୫୬
ବିଜାତୀୟଙ୍କ ପରିତ୍ରାଣ
୧ ସଦାପ୍ରଭୁ ଏହି କଥା କହନ୍ତି, “ତୁମ୍ଭେମାନେ ନ୍ୟାୟବିଚାର ପାଳନ କର; ଧର୍ମକର୍ମ କର; କାରଣ ଆମ୍ଭର ପରିତ୍ରାଣର ଆଗମନ ଓ ଆମ୍ଭ ଧର୍ମର ପ୍ରକାଶ ସନ୍ନିକଟ। ୨ ଯେଉଁ ମନୁଷ୍ୟ ଏହା କରେ ଓ ଯେଉଁ ମନୁଷ୍ୟ-ସନ୍ତାନ ଏହା ଦୃଢ଼ ରୂପେ ଅବଲମ୍ବନ କରେ; ଯେ ବିଶ୍ରାମବାର ପାଳନ କରି ତାହା ଅଶୁଚି ନ କରେ ଓ ସବୁ ପ୍ରକାର କୁକର୍ମରୁ ଆପଣା ହସ୍ତକୁ ନିବାରଣ କରେ, ସେ ଧନ୍ୟ।” ୩ “ନିଶ୍ଚୟ ସଦାପ୍ରଭୁ ଆପଣା ଲୋକମାନଙ୍କଠାରୁ ମୋତେ ପୃଥକ୍ କରିବେ,” ଏହା ସଦାପ୍ରଭୁଙ୍କଠାରେ ଆସକ୍ତ ବିଦେଶୀ ଲୋକ ନ କହୁ; ଅଥବା “ଦେଖ, ମୁଁ ଗୋଟିଏ ଶୁଷ୍କ ବୃକ୍ଷ, ଏହା ନପୁଂସକ ନ କହୁ।” ୪ କାରଣ, ନପୁଂସକମାନଙ୍କ ବିଷୟରେ ସଦାପ୍ରଭୁ ଏହି କଥା କହନ୍ତି, “ଯେଉଁମାନେ ଆମ୍ଭର ବିଶ୍ରାମଦିନ ପାଳନ କରନ୍ତି ଓ ଆମ୍ଭର ତୁଷ୍ଟିକର ବିଷୟ ମନୋନୀତ କରନ୍ତି ଓ ଆମ୍ଭର ନିୟମ ଅବଲମ୍ବନ କରନ୍ତି; ୫ ସେମାନଙ୍କୁ ଆମ୍ଭେ ଆମ୍ଭ ଗୃହ ମଧ୍ୟରେ ଓ ଆମ୍ଭ ପ୍ରାଚୀର ଭିତରେ ପୁତ୍ର କନ୍ୟା ଅପେକ୍ଷା ଉତ୍ତମ ସ୍ମରଣାର୍ଥକ ସ୍ତମ୍ଭ ଓ ନାମ ଦେବା; ଆମ୍ଭେ ସେମାନଙ୍କୁ ଅନନ୍ତକାଳସ୍ଥାୟୀ ନାମ ଦେବା, ତାହା କଟା ହେବ ନାହିଁ।” ୬ ଆହୁରି, ଯେଉଁ ବିଦେଶୀୟମାନେ ସଦାପ୍ରଭୁଙ୍କର ପରିଚର୍ଯ୍ୟା କରିବା ପାଇଁ ଓ ସଦାପ୍ରଭୁଙ୍କ ନାମକୁ ପ୍ରେମ କରିବା ପାଇଁ ଓ ତାହାଙ୍କର ଦାସ ହେବା ନିମନ୍ତେ ସଦାପ୍ରଭୁଙ୍କଠାରେ ଆସକ୍ତ ହୁଅନ୍ତି, ଅର୍ଥାତ୍‍, ଯେଉଁମାନେ ବିଶ୍ରାମଦିନ ପାଳନ କରି ତାହା ଅଶୁଚି ନ କରନ୍ତି ଓ ଆମ୍ଭର ନିୟମ ଅବଲମ୍ବନ କରନ୍ତି; ୭ ସେହି ସମସ୍ତଙ୍କୁ ଆମ୍ଭେ ଆପଣା ପବିତ୍ର ପର୍ବତକୁ ଆଣିବା ଓ ଆମ୍ଭର ପ୍ରାର୍ଥନାଗୃହରେ ସେମାନଙ୍କୁ ଆନନ୍ଦିତ କରିବା; ସେମାନଙ୍କର ହୋମବଳି ଓ ପ୍ରାୟଶ୍ଚିତ୍ତ ବଳିସବୁ ଆମ୍ଭ ଯଜ୍ଞବେଦି ଉପରେ ଗ୍ରାହ୍ୟ ହେବ; କାରଣ ଆମ୍ଭର ଗୃହ ସର୍ବଗୋଷ୍ଠୀୟ ଲୋକଙ୍କର ପ୍ରାର୍ଥନାଗୃହ ବୋଲି ବିଖ୍ୟାତ ହେବ। ୮ ଯେ ଇସ୍ରାଏଲର ଦୂରୀକୃତ ଲୋକଙ୍କୁ ସଂଗ୍ରହ କରନ୍ତି, ସେହି ପ୍ରଭୁ, ସଦାପ୍ରଭୁ କହନ୍ତି, “ତାହାର ସଂଗୃହୀତ ନିଜ ଲୋକ ଛଡ଼ା ଆମ୍ଭେ ଅନ୍ୟ ଲୋକମାନଙ୍କୁ ତାହା ନିକଟରେ ସଂଗ୍ରହ କରିବା।”
ଇସ୍ରାଏଲର ଦାୟିତ୍ୱହୀନ ନେତୃତ୍ୱ
୯ ହେ କ୍ଷେତ୍ରସ୍ଥ ପଶୁସବୁ, ହେ ବନସ୍ଥ ସମସ୍ତ ପଶୁ, ତୁମ୍ଭେମାନେ ଗ୍ରାସ କରିବାକୁ ଆସ। ୧୦ ତାହାର ପ୍ରହରୀଗଣ ଅନ୍ଧ, ସେମାନେ ସମସ୍ତେ ଜ୍ଞାନହୀନ; ସେସମସ୍ତେ ଘୁଙ୍ଗା କୁକ୍କୁର, ସେମାନେ ଭୁକି ପାରନ୍ତି ନାହିଁ; ସେମାନେ ସ୍ୱପ୍ନଦର୍ଶୀ, ନିଦ୍ରାଳୁ, ଢୁଳାଇବାକୁ ଭଲ ପା’ନ୍ତି। ୧୧ ଆହୁରି, ସେହି କୁକ୍କୁରମାନେ ପେଟୁକ, ସେମାନେ କେବେ ତୃପ୍ତ ନୁହନ୍ତି; ଆଉ, ଏମାନେ ବିବେଚନାଶକ୍ତି ଶୂନ୍ୟ ପାଳକ; ସେସମସ୍ତେ ଚାରିଆଡ଼ରୁ ଆପଣା ଆପଣା ଲାଭ ଚେଷ୍ଟାରେ ଆପଣା ଆପଣା ବାଟ ଆଡ଼େ ଫେରିଅଛନ୍ତି। ୧୨ ପ୍ରତ୍ୟେକେ କହନ୍ତି, “ଆସ,” “ଆମ୍ଭେ ଦ୍ରାକ୍ଷାରସ ଆଣିବା ଓ ଆମ୍ଭେମାନେ ସୁରାପାନରେ ମତ୍ତ ହେବା; ପୁଣି, ଯେପରି ଆଜି, ସେହିପରି କାଲି ହେବ, ତାହା ଅପରିମିତ ମହାଦିନ ହେବ।”