୫୧
ଯିରୂଶାଲମ ପ୍ରତି ଈଶ୍ୱରଙ୍କ ସାନ୍ତ୍ୱନା
୧ ହେ ଧର୍ମର ଅନୁଗାମୀଗଣ, ହେ ସଦାପ୍ରଭୁଙ୍କ ଅନ୍ୱେଷଣକାରୀଗଣ, ତୁମ୍ଭେମାନେ ଆମ୍ଭର କଥା ଶୁଣ: ତୁମ୍ଭେମାନେ ଯେଉଁ ଶୈଳରୁ କଟା ହୋଇଥିଲ ଓ ଯେଉଁ ଗର୍ତ୍ତର ଛେଦରୁ ଖୋଳା ହୋଇଥିଲ, ତହିଁ ପ୍ରତି ଦୃଷ୍ଟିପାତ କର। ୨ ତୁମ୍ଭମାନଙ୍କ ପୂର୍ବପୁରୁଷ ଅବ୍ରହାମ ପ୍ରତି ଓ ତୁମ୍ଭମାନଙ୍କ ପ୍ରସବକାରିଣୀ ସାରା ପ୍ରତି ଦୃଷ୍ଟି କର; କାରଣ ସେ ଏକାକୀ ଥିବା ବେଳେ ଆମ୍ଭେ ତାହାକୁ ଆହ୍ୱାନ କଲୁ ଓ ଆମ୍ଭେ ଆଶୀର୍ବାଦ କରି ତାହାକୁ ବହୁବଂଶ କଲୁ। ୩ କାରଣ ସଦାପ୍ରଭୁ ସିୟୋନକୁ ସାନ୍ତ୍ୱନା କରିଅଛନ୍ତି; ସେ ତାହାର ଉତ୍ସନ୍ନ ସ୍ଥାନସବୁକୁ ସାନ୍ତ୍ୱନା କରିଅଛନ୍ତି; ସେ ତାହାର ପ୍ରାନ୍ତରକୁ ଏଦନ ତୁଲ୍ୟ ଓ ତାହାର ମରୁଭୂମିକୁ ସଦାପ୍ରଭୁଙ୍କ ଉଦ୍ୟାନ ତୁଲ୍ୟ କରିଅଛନ୍ତି; ଆନନ୍ଦ ଓ ଉଲ୍ଲାସ, ଧନ୍ୟବାଦ ଓ ସଙ୍ଗୀତ ଧ୍ୱନି ତହିଁ ମଧ୍ୟରେ ହେବ। ୪ “ହେ ଆମ୍ଭର ଲୋକମାନେ, ଆମ୍ଭ ବାକ୍ୟରେ ମନୋଯୋଗ କର; ହେ ଆମ୍ଭର ଦେଶୀୟ ଲୋକେ, ଆମ୍ଭ କଥାରେ କର୍ଣ୍ଣପାତ କର: କାରଣ ଆମ୍ଭଠାରୁ ଏକ ବ୍ୟବସ୍ଥା ନିର୍ଗତ ହେବ ଓ ଆମ୍ଭେ ଗୋଷ୍ଠୀବର୍ଗର ଦୀପ୍ତି ନିମନ୍ତେ ଆମ୍ଭର ବିଚାର ସ୍ଥାପନ କରିବା। ୫ ଆମ୍ଭର ଧର୍ମ ନିକଟବର୍ତ୍ତୀ, ଆମ୍ଭର ପରିତ୍ରାଣ ନିର୍ଗତ ହୋଇଅଛି ଓ ଆମ୍ଭର ବାହୁ ଗୋଷ୍ଠୀବର୍ଗର ବିଚାର କରିବ; ଦ୍ୱୀପଗଣ ଆମ୍ଭର ଅପେକ୍ଷାରେ ରହିବେ ଓ ଆମ୍ଭର ବାହୁରେ ପ୍ରତ୍ୟାଶା ରଖିବେ। ୬ ତୁମ୍ଭେମାନେ ଆକାଶମଣ୍ଡଳ ପ୍ରତି ଉର୍ଦ୍ଧ୍ୱଦୃଷ୍ଟି କର ଓ ଅଧଃସ୍ଥିତ ଭୂମଣ୍ଡଳ ପ୍ରତି ନିରୀକ୍ଷଣ କର; କାରଣ ଆକାଶମଣ୍ଡଳ ଧୂମ ତୁଲ୍ୟ ଅନ୍ତର୍ହିତ ହେବ ଓ ଭୂମଣ୍ଡଳ ବସ୍ତ୍ର ତୁଲ୍ୟ ଜୀର୍ଣ୍ଣ ହେବ, ପୁଣି ତନ୍ନିବାସୀଗଣ ସେହି ରୂପେ ମରିଯିବେ; ମାତ୍ର ଆମ୍ଭର ପରିତ୍ରାଣ ଅନନ୍ତ କାଳସ୍ଥାୟୀ ହେବ ଓ ଆମ୍ଭର ଧର୍ମ ଲୁପ୍ତ ହେବ ନାହିଁ। ୭ ହେ ଧର୍ମଜ୍ଞ ଲୋକମାନେ, ତୁମ୍ଭମାନଙ୍କ ହୃଦୟରେ ଆମ୍ଭର ବ୍ୟବସ୍ଥା ଅଛି, ତୁମ୍ଭେମାନେ ଆମ୍ଭର କଥା ଶୁଣ; ତୁମ୍ଭେମାନେ ମର୍ତ୍ତ୍ୟର ଅପମାନରେ ଭୀତ ହୁଅ ନାହିଁ, ଅଥବା ସେମାନଙ୍କ ନିନ୍ଦାରେ ଉଦ୍‍ବିଗ୍ନ ହୁଅ ନାହିଁ। ୮ କାରଣ କୀଟ ସେମାନଙ୍କୁ ବସ୍ତ୍ର ପରି ଖାଇ ପକାଇବ ଓ ପୋକ ସେମାନଙ୍କୁ ଲୋମ ପରି ଖାଇ ପକାଇବ; ମାତ୍ର ଆମ୍ଭର ଧର୍ମ ଅନନ୍ତ କାଳସ୍ଥାୟୀ ହେବ ଓ ଆମ୍ଭର ପରିତ୍ରାଣ ବଂଶାନୁକ୍ରମେ ରହିବ।” ୯ ହେ ସଦାପ୍ରଭୁଙ୍କ ବାହୁ, ଜାଗ, ଜାଗ, ବଳ ପରିଧାନ କର, ଯେପରି ପୂର୍ବ କାଳରେ, ପ୍ରାଚୀନ କାଳର ବଂଶାନୁକ୍ରମେ ସମୟରେ, ସେହିପରି ଜାଗ। ଯେ ରାହବ* ରାହବ ଅର୍ଥାତ୍ ଏକ ବୃହତ ସମୁଦ୍ରଜୀବକୁ ଖଣ୍ଡ ଖଣ୍ଡ କରି କାଟିଲେ, ଯେ ନାଗକୁ ବିଦ୍ଧ କଲେ, ସେ କି ତୁମ୍ଭେ ନୁହଁ ? ୧୦ ଯେ ସମୁଦ୍ରକୁ, ମହାବାରିଧିର ଜଳସମୂହକୁ ଶୁଷ୍କ କଲେ, ଯେ ମୁକ୍ତିପ୍ରାପ୍ତ ଲୋକମାନଙ୍କର ପାର ହେବା ନିମନ୍ତେ ସମୁଦ୍ରର ଗଭୀର ସ୍ଥାନକୁ ପଥ କଲେ, ସେ କି ତୁମ୍ଭେ ନୁହଁ ? ୧୧ ପୁଣି, ସଦାପ୍ରଭୁଙ୍କର ନିସ୍ତାରିତ ଲୋକମାନେ ଫେରି ଆସିବେ ଓ ଆନନ୍ଦ ଗାନ କରୁ କରୁ ସିୟୋନରେ ଉପସ୍ଥିତ ହେବେ; ନିତ୍ୟସ୍ଥାୟୀ ଆନନ୍ଦ ଓ ଆହ୍ଲାଦ ପ୍ରାପ୍ତ ହେବେ, ପୁଣି ଶୋକ ଓ ଆର୍ତ୍ତସ୍ୱର ଦୂରକୁ ପଳାଇଯିବ। ୧୨ ଯେ ତୁମ୍ଭମାନଙ୍କୁ ସାନ୍ତ୍ୱନା କରନ୍ତି, ସେ ଆମ୍ଭେ, ଆମ୍ଭେ ହିଁ ଅଟୁ; ମୃତ୍ୟୁୁର ଅଧୀନ ମନୁଷ୍ୟକୁ ଓ ଯେ ତୃଣ ତୁଲ୍ୟ କରାଯିବ, ଏପରି ମନୁଷ୍ୟର ସନ୍ତାନକୁ ଭୟ କରୁଅଛ, ୧୩ ପୁଣି ଆକାଶମଣ୍ଡଳ ବିସ୍ତାରକାରୀ ଓ ପୃଥିବୀର ଭିତ୍ତିମୂଳ ସ୍ଥାପନକାରୀ ତୁମ୍ଭ ନିର୍ମାଣକର୍ତ୍ତା ସଦାପ୍ରଭୁଙ୍କୁ ଭୁଲିଅଛ ଓ ଉପଦ୍ରବୀ ବିନାଶ କରିବାକୁ ଉଦ୍ୟତ ହେବା ବେଳେ ତାହାର କୋପ ସକାଶୁ ସାରାଦିନ ନିରନ୍ତର ଭୟ କରୁଅଛ ଯେ ତୁମ୍ଭେ, ତୁମ୍ଭେ ତ କିଏ ? ଆଉ, ସେ ଉପଦ୍ରବୀର କୋପ କାହିଁ ? ୧୪ ନିର୍ବାସିତ ବନ୍ଦୀ ଶୀଘ୍ର ମୁକ୍ତ ହେବ; ପୁଣି, ସେ ମରି ଗର୍ତ୍ତକୁ ଯିବ ନାହିଁ, ଅଥବା ତାହାର ଖାଦ୍ୟର ଅଭାବ ହେବ ନାହିଁ। ୧୫ କାରଣ କଲ୍ଳୋଳସକଳ ଗର୍ଜ୍ଜନ କରିବା ନିମନ୍ତେ ଯେ ସମୁଦ୍ରକୁ ବ୍ୟସ୍ତ କରନ୍ତି, ଆମ୍ଭେ ସେହି ସଦାପ୍ରଭୁ ତୁମ୍ଭ ପରମେଶ୍ୱର ଅଟୁ; ତାହାଙ୍କର ନାମ ସୈନ୍ୟାଧିପତି ସଦାପ୍ରଭୁ। ୧୬ ପୁଣି, ଆକାଶମଣ୍ଡଳ ରୋପଣ କରିବାର, ପୃଥିବୀର ଭିତ୍ତିମୂଳ ସ୍ଥାପନ କରିବାର ଓ ତୁମ୍ଭେ ଆମ୍ଭର ଲୋକ, ଏହା ସିୟୋନକୁ କହିବା ପାଇଁ ଆମ୍ଭେ ତୁମ୍ଭ ମୁଖରେ ଆପଣା ବାକ୍ୟ ରଖିଅଛୁ ଓ ଆପଣା ହସ୍ତର ଛାୟାରେ ତୁମ୍ଭକୁ ଆଚ୍ଛାଦନ କରିଅଛୁ। ୧୭ ହେ ଯିରୂଶାଲମ, ଜାଗ, ଜାଗ, ଠିଆ ହୁଅ, ତୁମ୍ଭେ ସଦାପ୍ରଭୁଙ୍କ ହସ୍ତରୁ ତାହାଙ୍କ କୋପରୂପ ପାନ ପାତ୍ର ନେଇ ପାନ କରିଅଛ; ତୁମ୍ଭେ ମତ୍ତତାଜନକ ବୃହତ ପାତ୍ରରୁ ପାନ କରି ତାହା ଶେଷ କରିଅଛ। ୧୮ ସେ ଯେଉଁ ପୁତ୍ରଗଣକୁ ପ୍ରସବ କରିଅଛି, ସେ ସମସ୍ତଙ୍କ ମଧ୍ୟରେ ତାହାକୁ କଢ଼ାଇ ନେବାକୁ କେହି ନାହିଁ; କିଅବା ସେ ଯେଉଁ ପୁତ୍ରଗଣକୁ ପ୍ରତିପାଳନ କରିଅଛି, ସେ ସମସ୍ତଙ୍କ ମଧ୍ୟରେ ତାହାର ହସ୍ତ ଧରି ନେବା ପାଇଁ କେହି ନାହିଁ। ୧୯ ଏହି ଦୁଇ ବିଷୟ ତୁମ୍ଭ ପ୍ରତି ଘଟିଅଛି; ତୁମ୍ଭ ପାଇଁ କିଏ ବିଳାପ କରିବ ? ଶୂନ୍ୟତା ଓ ବିନାଶ, ପୁଣି ଦୁର୍ଭିକ୍ଷ ଓ ଖଡ୍ଗ; ଆମ୍ଭେ କିପରି ତୁମ୍ଭକୁ ସାନ୍ତ୍ୱନା କରିବା ? ୨୦ ଜାଲରେ ବଦ୍ଧ ହରିଣର ପ୍ରାୟ ତୁମ୍ଭର ପୁତ୍ରଗଣ ମୂର୍ଚ୍ଛିତ ହୋଇଅଛନ୍ତି, ସେମାନେ ପ୍ରତ୍ୟେକ ସଡ଼କର ମୁଣ୍ଡରେ ପଡ଼ିଛନ୍ତି; ସେମାନେ ସଦାପ୍ରଭୁଙ୍କ କୋପରେ, ତୁମ୍ଭ ପରମେଶ୍ୱରଙ୍କ ଧମକରେ ପରିପୂର୍ଣ୍ଣ। ୨୧ ଏଣୁକରି ହେ ଦୁଃଖିନୀ ଓ ବିନା ଦ୍ରାକ୍ଷାରସରେ ମତ୍ତା ଯେ ତୁମ୍ଭେ, ତୁମ୍ଭେ ଏବେ ଏହା ଶୁଣ; ୨୨ ତୁମ୍ଭ ପ୍ରଭୁ, ସଦାପ୍ରଭୁ ଓ ଆପଣା ଲୋକମାନଙ୍କର ପକ୍ଷବାଦୀ ତୁମ୍ଭ ପରମେଶ୍ୱର ଏହି କଥା କହନ୍ତି, “ଦେଖ, ଆମ୍ଭେ ମତ୍ତତାଜନକ ପାନପାତ୍ର, ଅର୍ଥାତ୍‍, ଆମ୍ଭ କୋପରୂପ ବୃହତ ପାନପାତ୍ର ତୁମ୍ଭ ହସ୍ତରୁ କାଢ଼ି ନେଇଅଛୁ; ତୁମ୍ଭେ ଆଉ ତାହା ପାନ କରିବ ନାହିଁ; ୨୩ ପୁଣି, ଯେଉଁମାନେ ତୁମ୍ଭକୁ କ୍ଲେଶ ଦିଅନ୍ତି, ସେମାନଙ୍କ ହସ୍ତରେ ଆମ୍ଭେ ତାହା ଦେବା; ସେମାନେ ତୁମ୍ଭ ପ୍ରାଣକୁ କହିଅଛନ୍ତି, ନଇଁ ପଡ଼, ଆମ୍ଭେମାନେ ତୁମ୍ଭ ଉପର ଦେଇ ଗମନ କରିବା : ଆଉ, ତୁମ୍ଭେ ଭୂମି ଓ ସଡ଼କ ପରି ଗମନକାରୀମାନଙ୍କ ନିମନ୍ତେ ଆପଣା ପିଠି ପାତି ଦେଇଅଛ।”

*୫୧:୯ ରାହବ ଅର୍ଥାତ୍ ଏକ ବୃହତ ସମୁଦ୍ରଜୀବ