୧୨
ଇଫ୍ରୟିମ ସହ ଯିପ୍ତହଙ୍କ ସଂଘର୍ଷ
୧ ଏଥିଉତ୍ତାରେ ଇଫ୍ରୟିମ ଲୋକମାନେ ଏକତ୍ର ହୋଇ ଉତ୍ତର ଦିଗକୁ ଗମନ କଲେ, ପୁଣି ସେମାନେ ଯିପ୍ତହଙ୍କୁ କହିଲେ, ତୁମ୍ଭେ ଅମ୍ମୋନ-ସନ୍ତାନଗଣ ବିରୁଦ୍ଧରେ ଯୁଦ୍ଧ କରିବାକୁ ପାରି ହେବା ବେଳେ ତୁମ୍ଭ ସଙ୍ଗେ ଯିବା ପାଇଁ ଆମ୍ଭମାନଙ୍କୁ କାହିଁକି ଡାକିଲ ନାହିଁ ? ଆମ୍ଭେମାନେ ତୁମ୍ଭ ଉପରେ ତୁମ୍ଭ ଘର ଅଗ୍ନିରେ ଦଗ୍ଧ କରିବା। ୨ ତହିଁରେ ଯିପ୍ତହ ସେମାନଙ୍କୁ କହିଲେ, ଅମ୍ମୋନ ସନ୍ତାନଗଣ ସହିତ ମୋହର ଓ ମୋ’ ଲୋକମାନଙ୍କର ବଡ଼ ବିବାଦ ହୋଇଥିଲା; ପୁଣି ମୁଁ ତୁମ୍ଭମାନଙ୍କୁ ଡାକନ୍ତେ, ତୁମ୍ଭେ ସେମାନଙ୍କ ହସ୍ତରୁ ଆମ୍ଭକୁ ଉଦ୍ଧାର କଲ ନାହିଁ। ୩ ଆଉ ତୁମ୍ଭେମାନେ ମୋତେ ଉଦ୍ଧାର କଲ ନାହିଁ, ଏହା ଦେଖି ମୁଁ ଆପଣା ପ୍ରାଣ ଆପଣା ହସ୍ତରେ ଘେନି ଅମ୍ମୋନ ସନ୍ତାନଗଣ ବିରୁଦ୍ଧରେ ପାର ହୋଇଗଲି, ତହୁଁ ସଦାପ୍ରଭୁ ସେମାନଙ୍କୁ ମୋର ହସ୍ତରେ ସମର୍ପଣ କଲେ; ଏହେତୁ ତୁମ୍ଭେମାନେ ଆଜି କାହିଁକି ମୋ’ ବିରୁଦ୍ଧରେ ଯୁଦ୍ଧ କରିବାକୁ ଆସିଲ ? ୪ ତେବେ ଯିପ୍ତହ ଗିଲୀୟଦର ସମସ୍ତ ଲୋକଙ୍କୁ ଏକତ୍ର କରି ଇଫ୍ରୟିମ ସହିତ ଯୁଦ୍ଧ କଲେ; ତହିଁରେ ଗିଲୀୟଦୀୟ ଲୋକମାନେ ଇଫ୍ରୟିମକୁ ପରାସ୍ତ କଲେ, କାରଣ ସେମାନେ କହିଥିଲେ, ହେ ଇଫ୍ରୟିମ ଓ ମନଃଶିର ମଧ୍ୟବର୍ତ୍ତୀ ଗିଲୀୟଦୀୟମାନେ, ତୁମ୍ଭେମାନେ ଇଫ୍ରୟିମର ପଳାତକ ଲୋକ। ୫ ପୁଣି ଗିଲୀୟଦୀୟ ଲୋକମାନେ ଇଫ୍ରୟିମୀୟମାନଙ୍କ ନିକଟସ୍ଥ ଯର୍ଦ୍ଦନ ଘାଟ ହସ୍ତଗତ କଲେ; ତହିଁରେ ଇଫ୍ରୟିମର ପଳାତକ କୌଣସି ଲୋକ ଯେତେବେଳେ ଆମ୍ଭକୁ ପାର ହୋଇ ଯିବାକୁ ଦିଅ ବୋଲି କହିଲା, ସେତେବେଳେ ଗିଲୀୟଦର ଲୋକମାନେ ତାହାକୁ ପଚାରିଲେ, ତୁମ୍ଭେ କି ଇଫ୍ରୟିମୀୟ ଲୋକ ? ଯେବେ ସେ କହିଲା, ନା; ୬ ତେବେ ସେମାନେ ତାହାକୁ କହିଲେ, କହ ତ “ଶିବ୍ବୋଲେତ୍‍” ତହିଁରେ ସେ କହିଲା, “ସିବ୍ବୋଲେତ୍‍”, କାରଣ ସେ ତାହା ଶୁଦ୍ଧ ରୂପେ ଉଚ୍ଚାରଣ କରି ପାରିଲା ନାହିଁ; ତେବେ ସେମାନେ ତାହାକୁ ଧରି ଯର୍ଦ୍ଦନ ଘାଟରେ ବଧ କଲେ; ଆଉ ସେହି ସମୟରେ ଇଫ୍ରୟିମର ବୟାଳିଶ ହଜାର ଲୋକ ମାରା ପଡ଼ିଲେ। ୭ ଯିପ୍ତହ ଛଅ ବର୍ଷ ଇସ୍ରାଏଲର ବିଚାର କଲେ। ଏଥିଉତ୍ତାରେ ଗିଲୀୟଦୀୟ ଯିପ୍ତହ ମଲେ ଓ ଗିଲୀୟଦୀୟ ଏକ ନଗରରେ କବର ପାଇଲେ।
ଇବ୍‍ସନ୍‍, ଏଲୋନ୍‍ ଓ ଅବ୍‍ଦୋନ୍‍
୮ ତାହା ଉତ୍ତାରେ ବେଥଲିହିମର ଇବ୍‍ସନ୍‍ ଇସ୍ରାଏଲର ବିଚାର କଲେ। ୯ ତାଙ୍କର ତିରିଶ ପୁତ୍ର ଥିଲେ ଓ ସେ ତିରିଶ କନ୍ୟା ବାହାରେ ଦେଲେ ଓ ଆପଣା ପୁତ୍ରମାନଙ୍କ ପାଇଁ ତିରିଶ କନ୍ୟା ବାହାରୁ ଆଣିଲେ। ପୁଣି ସେ ସାତ ବର୍ଷ ଇସ୍ରାଏଲର ବିଚାର କଲେ। ୧୦ ଏଥିଉତ୍ତାରେ ଇବ୍‍ସନ୍‍ ମଲେ ଓ ବେଥଲିହିମରେ କବର ପାଇଲେ। ୧୧ ତାହା ଉତ୍ତାରେ ସବୂଲୂନୀୟ ଏଲୋନ୍‍ ଇସ୍ରାଏଲର ବିଚାର କଲେ ଓ ସେ ଦଶ ବର୍ଷ ଇସ୍ରାଏଲର ବିଚାର କଲେ। ୧୨ ଏଥିଉତ୍ତାରେ ସବୂଲୂନୀୟ ଏଲୋନ୍‍ ମଲେ ଓ ସବୂଲୂନ ଦେଶସ୍ଥ ଅୟାଲୋନରେ କବର ପାଇଲେ। ୧୩ ତାହା ଉତ୍ତାରେ ପିରୀୟାଥୋନୀୟ ହିଲ୍ଲେଲର ପୁତ୍ର ଅବ୍‍ଦୋନ୍‍ ଇସ୍ରାଏଲର ବିଚାର କଲେ। ୧୪ ଆଉ ତାହାର ଚାଳିଶ ପୁତ୍ର ଓ ତିରିଶ ପୌତ୍ର ଥିଲେ, ସେମାନେ ସତୁରି ଗର୍ଦ୍ଦଭ ଚଢ଼ିଲେ; ପୁଣି ସେ ଆଠ ବର୍ଷ ଇସ୍ରାଏଲର ବିଚାର କଲେ। ୧୫ ଏଥିଉତ୍ତାରେ ପିରୀୟାଥୋନୀୟ ହିଲ୍ଲେଲର ପୁତ୍ର ଅବ୍‍ଦୋନ୍‍ ମଲେ ଓ ଅମାଲେକୀୟ ପର୍ବତମୟ ଦେଶ ଅନ୍ତର୍ଗତ ଇଫ୍ରୟିମ ଦେଶସ୍ଥ ଫିରୀୟାଥୋନରେ କବର ପାଇଲେ।