଓ ପ୍ରଚଣ୍ଡ କ୍ରୋଧ ସଂଯୁକ୍ତ ହୋଇ ଆସୁଅଛି। ୧୦ କାରଣ ଆକାଶମଣ୍ଡଳର ତାରାଗଣ ଓ ତହିଁର ନକ୍ଷତ୍ରଗଣ ଦୀପ୍ତି ଦେବେ ନାହିଁ; ସୂର୍ଯ୍ୟ ଆପଣା ଉଦୟ ସମୟରେ ଅନ୍ଧାରଗ୍ରସ୍ତ ହେବ ଓ ଚନ୍ଦ୍ର ଆପଣା ଜ୍ୟୋତ୍ସ୍ନା ପ୍ରକାଶ କରିବ ନାହିଁ। ୧୧ ପୁଣି, ଆମ୍ଭେ ଜଗତକୁ ଦୁଷ୍ଟତା ସକାଶେ ଓ ଦୁଷ୍ଟମାନଙ୍କୁ ସେମାନଙ୍କ ଅଧର୍ମ ସକାଶେ ଶାସ୍ତି ଦେବା ଓ ଆମ୍ଭେ ଅହଙ୍କାରୀମାନଙ୍କର ଦର୍ପ ନିବୃତ୍ତ କରାଇବା ଓ ଭୟଙ୍କର ଲୋକର ଗର୍ବ ଖର୍ବ କରିବା। ୧୨ ଆମ୍ଭେ ଉତ୍ତମ ସୁବର୍ଣ୍ଣ ଅପେକ୍ଷା ମର୍ତ୍ତ୍ୟକୁ ଓ ଓଫୀରର ଶୁଦ୍ଧ ସୁବର୍ଣ୍ଣ ଅପେକ୍ଷା ମନୁଷ୍ୟକୁ ଅଳ୍ପ କରିବା। ୧୩ ଏହେତୁ ଆମ୍ଭେ ଆକାଶମଣ୍ଡଳକୁ କମ୍ପାନ୍ୱିତ କରିବା, ଆଉ ସୈନ୍ୟାଧିପତି ସଦାପ୍ରଭୁଙ୍କ କୋପରେ ଓ ତାହାଙ୍କ ପ୍ରଚଣ୍ଡ କ୍ରୋଧର ଦିନରେ ପୃଥିବୀ ଟଳି ସ୍ୱସ୍ଥାନ ଚ୍ୟୁତ ହେବ। ୧୪ ତହିଁରେ ଏପରି ଘଟିବ ଯେ, ତାଡ଼ିତ ହରିଣର ନ୍ୟାୟ ଓ ଅରକ୍ଷକ ମେଷ ତୁଲ୍ୟ ଲୋକମାନେ ପ୍ରତ୍ୟେକେ ଆପଣା ଆପଣା ଗୋଷ୍ଠୀ ପ୍ରତି ଫେରିବେ ଓ ପ୍ରତ୍ୟେକେ ଆପଣା ଆପଣା ଦେଶ ଆଡ଼କୁ ପଳାୟନ କରିବେ। ୧୫ ଯେ କୌଣସି ଲୋକର ଉଦ୍ଦେଶ୍ୟ ମିଳିବ, ତାହାକୁ ଅସ୍ତ୍ରବିଦ୍ଧ ହେବ ଓ ଯେ କୌଣସି ଲୋକକୁ ଧରା ଯିବ, ସେ ଖଡ୍ଗରେ ପତିତ ହେବ। ୧୬ ସେମାନଙ୍କର ଶିଶୁଗଣ ମଧ୍ୟ ସେମାନଙ୍କ ଦୃଷ୍ଟିଗୋଚରରେ କଚଡ଼ା ଯିବେ; ସେମାନଙ୍କର ଗୃହ ଲୁଟିତ ହେବ ଓ ସେମାନଙ୍କର ଭାର୍ଯ୍ୟାମାନେ ବଳାତ୍କାରରେ ଭ୍ରଷ୍ଟ କରାଯିବେ। ୧୭ ଦେଖ, ଆମ୍ଭେ ସେମାନଙ୍କ ପ୍ରତିକୂଳରେ ମାଦୀୟମାନଙ୍କୁ ଉତ୍ତେଜିତ କରିବା, ସେମାନେ ରୂପାକୁ ଅନାଇବେ ନାହିଁ ଓ ସୁନାରେ ସେମାନେ ତୁଷ୍ଟ ହେବେ ନାହିଁ। ୧୮ ସେମାନଙ୍କର ଧନୁ ଯୁବକମାନଙ୍କୁ କଚାଡ଼ି ପକାଇବ ଓ ସେମାନେ ଗର୍ଭର ଫଳ ପ୍ରତି କିଛି ଦୟା କରିବେ ନାହିଁ, ବାଳକଗଣ ପ୍ରତି ସେମାନଙ୍କର କୃପାଦୃଷ୍ଟି ହେବ ନାହିଁ। ୧୯ ପୁଣି, ରାଜ୍ୟସମୂହର ଗୌରବ ସ୍ୱରୂପ ଓ କଲ୍‍ଦୀୟମାନଙ୍କ ଦର୍ପର ଲାବଣ୍ୟ ସ୍ୱରୂପ ଯେ ବାବିଲ, ତାହା ପରମେଶ୍ୱରଙ୍କ ଦ୍ୱାରା ଉତ୍ପାଟିତ ସଦୋମ ଓ ହମୋରାର ତୁଲ୍ୟ ହେବ। ୨୦ ତାହା କଦାଚ ବସତି ସ୍ଥାନ ହେବ ନାହିଁ, ପୁରୁଷ ପୁରୁଷାନୁକ୍ରମେ କେହି ତହିଁରେ ବାସ କରିବେ ନାହିଁ; ଆରବୀୟ ଲୋକେ ସେଠାରେ ତମ୍ବୁ ପକାଇବେ ନାହିଁ, କିଅବା ମେଷପାଳକମାନେ ଆପଣା ଆପଣା ପଲ ସେଠାରେ ଶୁଆଇବେ ନାହିଁ। ୨୧ ମାତ୍ର ବନ୍ୟ ପଶୁମାନେ ସେହି ସ୍ଥାନରେ ଶୟନ କରିବେ ଓ ସେମାନଙ୍କର ଗୃହ ଚିତ୍କାରକାରୀ ଜନ୍ତୁରେ ପରିପୂର୍ଣ୍ଣ ହେବ; ଓଟପକ୍ଷୀ ସେଠାରେ ବାସ କରିବେ ଓ ଛାଗମାନେ ସେଠାରେ ନୃତ୍ୟ କରିବେ। ୨୨ ପୁଣି, କେନ୍ଦୁଆମାନେ ସେମାନଙ୍କ ଅଟ୍ଟାଳିକାରେ ଓ ଶୃଗାଳମାନେ ସେମାନଙ୍କ ମନୋରମ ପ୍ରାସାଦରେ ବୋବାଇବେ; ତାହାର କାଳ ନିକଟବର୍ତ୍ତୀ ଓ ତାହାର ଦିନସବୁ ଦୀର୍ଘ ହେବ ନାହିଁ।