ଧନୀ ଶ୍ରେଣୀର ଲୋକଙ୍କ ପ୍ରତି ସତର୍କବାଣୀ
୧ ଏବେ ଦେଖ, ହେ ଧନୀମାନେ, ତୁମ୍ଭମାନଙ୍କର ଆସନ୍ନ ଦୁର୍ଦ୍ଦଶା ନିମନ୍ତେ କ୍ରନ୍ଦନ ଓ ହାହାକାର କର । ୨ ତୁମ୍ଭମାନଙ୍କର ସମ୍ପତ୍ତି କ୍ଷୟ ପାଇଲାଣି, ତୁମ୍ଭମାନଙ୍କର ବସ୍ତ୍ର ପୋକ ଖାଇଲାଣି, ୩ ପୁଣି, ତୁମ୍ଭମାନଙ୍କର ସୁନା ଓ ରୂପାରେ କଳଙ୍କ ଲାଗିଲାଣି; ସେଥିରେ କଳଙ୍କ ତୁମ୍ଭମାନଙ୍କ ବିରୁଦ୍ଧରେ ସାକ୍ଷ୍ୟ ଦେବ ଓ ଅଗ୍ନି ପରି ତୁମ୍ଭମାନଙ୍କ ମାଂସ ଗ୍ରାସ କରିବ । ଏହି ଶେଷକାଳରେ ତୁମ୍ଭେମାନେ ଧନ ସଞ୍ଚୟ କରିଅଛ ! ୪ ଦେଖ, ତୁମ୍ଭମାନଙ୍କ କ୍ଷେତ୍ରର ଶସ୍ୟଛେଦନକାରୀମାନଙ୍କୁ ପ୍ରବଞ୍ଚନା କରି ତୁମ୍ଭେମାନେ ଯେଉଁ ମୂଲ ଦେଇ ନାହଁ, ତାହା ଚିତ୍କାର କରୁଅଛି, ପୁଣି, ଶସ୍ୟ ଛେଦନକାରୀମାନଙ୍କର ଆର୍ତ୍ତନାଦ ବାହିନୀମାନଙ୍କ ପ୍ରଭୁଙ୍କ କର୍ଣ୍ଣରେ ପ୍ରବେଶ କରିଅଛି । ୫ ତୁମ୍ଭେମାନେ ଜଗତରେ ସୁଖଭୋଗ ଓ ବିଳାସିତାରେ କାଳକ୍ଷେପଣ କରିଅଛ, ବଧ ଦିନରେ ଆପଣା ଆପଣା ହୃଦୟକୁ ତୃପ୍ତ କରିଅଛ । ୬ ତୁମ୍ଭେମାନେ ଧାର୍ମିକକୁ ଦୋଷୀ କରି ବଧ କରିଅଛ; ସେ ତୁମ୍ଭମାନଙ୍କର ପ୍ରତିରୋଧ କରେ ନାହିଁ ।
ଧୈର୍ଯ୍ୟ ସହ କ୍ଳେଶଭୋଗ
୭ ଅତଏବ, ହେ ଭାଇମାନେ, ପ୍ରଭୁଙ୍କ ଆଗମନ ପର୍ଯ୍ୟନ୍ତ ଧୈର୍ଯ୍ୟ ଧରି ରୁହ । ଦେଖ, କୃଷକ କ୍ଷେତ୍ରର ବହୁମୂଲ୍ୟ ଫଳ ପାଇବା ନିମନ୍ତେ ଧୈର୍ଯ୍ୟ ଧରି ଆଦ୍ୟ ଓ ଶେଷ ବୃଷ୍ଟି ନ ହେବା ପର୍ଯ୍ୟନ୍ତ ଅପେକ୍ଷାରେ ରହେ । ୮ ତୁମ୍ଭେମାନେ ମଧ୍ୟ ଧୈର୍ଯ୍ୟ ଧରି ଆପଣା ଆପଣା ହୃଦୟକୁ ସୁସ୍ଥିର କର, କାରଣ ପ୍ରଭୁଙ୍କ ଆଗମନ ନିକଟବର୍ତ୍ତୀ । ୯ ହେ ଭାଇମାନେ, ତୁମ୍ଭେମାନେ ଯେପରି ଦଣ୍ଡପ୍ରାପ୍ତ ନ ହୁଅ, ଏଥି ନିମନ୍ତେ ପରସ୍ପର ବିରୁଦ୍ଧରେ ବଚସା ନ କର, ଦେଖ, ବିଚାରକର୍ତ୍ତା ଦ୍ୱାର ନିକଟରେ ଦଣ୍ଡାୟମାନ ହୋଇଅଛନ୍ତି । ୧୦ ହେ ଭାଇମାନେ, ଯେଉଁ ଭାବବାଦୀମାନେ ପ୍ରଭୁଙ୍କ ନାମରେ କଥା କହିଥିଲେ, ସେମାନଙ୍କୁ କ୍ଳେଶଭୋଗ ଓ ଧୈର୍ଯ୍ୟର ଦୃଷ୍ଟାନ୍ତ ସ୍ୱରୂପେ ଗ୍ରହଣ କର । ୧୧ ଦେଖ, ଯେଉଁମାନେ ସହିଷ୍ଣୁ ହୋଇ ରହିଥିଲେ, ଆମ୍ଭେମାନେ ସେମାନଙ୍କୁ ଧନ୍ୟ ବୋଲି କହିଥାଉ । ତୁମ୍ଭେମାନେ ଆୟୁବଙ୍କ ସହିଷ୍ଣୁତା ବିଷୟରେ ଶୁଣିଅଛ, ପୁଣି, ପ୍ରଭୁଙ୍କ ଶେଷ କାର୍ଯ୍ୟ ଦେଖି ଜାଣିଅଛ ଯେ, ସେ ଦୟାରେ ପରିପୂର୍ଣ୍ଣ ଓ କୃପାବାନ ଅଟନ୍ତି । ୧୨ ବିଶେଷତଃ, ହେ ମୋହର ଭାଇମାନେ, ଶପଥ କର ନାହିଁ, ସ୍ୱର୍ଗର ଶପଥ ହେଉ ବା ପୃଥିବୀର ଶପଥ ହେଉ; ଅବା ଅନ୍ୟ କୌଣସି ଶପଥ ହେଉ; କିନ୍ତୁ ତୁମ୍ଭମାନଙ୍କ ହଁ କଥା ହଁ ହେଉ, ନା କଥା ନା ହେଉ, ଯେପରି ତୁମ୍ଭେମାନେ ବିଚାରରେ ଦଣ୍ଡନୀୟ ନ ହୁଅ ।
ବିଶ୍ୱାସର ପ୍ରାର୍ଥନା
୧୩ ତୁମ୍ଭମାନଙ୍କ ମଧ୍ୟରେ କ'ଣ କେହି ଦୁଃଖଭୋଗ କରୁଅଛି ? ସେ ପ୍ରାର୍ଥନା କରୁ । କେହି କ'ଣ ଆନନ୍ଦିତ ଅଟେ ? ସେ ଗୀତ ଗାନ କରୁ । ୧୪ ତୁମ୍ଭମାନଙ୍କ ମଧ୍ୟରେ କ'ଣ କେହି ପୀଡ଼ିତ ? ସେ ମଣ୍ଡଳୀର ପ୍ରାଚୀନମାନଙ୍କୁ ଡକାଉ ସେମାନେ ପ୍ରଭୁଙ୍କ ନାମରେ ତୈଳ ମଖାଇ ତାହା ନିମନ୍ତେ ପ୍ରାର୍ଥନା କରନ୍ତୁ । ୧୫ ବିଶ୍ୱାସଯୁକ୍ତ ପ୍ରାର୍ଥନା ସେହି ରୋଗୀକୁ ରକ୍ଷା କରିବ, ପୁଣି, ପ୍ରଭୁ ତାହାକୁ ଉଠାଇବେ ଆଉ ଯଦି ସେ ପାପ କରିଥାଏ, ତାହାହେଲେ ତାହାକୁ କ୍ଷମା ଦିଆଯିବ । ୧୬ ଅତଏବ, ପରସ୍ପର ନିକଟରେ ଆପଣା ଆପଣାର ପାପ ସ୍ୱୀକାର କର, ପୁଣି, ସୁସ୍ଥ ହେବା ନିମନ୍ତେ ପରସ୍ପର ପାଇଁ ପ୍ରାର୍ଥନା କର । ଧାର୍ମିକ ବ୍ୟକ୍ତିର ପ୍ରାର୍ଥନା ଅନେକ କାର୍ଯ୍ୟ ସାଧନ କରି ପାରେ । ୧୭ ଏଲୀୟ ଆମ୍ଭମାନଙ୍କ ପରି ସୁଖଦୁଃଖଭୋଗୀ ମନୁଷ୍ୟ ଥିଲେ; ବୃଷ୍ଟି ନ ହେବା ନିମନ୍ତେ ସେ ଏକାନ୍ତ ଚିତ୍ତରେ ପ୍ରାର୍ଥନା କଲେ, ଆଉ ତିନି ବର୍ଷ ଛଅ ମାସ ପର୍ଯ୍ୟନ୍ତ ଦେଶରେ ବୃଷ୍ଟି ହେଲା ନାହିଁ; ୧୮ ସେ ପୁନର୍ବାର ପ୍ରାର୍ଥନା କରନ୍ତେ ଆକାଶରୁ ବୃଷ୍ଟି ହେଲା, ଆଉ ଭୂମି ଆପଣା ଫଳ ଉତ୍ପନ୍ନ କଲା । ୧୯ ହେ ମୋହର ଭାଇମାନେ, ତୁମ୍ଭମାନଙ୍କ ମଧ୍ୟରୁ ଯଦି କେହି ସତ୍ୟ ପଥରୁ ଭ୍ରାନ୍ତ ହୁଏ, ପୁଣି, କେହି ତାହାକୁ ଫେରାଇ ଆଣେ, ୨୦ ତେବେ ଯେ ପାପୀକୁ ଭ୍ରାନ୍ତିପଥରୁ ଫେରାଇ ଆଣେ, ସେ ଯେ ତାହାର ଆତ୍ମାକୁ ମୃତ୍ୟୁରୁ ରକ୍ଷା କରେ ଓ ବହୁତ ପାପ ଆଚ୍ଛାଦନ କରେ, ଏହା ଜାଣ ।