୪୬
ସଦାପ୍ରଭୁ ଏବଂ ବାବିଲର ଦେବତା
୧ ବେଲ୍ ଦେବତା ଅବନତ ହୁଏ, ନବୋ ନତ ହୁଏ; ସେମାନଙ୍କ ପ୍ରତିମାଗଣ ଜନ୍ତୁ ଓ ପଶୁମାନଙ୍କ ଉପରେ ଥୁଆ ଯାଇଅଛନ୍ତି; ଯେଉଁ ଦ୍ରବ୍ୟମାନ ତୁମ୍ଭେମାନେ ବୋହି କରି ବୁଲିଲ, ତାହା ବୋଝ ହୋଇଅଛି, କ୍ଳାନ୍ତ ପଶୁ ପ୍ରତି ଭାର ହୋଇଅଛି।
୨ ସେମାନେ ନତ ହୁଅନ୍ତି,
ସେମାନେ ଏକତ୍ର ନତ ହୁଅନ୍ତି;
ସେମାନେ ଭାର ରକ୍ଷା କରି ପାରିଲେ ନାହିଁ,
ମାତ୍ର ଆପେ ବନ୍ଦୀ ହୋଇ ଯାଇଅଛନ୍ତି।
୩ ହେ ଯାକୁବ ବଂଶ, ହେ ଇସ୍ରାଏଲ ବଂଶର ଅବଶିଷ୍ଟାଂଶ ସମସ୍ତେ, ଆମ୍ଭର କଥା ଶୁଣ;
ତୁମ୍ଭେମାନେ ଉଦରସ୍ଥାୟୀ ହେବାଠାରୁ ଆମ୍ଭ ଦ୍ୱାରା ବୁହା ଯାଇଅଛ, ତୁମ୍ଭେମାନେ ଗର୍ଭରୁ ବହା ଯାଇଅଛ;
୪ ପୁଣି, ଆମ୍ଭେ ତୁମ୍ଭମାନଙ୍କର ବୃଦ୍ଧାବସ୍ଥା ପର୍ଯ୍ୟନ୍ତ ସେହି ଅଟୁ ଓ ପକ୍ୱ କେଶ ପର୍ଯ୍ୟନ୍ତ ହିଁ ଆମ୍ଭେ ତୁମ୍ଭମାନଙ୍କୁ ବୋହିବା;
ଆମ୍ଭେ ନିର୍ମାଣ କରିଅଛୁ ଓ ଆମ୍ଭେ ବୋହିବା; ହଁ, ଆମ୍ଭେ ବହିବା ଓ ଉଦ୍ଧାର କରିବା।
୫ ତୁମ୍ଭେମାନେ ଆମ୍ଭକୁ କାହାର ସଦୃଶ ଓ ସମାନ କରିବ ଓ କାହାର ସଙ୍ଗେ ଆମ୍ଭର ଉପମା ଦେଲେ, ଆମ୍ଭେମାନେ ସମାନ ହେବା ?
୬ ସେମାନେ ତୋଡ଼ାରୁ ସୁନା ଢାଳନ୍ତି ଓ ନିକ୍ତିରେ ରୂପା ତୌଲନ୍ତି, ସେମାନେ ସୁନାରୀକୁ ମୂଲ ଲଗାନ୍ତି ଓ ସେ ଗୋଟିଏ ଦେବତା ନିର୍ମାଣ କରେ; ସେମାନେ ଦଣ୍ଡବତ କରି ପୂଜା କରନ୍ତି।
୭ ସେମାନେ ତାହାକୁ ସ୍କନ୍ଧରେ ବହନ କରନ୍ତି ଓ ତାହାକୁ ବୋହି ତାହାର ସ୍ଥାନରେ ତାହାକୁ ରଖନ୍ତି, ତହିଁରେ ସେ ଛିଡ଼ା ହୁଏ; ସେ ଆପଣା ସ୍ଥାନରୁ ଘୁଞ୍ଚିବ ନାହିଁ;
ଆହୁରି, କେହି ତାହାକୁ ଡାକିଲେ ହେଁ ସେ ଉତ୍ତର ଦେଇ ପାରିବ ନାହିଁ, କିଅବା ସଙ୍କଟରୁ ଉଦ୍ଧାର କରି ପାରିବ ନାହିଁ।
୮ ତୁମ୍ଭେମାନେ ଏହା ସ୍ମରଣ କର ଓ ପୁରୁଷତ୍ୱ ପ୍ରକାଶ କର; ହେ ଅଧର୍ମାଚାରୀମାନେ, ମନରେ କର।
୯ ପୁରାତନ ବିଷୟସବୁ ସ୍ମରଣ କର;
କାରଣ ଆମ୍ଭେ ହିଁ ପରମେଶ୍ୱର, ଦ୍ୱିତୀୟ ନାହିଁ; ଆମ୍ଭେ ପରମେଶ୍ୱର, ଆମ୍ଭ ତୁଲ୍ୟ କେହି ନାହିଁ;
୧୦ ଆମ୍ଭେ ଶେଷ ବିଷୟ ଆଦିଠାରୁ ପ୍ରକାଶ କରୁ, ପୁଣି ଯାହା ସାଧିତ ହୋଇ ନାହିଁ, ତାହା ପ୍ରାଚୀନ କାଳରୁ ଜଣାଉ,
ଆଉ କହୁ, “ଆମ୍ଭର ମନ୍ତ୍ରଣା ସ୍ଥିର ହେବ ଓ ଆମ୍ଭେ ଆପଣାର ସକଳ ମନସ୍କାମନା ସିଦ୍ଧ କରିବା,”
୧୧ ଆମ୍ଭେ ପୂର୍ବ ଦିଗରୁ ଉତ୍କ୍ରୋଶ ପକ୍ଷୀକୁ, ଦୂର ଦେଶରୁ ଆମ୍ଭ ମନ୍ତ୍ରଣାର ମନୁଷ୍ୟକୁ ଆହ୍ୱାନ କରୁ;
ଆମ୍ଭେ କହିଅଛୁ, ଆଉ ଆମ୍ଭେ ତାହା ସିଦ୍ଧ କରିବା; ଆମ୍ଭେ କଳ୍ପନା କରିଅଛୁ, ଆଉ ଆମ୍ଭେ ତାହା ସଫଳ କରିବା।
୧୨ ହେ ଧର୍ମରୁ ଦୂରବର୍ତ୍ତୀ କଠିନାନ୍ତଃକରଣ ଲୋକେ, ଆମ୍ଭର କଥା ଶୁଣ।
୧୩ ଆମ୍ଭେ ଆପଣା ଧର୍ମ ନିକଟକୁ ଆଣୁଅଛୁ, ତାହା ଦୂରବର୍ତ୍ତୀ ହେବ ନାହିଁ ଓ ଆମ୍ଭ ପରିତ୍ରାଣର ବିଳମ୍ବ ହେବ ନାହିଁ;
ଆମ୍ଭର ଗୌରବ ସ୍ୱରୂପ ଇସ୍ରାଏଲର ନିମନ୍ତେ ଆମ୍ଭେ ସିୟୋନରେ ପରିତ୍ରାଣ ସ୍ଥାପନ କରିବା।